Advertisment

ଓଲିଉଡ ଆପଣାଇଲାନି, କୋଳାଇ ନେଲା ମାୟା ନଗରୀ

ବିନା ଗଡ ଫାଦରରେ ନିଜ ସଂଘର୍ଷ ବଳରେ ଯୁବକଜଣକ ତିଆରି କରି ପାରିଛନ୍ତି ସ୍ୱତନ୍ତ୍ର ପରିଚୟ। ଇଚ୍ଛା ଶକ୍ତି ଆଗରେ ହାର ମାନିଛି ସବୁ ପ୍ରତିବନ୍ଧକ । ଏପରି ଜଣେ କଳାକାର ହେଉଛନ୍ତି ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ବୋରଦା ଗାଁର ଚନ୍ଦୁ ନାୟକ।

author-image
Niharika Rout
ଅଦ୍ୟତନ ହୋଇଛି
Chandu Nayak

Chandu Nayak

ଦିନେ କଳାକାର ହେବାକୁ ଯାହାକୁ ଓଡ଼ିଶାରେ ସଂଘର୍ଷ କରିବାକୁ ପଡ଼ୁଥିଲା ସେ ଏବେ ମାୟା ନଗରୀ ମୁମ୍ବାଇରେ ବେଶ୍‌ ଚିହ୍ନା ମୁହଁ। ଦିନେ ଓଲିଉଡରେ ଜାଗା ପାଇବାକୁ କାନ୍ଦି କାନ୍ଦି ଗୁହାରି କରୁଥିବା ଯୁବକଙ୍କୁ କୋଳେଇ ନେଇଛି ବଲିଉଡ଼ । ଅଡିସନ ଦେବାକୁ ନିଜ ରାଜ୍ୟରେ ଯାହାକୁ ଟଙ୍କା ମଗା ଯାଉଥିଲା, ସେ ଏବେ ବାହାର ରାଜ୍ୟରେ ବେଶ୍‌ ସ୍ୱଚ୍ଛଳ ଜୀବନ ବଞ୍ଚୁଛି। କେତେବେଳେ ସିରିଏଲ ତ କେତେବେଳେ ପାଉଛି ଫିଲ୍ମ ଅଫର । କାମ ପରେ କାମ କିନ୍ତୁ ମିଳି ଚାଲିଛି।

Advertisment

ବିନା ଗଡ ଫାଦରରେ ନିଜ ସଂଘର୍ଷ ବଳରେ ଯୁବକଜଣକ ତିଆରି କରି ପାରିଛନ୍ତି ସ୍ୱତନ୍ତ୍ର ପରିଚୟ। ଇଚ୍ଛା ଶକ୍ତି ଆଗରେ ହାର ମାନିଛି ସବୁ ପ୍ରତିବନ୍ଧକ । ଏପରି ଜଣେ କଳାକାର ହେଉଛନ୍ତି ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ବୋରଦା ଗାଁର ଚନ୍ଦୁ ନାୟକ।

Chandu Nayakଚନ୍ଦୁ ନାୟକ

ପିଲାଟି ବେଳୁ ଆକ୍ଟର ହେବାକୁ ସ୍ୱପ୍ନ ଦେଖିଥିଲେ ଚନ୍ଦୁ । ହେଲେ ସାଙ୍ଗ ସାଥୀ ପରିବାର କେହି ଜଣେ ସାହାଯ୍ୟ କରିନଥିଲେ। ବରଂ ତାଙ୍କ କଥାକୁ ସମସ୍ତେ ଥଟ୍ଟା ପରିହାସରେ ଉଡ଼ାଇ ଦେଉଥିଲେ। ୧୨ ବର୍ଷର ହୋଇଥିବା ବେଳେ ଘରୁ ମାତ୍ର ୪୦୦ ଟଙ୍କା ଚୋରି କରି ଭୁବନେଶ୍ୱରରେ ଥିବା କଳିଙ୍ଗ ଷ୍ଟୁଡିଓରେ ଅଡିସନ୍ ଦେବାପାଇଁ ପହଞ୍ଚିଥିଲେ ଚନ୍ଦୁ । ହେଲେ ସେଠି ତାଙ୍କୁ ଟଙ୍କା ମଗା ଯାଇଥିବା ଓ  ଟଙ୍କା ନଦେଲେ କଳାକାର ହୋଇପାରିବନି କହି ବିଦା କରାଯାଇଥିବା କହିଛନ୍ତି ଚନ୍ଦୁ।  

Advertisment

ମାତ୍ର ଏଥିରେ ଚନ୍ଦୁଙ୍କ ମନୋବଳ ଭାଙ୍ଗି ନ ଥିବା ବେଳେ ଯାହାବି ହେଲେ କଳାକାର ହେବାକୁ ସେ ପଣ କରିଥିଲେ। ଓଲିଉଡ ନ ହେଲେ ବଲିଉଡ ଆପଣାଇବ, ସୁଯୋଗ ଦେବ ବୋଲି ତାଙ୍କର ଭରସା ଥିଲା।

Chandu Nayakସୁଟିଂ ସେଟ୍‌ରେ ଚନ୍ଦୁ ।

ନିଜ ଲକ୍ଷ୍ୟ ଧାର୍ଯ୍ୟ କରି ସାରିଥିଲେ ବି ଚନ୍ଦୁଙ୍କୁ ସେଠାରେ ପହଞ୍ଚିବାକୁ ବାଟ ଜଣା ନ ଥିଲା। ମାତ୍ର ଅଷ୍ଟମ ଶ୍ରେଣୀ ପାସ୍‌ କରିବା ପରେ ଟଙ୍କା ରୋଜଗାର କରିବା ପାଇଁ କେରଳ ଯାଇଥିଲେ। ସେଠାରେ ହୋଟେଲରେ କାମ କରି ଯେତିକି ରୋଜଗାର କଲେ ସେତିକିରେ ନିଜ ଖର୍ଚ୍ଚ ରଖି ବଳକା ଟଙ୍କା ଘରକୁ ପଠାଉଥିଲେ।

ସେଠାରେ ହୋଟେଲରେ କାମ ସାରିବା ପରେ ଜିମ୍ ଯାଇ ୱାର୍କ ଆଉଟ୍‌ କରୁଥିଲେ। ଏହାପରେ ଏକ ବଡି ବିଲ୍ଡିଂ ପ୍ରତିଯୋଗିତାରେ ପ୍ରଥମ ହୋଇଥିଲେ। ଏହାପରେ ଦିନେ ଫେସବୁକ୍‌ରେ ମୁମ୍ବାଇରେ ହେବାକୁ ଥିବା ଏକ ଅଡିସନ୍ ଏମ୍ଏଫ୍‌ଡିଏଫ୍ ସିଜନ୍ ୧୧ର ଏକ ପୋଷ୍ଟର ଦେଖିଥିଲେ।  ମଡେଲିଂରେ ଭାଗ ନେବା ପାଇଁ ଅନୁଷ୍ଠାନ ମୁଖ୍ୟ ଅଭିଷେକ ଯୋଶୀଙ୍କୁ ମେସେଜ କରି ଜଣାଇବାରୁ ସେ ମୁମ୍ବାଇ ଯିବାକୁ କହିଥିଲେ।  ସେଠାରେ ଚାଲିଥିବା ଆକ୍ଟି, ମଡେଲିଂରେ ଅଂଶଗ୍ରହଣ କରି ଗୋଲ୍ଡ ମେଡାଲ ପାଇବା ପରେ ଚନ୍ଦୁଙ୍କ ଭାଗ୍ୟ ବଦଳି ଯାଇଥିଲା।

ଅଭିଷେକ ଯୋଶୀ ହିଁ ତାଙ୍କୁ ବଲିଉଡରେ କାମ କରିବାର ବାଟ ଦେଖାଇଥିବା କହିଛନ୍ତି ଚନ୍ଦୁ। ପ୍ରଥମେ ସେ ମୁମ୍ବାଇରେ ସୁଟିଂ ହେଉଥିବା ହିନ୍ଦୀ ସିରିଏଲ୍ ‘ରାଧାକୃଷ୍ଣ’ରେ କୃଷ୍ଣ ଚରିତ୍ରରେ ଅଭିନୟ କରିଥିଲେ। ପରେ ହିନ୍ଦୀ ଓ ଗୁଜରାଟି ଚଳଚ୍ଚିତ୍ରରେ ଅଭିନୟ କରିବାର ବି ସୁଯୋଗ ପାଇଛନ୍ତି। 

Chandu Nayakମଡେଲିଂ ପ୍ରତିଯୋଗିତାରେ ପ୍ରଥମ ହୋଇଥିବା ଚନ୍ଦୁ ।

ଘରେ ବାପା, ମା,ସାନ ଭାଇ ସହ ଦୁଇ ସାନ ଭଉଣୀ ରହୁଛନ୍ତି । ଘରର ବଡ ପୁଅ ହୋଇଥିବାରୁ ଘରର ସବୁ ଦାୟିତ୍ଵ ତାଙ୍କ ମୁଣ୍ଡ ଉପରେ ବୋଲି କହିଛନ୍ତି ଚନ୍ଦୁ। ତେଣୁ ଘର ଖର୍ଚ୍ଚ ସହ ଭାଇ ଭଉଣୀଙ୍କ ପଢା ଖର୍ଚ୍ଚ ବି ସେ ବହନ କରୁଥିବା କହିଛନ୍ତି ଏହି ଯୁବ କଳାକାରଜଣକ ।

ହେଲେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀରେ କାମ ପାଇବାର ସୁଯୋଗ ନ ମିଳିବା ଦୁଃଖ ଏବେବି ଚନ୍ଦୁଙ୍କ ମନକୁ ଘାଣ୍ଟୁଥିବା ଅତ୍ୟନ୍ତ କୋହଭରା କଣ୍ଠରେ କହିଛନ୍ତି।

Ganjam