alaka-mohanty
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ବିଜେଡିରୁ ଅଳକା ମହାନ୍ତି ହେଲେ ପ୍ରାର୍ଥୀ । ସ୍ୱର୍ଗତ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କ ନାମକୁ ଘୋଷଣା କରିଛନ୍ତି ପାର୍ଟି ସୁପ୍ରିମୋ ନବୀନ ପଟ୍ଟନାୟକ । ମେ ୩୧ରେ ହେବାକୁ ଥିବା ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ଅନେକ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଏପରିକି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ମଧ୍ୟ ଏହି ରେସରେ ଥିଲେ । କିନ୍ତୁ ମୁଖ୍ୟମନ୍ତ୍ରୀ ପୁଣିଥରେ ସିମ୍ପାଥୀ କାର୍ଡ ଖେଳି ୨୦୧୯ରେ ବ୍ରଜରାଜନଗରରୁ ବିଜେଡି ବିଧାୟକ ଥିବା ସ୍ୱର୍ଗତ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କ ନାମ ଉପରେ ମୋହର ମାରିଛନ୍ତି।
ଗତ ବର୍ଷ ଡିସେମ୍ବର ୩୦ ତାରିଖରେ ହୃଦଘାତରେ କିଶୋର ମହାନ୍ତିଙ୍କ ଦେହାନ୍ତ ପରେ ବ୍ରଜରାଜନଗର ଆସନଟି ଖାଲି ପଡିଥିଲା । ୨୦୧୯ ନିର୍ବାଚନରେ ପ୍ରଥମ ଥର ପାଇଁ ଏହି ଆସନ ବିଜେଡି ଖାତାକୁ ଆସିଥିଲା । କିନ୍ତୁ କିଶୋରଙ୍କ ମୃତ୍ୟୁ ପରେ ମେ ୩୧ରେ ଉପ ନିର୍ବାଚନ ହେବା ନେଇ ଘୋଷଣା କରିଥିଲେ ନିର୍ବାଚନ କମିଶନ । ନିର୍ବାଚନ ପାଇଁ ନାମାଙ୍କନ ଭରିବାର ଶେଷ ତାରିଖ ମେ ୧୧ ତାରିଖ ରହିଛି । ଆଉ ଅନ୍ତିମ ଦିନରେ ହିଁ ଅଳକା ବିଜେଡିରୁ ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ବିଧାୟକ ପ୍ରାର୍ଥୀ ଭାବେ ନାମାଙ୍କ ଭରିବା ନେଇ ସୂଚନା ମିଳୁଛି ।
ଗତ କାଲି ବିଜେପି ମଧ୍ୟ ତାର ପ୍ରାର୍ଥୀ ଘୋଷଣା କରି ସାରିଛି । ୨୦୧୪ରେ ବିଜେପିରୁ ବ୍ରଜରାଜନଗର ବିଧାୟିକା ଥିବା ରାଧାରାଣୀ ପଣ୍ଡାଙ୍କୁ ପୁଣିଥରେ ପ୍ରାର୍ଥୀ କରିଛି ଦଳ । ରାଧାରାଣୀ ୨୦୧୯ ନିର୍ବାଚନରେ ମଧ୍ୟ ଦଳ ପକ୍ଷରୁ ବିଜେଡିକୁ କଡା ଟକ୍କର ଦେଇଥିଲେ। ସେପଟେ କିନ୍ତୁ କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ଏନେଇ ଏବେ ସୁଧା ଘୋଷଣା କରାଯାଇ ନାହିଁ ।
ବ୍ରଜରାଜନଗର ଆନସଟି ପ୍ରଥମରୁ ହିଁ କଂଗ୍ରେସର ରହି ଆସିଛି । ଯଦିଓ କଂଗ୍ରେସରୁ ଆସି ବିଜେଡିରେ ଯୋଗ ଦେଇଥିବା ପୂର୍ବତନ ବିଧାୟକ ଅନୁସା ସାଏ ଏଠାରେ ଲଢେଇ କରିଥିଲେ । କିନ୍ତୁ ତାକୁ ମଧ୍ୟ ପରାଜୟ ସ୍ୱୀକାର କରିବାକୁ ପଡିଥିଲା । ତେବେ ୨୦୧୯ରେ ପ୍ରଥମ ଥର ପାଇଁ କିଶୋର ମହାନ୍ତି ହିଁ ଏହି ଆସନରେ ବିଜେଡି ବାନା ଉଡାଇଥିଲେ । ତେଣୁ ଉପ ନିର୍ବାଚନରେ ମଧ୍ୟ ବିଜେଡି ତାଙ୍କ ପତ୍ନୀଙ୍କୁ ଟିକେଟ ଦେଇ ଉପନିର୍ବାଚନ ଜିତିବାର ପରମ୍ପରାକୁ ବଜାୟ ରଖିବ ବୋଲି ବେଶ ଆଶାବାଦୀ ।
ପୂର୍ବରୁ ମଧ୍ୟ ବିଜେପୁର ଉପ ନିର୍ବାଚନରେ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ପରେ ପତ୍ନୀ ରୀତା ସାହୁଙ୍କୁ ବିଜେଡିରୁ ଟିକେଟ୍ ଦେଇ ସିଟ୍ ହାତେଇଥିଲେ ନବୀନ । ସେହିପରି ପାଟକୁରା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଭେଟେରାନ୍ ଲିଡର ବିଜୟ ମହାପାତ୍ରଙ୍କୁ ଟକ୍କର ଦେବା ପାଇଁ ସ୍ୱର୍ଗତ ବେଦ ପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି । ଏବେ ପୁଣି ଅନେକ ଚର୍ଚ୍ଚା ଆଲୋଚନା ଉପରେ ପୂର୍ଣ୍ଣଛେଦ ପକାଇ କିଶୋରଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ନବୀନ ଦଳ ପକ୍ଷରୁ ପ୍ରାର୍ଥୀ କରିଛନ୍ତି । ଏହାଦ୍ୱାରା ପୁଣିଥରେ ସିମ୍ପାଥୀ ଭୋଟ ହାତେଇବା ପାଇଁ ଚଳାଇଛନ୍ତି ଗୋଟି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/05/alaka-mohanty.jpg)