Chief-Minister-Naveen-Patnaik
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେଡି ପକ୍ଷରୁ ଘୋଷଣା ହେଲା ଷ୍ଟାର ପ୍ରଚାରକ ତାଲିକା । ଏଥିନିମନ୍ତେ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା ହୋଇଥିବା ବେଳେ ଏଥିରେ ସାମିଲ ଅଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ ବାଦ ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ନିରଞ୍ଜନ ପୂଜାରୀ, ପ୍ରମିଳା ମଲ୍ଲିକ, ସମୀର ଦାଶ, ସ୍ନେହାଙ୍ଗିନି ଛୁରିଆ, ସୁବାସ ସିଂ, ସୁଶାନ୍ତ ସିଂ ପ୍ରମୁଖଙ୍କ ନାଁ ମଧ୍ୟ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ ହୋଇଛି।
ସୂଚନାଯୋଗ୍ୟ, ଆସନ୍ତ ୩୧ ତାରିଖରେ ବ୍ରଜରାଜନଗର ଉପନିର୍ବାଚନ ହେବ । ଏଥିନିମନ୍ତେ ଆଜି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ। ଏହାପରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ବିଜେଡିରୁ ଅଳକା ମହାନ୍ତି, ବିଜେପିରୁ ରାଧାରାଣୀ ପଣ୍ଡା ଓ କଂଗ୍ରେସ ପକ୍ଷରୁ କିଶୋର ପଟେଲ ନାମାଙ୍କନ ଦାଖଲ କରିଛନ୍ତି। ଏହି ତିନି ପ୍ରମୁଖ ପ୍ରାର୍ଥୀଙ୍କ ବ୍ୟତିତ ମୋଟ୍ ୧୪ ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।
ବିଧାୟକ କିଶୋର ମହାନ୍ତିଙ୍କ ଦେହାନ୍ତ ପରେ ଖାଲି ପଡ଼ିଛି ଏହି ଆସନ। ମେ’ ୩୧ରେ ଭୋଟ ଗ୍ରହଣ କରାଯାଇ ଜୁନ୍ ୩ ତାରିଖରେ ଗଣତି ହେବ। ଶାସକ ବିଜେଡି କଳବଳକୌଶଳ ଲଗାଇ ଏହି ସିଟକୁ ପୁଣିଥରେ ନିଜ କବଜାରେ ରଖିବାକୁ ପ୍ରସ୍ତୁତି ଆରମ୍ଭ କରିଛି ।
ଦଳର ମାଳମାଳ ନେତା, ବିଧାୟକ ଓ ମନ୍ତ୍ରୀ ଏବେ ବ୍ରଜରାଜନଗରର ବିଭିନ୍ନ ପଂଚାୟତରେ ମୁତୟନ ହୋଇଛନ୍ତି । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ କରାୟତ କରି ବିଜେଡି ଏକ ବୃହତ୍ ବ୍ୟବଧାନରେ ବିଜୟୀ ହେବାକୁ ଟାର୍ଗେଟ୍ ରଖିଥିବାବେଳେ ବିଜେଡିର ରଣନୀତି ଆଗରେ ବିରୋଧୀ ବିଜେପି ଓ କଂଗ୍ରେସର ପ୍ରଚାର ଫିକା ପଡ଼ିଛି।
ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ନିଜ ଗାଁ ଲଖନପୁର ବ୍ଲକ ଧୁଲୁଣ୍ଡାରେ ଗ୍ରାମଦେବତୀଙ୍କ ପାଖରେ ପୂଜାର୍ଚ୍ଚନା କରିବା ପରେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ବିଜେପି ସେଠାରେ ଏକଜୁଟ ହୋଇ ନିର୍ବାଚନ ଲଢ଼ୁଥିବାବେଳେ ବିଜେଡିର ଗୋଷ୍ଠୀକନ୍ଦଳ ଓ ବିଜେଡି ସରକାର ପ୍ରତି ଥିବା ଆକ୍ରୋଶରୁ ଫାଇଦା ନେବାକୁ ଲକ୍ଷ୍ୟ ରଖିଛି।
ସେହିପରି କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ ପ୍ରଚାର ମଇଦାନକୁ ଓହ୍ଲାଇ ସାରିଥିବାବେଳେ ବେଲପାହାଡ଼ରେ ଦଳର ସ୍ଥିତି ଭଲ ଥିବାରୁ ଅଧିକ ଭୋଟ୍ ମିଳିବ ବୋଲି କଂଗ୍ରେସ ଆଶାବାଦୀ ରହିଛି । ବ୍ରଜରାଜନଗର ଓ ଲଖନପୁର ବ୍ଲକରେ ମଧ୍ୟ ଭଲ ଭୋଟ କଂଗ୍ରେସ ସପକ୍ଷରେ ଯିବ ବୋଲି କହିଛନ୍ତି । କଂଗ୍ରେସର ଷ୍ଟାର କ୍ୟାମ୍ପେନରମାନେ ଆସନ୍ତା ୧୯ରୁ ପ୍ରଚାର ମଇଦାନକୁ ଓହ୍ଲାଇବେ ବୋଲି ସୂଚନା ମିଳିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/06/Chief-Minister-Naveen-Patnaik.jpg)