Advertisment

ନବୀନ ସରକାରରେ ୨.୧୦ଲକ୍ଷ ହେକ୍ଟର ଜମିର ମାଲିକାନା ହରାଇଛନ୍ତି ଆଦିବାସୀ, ସିଏଜିଙ୍କ ଉଦବେଗ

୨୦୦୫-୦୬ରୁ ୨୦୧୫-୧୬ ମସିହା ମଧ୍ୟରେ ରାଜ୍ୟର ଆଦିବାସୀଙ୍କ ଜମି ପରିମାଣ ୧୭.୪୮ଲକ୍ଷ ହେକ୍ଟରରୁ ହ୍ରାସ ପାଇ ୧୫.୩୮ଲକ୍ଷ ହେକ୍ଟରରେ ରହିଛି ।

author-image
Ordigital Desk
Naveen Patnaik

Naveen Patnaik

ଆଦିବାସୀଙ୍କ ସ୍ୱାର୍ଥ,ସୁରକ୍ଷା ଓ ବିକାଶ ଦିଗରେ ବ୍ୟାପକ ପଦକ୍ଷେପ ନିଆଯାଉଛି ବୋଲି ଦମ୍ଭୋକ୍ତି ବାଢ଼ୁଥିବା ରାଜ୍ୟର କ୍ଷମତାସୀନ ନବୀନ ପଟ୍ଟନାୟକ ସରକାରରେ ଆଦିବାସୀମାନେ ୨.୧୦ଲକ୍ଷ ହେକ୍ଟର ଜମି ଉପରୁ ନିଜର ମାଲିକାନା ସତ୍ୱ ହରାଇଛନ୍ତି । ୨୦୦୫-୦୬ରୁ ୨୦୧୫-୧୬ ମସିହା ମଧ୍ୟରେ ରାଜ୍ୟର ଆଦିବାସୀଙ୍କ ଜମି ପରିମାଣ ୧୭.୪୮ଲକ୍ଷ ହେକ୍ଟରରୁ ହ୍ରାସ ପାଇ ୧୫.୩୮ଲକ୍ଷ ହେକ୍ଟରରେ ରହିଛି । ଏପରିକି ଆଦବାସୀଙ୍କ ଜମିର ହିସାବ ସରକାରୀ ଭାବେ ଜିଲ୍ଲା ଓ  ତହସିଲସ୍ତରରେ ବି ରଖିବାକୁ ରାଜ୍ୟ ସରକାର ଆଗ୍ରହ ଦେଖାଇନାହାନ୍ତି । ସିଏଜି ଏସବୁ ଦିଗକୁ ଦର୍ଶାଇବା ସହ ନିଜର ଚିଠା ଅଡିଟ୍ ରିପୋର୍ଟରେ ଉଦବେଗ ପ୍ରକାଶ କରିଛନ୍ତି ।

Advertisment

ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଶାସକ ବିଜେଡି ସମେତ ବିଭିନ୍ନ ଦଳ ଏବେ ରାଜ୍ୟର ଆଦିବାସୀ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ପ୍ରୟାସ ଜାରି ରଖିଥିବାବେଳେ ସିଏଜିଙ୍କ ଚିଠା ଅଡିଟ୍ ରିପୋର୍ଟ ନବୀନ ପଟ୍ଟନାୟକ ସରକାରର ଆଦିବାସୀ ପ୍ରୀତିର ନଗ୍ନ ଚିତ୍ରକୁ ପଦାରେ ପକାଇ ଦେଇଛି । ସିଏଜିଙ୍କ ଚିଠା ଅଡିଟ୍ ରିପୋର୍ଟ ଅନୁସାରେ ୨୦୦୫-୦୬ରୁ ୨୦୧୫-୧୬ ମସିହା ମଧ୍ୟରେ ମୋଟ କୃଷି ଜମି ପରିମାଣ ୫୦.୧୯ଲକ୍ଷ ହେକ୍ଟରରୁ ୪୬.୧୯ଲକ୍ଷ ହେକ୍ଟରକୁ ହ୍ରାସ ପାଇଛି । ତେବେ ଏହି ଅବଧି ମଧ୍ୟରେ ଅନୁସୂଚିତ ଜାତି ଓ ଅନ୍ୟାନ୍ୟ ବର୍ଗର ଲୋକଙ୍କ ଜମି ପରିମାଣ ବୃଦ୍ଧି ପାଇଥିବାବେଳେ ଆଦିବାସୀ ବର୍ଗର ଲୋକଙ୍କ ଜମି ମାଲିକାନାରେ ପ୍ରାୟ ୧୨ ପ୍ରତିଶତ ହ୍ରାସ ହୋଇଛି । ଅର୍ଥାତ୍ ୨୦୦୫-୦୬ରୁ ୨୦୧୫-୧୬ ମସିହା ମଧ୍ୟରେ ମୋଟ ୨.୧୦ଲକ୍ଷ ହେକ୍ଟର ଜମି ଉପରୁ ଆଦିବାସୀମାନେ ନିଜର ମାଲିକାନା ହରାଇ ବସିଛନ୍ତି । ୨୦୧୧ ଜନଗଣନା ଅନୁସାରେ ରାଜ୍ୟରେ ମୋଟ ୯୫.୯୧ଲକ୍ଷ ଆଦିବାସୀ ଲୋକ(ରାଜ୍ୟର ମୋଟ ଜନସଂଖ୍ୟାର ୨୨.୮୫%) ଥିବାବେଳେ ସେମାନଙ୍କ ମଧ୍ୟରେ ୧୩ଟି ଆଦିମ ଜନଜାତିଙ୍କୁ ମିଶାଇ ମୋଟ ୬୨ଟି ସମୁଦାୟର ଲୋକେ ଅଛନ୍ତି । ରାଜ୍ୟର ମୋଟ ୩୧୪ଟି ବ୍ଲକ ମଧ୍ୟରୁ ୧୧୯ଟି ବ୍ଲକ ସିଡ୍ୟୁଲ ଏରିଆ ଭାବେ ଚିହ୍ନଟ ହୋଇଛି । ୨୦୨୨ ମାର୍ଚ୍ଚ ସୁଦ୍ଧା ରାଜ୍ୟର ୪୪.୭୦% ଅଂଚଳ ସିଡ୍ୟୁଲ ଏରିଆରେ ରହିଛି । ତେବେ ଆଶ୍ଚର୍ଯ୍ୟର କଥା ଜିଲ୍ଲା ଓ ତହସିଲସ୍ତରରେ ଆଦିବାସୀଙ୍କ ଜମି ସଂକ୍ରାନ୍ତୀୟ ତଥ୍ୟର ହିସାବ ରଖିବା ଦିଗରେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ କିମ୍ବା ଅନୁସୂଚିତ ଜାତି ଓ ଜନଜାତି ବିଭାଗ କିମ୍ବା ସମ୍ପୃକ୍ତ ତହସିଲରେ ନାହିଁ ବୋଲି ସିଏଜି ଉଲ୍ଲେଖ କରିଛନ୍ତି । ରାଜ୍ୟ ସରକାର ଓଡ଼ିଶା ସିଡ୍ୟୁଲ ଏରିଆ ଟ୍ରାନ୍ସଫର ଅଫ ଇମୁଭେବୁଲ ପ୍ରର୍ପଟି(ଓଏସଏଟିଆଇପି)

ରେଗୁଲେସନ,୧୯୫୬ର ସଂଶୋଧନ (୨୦୦୨ ଅର୍ଡର)କୁ ୨୦୦୨ ସେପ୍ଟେମ୍ବର ୪ତାରିଖରେ କାର୍ଯ୍ୟକାରୀ କଲେ । ଯେଉଁଥିରେ ଆଦିବାସୀ ଜମିକୁ ଅଣଆଦିବାସୀଙ୍କୁ ହସ୍ତାନ୍ତର ଉପରେ କଟକଣା ରହିଛି । କିନ୍ତୁ ଏହି ନିୟମ କାର୍ଯ୍ୟକାରୀ ହେବାର ଏତେ ବର୍ଷ ପରେ ମଧ୍ୟ ତାକୁ ସଠିକ୍ ଭାବେ କାର୍ଯ୍ୟକ୍ଷମ କରାଯାଇ ପାରିନି କିମ୍ବା ଏ ଦିଗରେ ଅଣଆଦିବାସୀଙ୍କ କବଜାରେ ଥିବା କୌଣସି ଜମି ତା’ର ପ୍ରକୃତ ମାଲିକ (ଆଦିବାସୀ)ଙ୍କ ନିକଟକୁ ଫେରସ୍ତ ଯାଇନି। ଏ ଦିଗରେ କୌଣସି ସମୟସୀମା ନିର୍ଦ୍ଧାରଣ ହୋଇନଥିବାରୁ ୧୦ବର୍ଷରୁ ଅଧିକ ସମୟ ଧରି ପ୍ରାୟ ୧୩୪୭ଟି ମାମଲା ପଡ଼ିରହିଛି ବୋଲି ସିଏଜି ତାଙ୍କ ଚିଠା ଅଡିଟ୍ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ।

Advertisment
Naveen Patnaik