Advertisment

ପିଣ୍ଟୁ ନନ୍ଦଙ୍କ ମୃତ୍ୟୁ ପରେ ସରକାରଙ୍କ ଉପରେ ବଢ଼ିଛି ଅସନ୍ତୋଷ, ଅଶ୍ରୁମୋଚନଙ୍କ ପ୍ରଶ୍ନ- କିଏ ବର୍ତ୍ତମାନ ସରକାର?

ସରକାର କିଏ ବୋଲି ଖୋଜି ବାହାର କରିବା ପରେ ତାଙ୍କ ମୁହଁରୁ ବାହାରନ୍ତା ଯେ ଏଇଟାହେବା ଉଚିତ୍‌ ନା ଉଚିତ୍ ନୁହେଁ।

author-image
Jitendra Garnayak
ଅଦ୍ୟତନ ହୋଇଛି
Ashrumochan Mohanty

Ashrumochan Mohanty

ଯକୃତ ରୋଗରେ ପଡ଼ି ଅଭିନେତା ପିଣ୍ଟୁ ନନ୍ଦଙ୍କର ମୃତ୍ୟୁ ପରେ ଧୀରେ ଧୀରେ ରାଜ୍ୟ ସରକାରଙ୍କ ଉପରେ ଅସନ୍ତୋଷ ଝାଡ଼ିବା ଆରମ୍ଭ କରିଛନ୍ତି କଳାକାରମାନେ। ଗତକାଲି ଅଭିନେତା ଶ୍ରୀତମ ଦାସ ସରକାର ତଥା ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଟାର୍ଗେଟ୍ କରିଥିବା ବେଳେ ଆଜି ଏଥିରେ ଯୋଡ଼ି ହୋଇଛନ୍ତି ଜଣାଶୁଣା ଅଭିନେତା ଅଶ୍ରୁମୋଚନ ମହାନ୍ତି। ସେ ବି ବେଶ୍ ଶାଣିତ ଢଙ୍ଗରେ ସରକାରଙ୍କୁ ସମାଲୋଚନା କରିଛନ୍ତି। କଳାକାରମାନେ କେଉଁ ସରକାରଙ୍କ ପାଖରେ କଥା ଉଠାଇବେ ବୋଲି ସେ ପ୍ରଶ୍ନ କରିଛନ୍ତି। ତା’ସହିତ ବର୍ତ୍ତମାନ ରାଜ୍ୟରେ ସରକାର କିଏ ବୋଲି ସେ ପ୍ରଶ୍ନ କରିଛନ୍ତି।

Advertisment

ଅଶ୍ରୁମୋଚନ କହିଛନ୍ତି, କେଉଁ ସରକାରଙ୍କ ପାଖରେ ଗୁହାରୀ କରିବା? କିଏ ବର୍ତ୍ତମାନ ସରକାର? ଏଠି ଆଇଏଏସ୍ ଅଫିସରମାନେ ସରକାର କି ମନ୍ତ୍ରୀ, ନେତା ମାନେ ସରକାର- ଆମେ ଠିକ୍‌ରେ ଜାଣିପାରୁନୁ। ତେଣୁ ସେହି ଦ୍ୱନ୍ଦ୍ୱ ମଧ୍ୟରେ ଆମେ କାହାକୁ କହିବା ଯେ ଏଇଟା ଠିକ୍ ଓ ସେଇଟା ଭୁଲ୍‌। ଶାହରୁଖ ଖାନ୍ ଆସିଲେ ଟଙ୍କା ନେଇଗଲେ। ସଲମାନ ଖାନ୍ ଆସିଲେ ଟଙ୍କା ନେଇଗଲେ। ହକି ଖେଳ ସହିତ ସେମାନଙ୍କର କ’ଣ ସଂପର୍କ? ସେମାନେ କ’ଣ ହକି ଖେଳିଲେ? ସେମାନଙ୍କୁ କାହିଁକି ଟଙ୍କା ଦିଆଯିବ- ମୁଁ ବୁଝିପାରୁନି। ସେହି ବାଟରେ କେଉଁମାନେ ବାଟମାରଣା କଲେ, ତାହା ବି କହି ହେଉନି। ଗଣମାଧ୍ୟମ ସେମାନଙ୍କୁ ଧରୁଛି। ସରକାର କିଏ ବୋଲି ଖୋଜି ବାହାର କରିବା ପରେ ତାଙ୍କ ମୁହଁରୁ ବାହାରନ୍ତା ଯେ ଏଇଟାହେବା ଉଚିତ୍‌ ନା ଉଚିତ୍ ନୁହେଁ।

ଅଶ୍ରୁମୋଚନ ଆହୁରି କହିଛନ୍ତି ଯେ ଆମ ସିନେମା ଇଣ୍ଡଷ୍ଟ୍ରୀର ଲୋକେ ବି ସରକାରରେ ଅଛନ୍ତି। ନେତା, ମନ୍ତ୍ରୀ ହୋଇଛନ୍ତି। କଳାକାରମାନଙ୍କୁ ସରକାର ସାହାଯ୍ୟ କରିବା ଉଚିତ୍ ନା ଉଚିତ୍ ନୁହେଁ, ସେଇଟା ସେମାନେ କହିବା ଦରକାର। ସେମାନେ ସଠିକ୍ ଉତ୍ତର ଦେଇପାରିବେ।

Advertisment

ଅନ୍ୟପକ୍ଷରେ ଆଜି ପିଣ୍ଟୁ ନନ୍ଦଙ୍କ ବଡ଼ ଭାଇ ଅଭିରାମ ନନ୍ଦ ମଧ୍ୟ ସରକାରଙ୍କ ଉପରେ ତାଙ୍କ ଅସନ୍ତୋଷ ଝାଡ଼ିଛନ୍ତି। ସେ କହିଛନ୍ତି, ରାଜ୍ୟ ସରକାର ଏବେ ଶୋକ ପ୍ରକାଶ କରୁଛନ୍ତି। ମାସେ ହେଲା ତାଙ୍କ ଭାଇ ଡାକ୍ତରଖାନାରେ ପଡ଼ିଥିଲେ। କିନ୍ତୁ ସରକାର ଆଗକୁ ଆସିଲେନି କି କିଛି ପଦକ୍ଷେପ ନେଲେନି। ପିଣ୍ଟୁ ନନ୍ଦ ଅସୁସ୍ଥ ଥିବା ନେଇ ତାଙ୍କ (ମୁଖ୍ୟମନ୍ତ୍ରୀଙ୍କ) ପାଖକୁ ଖବର ଯାଇଥିବ। ଯଦି ସେ କିଛି ଖବର ନେଇ ନଥିବେ ତା’ହେଲେ ମୁଁ ଅନୁରୋଧ କରିବି ଆମର ମୁଖ୍ୟମନ୍ତ୍ରୀଙ୍କୁ ଯେ ସେ ଇସ୍ତଫା ଦେଇ ଦିଅନ୍ତୁ। ଆପଣ ମୁଖ୍ୟମନ୍ତ୍ରୀ ପଦରେ ବସିବାକୁ ଯୋଗ୍ୟ ନୁହନ୍ତି। ଆପଣ ଜଣେ କଳାକାରଙ୍କୁ ବଞ୍ଚେଇ ପାରିଲେ ନାହିଁ।

ଗତକାଲି ଶ୍ରୀତମ ଦାସ କହିଥିଲେ ଯେ ସରକାର ମୁଣ୍ଡ ପୂରାଇଥିଲେ ପିଣ୍ଟୁଙ୍କର ଏମିତି ଅକାଳ ମୃତ୍ୟୁ ହୋଇନଥା’ନ୍ତା। ଆମେ ଦେଖିଛନ୍ତି ସରକାର କିଛି ଅସୁସ୍ଥ ଅଫିସରଙ୍କୁ ଏୟାରଲିଫ୍ଟ କରି ରାଜ୍ୟ ବାହାରର ବଡ଼ ବଡ଼ ଡାକ୍ତରଖାନାକୁ ଉନ୍ନତ ଚିକିତ୍ସା ପାଇଁ ପଠାଇଥିଲେ। ପିଣ୍ଟୁଙ୍କ କ୍ଷେତ୍ରରେ ମଧ୍ୟ ଏହା କରାଯାଇପାରିଥା’ନ୍ତା। ସରକାର ଚାହିଁଲେ ସବୁ କିଛି ହୋଇପାରିବ। ଏହା ସହିତ କଳାକାରମାନଙ୍କ ପାଇଁ ଏକ ପାଣ୍ଠି ଗଠନ କରିବାକୁ ଶ୍ରୀତମ ଦାସ ସରକାରଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ଏକ ପାଣ୍ଠି ଗଠନ କରାଯାଉ। ସେଥିରୁ ଯେଉଁ ସୁଧ ମିଳିବ, ତାକୁ କୌଣସି କଳାକାର ବା ଟେକ୍ନିସିଆନ ବଡ଼ ରୋଗରେ ପଡ଼ିଲେ ଖର୍ଚ୍ଚ କରାଯାଇପାରିବ।

Ollywood Actor Ollywood Pintu Nanda