Advertisment

ମାଡ଼ି ଆସିଲା ମେଘ ପବନ; ଉପକୂଳ ଜିଲ୍ଲାମାନଙ୍କରେ ବ୍ୟାପକ କ୍ଷୟକ୍ଷତି, ରଥ କାମ ବି ଅଟକିଲା

ଏହାକୁ ଦୃଷ୍ଟିରେ ରଖି ତୁରନ୍ତ କ୍ଷୟକ୍ଷତି ରିପୋର୍ଟ ଦେବାକୁ ଜିଲ୍ଲପାଳମାନଙ୍କୁ ସ୍ୱତନ୍ତ୍ର ରିଲିଫ୍ କମିଶନର ନିର୍ଦ୍ଦେଶ ଦେଇଛନ୍ତି।

ଅଦ୍ୟତନ ହୋଇଛି
damage in coastal districts

damage in coastal districts

Advertisment

ଅପରାହ୍ନ ପ୍ରାୟ ୨ଟା ପରେ ଅଚାନକ ମାଡ଼ି ଆସିଲା କାଳବୈଶାଖୀ। ପ୍ରଚଣ୍ଡ ଶବ୍ଦ ସହ ବଜ୍ରପାତ ସାଙ୍ଗକୁ ଜୋର ପବନ ଓ ବର୍ଷା ହୋଇଥିଲା। ଉପକୂଳ ଓଡ଼ିଶାର ଅନେକ ଜାଗାରେ କାଳବୈଶାଖୀ ତାଣ୍ଡବ ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଭୁବନେଶ୍ୱର, କଟକ, ପିପିଲି, ପୁରୀ, ଢେଙ୍କାନାଳ, ଖୋର୍ଦ୍ଧାରେ ସବୁଠାରୁ ଅଧିକ କ୍ଷୟକ୍ଷତି ହୋଇଛି। ବହୁ ଘରର ଚାଳ, ଟିଣ ଛପର ଉଡ଼ି ଯାଇଛି। ଗଛ ପଡ଼ି ଘର ଭାଙ୍ଗିଛି। କୁଆପଥର ମାଡ଼ରେ ବିଭିନ୍ନ ଫସଲ କ୍ଷତିଗ୍ରସ୍ତ ହୋଇଛି। ପ୍ରବଳ ବର୍ଷା ଓ ପବନ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।

Advertisment

ଏହାକୁ ଦୃଷ୍ଟିରେ ରଖି ତୁରନ୍ତ କ୍ଷୟକ୍ଷତି ରିପୋର୍ଟ ଦେବାକୁ ଜିଲ୍ଲାପାଳମାନଙ୍କୁ ସ୍ୱତନ୍ତ୍ର ରିଲିଫ୍ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ବିଦ୍ୟୁତ ସରବରାହ ତୁରନ୍ତ ପୁନର୍ବାହାଲ କରିବା, ଗଛ ପଡ଼ିଥିଲେ ଅଗ୍ନିଶମ କର୍ମଚାରୀଙ୍କ ସହାୟତା ନେଇ ରାସ୍ତାଘାଟ ସଫା କରିବା, କାହାରି ଜୀବନହାନୀ ଘଟିଥିଲେ ବା କେହି ଆହତ ହୋଇଥିଲେ ରିପୋର୍ଟ ଦେବା, ଝଡ଼ରେ ଭାଙ୍ଗିଥିବା ଘର ଓ ଅନ୍ୟାନ୍ୟ କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ହୋଇଛି।

ଆଠଗଡ଼ ରାଜନଗର ଛକରେ ଥିବା ମହାରାଜା ହୋଟେଲରେ ଲୋକ ବସି ଖାଉଥିବା ବେଳେ ଝଡ଼ରେ ଟିଣ ଛପର ୨ଶହ ମିଟର ସମ୍ପୂର୍ଣ୍ଣ ଉଡ଼ି ଯାଇଥିଲା। ଫଳରେ ହୋଟେଲ ସମସ୍ତ ଖାଦ୍ୟ ନଷ୍ଟ ହେବା ସହ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଛି। ପାଖରେ ଥିବା ଅଞ୍ଜଳି ହୋଟେଲର ମଧ୍ୟ ପାଚେରୀ ଭାଙ୍ଗି ପଡିଛି।

Advertisment
Extensive damageହୋଟେଲର ଛାତ ଉଡ଼ିଯାଇଛି।

ସେହିପରି ପୁରୀ ଜିଲ୍ଲାର ବିଭିନ୍ନ ବ୍ଲକରେ ଝଡ଼ ବର୍ଷାରେ ବହୁ ନଡ଼ିଆ, ଗୁଆ, କଦଳି, ଆମ୍ବ ପ୍ରଭୃତି ଗଛ ଭାଙ୍ଗିଛି। ଚାଳ ଛପର ଓ ଆଜବେଷ୍ଟସ୍ ଛପର ଉଡ଼ାଇ ନେଇଥିବାରୁ ଲୋକେ ଖୋଲା ଆକାଶ ତଳେ ଜୀବନ ବିତାଇବାକୁ ବାଧ୍ୟ ହୋଇପଡ଼ିଛନ୍ତି। ଝଡ଼ତୋଫାନ ପ୍ରଭାବରେ ପୁରୀ-ଭୁବନେଶ୍ୱର ରାସ୍ତାର ପିପିଲି ନିକଟ ରାଜପଥରେ ବିଦ୍ୟୁତ ତାର ଛିଣ୍ଡି ପଡ଼ିବାରୁ ଗାଡ଼ିମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶତାଧିକ ଦୁଇଚକିଆ, ୪ ଚକିଆ ଯାନ ଅଧାରେ ଅଟକି ରହିଥିଲା। ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ତାର ଛିଣ୍ଡିବା ଯୋଗୁ ଜିଲ୍ଲାର ବହୁ ପଞ୍ଚାୟତ ଅନ୍ଧାରରେ ରହିଛି। ଲୋକଙ୍କୁ ତତ୍କାଳ ବିଦ୍ୟୁତ୍ ସେବା ମିଳିପାରିନି।

Puri NHଭୁବନେଶ୍ୱର-ପୁରୀ ରାଜପଥରେ ବିଦ୍ୟୁତ୍ ତାର ପଡ଼ିଥିବାରୁ ଯାତାୟତ ପ୍ରଭାବିତ

ଝଡ଼ବର୍ଷା ଯୋଗୁ ରଥ ଖଳାରେ ରଥ ନିର୍ମାଣ କାମ ମଧ୍ୟ ପ୍ରଭାବିତ ହୋଇଛି। ରଥ ଖଳାରେ ପାଣି ଜମିଥିବାରୁ କାରିଗରମାନେ ରଥ ନିର୍ମାଣ କରିପାରି ନ ଥିଲେ।

Rath Khalaପୁରୀ ରଥ ଖଳାରେ ବର୍ଷା ଯୋଗୁ ନିର୍ମାଣ କାମ ଅଟକିଛି।

ସେହିପରି ଟୁଇନସିଟିରେ କାଳବୈଶାଖୀର ପ୍ରଭାବରେ ପ୍ରବଳ ଘଡ଼ଘଡ଼ି ସହ ବର୍ଷା, ପବନ ହୋଇଛି। ଅପରାହ୍ନ ଗୋଟାଏରୁ କଳାହାଣ୍ଡିଆ ମେଘ ଘୋଟି ଆସିବା ସହ ଝିପିଝିପି ବର୍ଷା ଆରମ୍ଭ ହୋଇଥିଲେ। ଫଳରେ ଗତ କିଛି ଦିନ ଧରି ଲାଗିରହିଥିବା ଗ୍ରୀଷ୍ମ ପ୍ରବାହରୁ ଉଭୟ କଟକ ଏବଂ ଭୁବନେଶ୍ୱରବାସୀଙ୍କୁ ଆଶ୍ୱସ୍ତି ମିଳିଥିଲା।

ସେପଟେ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ। ବିଶେଷକରି କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, ନୟାଗଡ, ଖୋର୍ଦ୍ଧା, ଢେଙ୍କାନାଳ, କନ୍ଧମାଳ, ନବରଙ୍ଗପୁର ସହ ପଶ୍ଚିମ ଓଡ଼ିଶାର କଳାହାଣ୍ଡି, ବଲାଙ୍ଗୀରରେ କାଳବୈଶାଖୀ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

କାଳବୈଶାଖୀ ବର୍ଷା ଯୋଗୁ ଆଜି ଅପରାହ୍ନରେ ଉପକୂଳ ଥଣ୍ଡା ହୋଇଥିଲେ ହେଁ ପଶ୍ଚିମ ଓଡ଼ିଶାରେ ତାତିର ପାରଦ ଥମିବାର ନାଁ ଧରୁନି। ତେଣୁ ଲୋକେ କଲବଲ ହେଉଛନ୍ତି। ଆଜି ୪୨ ଡିଗ୍ରୀ ଟପିଛି ୫ ସହରର ତାତି। ୪୨.୮ ଡିଗ୍ରୀ ସହ ତାଳଚେର ସବୁଠୁ ଉତ୍ତପ୍ତ ସ୍ଥାନ ହୋଇଛି।

ସମ୍ବଲପୁରରେ ୪୨.୭, ନୂଆପଡ଼ାରେ ୪୨.୪, ଝାରସୁଗୁଡ଼ାରେ ଓ ସୁନ୍ଦରଗଡ଼ରେ ୪୨.୨, ବୌଦ୍ଧରେ ୪୧.୬, ସୋନପୁରରେ ଓ ରାଉରକେଲାରେ ୪୧.୪, ବରଗଡ଼ ଓ ଅନୁଗୋଳରେ ୪୧.୨, ବଲାଙ୍ଗିର ଓ ହିରାକୁଦରେ ୪୧.୧, ନୟାଗଡ଼ରେ ୪୦.୫, ଭୁବନେଶ୍ୱରରେ ୪୦.୨, କଟକରେ ୩୮.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

Heavy Rain Farm Damage
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe