
ରାଜ୍ୟରେ ଟେଟ୍ରା ପ୍ୟାକ୍ ମଦ ବିକ୍ରି ନିଷ୍ପତ୍ତିକୁ ବିରୋଧ କରିବା ବିଜେଡି ପାଇଁ ବୁମେରାଂ ସାବ୍ୟସ୍ତ ହୋଇଛି । ନିଜ ସରକାର ସମୟରେ ଆସିଥିବା ଅବକାରୀ ନୀତିରେ ‘ଟେଟ୍ରା ପ୍ୟାକ୍’ ନିଷ୍ପତ୍ତି ନିଆଯାଇଥିଲେ ମଧ୍ୟ ଏହାକୁ ଏବେ ବିରୋଧ କରି ବିଜେଡି ନାକେବଳ ନିଜର ଦୋମୁହାଁ ନୀତିକୁ ପଦାରେ ପକାଇଛି ବରଂ ନିଜ ଦଳର ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରଙ୍କ ନୀତି ଉପରେ ମଧ୍ୟ ଅଙ୍ଗୁଳି ଉଠାଇଛି । ୨୦୨୩-୨୪ ଓ ୨୦୨୪-୨୫ର ଅବକାରୀ ନୀତିରେ ‘ଟେଟ୍ରା ପ୍ୟାକ୍ ମଦ ବିକ୍ରି ନିଷ୍ପତ୍ତି ସ୍ପଷ୍ଟ ଭାବେ ଉଲ୍ଲେଖ ଥିବାବେଳେ ଏବେ ବିଜେଡି ନେତା-ନେତ୍ରୀମାନେ ମଦ ବିକ୍ରି ବିରୋଧରେ ଓକିଲାତି କରିବା ଦିନରେ ଲଣ୍ଠନ ଦେଖାଇବା ସଦୃଶ ହୋଇଛି ।
ନବୀନଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଲେ ପ୍ରମିଳା-ସୁଜାତା
ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବିଜେଡି ଉପସଭାନେତ୍ରୀ ପ୍ରମିଳା ମଲ୍ଲିକ ଓ ଦଳର ବରିଷ୍ଠ ନେତ୍ରୀ ସୁମିତ୍ରା ଜେନା ଶଙ୍ଖଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟରେ ଟେଟ୍ରା ପ୍ୟାକ୍ ମଦ ବିକ୍ରି ନିଷ୍ପତ୍ତିକୁ କଡ଼ା ଭାଷାରେ ବିରୋଧ କରିଛନ୍ତି। ପ୍ରମିଳା ରାଜ୍ୟର ବିଜେପି ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇ କହିଥିଲେ ଯେ, ଓଡ଼ିଶା ଏବେ ମଦମୁକ୍ତ ନା ମଦଯୁକ୍ତ ହେଉଛି? ସରକାର ନିଶାମୁକ୍ତିର ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ଏବେ ଘରେ ଘରେ ମଦ ପହଂଚାଇବା ପାଇଁ ବାଟ ଖୋଲୁଛନ୍ତି। ଛୋଟ ଛୋଟ ପ୍ୟାକେଟରେ ମଦ ମିଳିଲେ ଗରିବ ପରିବାର ଓ ଯୁବପିଢି ସର୍ବନାଶ ହୋଇଯିବେ। ଏହାକୁ ପକେଟରେ ରଖିବା ସହଜ ହେବ, ଯାହାଦ୍ୱାରା ନିଶା କାରବାର ବଢ଼ିବ। ମଦମୁକ୍ତ ଓଡ଼ିଶାର କଥା କହି ଏବେ ମଦଯୁକ୍ତ ଓଡ଼ିଶା ଗଠନ ବିଜେପି କରୁଛି ବୋଲି ସେ ଅଭିଯୋଗ କରିଥିଲେ।
ମାତ୍ର ଏହି ଟେଟ୍ରା ପ୍ୟାକ୍ ପ୍ରସଙ୍ଗରେ ଦୁଇ ନେତ୍ରୀ ଯେଭଳି ଢଙ୍ଗରେ ବିଜେପି ସରକାରକୁ ଘେରିବାକୁ ଚେଷ୍ଟା କରିଛନ୍ତି ତାହାର ତାହାର ନୀତି ନିର୍ଦ୍ଧରଣ ତାଙ୍କ ଦଳ ରାଜ୍ୟରେ କ୍ଷମତାରେ ଥିବାବେଳେ ନିଷ୍ପତ୍ତି ନିଆଯାଇଥିଲା । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସରକାର ସମୟରେ ଏହି ଅବକାରୀ ନୀତି ଲାଗୁ ହୋଇଥିଲା । ପ୍ରମିଳା ନିଜେ ରାଜସ୍ୱ ମନ୍ତ୍ରୀ ଓ ତାଙ୍କ ସହଯୋଗୀ ଅଶ୍ୱିନୀ ପାତ୍ର ଅବକାରୀ ମନ୍ତ୍ରୀ ମଧ୍ୟ ଥିଲେ ।
ନବୀନ ନେଇଥିଲେ ‘ଟେଟ୍ରା ପ୍ୟାକ୍’ ନିଷ୍ପତ୍ତି, ବିଜେଡି କରୁଛି ବିରୋଧ
ନବୀନ ପଟ୍ଟନାୟକ ସରକାର(Bjd Govt. Naveen Patnaik)ରେ ଅଶ୍ୱିନୀ ପାତ୍ର ଅବକାରୀ ମନ୍ତ୍ରୀ ଥିବାବେଳେ ଦୁଇଟି ଅବକାରୀ ନୀତି ରାଜ୍ୟରେ କାର୍ଯ୍ୟକାରୀ ହୋଇଥିଲା ଓ ଏଥିରେ ସ୍ପଷ୍ଟ ଭାବେ ଟେଟ୍ରା ପ୍ୟାକ ମଦ ବିକ୍ରିକୁ ଅନୁମତି ଦିଆଯାଇଥିଲା । ୨୦୨୩-୨୪ ଅବକାରୀ ନୀତି ଯାହାକି ୨୦୨୩ ମାର୍ଚ୍ଚ ୩୦ତାରିଖରେ ଓ ୨୦୨୪-୨୫ ଅବକାରୀ ନୀତି ଯାହାକି ୨୦୨୪ ମାର୍ଚ୍ଚ ୧୫ତାରିଖରେ ଲାଗୁ ହୋଇଥିଲା ।
୨୦୨୩-୨୪ ଅବକାରୀ ନୀତିର ପୃଷ୍ଠା ସଂଖ୍ୟା ୨୬ ଓ ଧାରା ୪.୨.୬ (ଉପଧାରା-୨ ଓ ୩) ରେ ଉଲ୍ଲେଖ ରହିଛି ଯେ, ମଦରେ ମିଶ୍ରଣ ବା ଆଡଲଟରେସନ୍ ରୋକିବା ପାଇଁ ଆଇଏମଏଫଏଲ (ଇଣ୍ଡିଆନ ମେଡ୍ ଫରେନ ଲିକର)କୁ କାଚ ବୋତଲ ବ୍ୟତୀତ ଟେଟ୍ରା ପ୍ୟାକେଜିଂରେ ଉପଲବ୍ଧ ହୋଇପାରିବ। ଏହି ନୀତି ଅନୁଯାୟୀ ୧୮୦ ମିଲି ଓ ତା’ଠାରୁ କମ୍ ପରିମାଣର ମଦକୁ ୬ ସ୍ତରୀୟ ସୁରକ୍ଷା ବଳୟ ଥିବା ଟେଟ୍ରା ପ୍ୟାକରେ ବିକ୍ରି କରିବା ପାଇଁ ସେତେବେଳେ ନବୀନ ପଟ୍ଟନାୟକଙ୍କ ସରକାର ଗ୍ରୀନ୍ ସିଗନାଲ ଦେଇଥିଲେ ।
ଆଉ ବର୍ଷକପରେ ବିଜେଡି ସରକାର ନିଜ କାର୍ଯ୍ୟକାଳର ଶେଷବର୍ଷରେ ଆଣିଥିବା ୨୦୨୪-୨୫ ଅବକାରୀ ନୀତି(୨୦୨୪ ଜୁଲାଇ ୩୧ ପର୍ଯ୍ୟନ୍ତ)ରେ ମଧ୍ୟ ସମାନ ପ୍ରାବଧାନକୁ ଦୋହରାଇଥିଲେ। ୨୦୨୪-୨୫ ଅବକାରୀ ନୀତିର ପୃଷ୍ଠା ସଂଖ୍ୟା ୨୫ ଓ ଧାରା-୬ର ଉପଧାରା-(ଖ) ଓ (ଗ) ରେ ମଧ୍ୟ ସମାନ କଥା ଦୋହରାଯାଇଛି ।
ଏବେ ପ୍ରଶ୍ନ ଉଠୁଛି, ଯଦି ବିଜେଡି ନେତ୍ରୀମାନେ ବିଶେଷକରି ପ୍ରମିଳା ମଲ୍ଲିକ ଯଦି ଏବେ ଏହାକୁ ବିରୋଧ କରୁଛନ୍ତି ସେବେ ରାଜସ୍ୱ ମନ୍ତ୍ରୀ ଥିବାବେଳେ କାହିଁକି ସ୍ୱର ଉଠାଇନଥିଲେ। କିଛି ତଥାକଥିତ ବୁଦ୍ଧିଜୀବୀ ଓ ବିଶେଷଜ୍ଞମାନେ ମଧ୍ୟ ସେବେ ଚୁପ୍ ରହି ଏବେ ସ୍ୱର ଉଠାଇଛନ୍ତି। ବିରୋଧୀ ଦଳକୁ ସମାଲୋଚନା କରିବା ଆଳରେ ଏବେ ନିଜ ଦଳର ନେତା ଓ ସରକାରଙ୍କୁ ଗାଳି ଦେଉଥିବା ଭଳି ଅଭାବନୀୟ ଚିତ୍ର ବିଜେଡିରେ ଦେଖିବାକୁ ମିଳିଛି।
କାର୍ହିକି ବିବାଦ, ବିଜେଡି ଦୋମୁହାଁ ନୀତି
ବିଧାୟକ ସନାତନ ମହାକୁଡ଼ଙ୍କ ଫେବୃୟାରୀ ୨୧ତାରିଖରେ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ରାଜ୍ୟ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ ଯେ, କାଚ ବୋତଲ ଭାଙ୍ଗିବା ଯୋଗୁଁ ନଦୀ ତୁଠ, ପୋଖରୀ ଘାଟ ଓ ଚାଷ ଜମିରେ ସାଧାରଣ ଲୋକ ଓ ଚାଷୀମାନେ ଆହତ ହେଉଥିବା ଅଭିଯୋଗ ସରକାରଙ୍କ ହସ୍ତଗତ ହୋଇନାହିଁ। ତେବେ ଅବକାରୀ ନୀତି ଅନୁସାରେ କାଚ ବୋତଲ ପରିବର୍ତ୍ତେ ଟେଟ୍ରା ପ୍ୟାକ୍ ବ୍ୟବହାରକୁ ଅନୁମତି ଦିଆଯାଇଛି। ଯାହା ପରିବେଶ ସୁରକ୍ଷା ପାଇଁ ଅନୁକୂଳ ମଧ୍ୟ। ପରିବେଶ ସୁରକ୍ଷାର ଦୃଷ୍ଟିକୋଣରୁ ସରକାର ସମସ୍ତ ସମ୍ପୃକ୍ତ ସଂସ୍ଥା-ବ୍ୟକ୍ତିମାନଙ୍କୁ କାଚ ବୋତଲର ପୁନଃବ୍ୟବହାର ପାଇଁ ଉତ୍ସାହିତ କରୁଛନ୍ତି।
ତେବେ ମନ୍ତ୍ରୀଙ୍କ ଏହି ବୟାନକୁ ନିଜର ରାଜନୀତିକ ଫାଇଦା ପାଇ ପ୍ରମିଳା ଓ ସୁଜାତା ବିରୋଧ କରୁଥିଲେ ମଧ୍ୟ ନିଜେ ବିଷ ମଞ୍ଜି ବୁଣିଥିବା ବିଜେଡି ଏବେ ସେହି ଗଛର ଫଳକୁ ନେଇ ଅନ୍ୟକୁ ଦୋଷ ଦେବା ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି ସାଧାରଣରେ ଚର୍ଚ୍ଚା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
