Advertisment

ମାଟ୍ରିକ ପରୀକ୍ଷାରେ ହଜାର ହଜାର ପରୀକ୍ଷାର୍ଥୀ ଅନୁପସ୍ଥିତ: କାରଣ ଅସ୍ପଷ୍ଟ, ସରକାର ନିରବ

ପରୀକ୍ଷା ପୂର୍ବରୁ କେତେ ଛାତ୍ରଛାତ୍ରୀ ବିବାହ କରିଛନ୍ତି ଓ କେତେଜଣ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି ତା’ର ତଥ୍ୟ ଏବେ ବିଭାଗ ପାଖରେ ନଥିବା ମନ୍ତ୍ରୀ ଶ୍ରୀ ଦାଶ ସ୍ୱୀକାର କରିଛନ୍ତି ।

author-image
Ordigital Desk
matric student

matric student

ରାଜ୍ୟରେ ପ୍ରତିବର୍ଷ ମାଟ୍ରିକ ପରୀକ୍ଷାରେ ହଜାର ହଜାର ସଂଖ୍ୟାରେ ପରୀକ୍ଷାର୍ଥୀ ଅନୁପସ୍ଥିତ ରହୁଛନ୍ତି । ଏହି ପିଲାମାନେ ମାଟ୍ରିକ ପରୀକ୍ଷା ଦେବା ନିମନ୍ତେ ଫର୍ମ ପୂରଣ କରିବା ସତ୍ତ୍ୱେ କାହିଁକି ପରୀକ୍ଷାରେ ଅନୁପସ୍ଥିତ ରହୁଛନ୍ତି ସେ ନେଇ ରାଜ୍ୟ ସରକାର ନିରବ ରହୁଛନ୍ତି । ଏପରିକି ଫର୍ମ ପୂରଣ ଓ ପରୀକ୍ଷା ମଧ୍ୟରେ ମାତ୍ର ୨ରୁ ୩ମାସ ବ୍ୟବଧାନ ରହିଥିବାବେଳେ ହଜାର ହଜାର ସଂଖ୍ୟକ ପରୀକ୍ଷାର୍ଥୀ କାହିଁକି ଅନୁପସ୍ଥିତ ରହୁଛନ୍ତି ତାକୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି । ରାଜ୍ୟରେ ଚଳିତ ଶିକ୍ଷାବର୍ଷରେ ପ୍ରାୟ ୧୬୬୭୯ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ଥିବାବେଳେ ଗତ ୫ବର୍ଷ ଧରି ପ୍ରତିବର୍ଷ ନିୟମିତ ଭାବେ ହଜାର ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଉନଥିବା ଜଣାପଡ଼ିଛି।

Advertisment

ଆଜି ବିଧାନସଭାରେ ବିଧାୟକ ନବଚରଣ ମାଝୀଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ, ଚଳିତ ଶିକ୍ଷା ବର୍ଷ ରାଜ୍ୟରେ ୫ଲକ୍ଷ ୩୨ହଜାର ୭୪୬ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଥିଲେ । ସମେଟିଭ୍ ଆସେସମେଂଟ-୨ ପରୀକ୍ଷାରେ ବିଭିନ୍ନ ବିଷୟରେ ୧୬୩୭୦ରୁ ୧୬୬୭୯ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିଲେ । ଯେହେତୁ ଅନୁପସ୍ଥିତ ଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ବିଷୟ ଅନୁସାରେ ଆକଳନ କରାଯାଇଛି ତେଣୁ ଏହି ପରୀକ୍ଷା ଦେଇନଥିବା ଛାତ୍ରଛାତ୍ରୀଙ୍କ ସଠିକ୍ ସଂଖ୍ୟା ପରୀକ୍ଷା ଫଳ ଆସିବା ପରେ ଜଣାପଡ଼ିବ।

ସେହିପରି ୨୦୨୨ ରେ ମୋଟ ୫ଲକ୍ଷ ୬୭ହଜାର ୭୫୩ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିଲେ ମଧ୍ୟ ୪୪୨୪୫ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଆସିନଥିଲେ । ୨୦୨୧ରେ ମଧ୍ୟ ୪୪୧୨ଜଣ, ୨୦୨୦ରେ ୧୧୬୪୫ଜଣ, ୨୦୧୯ରେ ୯୫୦୨ଜଣ ଓ ୨୦୧୮ ମସିହାରେ ୧୨୯୫୫ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରି ମଧ୍ୟ ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ରହିଥିଲେ ବୋଲି ମନ୍ତ୍ରୀ ଶ୍ରୀ ଦାଶ ସୂଚନା ଦେଇଛନ୍ତି।

Advertisment

ତେବେ ପରୀକ୍ଷା ପୂର୍ବରୁ କେତେ ଛାତ୍ରଛାତ୍ରୀ ବିବାହ କରିଛନ୍ତି ଓ କେତେଜଣ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି ତା’ର ତଥ୍ୟ ଏବେ ବିଭାଗ ପାଖରେ ନଥିବା ମନ୍ତ୍ରୀ ଶ୍ରୀ ଦାଶ ସ୍ୱୀକାର କରିଛନ୍ତି । ମାତ୍ର ପିଲାମାନେ କରୋନା ମହାମାରୀ ଓ ବ୍ୟକ୍ତିଗତ କାରଣ ଯୋଗୁ ପରୀକ୍ଷାରେ ଅନୁପସ୍ଥିତ ରହୁଥିବା ଶ୍ରୀ ଦାସ କହିଛନ୍ତି। 

Odisha Bhubaneswar Matric Exam