/odisha-reporter/media/media_files/2026/02/19/bikram-panda-2026-02-19-15-32-55.jpg)
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ଗିରଫ ହୋଇ ବ୍ରହ୍ମପୁର ଜେଲ୍ରେ ଥିବା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ଏକ ଆବେଦନକୁ ଖାରଜ କରି ଦେଇଛନ୍ତି ଅତିରିକ୍ତ ଜିଲ୍ଲା ଦୌରାଜଜ୍-୩ଙ୍କ କୋର୍ଟ।
ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଏକ ପିଟିସନ ଦାଖଲ କରିଥିଲେ ବିକ୍ରମ। ତେବେ ଜେଲ ନିୟମ ପ୍ରକାରେ ହିଁ ତାଙ୍କ ଚିକିତ୍ସା ସହ ଅପରେସନ କରିବା ନିମନ୍ତେ ବ୍ରହ୍ମପୁର ଜେଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।
ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ବିକ୍ରମଙ୍କ ଅପରେସନ ହେବ। ଅପରେସନ ଓ ଚିକିତ୍ସା ସମୟରେ ବିକ୍ରମଙ୍କ ପରିବାର ଲୋକେ ରହିପାରିବେ।
ଗଲବ୍ଲାଡର ବା ପିତ୍ତକୋଷରେ ଷ୍ଟୋନ ଅପରେସନ ନେଇ ବିକ୍ରମ ସମ୍ମତି ଦେଇସାରିଛନ୍ତି।
ଅସୁସ୍ଥ ବିକ୍ରମଙ୍କୁ ୟା ଭିତରେ କିଛି ଦିନ ବ୍ରହ୍ମପୁର ସ୍ଥିତ ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଯାଇଥିଲା। ତାଙ୍କର ପାଇଲ୍ସ ସମସ୍ୟା ଥିବା ବେଳେ ପିତ୍ତକୋଷରେ ଷ୍ଟୋନ ମଧ୍ୟ ହୋଇଛି। ଏମ୍କେସିଜିର ଡାକ୍ତରମାନେ ତାଙ୍କୁ ପିତ୍ତକୋଷରେ ହୋଇଥିବା ଷ୍ଟୋନ ପାଇଁ ଅପରେସନ କରିବାକୁ କହିଥିଲେ। କିନ୍ତୁ ଅପରେସନ ପାଇଁ ବିକ୍ରମ ରାଜି ହୋଇନଥିଲେ ବୋଲି ମେଡିକାଲ କର୍ତ୍ତୃପକ୍ଷ କହିଥିଲେ। ଏହା ପରେ ତାଙ୍କୁ ହସ୍ପିଟାଲରୁ ଜେଲ୍କୁ ପଠାଇ ଦିଆଯାଇଥିଲା।
ବିକ୍ରମଙ୍କ ଓକିଲ ଦୀପକ ପଟ୍ଟନାୟକ କହିଛନ୍ତି, ୧୦ ରୁ ୧୬ ତାରିଖ ପର୍ଯ୍ୟନ୍ତ ବିକ୍ରମ ପଣ୍ଡାଙ୍କୁ ଡାକ୍ତରଖାନାରେ ରଖାଯାଇଥିଲା। ତାଙ୍କର ସମସ୍ତ ଟେଷ୍ଟ କରାଯାଇଥିଲା। ଡାକ୍ତରଙ୍କର ଏକ କମିଟି ଗଠନ କରାଯାଇଥିଲା। ଏହି କମିଟି କହିଥିଲା ଯେ ବିକ୍ରମ ପଣ୍ଡାଙ୍କର ଅପରେସନ ହେବା ଦରକାର। କିନ୍ତୁ ବିକ୍ରମ ପଣ୍ଡା ମନା କରିଥିଲେ। ତେଣୁ ତାଙ୍କୁ ୧୬ ତାରିଖ ଦିନ ଜେଲ୍କୁ ପଠାଇ ଦିଆଯାଇଥିଲା। କାରଣ ୧୭ ତାରିଖରେ କୋର୍ଟରେ ତାଙ୍କର ଚାର୍ଜ ଫ୍ରେମ୍ ହେବାର ଥିଲା। ୧୭ ତାରିଖରେ ଆମେ କୋର୍ଟରେ ଏକ ପିଟିସନ ଦାଖଲ କରିଥିଲୁ ଯେ ବିକ୍ରମ ପଣ୍ଡାଙ୍କ ସମ୍ମତି ଥିବା ସତ୍ତ୍ୱେ ତାଙ୍କୁ ଜୋରଜବରଦସ୍ତି ଜେଲ୍କୁ ପଠାଇ ଦିଆଯାଇଥିଲା। ସେହିଦିନ କୋର୍ଟ ଆମକୁ ଅପରେସନ୍ ପାଇଁ ବିକ୍ରମ ପଣ୍ଡା ରାଜି ଅଛନ୍ତି ନା ନାହିଁ, ସେ ନେଇ ତାଙ୍କଠାରୁ ଏକ ସମ୍ମତିପତ୍ର ଆଣିବାକୁ କହିଥିଲେ। ତା’ପରେ ବିକ୍ରମ ପଣ୍ଡା ଜେଲରୁ ଲେଖିକି ଦେଇଥିଲେ ଯେ ସେ ଅପରେସନ ହେବା ପାଇଁ ଚାହୁଁଛନ୍ତି। ଏହାକୁ ଆଧାର କରି ଜେଲ୍ ଅଧୀକ୍ଷକଙ୍କୁ କୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି ଯେ ଜେଲ୍ ମାନୁଆଲ ପ୍ରକାରେ ତାଙ୍କର ଅପରେସନ କରାଯାଉ। ବାହାର ହସପିଟାଲରେ ବିକ୍ରମଙ୍କ ଚିକିତ୍ସା ପାଇଁ ଯେଉଁ ପିଟିସନ ଦାଖଲ ହୋଇଥିଲା, ତାକୁ କୋର୍ଟ ଖାରଜ କରି ଦେଇଛନ୍ତି। କେଉଁ ଜାଗାରେ ବିକ୍ରମଙ୍କ ଚିକିତ୍ସା କରାଯିବ, ତାହା ଜେଲ୍ କର୍ତ୍ତୃପକ୍ଷଙ୍କ ଉପରେ ଛାଡ଼ି ଦେଇଛନ୍ତି କୋର୍ଟ। ବିକ୍ରମ ପଣ୍ଡାଙ୍କ ଅପରେସନ ବ୍ରହ୍ମପୁରର ଏମ୍କେସିଜି ମେଡିକାଲରେ କରାଯିବାକୁ ଆପାତତଃ ସ୍ଥିର ହୋଇଛି। ଅପରେସନ ନେଇ ତାରିଖ ଧାର୍ଯ୍ୟ ହୋଇନାହିଁ। ଜେଲ୍ ଅଧୀକ୍ଷକ ଓ ଡାକ୍ତରଙ୍କ ମଧ୍ୟରେ ଆଲୋଚନା ପରେ ଅପରେସନ ତାରିଖ ଧାର୍ଯ୍ୟ କରାଯିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
