A-JITTERY-BJD-OFFERS-PARTY-POSTS-TO-PEOPLE-WHO-WERE-DENIED-TICKETS
ଭୁବନେଶ୍ୱର (ସୁବ୍ରତ କୁମାର ନାୟକ): ପୂର୍ବତନ ବିଧାୟକ ସଂଜୟ ଦାସବର୍ମାଙ୍କୁ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଭଳି ଗୁରୁତ୍ଵପୂର୍ଣ୍ଣ ପଦବୀ ଦେଇ ମୁଖ୍ୟମନ୍ତ୍ରୀ ଏହି ଯୁବ ନେତାଙ୍କ ସମ୍ଭାବ୍ୟ ରାଜ୍ୟସଭା ସାଂସଦ ଦାବିଦାରୀରେ ପୂର୍ଣ୍ଣଚ୍ଛେଦ ଟାଣିଥିବା ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି। ସ୍ୱର୍ଗତ ପ୍ୟରୀମୋହନ ମହାପାତ୍ରଙ୍କ ଅମଳରୁ ବିଜେଡି ସାଂଗଠନିକ କାର୍ଯ୍ୟକଳାପରେ ସିଂହଭାଗ କର୍ତ୍ତୃତ୍ଵ ରଖି ଆସୁଥିବା ଏହି ପୂର୍ବତନ ମନ୍ତ୍ରୀଙ୍କୁ ଏହା ପୂର୍ବରୁ ଦଳୀୟ ଇତିହାସରେ ନୂଆ କରି ସୃଷ୍ଟି ହୋଇଥିବା ସଂପାଦକ ମୁଖ୍ୟାଳୟ ପଦବୀର ଦାଯିତ୍ଵ ଦିଆଯାଇଥିଲା। ସେତେବେଳେ ଏହା ମଧ୍ୟ ଆଲୋଚନା ହେଉଥିଲା ଯେ ପ୍ରଣବ ପ୍ରକାଶଙ୍କୁ ସଂଗଠନ ସମ୍ପାଦକ ଭଳି ଗୁରୁତ୍ଵପୂର୍ଣ୍ଣ ପଦବୀ ଦିଆଯାଉଥିବାରୁ ସଂଜୟଙ୍କୁ ମ୍ୟାନେଜ୍ କରିବା ଅପରିହାର୍ଯ୍ୟ ଥିଲା। ଏବେ ଏପରି କୁହାଯାଉଛି ଯେ ରାଜ୍ୟସଭା ଚୌକି ଉପରେ ବି ସଂଜୟ ଆଖି ରଖିଥିଲେ ଏବଂ ଯେହେତୁ ସାଧାରଣ ନିର୍ବାଚନରେ ହାରିଥିବା ନେତାଙ୍କୁ ରାଜ୍ୟସଭା ପଠାଇବାକୁ ସୁପ୍ରିମୋ ଚାହୁଁ ନଥିବା ଭଳି ଏକ ବାର୍ତ୍ତା ପୂର୍ବରୁ ଦିଆଯାଇଥିଲା, ତେଣୁ ଉଭୟ ସଂଜୟ ଓ ଦଳର ଭାବମୂର୍ତ୍ତିରେ ସନ୍ତୁଳନ ରଖିବା ଲାଗି ଢେର ଦିନ ଧରି ଏକପ୍ରକାର ଅକାମୀ ହୋଇ ପଡ଼ିଥିବା ଯୋଜନା ବୋର୍ଡ ଉପାଧ୍ୟକ୍ଷ ଭଳି କ୍ୟାବିନେଟ୍ ପାହ୍ୟାର ଏକ ଗୁରୁତ୍ଵପୂର୍ଣ୍ଣ ପଦରେ ଥଇଥାନ କରି ତାଙ୍କୁ ଯଥୋଚିତ ସନ୍ତୁଷ୍ଟ କରାଯାଇଛି। ଏହାଦ୍ଵାରା ୪ଟି ଆସନ ପାଇଁ ବିଭିନ୍ନ ମିଶାଣ ଫେଡ଼ାଣ କରି ସାଂସଦ ବାଛିବା ଦଳୀୟ ଥିଙ୍କ୍ ଟ୍ୟାଙ୍କ ପାଇଁ ସହଜ ହୋଇଯିବ।
ତେବେ ଅନ୍ୟ ଏକ ସୂତ୍ରର ସୂଚନା ଅନୁସାରେ, ରାଜ୍ୟସଭା ନିର୍ବାଚନ ପୂର୍ବରୁ ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦବୀରେ ଏଭଳି ନୂଆ ନିଯୁକ୍ତି ପାଇଁ ବିଜେଡି ହାଇକମାଣ୍ଡ କୁଆଡ଼େ ଏକରକମ ଚାପଗ୍ରସ୍ତ ଥିଲେ। ଅର୍ଥାତ୍ ପ୍ରେସର୍ ପଲିଟିକ୍ସର ରୀତିମତ ପ୍ରଯୋଗରେ ଏକପ୍ରକାର ଉପାୟଶୂନ୍ୟ ହୋଇ ବିଜେଡି ମାମଲତକାରମାନେ ଏହି ନୂଆ ନିଯୁକ୍ତିର ଫର୍ମୁଲା କାଢ଼ିବାକୁ ବାଧ୍ୟ ହୋଇଛନ୍ତି, ତାହା ପୁଣି ଗଣମାଧ୍ୟମରେ ଘୋଷଣା ହେବାର ପୂର୍ବ ରାତିରେ। ଏହି ସୂତ୍ରର କହିବା ଅନୁସାରେ, ଭୁବନେଶ୍ଵର ଜିଲ୍ଲା ସଭାପତି ନିଯକ୍ତିକୁ ନେଇ ରାଜଧାନୀ ବିଜେଡିରେ ଗତ କିଛି ଦିନ ଧରି ଅସନ୍ତୋଷ ରହିଥିଲା। ଏହାକୁ ନେଇ ଜଣେ ପ୍ରଭାବଶାଳୀ ଯୁବନେତା ଶନିବାର ପାର୍ଟିର ରାଜ୍ୟ କାର୍ଯ୍ୟାଳୟରେ ଖୁବ୍ ହଙ୍ଗମା କରିଥିଲେ। ଏପରିକି କଥା ହାତାହାତି ଯାଏ ମଧ୍ୟ ଯାଇଥିଲା। ଏହି ହାତାହାତିବେଳେ ଯିଏ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି, ଖାସ୍ ତାଙ୍କରି ଇମେଜ୍କୁ ସୁରକ୍ଷା ଦେବା ପାଇଁ ତୃତୀୟ ମହଲା ତତ୍ପର ହୋଇଉଠିଥିଲା। ଆଉ ଆଗକୁ ବିଜୁ ଜୟନ୍ତୀ ଭଳି ସାଂଗଠନିକ କାର୍ଯ୍ୟକ୍ରମ ଥିବାରୁ ଦଳୀୟ ଭାବମୂର୍ତ୍ତିକୁ ସୁରକ୍ଷିତ ରଖିବା ପାଇଁ ଶନିବାରର ସେହି ଅଭାବନୀୟ ଘଟଣାକୁ ଶଙ୍ଖ ଦଳର କାର୍ପଟଦାରମାନେ ବେଶ ସଫଳତାର ସହ ଗଣମଧ୍ୟମ ନଜରରୁ ଦୂରେଇ ରଖିଥିଲେ। ଆଉ ଏହାକୁ ଅଧିକ ଉତ୍କଟ ହେବାକୁ ନଦେବା ପାଇଁ ଶନିବାର ହଙ୍ଗାମା କରିଥିବା ଯୁବ ନେତାଙ୍କ ଗଡ୍ଫାଦରଙ୍କୁ ତୁରନ୍ତ ସନ୍ତୁଷ୍ଟିର ଫର୍ମୁଲା ବାହାର କରାଯାଇଥିଲା। ଏହି ଫର୍ମୁଲା ଅନୁସାରେ ହିଁ ଦୀର୍ଘଦିନ ଧରି ଅଚଳ ପଡ଼ିଥିବା ରାଜ୍ୟ ଯୋଜନା ବୋର୍ଡକୁ ପୁନଃ କାର୍ଯ୍ୟକ୍ଷମ କରାଯିବା ସହ ନୂଆ ଉପାଧ୍ୟକ୍ଷଙ୍କୁ ରବିବାର ନିଯୁକ୍ତ କରାଯାଇଛି।
ଏହି ସୂତ୍ରର ତଥ୍ୟକୁ ବିଶ୍ଵାସକୁ ନେଲେ ରାଜ୍ୟ ଶାସକ ଦଳରେ ଏବେ ସବୁ କିଛି ଠିକ୍ଠାକ୍ ଚାଲିନାହିଁ। ପ୍ରାୟତଃ ଯୁବ ନେତାମାନଙ୍କ ଗୋଷ୍ଠୀ ରାଜନୀତିରେ ସୁପ୍ରିମୋଙ୍କ ଅଫିସ୍ ଏକପ୍ରକାର ଚାପଗ୍ରସ୍ତ ହୋଇ ପଡ଼ିଛି। ଆଉ ଶଙ୍ଖ ଦଳରେ ଏବେ ପ୍ରଭାବ ବିସ୍ତାର କରିଥିବା ପ୍ରେସର୍ ପଲିଟିକ୍ସ ଆଗକୁ ଦଳ ପାଇଁ ମହଙ୍ଗା ହେବ ବୋଲି କୁହାଯାଉଛି। ପ୍ୟାରୀ ବାବୁଙ୍କ ଅମଳର ବିଜେଡି ଯୁବ ତ୍ରିମୂର୍ତ୍ତିଙ୍କ ମଧ୍ୟରେ ଏବେ ପୂର୍ବର ମିତ୍ରତା ବଦଳରେ ପରସ୍ପର ପ୍ରତି ସନ୍ଦେହ ଓ ଅବିଶ୍ଵାସ ବଢ଼ି ଚାଲିଥିବାବେଳେ ଅନ୍ୟ ଜଣେ ଯୁବ ମୂର୍ତ୍ତିଙ୍କ ଆବିର୍ଭାବରେ ଏମାନେ ନିଜ ଅସ୍ତିତ୍ଵ ରକ୍ଷା ପାଇଁ ଏହି ଚାପପକା ରାଜନୀତି ବା ପ୍ରେସର ପଲିଟିକ୍ସକୁ ଆପଣାଇଥିବା କୁହାଯାଉଛି। ଏହା ହିଁ ଆଗାମୀ ଦିନରେ ଶଙ୍ଖ ପାର୍ଟି ପାଇଁ ବୁମେରାଂ ହେବ ବୋଲି ଆଲୋଚନା ହେଉଛି।
ସୂଚନାଯୋଗ୍ୟ ଯେ ପୂର୍ବରୁ ଏହି ବିଜେଡି ସରକାର ଅମଳରେ ସୁର ନାୟକ, ବିଷ୍ଣୁ ଦାସଙ୍କ ଭଳି ନେତା ଯୋଜନା ବୋର୍ଡର ଅଧ୍ୟକ୍ଷ ରହିଥିଲେ ମଧ୍ୟ କ୍ଷମତାର ଉପଯୋଗ କରି ନପାରି ଏକରକମ ଅଣନିଃଶ୍ୱାସୀ ହୋଇପଡ଼ିଥିଲେ। ଏବେ ସଂଜୟଙ୍କ ଭଳି ଜଣେ ଦକ୍ଷ ସଂଗଠକ ଏହାର ଉପାଧ୍ୟକ୍ଷ ପଦବୀରେ ବସି ରାଜ୍ୟ ଯୋଜନା ବୋର୍ଡକୁ କିପରି ପୁନର୍କ୍ଷମ କରାଇବେ, ତାହା ହିଁ ଅପେକ୍ଷା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/02/A-JITTERY-BJD-OFFERS-PARTY-POSTS-TO-PEOPLE-WHO-WERE-DENIED-TICKETS.jpg)