Advertisment

୩ ଶକ୍ତିପୀଠର ହେବ ନବକଳେବର: ମା’ ମଙ୍ଗଳା,ଭଗବତୀ ଓ ଉଗ୍ରତାରାଙ୍କ ପୀଠର ମାଷ୍ଟର ପ୍ଲାନକୁ ମଞ୍ଜୁରୀ

ପଂଚଦଶ ଶତାବ୍ଦୀରେ ନିର୍ମିତ କାକଟପୁରର ପ୍ରସିଦ୍ଧ ମା’ମଙ୍ଗଳା ପୀଠର ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସହ ଘନିଷ୍ଠ ସଂପର୍କ ରହିଛି ।

Temple

Temple

Advertisment

ରାଜ୍ୟର ୩ ପ୍ରମୁଖ ଶକ୍ତି ପୀଠର ନବକଳେବର ହେବ । କାକଟପୁରର ମା’ ମଙ୍ଗଳା, ଭୂଷଣ୍ଡପୁରର ମା’ ଉଗ୍ରତାରା ଓ ବାଣପୁରର ମା’ ଭଗବତୀ ପୀଠର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ପ୍ରସ୍ତୁତ ମାଷ୍ଟର ପ୍ଲାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ପୂ୍‌ର୍ତ୍ତର୍ ବିଭାଗର ପର୍ଯ୍ୟଟନ ସ୍ଥଳ ଓ ଐତିହ କିର୍ତ୍ତିରାଜୀର ସମ୍ୱନିତ ବିକାଶ ଯୋଜନାରେ ଏହାକୁ ସାମିଲ କରାଯାଇଛି । ଓଡ଼ିଶା ସେତୁ ନିର୍ମାଣ ନିଗମ(ଓବିସିସି) ଉପରେ ଏହି ବିକାଶ ଦାୟିତ୍ୱ ନ୍ୟସ୍ତ କରାଯାଇଥିବାବେଳେ ୫ଟି ଉପକ୍ରମରେ ଏହି ଯୋଜନା କାର୍ଯ୍ୟକାରୀ ହେବ ।

Advertisment

ପଂଚଦଶ ଶତାବ୍ଦୀରେ ନିର୍ମିତ କାକଟପୁରର ପ୍ରସିଦ୍ଧ ମା’ମଙ୍ଗଳା ପୀଠର ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସହ ଘନିଷ୍ଠ ସଂପର୍କ ରହିଛି । ନବକଳେବର ସମୟରେ ଦଇତାପତି ସେବକମାନେ ମା’ଙ୍କ ଆଜ୍ଞାକ୍ରମେ ଏଠାରୁ ହିଁ ଦାରୁ ସନ୍ଧାନରେ ଯାଇଥାନ୍ତି । ଚୈତ୍ର ମାସରେ ଝାମୁ ଯାତ୍ରା ମା’ଙ୍କ ପ୍ରସିଦ୍ଧ ପର୍ବ । ୫ଟି ଉପକ୍ରମରେ ଆସନ୍ତା ବର୍ଷକ ମଧ୍ୟରେ ଓବିସିସି ଏହି ନବକଳେବର କାର୍ଯ୍ୟ ଶେଷ କରିବ । ଏହି ପ୍ରାଚୀନ ଶକ୍ତିପୀଠର ବିକାଶ ନିମନ୍ତେ ପ୍ରସ୍ତୁତ ମାଷ୍ଟରପ୍ଲାନରେ ମନ୍ଦିରରେ ଖୋଣ୍ଡାଲାଇଟ୍ ପଥର ବିଛାଯିବା ସହିତ ମନ୍ଦିରର ରୋଷଘର ଓ ଜଳ ନିଷ୍କାସନ ବ୍ୟବସ୍ଥାର ସଂସ୍କାର କରାଯିବ । ଏହା ସହିତ ସେବାୟତ ଭବନ, ଭୋଗ ଦୋକାନ ପ୍ରାଚୀ ନଦୀ କୂଳରେ ମୁଣ୍ଡନ କିଓସ୍କୋ, ଚନ୍ଦନଘାଟର ବିକାଶ, ଗୋଷ୍ଠୀ ଶୌଚାଳୟ ଆଦିର ବିକାଶ କରାଯିବ । ପୀଠକୁ ଅଧିକ ଆକର୍ଷଣୀୟ କରାଯିବା ପାଇଁ କୋଣାର୍କ ପାର୍ଶ୍ୱ ରାସ୍ତାରେ ଐତିହ୍ୟ ଦ୍ୱାର ନିର୍ମାଣ କରାଯିବ । ଯାତ୍ରୀମାନଙ୍କ ସୁବିଧାପାଇଁ ବିଭିନ୍ନ ପଦକ୍ଷେପ ନେବା ସହିତ ଆଲୋକୀକରଣ, ଲ୍ୟାଣ୍ଡସ୍କେପିଂ ଓ ବୃକ୍ଷରୋପଣ କରାଯିବା ସହିତ ପାର୍କିଂ ସ୍ଥଳର ମଧ୍ୟ ବିକାଶ କରାଯିବ ।

ସେହିପରି ନବମ ଶତାବ୍ଦୀରେ ନିର୍ମିତ ଖୋର୍ଦ୍ଧା ଜିଲ୍ଲା ବାଣପୁରର ମା’ ଭଗବତୀଙ୍କ ପୀଠର ବିକାଶ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଛି । ସିଂହଦ୍ୱାରଠାରୁ ଆରମ୍ଭ କରି ପରିକ୍ରମା, ଘାଟ, ଯାତ୍ରା ପଡ଼ିଆ, ଯାତ୍ରୀ ସୁବିଧା ତଥା ଜଗନ୍ନାଥ ମନ୍ଦିରର ବିକାଶ ପାଇଁ ଏଥିରେ ସ୍ୱତନ୍ତ୍ର ଫୋକସ ରଖାଯାଇଛି । ଏହା ସହିତ ବହୁମୁଖୀ ହଲ, ରାସ୍ତା ଓ ନଦୀଘାଟ ଆଦିର ବିକାଶ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି । ରାଜ୍ୟ ପ୍ରତ୍ନତତ୍ତ୍ୱ ନିର୍ଦ୍ଦେଶାଳୟ ତତ୍ତ୍ୱାବଧାନରେ ଓଡ଼ିଶା ସେତୁ ନିର୍ମାଣ ନିଗମ ୨୪ ମାସ ମଧ୍ୟରେ ଏହି କାର୍ଯ୍ୟ ଶେଷ କରିବ ।

Advertisment

ସେହିପରି ଖୋର୍ଦ୍ଧା ଜିଲ୍ଲାର ଅନ୍ୟତମ ଶକ୍ତିପୀଠ ୧୩୫୨ ଖ୍ରୀଷ୍ଟାବ୍ଦରେ ନିର୍ମିତ ଭୁଷୁଣ୍ଡପୁରର ମା’ ଉଗ୍ରତାରାଙ୍କ ପୀଠର ବିକାଶ ପାଇଁ ପ୍ରସ୍ତୁତ ଯୋଜନାରେ ମନ୍ଦିରର ବିକାଶ ସହ ଅଭ୍ୟର୍ଥନା ଗୃହ, ଯାତ୍ରୀ ଙ୍କ ସୁବିଧା, ପାର୍କିଂ, ଲ୍ୟାଣ୍ଡସ୍କେପିଂ, ପିକନିକ୍ ସ୍ପଟ୍, ଯାତ୍ରା ପଡ଼ିଆ ସହିତ ପୋଖରୀର ମଧ୍ୟ ପୁନରୁଦ୍ଧାର କରାଯିବ । ଓଡିଶା ସେତୁ ନିର୍ମାଣ ନିଗମ ଦ୍ୱାରା ୧୮ ମାସ ମଧ୍ୟରେ କାମ ଶେଷ କରାଯିବ ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ଅବସରରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉକ୍ତ ୩ ଶକ୍ତିପୀଠର ସେବାୟତମାନଙ୍କ ସହ ମଧ୍ୟ ଆଲୋଚନା କରି ଯୋଜନା ସଂପର୍କରେ ସେମାନଙ୍କ ମତାମତ ନେଇଥିଲେ । ଏହି ତିନି ମନ୍ଦିରର ବିକାଶ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟରେ ମଧ୍ୟରେ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନାଙ୍କ ସମେତ ବରିଷ୍ଠ ଅଧିକାରୀ ଓ ଜିଲ୍ଲାପାଳମାନେ ଉପସ୍ଥିତ ଥିଲେ ।

Temple Kakatpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe