Advertisment

ସରକାରୀ ହସ୍ପିଟାଲରେ ୪୦ ପ୍ରତିଶତ ଡାକ୍ତର ପଦବୀ ଖାଲି, ଗରିବ କଲବଲ; ସଦସ୍ୟଙ୍କ ପ୍ରଶ୍ନରେ କମ୍ପିଲା ବିଧାନସଭା

କଂଗ୍ରେସ ବିଧାୟକ ସିଏସରାଜନ ଏକ୍କା କହିଥିଲେ, ସରକାରୀ ମେଡିକାଲ କଲେଜ ଓ ଅନ୍ୟ ଡାକ୍ତରଖାନାମାନଙ୍କରେ ୪୦ପ୍ରତିଶତ ଡାକ୍ତର ପଦବୀ ଖାଲି ପଡ଼ିଛି।

ଅଦ୍ୟତନ ହୋଇଛି
Niranjan Pujari

Niranjan Pujari

Advertisment

କେବେ ପୂରଣ ହେବ ଡାକ୍ତର ପଦବୀ? ରାଜ୍ୟରେ ବିଭିନ୍ନ ସରକାରୀ ଡାକ୍ତରଖାନା ଓ ମେଡିକାଲ କଲେଜମାନଙ୍କରେ ୪୦ ପ୍ରତିଶତରୁ ଅଧିକ ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ ସମେତ ଅନ୍ୟାନ୍ୟ ପଦପଦବୀ ଖାଲି ପଡ଼ିଛି। ସ୍ୱାସ୍ଥ୍ୟ ବିଭାଗ ଏ ପଦବୀଗୁଡ଼ିକ ପୂରଣ ଦିଗରେ ଠୋସ୍ ପଦକ୍ଷେପ ନେଉନଥିବାରୁ ମେଡିକାଲ କଲେଜ ଓ ଅନ୍ୟ ଡାକ୍ତରଖାନାରେ ରୋଗୀ କଲବଲ ହେଉଛନ୍ତି। ଏନେଇ ଆଜି ବିଧାନସଭାରେ ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ଶୀର୍ଷକ ମୂଲତବୀ ପ୍ରସ୍ତାବ ଉପରେ ସଭ୍ୟମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି।

Advertisment

କଂଗ୍ରେସ ବିଧାୟକ ସିଏସରାଜନ ଏକ୍କା କହିଥିଲେ, ସରକାରୀ ମେଡିକାଲ କଲେଜ ଓ ଅନ୍ୟ ଡାକ୍ତରଖାନାମାନଙ୍କରେ ୪୦ପ୍ରତିଶତ ଡାକ୍ତର ପଦବୀ ଖାଲି ପଡ଼ିଛି। ସିଏଚସି, ପିଏଚସିରେ ସାତହଜାର ସ୍ୱାସ୍ଥ୍ୟ କର୍ମୀ, ୧୦ହଜାର ଷ୍ଟାଫ୍ ନର୍ସ, ୬ହଜାର ଫାର୍ମାସିଷ୍ଟ ଅଭାବ ଅଛି। ପଶ୍ଚିମ ଓଡ଼ିଶାର ପ୍ରମୁଖ ସ୍ୱାସ୍ଥ୍ୟକେନ୍ଦ୍ର ଭିମସାରରେ ୧୨ ପ୍ରଫେସର ପଦବୀ, ୩୦ ଆସୋସିଏଟ ପ୍ରଫେସର ପଦବୀ ଖାଲି ପଡ଼ିଛି। ଭିମସାରରେ ସମୁଦାୟ ଶଯ୍ୟା ସଂଖ୍ୟା ୧୦୧୮। ସେହି ଅନୁସାରେ ୫ରୁ ୮ପ୍ରତିଶତ ଆଇସିୟୁ ବେଡ୍ ରହିବା କଥା। କିନ୍ତୁ ଅଛି ମାତ୍ର ୨୦ ଶଯ୍ୟା ବିଶିଷ୍ଟ ଆଇସିୟୁ। ଏଠାରେ ଏମଆରଆଇ ମେସିନ ନାହିଁ। ସୁନ୍ଦରଗଡ଼ରେ ମେଡିକାଲ କଲେଜ ପ୍ରତିଷ୍ଠା ହେଲା। ପ୍ରଥମ ବ୍ୟାଚ ଛାତ୍ର ଛାତ୍ରୀ ନାମଲେଖାଇଲେ। କିନ୍ତୁ ୫ ଶହ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଏଯାଏ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ।

ବିଜେପି ବିଧାୟକ ମୁକେଶ ମହାଲିଙ୍ଗ କହିଥିଲେ, ବଡମ୍ବା ନରସିଂହପୁର ପରେ ଲୋଇସିଂହା ଏବେ କିଡନୀ ରୋଗର ହଟ ସ୍ପଷ୍ଟ ପାଲଟିଛି। ସହାୟ ନାମରେ ମାଗଣା ଡାୟଲସିସ ବ୍ୟବସ୍ଥା କରିଛନ୍ତି। ହେଲେ ସବୁଆଡେ ସେ ଡାୟଲସିସ ସୁବିଧା ନାହିଁ। ଶିଶୁ ମୃତ୍ୟୁ ହାର ହ୍ରାସ କରିଛନ୍ତି ବୋଲି ସରକାର ବାଃ ବାଃ ନେଉଛନ୍ତି। ମାତ୍ର ୨୦୧୬-୧୭ରୁ ୨୦୨୧-୨୨ ମଧରେ ପାଞ୍ଚ ବର୍ଷ ରୁ କମ ୯୨ହଜାର ଶିଶୁଙ୍କ ମୃତ୍ୟୁ ହୋଇଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଠକେଇ ରାକେଟ ଚାଲିଛି। ଲକ୍ଷ ଲକ୍ଷ ଟଙ୍କା ଲୁଟ ହେଉଛି। ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକାଶ ଯୋଜନାରେ ତିନି ହଜାର କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ଆୟୁଷ୍ମାନ ଭାରତ ଯୋଜନା କାହିଁକି ଲାଗୁ ହେଉନି ବୋଲି ସେ ପ୍ରଶ୍ନ କରିଥିଲେ।

Advertisment

ସିଏଚସିରେ ସ୍ପେଶିଆଲିଷ୍ଟ ଡାକ୍ତର ଅଭାବ ସମସ୍ୟା ସମାଧାନ ହେଉନି। ଆୟୁଷ ଡାକ୍ତରଙ୍କ ଭରସାରେ ଚାଲିଛି ସିଏଚସି। ବିଭିନ୍ନ ସରକାରୀ ଡାକ୍ତରଖାନାରେ ଆଇସିୟୁ ଶଯ୍ୟା ଅଭାବ କାରଣରୁ ରୋଗୀଙ୍କୁ ବେସରକାରୀ ଡାକ୍ତରଖାନାକୁ ରେଫର କରାଯାଉଛି। ତେଣୁ ଗରିବ ଓ ମଧ୍ୟବିତ ଶ୍ରେଣୀର ଲୋକେ କଲବଲ ହେଉଛନ୍ତି ବୋଲି ଶ୍ରୀ ମହାଲିଙ୍ଗ କହିଥିଲେ।

ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୁଜାରୀ ଗୃହରେ ଉତ୍ତର ରଖି କହିଥିଲେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବାକୁ ସରକାର ଗୁରୁତ୍ୱ ଦେଉଛନ୍ତି। ଓଡ଼ିଶା ସରକାର ସ୍ୱାସ୍ଥ୍ୟ ସେବା ପାଇଁ ସର୍ବଭାରତୀୟ ସ୍ତରରେ ଆଦୃତ ହୋଇଛି। ସ୍ୱାସ୍ଥ୍ୟ ବଜେଟର ୩୦ପ୍ରତିଶତ ମେଡିସିନ ବାବଦରେ ଖର୍ଚ୍ଚ ହେଉଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟ ସରକାର ୯୬.୫ଲକ୍ଷ ପରିବାର ଲାଭବାନ ହେଉଛନ୍ତି। ୮ଲକ୍ଷ ୨୫ହଜାର ୩୪୨ ଥର ହିତାଧିକାରୀ ଚିକିତ୍ସିତ ହେଉଛନ୍ତି। ଚିକିତ୍ସା ବାବଦରେ ସରକାର ୧୪୪୩.୭୮କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ସରକାରୀ ଚିକିତ୍ସାଳୟ ଉନ୍ନତି ପାଇଁ ଆମ ହସ୍ପିଟାଲ ଯୋଜନା ଆରମ୍ଭ ହୋଇଛି। ୯ମାସ ମଧ୍ୟରେ ୧୪୭ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ରୁପାନ୍ତରଣ ହେବ। ଆୟୁଷ ଚିକିତ୍ସାକୁ ମୁଖ୍ୟ ସ୍ରୋତରେ ସାମିଲ ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ଏବେ ରାଜ୍ୟରେ ୨୧୨୫ ମେଡିକାଲ ସିଟ୍ ଥିବାବେଳେ ଆସନ୍ତା ବର୍ଷ ୨୫ଶହକୁ ବୃଦ୍ଧି କରାଯିବ। ଚଳିତ ବର୍ଷ ୨୭୪ଟି ଆସିଷ୍ଟାଣ୍ଡ ପ୍ରଫେସର ପଦ ପୂରଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe