Advertisment

ଓଡ଼ିଶା ଜଙ୍ଗଲରେ ୨ ମହାବଳ ବାଘ

ଦେବ୍ରିଗଡ଼କୁ ନିୟମିତ ଆସୁଛି ଛତିଶଗଡ଼ର ଗୋଟିଏ ମହାବଳ ବାଘ। ଦେବ୍ରିଗଡ଼ ଅଭୟାରଣ୍ୟ ସହ ବରଗଡ଼ର ୨ଟି ଜଙ୍ଗଲରେ ବାଘଟି ବୁଲୁଥିବା ଜଣାପଡ଼ିଛି।

author-image
Hemant Lenka
Tiger

Tiger

ଓଡ଼ିଶା ଜଙ୍ଗଲରୁ ଠାବ ହୋଇଛନ୍ତି ଦୁଇଟି ମହାବଳ ବାଘ। ଦେବ୍ରିଗଡ଼ ଓ କେନ୍ଦୁଝର ଜଙ୍ଗଲରେ ମହାବଳ ବାଘ ବୁଲୁଛନ୍ତି। ଦେବ୍ରିଗଡ଼କୁ ନିୟମିତ ଆସୁଛି ଛତିଶଗଡ଼ର ଗୋଟିଏ ମହାବଳ ବାଘ। ଦେବ୍ରିଗଡ଼ ଅଭୟାରଣ୍ୟ ସହ ବରଗଡ଼ର ୨ଟି ଜଙ୍ଗଲରେ ବାଘଟି ବୁଲୁଥିବା ଜଣାପଡ଼ିଛି। ସେହିପରି କେନ୍ଦୁଝର ଘଟଗାଁ ରେଂଜ ରଙ୍ଗମାଟିଆରେ ମଧ୍ୟ ମହାବଳ ବାଘ ଠାବ ହୋଇଛି। ଜଙ୍ଗଲରେ ବୁଲୁଥିବା ଏହି ୨ଟି ମହାବଳ ବାଘର ଫଟୋ କ୍ୟାମେରାରେ କଏଦ କରିଛି ବନ ବିଭାଗ।

Advertisment

ମିଳିଥିବା ସୂଚନା ଅନୁସାରେ, ଛତିଶଗଡ଼ରୁ ନିୟମିତ ଭାବେ ଗୋଟିଏ ମହାବଳ ବାଘ ଦେବ୍ରିଗଡ଼କୁ ଆସୁଛି। ବର୍ତ୍ତମାନ ଏହି ବାଘଟି ଦେବ୍ରିଗଡ଼ ଜଙ୍ଗଲରେ ରହିଛି। ତା’ର ଫଟୋ କ୍ୟାମେରାରେ କଏଦ ହୋଇଛି। ବାଘଟି ଦେବ୍ରିଗଡ଼ ଅଭୟାରଣ୍ୟ ସମେତ ବରଗଡ଼ର ୨ଟି ଜଙ୍ଗଲରେ ବୁଲାବୁଲି କରୁଥିବା ବନ ବିଭାଗ ଜାଣିବାକୁ ପାଇଛି।

ଏସବୁ ଭିତରେ ଦେବ୍ରିଗଡ଼କୁ ବ୍ୟାଘ୍ର ଅଭୟାରଣ୍ୟ ଘୋଷଣା କରିବାକୁ NTCA ସୁପାରିସ କରିଛି। ଏବେ ରାଜ୍ୟ ସରକାରଙ୍କୁ ଏନେଇ ବିଜ୍ଞପ୍ତି ଜାରି କରିବାକୁ ପଡ଼ିବ। ଏହାପରେ ଦେବ୍ରିଗଡ଼ ବ୍ୟାଘ୍ର ଅଭୟାରଣ୍ୟ ଭାବେ ପରିଚୟ ଲାଭ କରିବ। ଏହାବାଦ ଦେବ୍ରିଗଡ଼ରେ ବାଘ ସଂଖ୍ୟା ଗଣତି କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ବନ ବିଭାଗ।

Advertisment

ଦେବ୍ରିଗଡ଼ରେ କ୍ୟାମେରା ଟ୍ରାପ ସଂଖ୍ୟା ବଢ଼ାଯାଇଛି। ଦେବ୍ରିଗଡ଼ରେ ବାଘ ପରିଚାଳନା ଲାଗି ଅତିରିକ୍ତ ସ୍କ୍ୱାଡକୁ ମଧ୍ୟ ମଞ୍ଜୁର କରାଯାଇଛି। ସେଠାରେ ବାଘର ପଦଚିହ୍ନ ଡାଟା ଆନାଲିସିସ ସହାୟତା କରିବାକୁ ଜଣେ ବାୟୋଲଜିଷ୍ଟକୁ ପ୍ରତି ମାସରେ ୧୦ ଦିନ ଲାଗି ଦେବ୍ରିଗଡ଼ରେ ରହିବାକୁ କୁହାଯାଇଛି।

ଅନ୍ୟପକ୍ଷରେ କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ତଣ୍ଡ ବିଟ୍ ଅଞ୍ଚଳରେ ମଧ୍ୟ ମହାବଳ ବାଘ ଠାବ ହୋଇଥିବା ଜଣାପଡ଼ିଛି। ରୋହଣୀଦୁମା ଓ ବଣମହୁଲ ଡିହା ଗ୍ରାମବାସୀ କିଛି ଦିନ ତଳେ ଗାଁ ନିକଟ ସଂରକ୍ଷିତ ଜଙ୍ଗଲରେ ଗୋଟିଏ ବାରହାର ମୃତଦେହ ଠାବ କରିଥିଲେ। ସେହିପରି ମୃତଦେହ ନିକଟରୁ ୪ରୁ ଅଧିକ ବାଘର ପାଦ ଚିହ୍ନ ମିଳିଥିଲା। ଏହି ପାଦ ଚିହ୍ନ କେଉଁ ପ୍ରଜାତିର ବାଘ ବୋଲି ଜାଣିବା ମଧ୍ୟ ପ୍ରୟାସ କରାଯାଇଥିଲା। ଏବେ ଜଣାପଡ଼ିଛି ଯେ କେନ୍ଦୁଝର ଜଙ୍ଗଲରେ ଗୋଟିଏ ମହାବଳ ବାଘ ବୁଲୁଛି।

ବାଘର ପାଦ ଚିହ୍ନ ମିଳିବା ପରେ ବନ ବିଭାଗ ତତ୍ପର ହୋଇ ଏହାକୁ ଠାବ କରିବା ପାଇଁ ଜଙ୍ଗଲରେ ୧୦ଟି ଟ୍ରାପ କ୍ୟାମେରା ଲଗାଇଛି। ବାଘ ପାଟଣା ଓ ଘଟଗାଁ ରେଞ୍ଜରେ ବୁଲୁଥିବାରୁ ସେ ଅଞ୍ଚଳରେ ମଧ୍ୟ ଆହୁରି କ୍ୟାମେରା ଲଗାଇବାର ବ୍ୟବସ୍ଥା କରୁଛି ବନ ବିଭାଗ। ହେଲେ ଦୁଇ ଦିନ ତଳେ ଘଟଗାଁ ରେଞ୍ଜ ର ମେଲଣ ଠାରେ ଗୋଟିଏ ମଇଁଷିକୁ ବାଘ ମାରିଥିବା ଖବର ମିଳିଥିଲା। ତେଣୁ ସେହି ଅଞ୍ଚଳର କିଛି ଜଙ୍ଗଲ ରାସ୍ତାକୁ ବାଉଁଶ ଦେଇ ବନ୍ଦ କରାଯାଇଛି। ଏଥିସହ ବନ ବିଭାଗର ଡିଏଫଓ, ଏସିସିଏଫ ଓ ରେଞର ଘଟଗାଁ ରେଞ୍ଜ ରେ ଡେରା ପକାଇଛନ୍ତି।

Odisha Bhubaneswar Kendujhar Tiger Count