Advertisment

ଲୋୟର ସୁକତେଲ ପ୍ରକଳ୍ପ ସରୁନି କାହିଁକି ?; ବ୍ୟୟ ଅଟକଳ ଥିଲା ୨୧୭କୋଟି, ୨୫୦୦ କୋଟିରେ ପହଞ୍ଚିଲେଣି

ଆଜି ଅପରାହ୍ନରେ ଜଳ ସମ୍ପଦ ବିଭାଗ ପକ୍ଷରୁ ବିଧାନସଭାରେ ୧୦୭୨୩ କୋଟି ୯୯ଲକ୍ଷ ୯୯ ହଜାର ଟଙ୍କା ଖର୍ଚ୍ଚ ଦାବିକୁ ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ଉପସ୍ଥାପନ କରିବା ପରେ ବିଭାଗୀୟ ଖର୍ଚ୍ଚ ଦାବି ଆଲୋକଚନା ବେଳେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି ଏହା କହିଥିଲେ।

author-image
Niranjan Mishra
ଅଦ୍ୟତନ ହୋଇଛି
odisha assembly

odisha assembly

ଲୋୟର ସୁକତେଲ ପ୍ରକଳ୍ପ ପାଇଁ ୨୦୦୧ରେ ୨୧୭ କୋଟି ଟଙ୍କା ବ୍ୟୟ ଅଟକଳ ଥିଲା। ଏବେ ୨୫୦୦କୋଟି ଟଙ୍କାରେ ପହଞ୍ଚିଲାଣି। କାହିଁକି ସରିବନି ପ୍ରକଳ୍ପ କାମ? କିଏ ଦାୟୀ? ୨୦୦୬ରେ ଆନନ୍ଦପୁର ପ୍ରକଳ୍ପର ବ୍ୟୟ ଅଟକଳ ଥିଲା ୫୮୧ କୋଟି ଟଙ୍କା। ଏବେ ଏହା ୨୯୦୫ କୋଟି ଟଙ୍କାରେ ପହଞ୍ଚିଲାଣି। କେଉଁ ଅଧିକାରୀଙ୍କ ପାଇଁ କାମ ବିଳମ୍ବ ହେଲା। ସେହି ଅଧିକାରୀମାନଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯାଇଛି, ମନ୍ତ୍ରୀ କହିବେ କି? ମନ୍ତ୍ରୀ ଗୋଟିଏ କଥା କହୁଛନ୍ତି, ଅଫିସର ଆଉ ଗୋଟିଏ କଥା କହୁଛନ୍ତି? ତାଳମେଳ ରହୁନାହିଁ। କାହା ତଥ୍ୟ ଠିକ୍। ମନ୍ତ୍ରୀଙ୍କର ନା ଅଫିସରଙ୍କ ଜଣାପଡୁନି। ଆଜି ଅପରାହ୍ନରେ ଜଳ ସମ୍ପଦ ବିଭାଗ ପକ୍ଷରୁ ବିଧାନସଭାରେ ୧୦୭୨୩ କୋଟି ୯୯ଲକ୍ଷ ୯୯ ହଜାର ଟଙ୍କା ଖର୍ଚ୍ଚ ଦାବିକୁ ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ଉପସ୍ଥାପନ କରିବା ପରେ ବିଭାଗୀୟ ଖର୍ଚ୍ଚ ଦାବି ଆଲୋଚନା ବେଳେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି ଏହା କହିଥିଲେ।

Advertisment

ଶ୍ରୀ ମାଝି କହିଥିଲେ ଯେ, ସେ ଏହି ଖର୍ଚ୍ଚ ଦାବିକୁ ଗ୍ରହଣ କରିପାରୁ ନାହାନ୍ତି। ଏହାର ଅନେକ କାରଣ ରହିଛି। ଲମ୍ବା ସମୟ ଧରି ସରକାର ପ୍ରତିଷ୍ଠା ହୋଇଛି। ରାଜନୈତିକ ସ୍ଥିରତା ଅଛି। କେନ୍ଦ୍ରର ହସ୍ତକ୍ଷେପ ନାହିଁ। ସେ ରାଜ୍ୟ ବିକାଶ ଆଡ଼କୁ ଯାଏ। ୨୩ବର୍ଷର ବିଜେଡି ଶାସନ ଚାଲିଛି। ୨୩ବର୍ଷରେ ସରକାର ବିକାଶ ଦେଖେଇବା କଥା। ସୁବର୍ଣ୍ଣଯୁଗ କେମିତି ଚାଲିଛି ତାର ଚିତ୍ର ବଡ ବିଚିତ୍ର। ଓଡ଼ିଶାରେ ବିକାଶ ବିଫଳ ହୋଇଛି।

ବିଭିନ୍ନ ରିପୋର୍ଟରେ କେବଳ ବିବରଣୀ ଲେଖାଯାଉଛି। ହେଲେ କେତେ ଜଳ ସଂରକ୍ଷିତ ରଖିଲେ, କେତେ ଜଳସେଚନ କଲେ ତାର ସୂଚନା ସରକାରଙ୍କ ପାଖରେ ନାହିଁ। ମୟୂରଭଞ୍ଜର କୌଣସି ପ୍ରକଳ୍ପ କାମ ଶେଷ ହୋଇନାହିଁ। କେନାଲ ଖଣ୍ଡିଆ ହୋଇ ପଡ଼ିରହିଛି। ୧୩ରୁ ୪୩ବର୍ଷ ଭିତରେ ଅନେକ ଛୋଟ ବଡ଼ କ୍ଷୁଦ୍ର ବୃହତ ଜଳ ସେଚନ ପ୍ରକଳ୍ପ ଚାଲିଛି। କିନ୍ତୁ କାମ ସରୁନି। ୨୩ ବର୍ଷ ଭିତରେ ବାରମ୍ବାର ଅଟକଳ ହୋଇଛି। କିନ୍ତୁ କାମ ସରୁନି। ୨୩ ବର୍ଷ ଭିତରେ କେବଳ ଅଟକଳରେ ୧୭୦୦୦ କୋଟି ବୃଦ୍ଧି ପାଇଛି। ଏଥିପାଇଁ ଦାୟୀ କିଏ?

Advertisment

ମହାନଦୀରେ କେତେ ପାଣି ବୋହି ଯାଉଛି, ତାକୁ ଅଟକା ଯାଉନାହିଁ। ରାଜ୍ୟ ସରକାର ମହାନଦୀ ସୁରକ୍ଷାରେ ଫେଲ୍‌ ମାରିଛନ୍ତି। ଛତିଶଗ଼ଡ଼ର ନିଷ୍ପତ୍ତି ଓଡ଼ିଶା ପାଇଁ ବିପଦ ହୋଇଛି। ଟ୍ରିବୁନାଲ ରାୟକୁ ଅପେକ୍ଷା କରି ବସିବା କେବଳ ବାହାନା ହୋଇଛି। ରାୟ ଆସିବାକୁ ୩୦ ବର୍ଷ ଲାଗିଲେ ଆମେ କ’ଣ ସେମିତି ଅପେକ୍ଷା କରି ବସିବା। ଛତିଶଗଡ ଉପରମୁଣ୍ଡରେ ବ୍ୟାରେଜ୍ ନିର୍ମାଣ କରି ପାଣିକୁ ଅଟକାଇଲା, ଆମ ସରକାର ୨୩ ବର୍ଷରେ ଗୋଟିଏ ବି ବ୍ୟାରେଜ କରିପାରିଲାନାହିଁ। ଛତିଶଗଡ ସରକାରଙ୍କ ଇଚ୍ଛା ଶକ୍ତି ଆଗରେ ନବୀନଙ୍କ ଇଚ୍ଛାଶକ୍ତି ଦୁର୍ବଳ।

ଓଡ଼ିଶାରେ ଚାଷୀ ସହିତ ଲୋକ ବି କ୍ଷତିଗ୍ରସ୍ତ ହେବେ। କୌଣସି ଜଳନୀତି ଘୋଷଣା ହୋଇପାରିଲା ନାହିଁ। ସରକାର ଯାହା କହୁଛନ୍ତି ତାହା କେବଳ ଧର୍ମକୁ ଆଖିଠାର ବୋଲି ଶ୍ରୀ ମାଝି କହିଥିଲେ।

ତେବେ ବିରୋଧୀଙ୍କ ବିରୋଧ ସତ୍ତ୍ୱେ ବିଧାନସଭାରେ ସଂଖ୍ୟା ଗରିଷ୍ଠ ଥିବା ବିଜେଡି ସଦସ୍ୟ ଜଳ ସମ୍ପଦ ବିଭାଗ ଖର୍ଚ୍ଚ ଦାବିକୁ ପାର କରାଇ ନେଇଛନ୍ତି।

Odisha Assembly Odisha Government Irrigation Mahanadi River Dam Eater Naveen