
ନୂଆପଡ଼ା ଉପନିର୍ବାଚନରେ ଦଳର ଶୋଚନୀୟ ପରାଜୟ ଓ କଂଗ୍ରେସ ତୁଳନାରେ ଖରାପ ପ୍ରଦର୍ଶନକୁ ନେଇ ଏବେ ବିଜେଡିରେ ଅସନ୍ତୋଷ ଥମିବାର ନାଁ ଧରୁନି । ଦଳର ବିଭିନ୍ନ ନେତାମାନେ ନିଜର ଅସନ୍ତୋଷ ଜାହିର କରିଥିବାବେଳେ ପୂର୍ବତନ ନେତ୍ରୀ ଶ୍ରୀମୟୀ ମିଶ୍ର ଓ ଯୁବ ନେତ୍ରୀ ଏଲିନା ଦାଶ ଆଜି ପୁଣିଥରେ ସୋସିଆଲ ମିଡିଆରେ ସିଧାଳସଖ ବରିଷ୍ଠ ନେତାମାନଙ୍କୁ ଟାର୍ଗେଟ୍ କରିଛନ୍ତି । ନେତାମାନଙ୍କ ଆଦର୍ଶ-ସ୍ୱାଭିମାନକୁ ନେଇ ପ୍ରସଙ୍ଗ ସହ ଉପନିର୍ବାଚନ ପରାଜୟର ସମୀକ୍ଷା କାହିଁକି କରାଯାଉନି ବୋଲି ପ୍ରଶ୍ନ କରିଛନ୍ତି । ଦଳରେ ନିର୍ବାଚନ ସମୀକ୍ଷା ନହେବା ଓ ବରିଷ୍ଠ ନେତାମାନଙ୍କ ନିରବତା ମଧ୍ୟରେ ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ପତ୍ନୀ ସୁଜାତାଙ୍କୁ ଦଳର ଉତ୍ତରାଧିକାରୀ କରିବା ନିମନ୍ତେ ଚାଲିଥିବା ସଂଘବଦ୍ଧ ପ୍ରୟାସକୁ ଏ ‘ତାମିଲପ୍ରୀତି’ କାହିଁକି ବୋଲି କହି ଶ୍ରୀମୟୀ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ।
ବରିଷ୍ଠ ନେତାଙ୍କ ନିରବତାକୁ ଶ୍ରୀମୟୀଙ୍କ କଟାକ୍ଷ
ନୂଆପଡ଼ା ଉପନିର୍ବାଚନରେ ଶୋଚନୀୟ ପରାଜୟ ପରେ ଦଳର ବରିଷ୍ଠ ନେତାମାନେ ନିରବ ରହିବା ଉପରେ କଡ଼ା ଆପତ୍ତି ଉଠାଇଛନ୍ତି ଶ୍ରୀମୟୀ । ଏହି ବରିଷ୍ଠ ନେତାମାନେ ଦିନେ ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ବୋଲି ଦାବି କରୁଥିଲେ, ମାତ୍ର ଏବେ ସରକାରରେ ନଥାଇ ମଧ୍ୟ କାହିଁକି ନିଜର ସ୍ୱାଭିମାନ ଓ ଆଦର୍ଶ ସହ ସାଲିସ୍ କରି ନିରବ ରହିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ଦଳର ଦୟନୀୟ ସ୍ଥିତି ପରେ ମଧ୍ୟ ସୁଧାରିବା ପାଇଁ ମୁହଁ ଖୋଲିବାକୁ ନେତାମାନେ ଡରୁଛନ୍ତି, କିଛି ନେତା ତ କେବଳ ମୁଣ୍ଡ ବିକ୍ରି କରି ଚୁପ୍ ରହିନାହାନ୍ତି, ବରଂ ‘ତାମିଲ ଆଦର୍ଶ'କୁ ସୁହାଇଲା ଭଳି ଆଚରଣ କରୁଛନ୍ତି ବୋଲି ସେ କହିଛନ୍ତି ।
ତାମିଲ ବୋହୂ (ସୁଜାତା ପାଣ୍ଡିଆନ)ଙ୍କ ହାତରେ ଦଳକୁ ଟେକି ଦେବା ପାଇଁ ବରିଷ୍ଠ ନେତାମାନେ ସଂଘବଦ୍ଧ ରଣନୀତି ଆରମ୍ଭ କରିଥିବା ଶ୍ରୀମୟୀ ଅଭିଯୋଗ କରିଛନ୍ତି । ସେ ୨୦୨୪ ସାଧାରଣ ନିର୍ବାଚନ ପରିଣାମକୁ ମନେ ପକାଇ ଦେଇ କହିଛନ୍ତି ଯେ, ଦଳୀୟ ବ୍ୟାନରରୁ ବିଜୁବାବୁଙ୍କୁ ହଟାଇ ‘ତାମିଲ ଜ୍ୱାଇଁ’ଙ୍କ ଫଟୋକୁ ସ୍ଥାନ ଦେବାର ପରିଣାମ ରାଜ୍ୟବାସୀ ଦେଇସାରିଛନ୍ତି । ନୂଆପଡ଼ା ଉପନିର୍ବାଚନରେ ଦଳ ତୃତୀୟ ସ୍ଥାନକୁ ଖସିବା ପରେ ମଧ୍ୟ ଏହାର ସମୀକ୍ଷା କରାଯାଉନାହିଁ। ଓଲଟା ଚାଟୁକାର ଗୋଷ୍ଠୀର ନେତାମାନେ ତାମିଲ ମୋହରେ ଗ୍ରସ୍ତ ହୋଇ ସୁଜାତାଙ୍କ ହାତରେ ଦଳର ନେତୃତ୍ୱକୁ ଟେକି ଦେବାର ଚକ୍ରାନ୍ତ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ବର୍ତ୍ତମାନର ପରିସ୍ଥିତିରେ, ଡିସେମ୍ବର ୨୬ ତାରିଖ ପ୍ରତିଷ୍ଠା ଦିବସ ପୂର୍ବରୁ ନେତୃତ୍ୱ ପରିବର୍ତ୍ତନ ଚକ୍ରାନ୍ତ ହେଉଛି ଓଡ଼ିଆ ସ୍ୱାଭିମାନ ପ୍ରତି ସବୁଠାରୁ ବଡ଼ ଆହ୍ୱାନ ବୋଲି ଶ୍ରୀମୟୀ କହିଛନ୍ତି ।
ବିଜେଡିରେ ଯୁବ ପିଢ଼ି ସମ୍ପୂର୍ଣ୍ଣ ଦିଗହରା: ଏଲିନା
ଶ୍ରୀମୟୀଙ୍କ ସହ ତାଳ ଦେଇ ଯୁବ ବିଜେଡିର ପୂର୍ବତନ ମହାସଚିବ ଏଲିନା ଦାଶ ମଧ୍ୟ ଦଳ ଉପରେ ନିଜର କ୍ରୋଧ ଓ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ, ନବୀନ ବାବୁଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ଯୋଗ ଦେଇଥିବା ତାଙ୍କ ଭଳି ଯୁବ ପିଢ଼ି ଆଜି ସଂପୂର୍ଣ୍ଣ ଦିଗହରା । ‘କ୍ରୀତଦାସ' ଓ ‘କୋଟେରି ଗ୍ରୁପ' ଦ୍ୱାରା ଦଳୀୟ ବ୍ୟବସ୍ଥାକୁ ହାଇଜାକ୍ କରିବାର ଉଦ୍ୟମକୁ ସଫଳ କରାଇ ଦିଆଯିବା ଉଚିତ କି ନୁହେଁ, ସେ ପ୍ରଶ୍ନ କରିଛନ୍ତି । ଦଳରେ ବରିଷ୍ଠ ନେତାଙ୍କ ନିଷ୍କ୍ରିୟତାକୁ ଟାର୍ଗେଟ କରି ଏଲିନା କହିଛନ୍ତି, "ହାରୁ ନେତା ମଇଦାନ ଛାଡ଼ନ୍ତୁ, ଯୁବ ପିଢି ଆଗକୁ ଆସନ୍ତୁ । ଆଉ କେତେଦିନ ଏହି "ଶୁଖିଲା ଅହଙ୍କାରୀ’ ତଥା "ଛଦ୍ମବେଶୀ’ ନେତାମାନଙ୍କୁ ସମ୍ମାନ ଦିଆଯିବ, ଯେଉଁମାନେ ମନେମନେ ନିଜକୁ ଭଗବାନ ଭାବୁଛନ୍ତି ବୋଲି ଏଲିନା କଟାକ୍ଷ କରି ଲେଖିଛନ୍ତି । ସେ ଏହି ହାରୁ ନେତା ଓ କୋଟରି ଗ୍ରୁପ୍ ବିରୁଦ୍ଧରେ ସ୍ୱର ଉଠାଇ ବିଜେଡିକୁ ବଂଚାଇବା ନିମନ୍ତେ ‘ଓଡ଼ିଶା ବଂଚାଅ ଅଭିଯାନ’ ଆରମ୍ଭ କରିବାକୁ ଏଲିନା ଆହ୍ୱାନ ଦେଇଛନ୍ତି ।
ନୂଆପଡ଼ା ଉପନିର୍ବାଚନ ସମୀକ୍ଷା କାହିଁକି ହେଉନି?
ନୂଆପଡ଼ା ଉପନିର୍ବାଚନରେ ଦଳର ଶୋଚନୀୟ ପରାଜୟର ସମୀକ୍ଷା କରିବାରେ ବିଜେଡି ଆଗ୍ରହ ଦେଖାଉନାହିଁ । ଯଦିଓ ନୂଆପଡ଼ାରେ ଦଳର ସବୁ ବରିଷ୍ଠ ନେତା ଫେଲ୍ ମାରିଛନ୍ତି ଓ ତୃଣମୂଳସ୍ତରରେ କର୍ମୀମାନଙ୍କ ମନରେ ତୀବ୍ର ଆକ୍ରୋଶ ସୃଷ୍ଟି ହୋଇଛି । ପ୍ରଣବପ୍ରକାଶ ଦାସ ଓ ଓରଫ ବବି ନିଜର ଟିମ୍ ସହ କୋମନା ବ୍ଲକ୍ ଦାୟିତ୍ୱରେ ଥିଲେ ମଧ୍ୟ ସେଠାରେ ଦଳକୁ ୩ୟ ସ୍ଥାନରେ ରହିବାକୁ ପଡ଼ିଲା । ଦଳ ଭିତରେ ଏହି ନିର୍ବାଚନ ଫଳାଫଳର ସମୀକ୍ଷା ପାଇଁ ଆଗ୍ରହ କିମ୍ବା ଦାବି ମୁଖର ନହେବା ତଥାକଥିତ କୋଟେରି ଗ୍ରୁପକୁ ସୁହାଇଛି । ସମୀକ୍ଷା ହେଲେ ଦଳର ଆଗଧାଡ଼ିର ନେତାମାନଙ୍କ ବିଫଳତା ପଦାରେ ପଡ଼ିଯିବାର ଆଶଙ୍କା ଥିବାରୁ ଏହି ସମୀକ୍ଷା କରାଇ ଦିଆଯାଉ ନାହିଁ ବୋଲି ଜଣାପଡ଼ିଛି ।
ନୂଆପଡ଼ା କେବଳ ଏକ ଉପନିର୍ବାଚନ ନଥିଲା ବରଂ ଏହା ବିଜେଡିର ନେତୃତ୍ୱ, ରଣନୀତି ଓ ମୂଲ୍ୟବୋଧକୁ ଆକଳନ ଉପରେ ଏକ ଜନାଦେଶ ଥିଲା । ଭିକେ ପାଣ୍ଡିଆନଙ୍କ ଅବାଧ ନିୟନ୍ତ୍ରଣ, ନବୀନ ପଟ୍ଟନାୟକଙ୍କ ଅନୁପସ୍ଥିତି ଓ ଆତ୍ମସମୀକ୍ଷା କରିବାରେ ଦଳର ଅକ୍ଷମତା ଏକ ସର୍ବନାଶକାରୀ ପରିସ୍ଥିତି ସୃଷ୍ଟି କରିଛି । ଯଦି ବିଜେଡି ନିଜର ଆମୂଳଚୂଳ ସଂସ୍କାର ଉପରେ ଗୁରୁତ୍ୱ ଦେଇ ଆଦର୍ଶଗତ ସ୍ପଷ୍ଟତାକୁ ଫେରାଇ ନଆଣେ ଓ ଆଭ୍ୟନ୍ତରୀଣ ଗଣତନ୍ତ୍ରକୁ ପୁନଃସ୍ଥାପିତ ନକରେ, ତେବେ ଓଡ଼ିଶା ରାଜନୀତିରେ ବିଜେଡି ଏକ ପୋଷ୍ଟର ପାର୍ଟି ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ । ନୂଆପଡ଼ାରେ ଭୋଟରମାନେ ସେମାନଙ୍କ ରାୟ ଦେଇଛନ୍ତି ଯାହାକି ଅତ୍ୟନ୍ତ କଠୋର ଓ ଏଥିରୁ ବିଜେଡି ଶିକ୍ଷା ଲାଭ କରିବା ପରିବର୍ତ୍ତେ ନିରବ ରହିବା ହିଁ ଦଳକୁ ତଳିତଳାନ୍ତ କରିବାରେ ଲାଗିଛି ବୋଲି ରାଜନୀତିକ ମହଲରେ ଚର୍ଚ୍ଚା । ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
