ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଏକ ‘ବିଧାନ ପରିଷଦ’ ଗଠନ ପାଇଁ ୨୦୧୪ ସାଧାରଣ ନିର୍ବାଚନ ପରଠୁ ଶାସକ ବିଜେଡିର ପ୍ରାୟୋଜିତ ଡ୍ରାମା ଆଜି ପଦାରେ ପଡ଼ିଛି। ବିଧାନ ପରିଷଦ ଗଠନର ଅନୁଧ୍ୟାନ ପାଇଁ ୨୦୧୫ ଜାନୁୟାରୀ ୭ରେ ୫ଜଣିଆ କମିଟି ଘୋଷଣା ଓ ଉକ୍ତ କମିଟିର ରିପୋର୍ଟ ପ୍ରଦାନ, କ୍ୟାବିନେଟରେ ବିଧାନ ପରିଷଦ ଗଠନ ନିମନ୍ତେ ସଂକଳ୍ପକୁ ଅନୁମୋଦନ ଓ ୨୦୧୮ ସେପ୍ଟେମ୍ବର ୬ରେ ବିଧାନସଭାରେ ଏ ସଂକ୍ରାନ୍ତ ସଂକଳ୍ପ ପାରିତ ହେବାର ସମସ୍ତ ପ୍ରକ୍ରିୟା ଏବେ ନିଷ୍ଫଳ ହୋଇଛି। ବିଧାନସଭାରେ ପାରିତ ହୋଇଥିବା ଏହି ସଂକଳ୍ପ ଆଜିପର୍ଯ୍ୟନ୍ତ କେଉଁଠି ରହିଛି ଓ ଦୀର୍ଘ ସାଢ଼େ ୩ବର୍ଷ ଧରି ଉକ୍ତ ସଂକଳ୍ପ ପ୍ରସ୍ତାବକୁ କାହିଁକି କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯାଇନି, ତାକୁ ନେଇ ରାଜନୀତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।
କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ କିରେନ୍ ରିଜିଜୁ ଆଜି ରାଜ୍ୟସଭାରେ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ବିଧାନ ପରିଷଦ ଗଠନ ନେଇ ଓଡ଼ିଶାରେ ବିଜେଡି ସରକାରର ଅସଲ ଚେହେରାକୁ ପଦାରେ ପକାଇବା ସହ ରେକର୍ଡ ଅନୁସାରେ ଏଭଳି କୌଣସି ସଂକଳ୍ପ କେନ୍ଦ୍ର ସରକାରଙ୍କୁ ମିଳିନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ତଥାପି ଏହି ସଂକଳ୍ପ ପାରିତ କରାଯିବା ସଂକ୍ରାନ୍ତରେ ଓଡ଼ିଶା ସରକାରଙ୍କଠୁ ସୂଚନା ସଂଗ୍ରହ କରାଯାଉଛି ବୋଲି ସେ କହିଛନ୍ତି। ଆସାମ, ରାଜସ୍ଥାନ ଓ ପଶ୍ଚିମବଙ୍ଗ ସରକାର ସେମାନଙ୍କ ରାଜ୍ୟରେ ବିଧାନ ପରିଷଦ ଗଠନ ପାଇଁ ସଂକଳ୍ପ ପାରିତ କରିଥିବା ନେଇ କେନ୍ଦ୍ର ସରକାରଙ୍କୁ ଅବଗତ କରାଇଛନ୍ତି। ଏବେ ୬ଟି ରାଜ୍ୟ ଯଥା- ଆନ୍ଧ୍ରପ୍ରଦେଶ, ବିହାର, କର୍ଣ୍ଣାଟକ, ମହାରାଷ୍ଟ୍ର, ତେଲେଙ୍ଗାନା ଓ ଉତ୍ତରପ୍ରଦେଶରେ ରାଜ୍ୟ ବିଧାନ ପରିଷଦ କାର୍ଯ୍ୟ କରୁଛି ବୋଲି ସେ କହିଛନ୍ତି।
ତେବେ ପ୍ରଶ୍ନ ଉଠୁଛି, ୨୦୧୪ ସାଧାରଣ ନିର୍ବାଚନ ପରଠୁ ‘ବିଧାନ ପରିଷଦ’ କଥା କହି ନିଜ ଦଳର ନେତାମାନଙ୍କୁ ଦିବାସ୍ୱପ୍ନ ଦେଖାଇଥିବା ବିଜେଡି ସରକାର ୨୦୧୮ ସେପ୍ଟେମ୍ବର ୬ତାରିଖରେ ରାଜ୍ୟ ବିଧାନସଭାରେ ‘ବିଧାନ ପରିଷଦ’ ଗଠନ ନେଇ ସଂକଳ୍ପ ପ୍ରସ୍ତାବ ପାରିତ କରିବା ସତ୍ୱେ କାହିଁକି ତାକୁ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇ ନାହାନ୍ତି। ସାଢ଼େ ୩ବର୍ଷ ଧରି ଏହି ସଂକଳ୍ପ ପ୍ରସ୍ତାବକୁ ରାଜ୍ୟ ସରକାର ପକାଇ ରଖିଥିବାବେଳେ ବିଜେଡି ସାଂସଦମାନେ ବିଭିନ୍ନ ସମୟରେ ରାଜ୍ୟସଭାରେ ଏନେଇ ଦାବି ଉତଥାପନ କରିବାକୁ ପଛାଇ ନାହାନ୍ତି। କିନ୍ତୁ ବିଧାନସଭାରେ ପାରିତ ଏହି ସଂକଳ୍ପ ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ପାଖକୁ ନପଠାଇ ଶାସକ ବିଜେଡି କିଭଳି ସଂସଦରେ ଉକ୍ତ ପ୍ରସଙ୍ଗ ଉଠାଇବାକୁ ନିଜର ସାଂସଦମାନଙ୍କୁ ଅନୁମତି ଦେଉଥିଲା ତାହା ବି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
୨୦୧୪ ସାଧାରଣ ନିର୍ବାଚନ ପରେ ଦଳର ପରାଜିତ ଓ ଟିକେଟ୍ ଆଶାୟୀ ନେତାମାନଙ୍କୁ ‘ବିଧାନ ପରିଷଦ’ରେ ଥଇଥାନ କରିବାର ସ୍ୱପ୍ନ ଦେଖାଇ ବିଜେଡି ସରକାର ୨୦୧୫ ଜାନୁୟାରୀ ୭ରେ ବିଜେଡିର ପ୍ରମିଳା ମଲ୍ଲିକ, ନୃସିଂହ ସାହୁ ଓ ମନୋହର ରନ୍ଧାରୀ, କଂଗ୍ରେସର ଭୁଜବଳ ମାଝୀ ଓ ବିଜେପିର ନୀତେଶ ଗଙ୍ଗଦେବଙ୍କୁ ନେଇ ବିଧାନ ପରିଷଦ ଗଠନ ନିମନ୍ତେ ଏକ ଅନୁଧ୍ୟାନ କମିଟି ଗଠନ କରିଥିଲେ। ୨୦୧୯ ସାଧାରଣ ନିର୍ବାଚନର ୭-୮ମାସ ପୂର୍ବରୁ ଅର୍ଥାତ୍ ୨୦୧୮ ଅଗଷ୍ଟ ୩ତାରିଖରେ ଏହି ୫ଜଣିଆ କମିଟି ନିଜର ଅନୁଧ୍ୟାନ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାଖଲ କରିଥିଲେ । ବିଧାନ ପରିଷଦର ରୂପରେଖ କିଭଳି ହେବ ସେ ନେଇ ସେମାନେ ବିଭିନ୍ନ ରାଜ୍ୟକୁ ଗସ୍ତ କରି ଆଣିଥିବା ତଥ୍ୟ ଆଧାରରେ ଦେଇଥିବା ରିପୋର୍ଟ ଅନୁସାରେ ୨୦୧୮ ଅଗଷ୍ଟ ୨୪ତାରିଖରେ ରାଜ୍ୟ କ୍ୟାବିନେଟରେ ଏନେଇ ଏକ ପ୍ରସ୍ତାବ ପାରିତ ହୋଇଥିଲା । ଓଡ଼ିଶା ବିଧାନସଭା ଦ୍ୱାରା ସଂକଳ୍ପ ପାରିତ ଓ ଭାରତୀୟ ସମ୍ବିଧାନର ଧାରା ୧୬୯ର ଉପଧାରା(୧) ଅନୁସାରେ ସଂସଦର ଅନୁମୋଦନ ପାଇଁ କ୍ୟାବିନେଟ ବୈଠକରେ ଉକ୍ତ ପ୍ରସ୍ତାବ ଗୃହୀତ ହୋଇଥିଲା। ଏହାର ମାତ୍ର ୧୩ଦିନ ପରେ ୨୦୧୮ ସେପ୍ଟେମ୍ବର ୬ତାରିଖରେ ରାଜ୍ୟ ବିଧାନସଭାରେ ଉଭୟ ବିଜେପି ଓ କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ ଓ କକ୍ଷତ୍ୟାଗ ମଧ୍ୟରେ ଶାସକ ବିଜେଡି ୧୦୪ଟି ଭୋଟ ସହ ଏହି ସଂକଳ୍ପ ପ୍ରସ୍ତାବକୁ ପାରିତ କରାଇ ନେଇଥିଲା।
ଏହି ସଂକଳ୍ପ ପ୍ରସ୍ତାବରେ ‘ପ୍ରସ୍ତାବିତ ବିଧାନ ପରିଷଦ’ରେ ମୋଟ ୪୯ଜଣ ସଦସ୍ୟ ରହିବା ଓ ସେମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ(୧୬ଜଣ) ରାଜ୍ୟର ବିଧାୟକମାନଙ୍କ ଦ୍ୱାରା, ବିଭିନ୍ନ ପୌର ପରିଷଦ ଓ ଜିଲ୍ଲା ପରିଷଦ ସଦସ୍ୟଙ୍କ ଦ୍ୱାରା ୧୬ଜଣ, ଶିକ୍ଷକମାନଙ୍କ ଦ୍ୱାରା ୪ଜଣ, ଗ୍ରାଜୁଏଟଙ୍କ ଦ୍ୱାରା ୪ଜଣ ଓ ଅନ୍ୟ ସଦସ୍ୟମାନେ ରାଜ୍ୟପାଳଙ୍କ ଦ୍ୱାରା ଚୟନ ହେବାର ପ୍ରାବଧାନ ଥିଲା।
୨୦୧୯ ସାଧାରଣ ନିର୍ବାଚନ ପରେ ବିଜେଡିର ପରାଜିତ ନେତା ଓ ଟିକେଟରୁ ବଂଚିତ ନେତାମାନେ ଏହି ବିଧାନ ପରିଷଦରେ ଥଇଥାନ ହେବାକୁ ଆଶା ବାନ୍ଧି ବସିଥିବାବେଳେ ବିଜେଡି ଶାସନ ମୁଖିଆଙ୍କ ଏଭଳି ପ୍ରତାରଣା ଖୋଲାଖୋଲି ଭାବେ ଦଳୀୟ ନେତା ଓ କର୍ମୀଙ୍କ ମନୋବଳକୁ ଶକ୍ତ ଆଘାତ ଦେଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।