ଆସନ୍ତାକାଲି ଆସିବେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ, ବାଲେଶ୍ୱରରେ ଡେରା ପକାଇଛନ୍ତି ରେଳମନ୍ତ୍ରୀ

ବାଲେଶ୍ୱର ଜିଲ୍ଲାର ବାହାନଗାଠାରେ ଭୟାବହ ଟ୍ରେନ ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ବ୍ୟବସ୍ଥାର ତଦାରଖ କରିବା ପାଇଁ  କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟା ଆସନ୍ତାକାଲି ଓଡ଼ିଶା ଆସିବେ ।

ଟ୍ରେନ୍‌ ଦୁର୍ଘଟଣା

  • Published: Saturday, 03 June 2023
  • , Updated: 03 June 2023, 09:04 PM IST

ବାଲେଶ୍ୱର ଜିଲ୍ଲାର ବାହାନଗାଠାରେ ଭୟାବହ ଟ୍ରେନ ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ବ୍ୟବସ୍ଥାର ତଦାରଖ କରିବା ପାଇଁ  କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟା ଆସନ୍ତାକାଲି ଓଡ଼ିଶା ଆସିବେ । ଏହାସହିତ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ରାତିରେ ବାଲେଶ୍ୱରରେ ଡେରା ପକାଇ ଆହତଙ୍କ ଚିକିତ୍ସା ବ୍ୟବସ୍ଥା ଓ ରେଳବାଇ ମାର୍ଗ ମରାମତି କାର୍ଯ୍ୟକୁ ତଦାରଖ କରିବେ ବୋଲି ଜଣାପଡ଼ିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦୁର୍ଘଟଣାସ୍ଥଳର ସ୍ଥିତି ପରଖିବାପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ମାଣ୍ଡଭିୟାଙ୍କୁ ଚିକିତ୍ସା ବ୍ୟବସ୍ଥାର ତଦାରଖ କରିବାକୁ ପରାମର୍ଶ ଦେଇଥିଲେ ।

ସୂଚନା ଅନୁସାରେ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ମାଣ୍ଡଭିୟା ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରସ୍ଥିତ ଏମ୍ସ ଓ କଟକସ୍ଥିତ ଏସସିବି ମେଡିକାଲ କଲେଜ ଯାଇ ଆହତଙ୍କୁ ଭେଟିବା ସହ ସେଠାରେ ଚାଲିଥିବା ଚିକିତ୍ସା ବ୍ୟବସ୍ଥାର ତଦାରଖ କରିବେ । ଏହାସହିତ ଆହତଙ୍କୁ ସର୍ବୋତ୍କୃଷ୍ଟ ଚିକିତ୍ସା ସେବା ଯୋଗାଇ ଦେବା ନିମନ୍ତେ ଯାହା ସମ୍ଭବ ତାହା ତଦାରଖ କରିବାକୁ ଶ୍ରୀ ମାଣ୍ଡଭିୟା ଓଡ଼ିଶା ଆସୁଥିବା ଜଣାପଡ଼ିଛି । ଏପଟେ ଆଜି ସକାଳଠୁ ଦୁର୍ଘଟଣାସ୍ଥଳରେ ଡେରା ପକାଇଥିବା ଦୁଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ଓ ଶ୍ରୀ ପ୍ରଧାନ ଆଜି ରାତିରେ ବାଲେଶ୍ୱରରେ ରହିବେ । ଦୁଇ କେନ୍ଦ୍ରମନ୍ତ୍ରୀ ସେଠାରେ ଆହତ ଯାତ୍ରୀଙ୍କ ଚିକିତ୍ସା ବ୍ୟବସ୍ଥା ଓ ରେଳବାଇ ମାର୍ଗ ମରାମତି କାର୍ଯ୍ୟ ସହ ରେଳ ଚଳାଚଳ ସ୍ୱାଭାବିକ କରିବା କାର୍ଯ୍ୟର ତଦାରଖ କରିବେ ।

ଉଲ୍ଲେଖଯୋଗ୍ୟ, ଆଜି ରାତି ୮ଟାରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ ଦୁର୍ଘଟଣାର ଶିକାର ହୋଇ ହସ୍ପିଟାଲରେ ଭର୍ତ୍ତି ଥିବା ମୋଟ ୧୧୭୫ଜଣ ଯାତ୍ରୀଙ୍କ ମଧ୍ୟରୁ ୭୯୩ଜଣ ରୋଗୀ ଡିସଚାର୍ଜ ହୋଇଛନ୍ତି । ବାକି ୩୮୨ଜଣ ଯାତ୍ରୀ ଏବେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ୨ଜଣ ଯାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାବେଳେ ଅନ୍ୟମାନଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସୁଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ଗତକାଲି ସନ୍ଧ୍ୟାରେ ଭୟାବହ ଟ୍ରେନ ଦୁର୍ଘଟଣା ପରେ ଆଜି ଘଟଣାସ୍ଥଳକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ୨ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରଧାନ, ତାମିଲନାଡୁ ସରକାରଙ୍କ ୩ଜଣ ମନ୍ତ୍ରୀ ଗସ୍ତ କରିଥିଲେ ।

Related story