/odisha-reporter/media/post_attachments/uploadimage/library/16_9/16_9_0/IMAGE_1687848831.jpeg)
Prasanta Rout
ରିମାଣ୍ଡରେ ଗଲେ ନବରଙ୍ଗପୁରର ପୂର୍ବତନ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ। ଭିଜିଲାନ୍ସ ତାଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ନେଇ ପ୍ରଶାନ୍ତଙ୍କୁ ଗୋଡ଼େଇ ତୋଡ଼େଇ ଅନେକ ପ୍ରଶ୍ନ ପଚାରିବ ଭିଜିଲାନ୍ସ। ଗତକାଲି ପ୍ରଶାନ୍ତଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିଲେ ରାଜ୍ୟ ସରକାର। କେନ୍ଦ୍ର ସରକାରଙ୍କ ଅନୁମୋଦନ ପରେ ରାଜ୍ୟ ସରକାର ଏହି କାର୍ଯ୍ୟାନୁଷ୍ଠାନ ନେଇଥିଲେ।
ତିନି ଦିନ ତଳେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରଶାନ୍ତଙ୍କୁ ଗିରଫ କରିଥିଲା ଭିଜିଲାନ୍ସ। ପ୍ରଶାନ୍ତ ତାଙ୍କ ଆୟ ଠାରୁ ୫୦୬% ଅଧିକ ସଂପତ୍ତି ଠୁଳ କରିଛନ୍ତି ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଥିଲା। ତାଙ୍କର ଆୟ ବହିର୍ଭୂତ ସଂପତ୍ତିର ମୂଲ୍ୟ ହେଉଛି ୫ କୋଟି ୨୧ ଲକ୍ଷ ୯ ହଜାର ୬୫୯ ଟଙ୍କା।
୨୩ ତାରିଖରେ ଭିଜିଲାନ୍ସ ପ୍ରଶାନ୍ତଙ୍କ ଘରେ ରେଡ୍ ବେଳେ ତାଙ୍କ ଘରୁ କେବଳ ୩ କୋଟି ୨ଲକ୍ଷ ୩୦ହଜାର ୮୦୦ଟଙ୍କାର ନଗଦ ଜବତ କରିଥିଲା। ,ଯାହା ରାଜ୍ୟ ଭିଜିଲାନ୍ସ ଇତିହାସରେ ଜବତ ନଗଦ ଟଙ୍କା ମଧ୍ୟରେ ଦ୍ୱିତୀୟ ସର୍ବାଧିକ ।
ପ୍ରାଶାନ୍ତ ରାଉତଙ୍କର ଭୁବନେଶ୍ୱରର କାନନ ବିହାର ଅଂଚଳରେ ଏକ ଦୁଇ ମହଲା କୋଠା, କଟକ ଓ ଭୁବନେଶ୍ୱରର ପ୍ରମୁଖ ସ୍ଥାନରେ ୪ଟି ମୂଲ୍ୟବାନ ପ୍ଲଟ୍ ଓ ଉମରକୋଟରେ ଗୋଟିଏ ବେନାମୀ ପ୍ଲଟ୍ ରହିଛି। ଦୁଇ ପିଲାଙ୍କ ପାଠପଢ଼ାରେ ପ୍ରଶାନ୍ତ ମୋଟ ୮୭ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବାବେଳେ ତାଙ୍କର ୨ଟି ଚାରିଚକିଆ ଓ ଗୋଟିଏ ଦୁଇ ଚକିଆ ଗାଡ଼ି ରହିଛି। ଏହି ତିନିଟି ଗାଡ଼ିର ମୂଲ୍ୟ ହେଉଛି ୩୭ ଲକ୍ଷ ଟଙ୍କା। ତାଙ୍କ ଠାରୁ ୨୭.୨୭ଲକ୍ଷ ଟଙ୍କାର ସୁନା-ରୁପା ଅଳଙ୍କାର ଓ ଘରୋଇ ଉପକରଣ ଜବତ କରାଯାଇଛି। ସେହିଭଳି ତାଙ୍କର ବ୍ୟାଙ୍କ ଓ ବୀମା ଜମା ବାବଦକୁ ୯୨ ଲକ୍ଷ ୩୪ ହଜାର ଟଙ୍କା ରହିଛି। ସେଥିରୁ ୩୮ ଲକ୍ଷ ୬୪ ହଜାର ଟଙ୍କା ୨ଟି ବେନାମୀ ଏକାଉଣ୍ଟରେ ରହିଛି।
ଭିଜିଲାନ୍ସ ସୂଚନା ଅନୁସାରେ ପ୍ରଶାନ୍ତ ୨୦୧୮ ମସିହାରେ ବିଶ୍ରା ବ୍ଲକ ବିଡିଓ ଥିବାବେଳେ ଏକ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହୋଇଥିଲେ । ୨୦୧୮ ନଭେମ୍ବର ୬ରେ ପ୍ରଶାନ୍ତଙ୍କୁ ଚାକିରିରୁ ନିଲମ୍ବିତ ହେବାକୁ ପଡ଼ିଥିଲା। ତେବେ ୨୦୨୦ ଜାନୁୟାରୀ ୧୮ରେ ନିଲମ୍ବନ ହଟିଥିଲା ତଥା ସେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ଭାବେ ପୁନଃ ଅବସ୍ଥାପିତ ହୋଇଥିଲେ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
