Advertisment

ୟୁପିଏ-ତୃତୀୟ ସାମ୍ମୁଖ୍ୟକୁ ଝଟକା: ନୂଆ ସଂସଦ ଭବନ ଉଦଘାଟନ ଉତ୍ସବରେ ସାମିଲ ହେବ ବିଜେଡି

ବିଜେଡି ଜାତୀୟ ମୁଖପାତ୍ର ସସ୍ମିତ ପାତ୍ର ଏନେଇ ଏକ ପ୍ରେସ୍ ବିବୃତି ମାଧ୍ୟମରେ କହିଛନ୍ତି ଯେ ଭାରତୀୟ ରାଷ୍ଟ୍ର ମୁଖ୍ୟ ହେଉଛନ୍ତି ଭାରତର ରାଷ୍ଟ୍ରପତି ।

author-image
Ordigital Desk
Naveen Patnaik

Naveen Patnaik

ଆସନ୍ତା ୨୮ତାରିଖରେ ନୂଆ ସଂସଦ ଭବନର ଉଦଘାଟନ ସମାରୋହରେ ବିଜେଡି ସାମିଲ ହେବ। ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉଦଘାଟନୀ ସମାରୋହରେ ଉପସ୍ଥିତ ରହିବେ। ରାଷ୍ଟ୍ରପତିଙ୍କ ପରିବର୍ତ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ନୂଆ ସଂସଦ ଭବନ ଉଦଘାଟନ କରାଯିବାକୁ ବିରୋଧ କରି କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ଓ ଅନ୍ୟ ଦଳ ସମେତ ମୋଟ ୧୯ଟି ରାଜନୀତିକ ଦଳ ଏହି ସମାରୋହକୁ ବର୍ଜନ କରିବେ ବୋଲି ଆଜି ମିଳିତ ବିବୃତ୍ତି ଜାରି କରିବା ପରେ ବିଜେଡି ସନ୍ଧ୍ୟାରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି।

Advertisment

ବିଜେଡି ଜାତୀୟ ମୁଖପାତ୍ର ସସ୍ମିତ ପାତ୍ର ଏନେଇ ଏକ ପ୍ରେସ୍ ବିବୃତି ମାଧ୍ୟମରେ କହିଛନ୍ତି ଯେ ଭାରତୀୟ ରାଷ୍ଟ୍ର ମୁଖ୍ୟ ହେଉଛନ୍ତି ଭାରତର ରାଷ୍ଟ୍ରପତି । ସେହିପରି ସଂସଦ ଭବନ ଭାରତର ୧୪୦ କୋଟି ଲୋକଙ୍କ ପ୍ରତିନିଧିତ୍ୱ କରେ। ଏହି ଦୁଇ ସଂସ୍ଥା ହେଉଛି ଭାରତୀୟ ଗଣତନ୍ତ୍ରର ପ୍ରତୀକ ଓ ଭାରତୀୟ ସମ୍ବିଧାନ ଦ୍ୱାରା ଉଭୟ ଅଧିକାରପ୍ରାପ୍ତ। ଉଭୟ ସଂସ୍ଥାର ଅଧିକାର ଓ ଗାରିମା ସର୍ବଦା ସୁରକ୍ଷିତ ରହିବା ଉଚିତ୍।

ଏହି ସାମ୍ବିଧାନିକ ସଂସ୍ଥାଗୁଡ଼ିକ ଯେକୌଣସି ପ୍ରସଙ୍ଗରୁୁ ଊର୍ଦ୍ଧ୍ୱରେ ରହିବା ଉଚିତ୍ ଯାହାକି ଏହାର ପବିତ୍ରତା ଓ ସମ୍ମାନକୁ ପ୍ରଭାବିତ କରୁଥିବ ବୋଲି ବିଜେଡି ବିଶ୍ୱାସ କରେ। ଏସବୁ ପ୍ରସଙ୍ଗରେ ପରବର୍ତ୍ତୀ ସମୟରେ ପବିତ୍ର ଗୃହରେ ବିତର୍କ କରାଯାଇପାରିବ। ତେଣୁ ବିଜେଡି ନିଶ୍ଚିତ ଭାବେ ଏହି ମହତ୍ୱପୂର୍ଣ୍ଣ ମୁହୂର୍ତ୍ତରେ ଉପସ୍ଥିତ ରହିବ ବୋଲି ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି। 

Advertisment

ବିଜେଡି ସୂତ୍ର ଅନୁସାରେ, ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଦଳର କିଛି ବରିଷ୍ଠ ସାଂସଦ ଏହି ଉଦଘାଟନୀ ସମାରୋହରେ ସାମିଲ ହେବେ।

ସୂଚନାଯୋଗ୍ୟ, ନୂଆ ସଂସଦ ଭବନ ଉଦଘାଟନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା କରାଇବା ଦାବିରେ କଂଗ୍ରେସ ନେତୃତ୍ୱରେ ୧୯ଟି ଦଳ ଆଜି ମିଳିତ ଭାବେ ଆସନ୍ତା ୨୮ତାରିଖରେ ହେବାକୁ ଥିବା ଉଦଘାଟନ ସମାରୋହକୁ ବର୍ଜନ କରିବେ ବୋଲି ଘୋଷଣା କରିଛନ୍ତି । ଏହି ସମସ୍ତ ଦଳ ବିଜେପି ନେତୃତ୍ୱାଧୀନ ଏନଡିଏ ବିରୋଧୀ ଓ ଏସବୁ ମଧ୍ୟରୁ କିଛି ତୃତୀୟ ସାମ୍ମୁଖ୍ୟ ଗଠନ ପ୍ରୟାସରେ ରହିଛି।

ବିଜେଡି ଏହି ଉଦଘାଟନୀ ସମାରୋହରେ ସାମିଲ ହୋଇ ପରୋକ୍ଷରେ ଜାତୀୟ ରାଜନୀତିରେ ବିଜେପି ନେତୃତ୍ୱାଧୀନ ଏନଡିଏ ସହ ରହିଥିବାର ସନ୍ଦେଶ ଦେବାକୁ ପ୍ରୟାସ କରିଛି । ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିକୁ ସୁହାଇବା ଭଳି ବିଜେଡିର ଆଭିମୁଖ୍ୟ ଏବେ ଜାତୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି ।

BjD Naveen Patnaik PM Modi New Parliament Building