ଗୋପାଳପୁର ବିଧାୟକ ଡ. ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ପତ୍ନୀଙ୍କ ନାଁରେ ଚାର୍ଜସିଟ୍ ଦାଖଲ କଲା ଭିଜିଲାନ୍ସ। ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ପ୍ରାୟ ୩ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି। ଚାର୍ଜସିଟରେ ପ୍ରଦୀପ ପ୍ରାୟ ୯ କୋଟି ୧୮ ଲକ୍ଷ ଟଙ୍କାର ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ଉଲ୍ଲେଖ କରାଯାଇଛି। ଲୋକାୟୁକ୍ତଙ୍କ ଅନୁମତି ପରେ ଭୁବନେଶ୍ୱର ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି ଭିଜିଲାନ୍ସ।
ଲୋକାୟୁକଙ୍କ ନିର୍ଦ୍ଦେଶ ଆଧାରରେ ପ୍ରଦୀପଙ୍କ ବିରୋଧରେ ଭିଜିଲାନ୍ସ ୨୦୨୧ ଅକ୍ଟୋବର ୪ ତାରିଖରେ ମାମଲା କରି ତଦନ୍ତ ଚଳାଇଥିଲା। ତଦନ୍ତ ବେଳେ ପ୍ରଦୀପଙ୍କ ଘରେ ଖୋଳତାଡ଼ ହୋଇଥିଲା। ତାଙ୍କ ରୋଜଗାର ଓ ଖର୍ଚ୍ଚର ସମସ୍ତ ଉତ୍ସକୁ ବାହାର କରିଥିଲା। ତଦନ୍ତ ବେଳେ ସେ ଓ ତାଙ୍କ ପତ୍ନୀ ପ୍ରାୟ ୯ କୋଟି ୧୮ ଲକ୍ଷ ଟଙ୍କାର ଆୟ ବହିର୍ଭୂତ ସଂପତ୍ତିର ଠିକ୍ ଭାବେ ହିସାବ ଦେଇପାରି ନ ଥିବା ଭିଜିଲାନ୍ସ ରିପୋର୍ଟ ଦେଇଛି। ତେବେ ଲୋକାୟୁକ୍ତଙ୍କ ନିକଟରେ ୨୦୨୨ ଜୁନ୍ ୯ ତାରିଖରେ ଏହି ରିପୋର୍ଟ ଦେବାରେ ଭିଜିଲାନ୍ସ ଫେଲ୍ ମାରିଥିଲା।
ପରେ ଭିଜିଲାନ୍ସର ତଦନ୍ତ ରିପୋର୍ଟକୁ ଲୋକାୟୁକ୍ତ ଅନୁଧ୍ୟାନ କରି ଚଳିତ ମାସ ୨୦ ତାରିଖରେ ପ୍ରଦୀପ ଓ ତାଙ୍କ ପତ୍ନୀଙ୍କ ବିରୋଧରେ ଚାର୍ଜସିଟ୍କୁ ଭୁବନେଶ୍ୱର ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଏକଦା ବିଜେଡିର କ୍ଷମତାଶାଳୀ ମନ୍ତ୍ରୀ ଥିବା ପ୍ରଦୀପ। ଶାସନକଳ ବିରୋଧରେ ତୁଣ୍ଡ ଉଠାଇବା ତାଙ୍କୁ ପରେ ଭାରି ପଡ଼ିଛି।