/odisha-reporter/media/media_files/2025/11/20/bhupinder-singh-2025-11-20-18-36-44.jpg)
ଭୂପିନ୍ଦର ସିଂହ
ନୂଆପଡ଼ାରେ ଲଜ୍ଜାଜନକ ପରାଜୟ ପରେ ବିଜେଡିରେ ଅନ୍ତଃ କନ୍ଦଳ ବଢ଼ିବାରେ ଲାଗିଛି । ଜଣକ ପରେ ଜଣେ ନେତା ମୁହଁ ଖୋଲି ସମାଲୋଚନା ଶର ବିନ୍ଧିବାରେ ଲାଗିଛନ୍ତି । ପ୍ରଫୁଲ୍ଲ ସାମଲ, ସମ୍ବିତ ରାଉତରାୟଙ୍କ ଭଳି ନେତା ଏହା ଭିତରେ ବିଷୋଦ୍ଗାର କରିଥିବା ବେଳେ ଏବେ ଟାଣ କଥା ଶୁଣାଇଛନ୍ତି ବରିଷ୍ଠ ନେତା ଭୂପିନ୍ଦର ସିଂହ । ନିଜ ଲୋକସଭା କ୍ଷେତ୍ରର ହୋଇଥିଲେ ବି ତାଙ୍କୁ ପ୍ରଚାରକୁ ଡକାନଯିବା ଠାରୁ ଆରମ୍ଭ କରି ପ୍ରାର୍ଥୀ ଚୟନ, ପ୍ରାର୍ଥୀ ଘୋଷଣା, ନବୀନଙ୍କୁ ପ୍ରଚାରକୁ ନେବା ଆଦି ଅନେକ ପ୍ରସଙ୍ଗରେ ମୁହେଁ ମୁହେଁ ଶୁଣାଇ ଦେଇଛନ୍ତି ଭୂପିନ୍ଦର ।
ସେ କହିଛନ୍ତି, ନୂଆପଡ଼ା ଉପ-ନିର୍ବାଚନରେ ପ୍ରାର୍ଥୀ ଚୟନରେ ଭୁଲ ରହିଗଲା। ସ୍ଥାନୀୟ ଜଣେ ନେତାଙ୍କୁ ପ୍ରାର୍ଥୀ କରିଥିଲେ ଯେ ଆମେ ଜିତି ଯାଇଥା’ନ୍ତୁ, ସେଥିରେ ବି ମୁଁ ଏକମତ ନୁହେଁ। ଉପ-ନିର୍ବାଚନରେ ଆମେ ନିଶ୍ଚିତ ଭାବେ ସହାନୁଭୂତି ଭୋଟ୍ ପାଇଥା’ନ୍ତୁ। ରାଜୁ ଢୋଲକିଆ ସେଠାରେ ତାଙ୍କ ନିଜର ଭୋଟ୍ ବ୍ୟାଙ୍କ ତିଆରି କରିଥିଲେ। ରାଜନୀତି ସହିତ ସେ ସେଠାରେ ସମାଜ ସେବାରେ ନିଜକୁ ନିୟୋଜତ କରିଥିଲେ। ଉପ-ନିର୍ବାଚନରେ ସହାନୁଭୂତି କାମ କରୁଛି। ଧାମନଗରରେ ବିଧାୟକ ବିଷ୍ଣୁ ସେଠୀଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ଜିତିଥିଲେ। ସେହିପରି ବିଧାୟକ ସୁବଳ ସାହୁଙ୍କ ମୃତ୍ୟୁ ପରେ ବିଜେପୁର ଉପ-ନିର୍ବାଚନରେ ବିଜେଡି ତାଙ୍କ ପତ୍ନୀ ରୀତା ସାହୁଙ୍କୁ ପ୍ରାର୍ଥୀ କରିଥିଲା ଓ ସେ ବିଜୟୀ ହୋଇଥିଲେ।
ଶ୍ରୀ ସିଂହ କହିଛନ୍ତି, ଏଆଇସିସିରୁ ଅନୁମୋଦନ ଆସିବା ପୂର୍ବରୁ ଘାସିରାମ ମାଝୀଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ନୂଆପଡ଼ା ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଦେଲା। ଯେଉଁ ଦିନ ରାଜୁ ଢୋଲକିଆଙ୍କର ଅନ୍ତିମ ସଂସ୍କାର ସଂପନ୍ନ କରାଗଲା, ସେହିଦିନ ଜୟ ଢୋଲକିଆଙ୍କୁ ନୂଆପଡ଼ା ଉପ-ନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା କରି ଦେଇଥିଲେ କ’ଣ ଅସୁବିଧା ହୋଇଥା’ନ୍ତା? ନୂଆପଡ଼ା ଅଞ୍ଚଳର ସାଧାରଣ ଲୋକେ କହୁଛନ୍ତି ଆପଣମାନେ (ବିଜେଡି) କାହିଁକି ତାଙ୍କ ନାଁ ଆଗୁଆ ଘୋଷଣା କଲେ ନାହିଁ? ତେଣୁ ବିଜେଡି ଟିକେଟ ଦେବ କି ନାହିଁ ବୋଲି ତାଙ୍କର (ଜୟ ଢୋଲକିଆ) ସନ୍ଦେହ ହେଲା। ତାଙ୍କ ପରିବାର ଲୋକେ ବି ସେହି ସନ୍ଦେହ କରିଥିଲେ। କାରଣ ରାଜୁ ଢୋଲକିଆ ଚେନ୍ନାଇରେ ଚିକିତ୍ସିତ ହେଉଥିବା ବେଳେ ବିଜେଡିର କୌଣସି ନେତା ତାଙ୍କୁ ଦେଖିବାକୁ ଯାଇନଥିଲେ କି ଫୋନ୍ ମଧ୍ୟ କରି ନଥିଲେ। ଏସବୁ ଏବେବି ଲୋକଙ୍କ ଭିତରେ ଆଲୋଚନା ହେଉଛି।
ସେ କହିଛନ୍ତି, ବିଜେଡି ତୃତୀୟ ସ୍ଥାନରେ ରହିଲା ବୋଲି ଯେତିକି ଦୁଃଖ ଲାଗିଲା ନାହିଁ, ତା’ଠାରୁ ଅଧିକ ଦୁଃଖ ଲାଗିଲା ଯେତେବେଳେ ମୁଁ ଜାଣିବାକୁ ପାଇଲି ଯେ ୩୨ଟି ବୁଥ୍ରେ ବିଜେଡି ୩୦ରୁ କମ୍ ଭୋଟ୍ ପାଇଛି। କେଉଁ ବୁଥ୍ରେ ୩ଟି ଭୋଟ୍, କେଉଁ ବୁଥ୍ରେ ୫ଟି, ୮ଟି, ୧୧ଟି ତ ଆଉ କେଉଁ ବୁଥ୍ରେ ୧୩, ୧୫, ୧୭ ଓ ୧୮ଟି ଭୋଟ୍ ପଡ଼ିଛି ବିଜେଡି ସପକ୍ଷରେ। ଏହାକୁ ମୁଁ ବିଶ୍ୱାସ କରିପାରୁ ନାହିଁ। ବିଜେଡି ତ ଏଭଳି ସ୍ଥିତିରେ ନଥିଲା । ଦଳ ଏହା ଉପରେ ପ୍ରତିକ୍ରିୟା ଦେବା ଉଚିତ। ନୂଆପଡ଼ା ଅଞ୍ଚଳର ଲୋକେ ବି ମୋତେ ପ୍ରଶ୍ନ କରୁଛନ୍ତି ଯେ ବିଜେଡି କ’ଣ ସତରେ ବିଜେପିକୁ ହରାଇବାକୁ ଚାହୁଁଥିଲା? ନୂଆପଡ଼ାରେ କ’ଣ ନେତା ନଥିଲେ? ବାହାରୁ ଆଣି ଜଣଙ୍କୁ ପ୍ରାର୍ଥୀ କରାଗଲା। ଏହା କ’ଣ ସେମାନଙ୍କ ପ୍ରତି ଅପମାନ ନୁହେଁ। ମୁଁ ଏହା କହିବା ପରେ ଯଦି କହିବେ ଯେ ଭୂପିନ୍ଦର ସିଂହ ଦଳ ବିରୋଧରେ କହୁଛନ୍ତି, ତା’ହେଲେ ଆଉ କ’ଣ କହିବା। ବିରୋଧରେ କହିବାର କ’ଣ ଅଛି। ସବୁ ତ ସରିଗଲା। ଦଳର ସମ୍ମାନ, ମର୍ଯ୍ୟାଦା ସବୁ ସରିଗଲା। ଜନାଦେଶ ନୁହେଁ ଯନ୍ତ୍ରାଦେଶ ବୋଲି କେବଳ କହି ଦେଲେ ହେବ ନାହିଁ। ଏହାକୁ ପ୍ରମାଣିତ କରିବାକୁ ପଡ଼ିବ।
ସେହିପରି ନବୀନ ପଟ୍ଟନାୟକ ପ୍ରଚାର କରିବା ପାଇଁ ନୂଆପଡ଼ା ଯିବା କଥାକୁ ନେଇ ଅସନ୍ତୋଷ ଝାଡ଼ିଛନ୍ତି ଭୂପିନ୍ଦର। ସେ କହିଛନ୍ତି, ନବୀନଙ୍କୁ ସେଠାକୁ ନେବା ଦ୍ୱାରା ବହୁତ ଭୁଲ୍ ବାର୍ତ୍ତା ଯାଇଛି। ଆମେ ତାଙ୍କୁ ସମ୍ମାନ କରୁଥିବା କଥା କହୁଛନ୍ତି। କିନ୍ତୁ ସେଠାକୁ ନେଇ ଆମେ ତାଙ୍କୁ ଅପମାନିତ କଲେ। ତାଙ୍କୁ କେଉଁ ସ୍ତରକୁ ନେଇଗଲେ ଆମେ? ଯେଉଁ ବରିଷ୍ଠ ନେତାମାନେ ଦଳ ଗଢ଼ିଛନ୍ତି ଓ ନବୀନ ବାବୁଙ୍କୁ ଆଣି ସଭାପତି କରିଛନ୍ତି, ସେମାନଙ୍କୁ ଯଦି ସଂପୂର୍ଣ୍ଣ ଭାବେ ବାହାର କରି ଦେବେ, ତା’ହେଲେ କେମିତି ହେବ। ସେମାନଙ୍କ ମଧ୍ୟରୁ ଅନେକ କହିଛନ୍ତି ଯେ ନବୀନ ବାବୁ ନୂଆପଡ଼ା ଯିବା ଠିକ୍ ହୋଇନି। ଏକ ନକାରାତ୍ମକ ବାର୍ତ୍ତା ଗଲା। ସେ ପ୍ରଚାର କରିବା ସତ୍ତ୍ୱେ ଦଳ ପାଇଁ କିଛି ଫରକ ପଡ଼ିଲାନି।
୨୦୨୪ ସାଧାରଣ ନିର୍ବାଚନରେ କଳାହାଣ୍ଡି ଲୋକସଭା ଆସନରୁ ଟିକେଟ ଆଶା କରିଥିଲେ ଭୂପିନ୍ଦର। କିନ୍ତୁ ଦଳ ତାଙ୍କୁ ଟିକେଟ ଦେଇ ନଥିଲା। ଏହାକୁ ନେଇ ମଧ୍ୟ ଆଜି ସେ ଖୋଲାଖୋଲି କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ୨୦୨୪ ସାଧାରଣ ନିର୍ବାଚନରେ ଆମେ କଳାହାଣ୍ଡ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଦେବା ପରେ ବାର୍ତ୍ତା ଯାଇଥିଲା ଯେ ଆମେ ବିଜେପିକୁ ଜିତାଇବାକୁ ଚାହୁଁଛୁ। ଲମ୍ବୋଦର ନିଆଲ ଲୋକସଭା ଟିକେଟ ଚାହୁଁନଥିଲେ। ଟିକେଟ ପାଇଲା ପରେ ସେ କାନ୍ଦିଥିଲେ। ସେ ବିଧାନସଭା ନିର୍ବାଚନ ଲଢ଼ିବା ପାଇଁ ଚାହୁଁଥିଲେ। କିନ୍ତୁ ତାଙ୍କୁ ଟିକେଟ ଦେଲେ ନାହିଁ। ରାଜୁ ଢୋଲକିଆ ବି ଚାହୁଁଥିଲେ ଯେ ଲମ୍ବୋଦର ନିଆଲଙ୍କୁ ଟିକେଟ ମିଳୁ। ସେଥିପାଇଁ ଢୋଲକିଆ ପରିବାରକୁ ସମର୍ଥନ କରି ଏବେ ଲମ୍ବୋଦର ବିଜେପିକୁ ପଳେଇଲେ।
ନୂଆପଡ଼ା ଉପନିର୍ବାଚନ ରେଜଲ୍ଟ ପୂରା ବିଜେଡି ଶିବିରକୁ ଗୋଳମାଳିଆ କରିଦେଇଛି । ପ୍ରଚାର ବେଳେ ଯେଉଁମାନଙ୍କୁ ଅଣଦେଖା କରାଯାଇଥିଲା ସେମାନେ ଏବେ ମୌକା ଦେଖି ଶୁଣାଇ ଦେଉଛନ୍ତି । ପ୍ରଫୁଲ୍ଲ, ସମ୍ବିତ, ଭୂପିନ୍ଦରଙ୍କ ପରେ ଆଉ କେଉଁ ବରିଷ୍ଠ ନେତା ମୁହଁ ଖୋଲୁଛନ୍ତି, ତାହା ଦେଖିବାକୁ ଅପେକ୍ଷା ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
