ପୁଣି ସ୍ଥଗିତ ହେଲା ବିଜେଡିର ବୈଠକ, ବିଜେପିର ଗତିବିଧି ଉପରେ ନଜର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୮ତାରିଖରେ କଳିଙ୍ଗ ଷ୍ଟାଡ଼ିୟମରେ ବିଜେଡିର ପ୍ରସ୍ତାବିତ ବୈଠକ ପୁଣି ବାତିଲ ହୋଇଛି । ରାଜ୍ୟରେ ବନ୍ୟା ପରିସ୍ଥିତି ଯୋଗୁ ଏହି ବୈଠକ ସ୍ଥଗିତ ରହିଲା ବୋଲି ଦଳ ପକ୍ଷରୁ କୁହାଯାଉଥିଲେ ମଧ୍ୟ ବାସ୍ତବପକ୍ଷେ ବିଜେପିର ଗତିବିଧି ଓ ଆଭିମୁଖ୍ୟ ଉପରେ ନଜର ରଖି ଶାସକ ବିଜେଡି ତା’ର ଏହି କାର୍ଯ୍ୟକ୍ରମକୁ ସ୍ଥଗିତ ରଖିଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ, ବିଜେଡି ବିଧାୟକ, ମନ୍ତ୍ରୀ ଓ ସାଂସଦମାନଙ୍କୁ ଆଗାମୀ ସାଧାରଣ ନିର୍ବାଚନ ପାଇଁ […]

bjd

Ordigital Desk
  • Published: Friday, 26 August 2022
  • , Updated: 27 August 2022, 10:31 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୮ତାରିଖରେ କଳିଙ୍ଗ ଷ୍ଟାଡ଼ିୟମରେ ବିଜେଡିର ପ୍ରସ୍ତାବିତ ବୈଠକ ପୁଣି ବାତିଲ ହୋଇଛି । ରାଜ୍ୟରେ ବନ୍ୟା ପରିସ୍ଥିତି ଯୋଗୁ ଏହି ବୈଠକ ସ୍ଥଗିତ ରହିଲା ବୋଲି ଦଳ ପକ୍ଷରୁ କୁହାଯାଉଥିଲେ ମଧ୍ୟ ବାସ୍ତବପକ୍ଷେ ବିଜେପିର ଗତିବିଧି ଓ ଆଭିମୁଖ୍ୟ ଉପରେ ନଜର ରଖି ଶାସକ ବିଜେଡି ତା’ର ଏହି କାର୍ଯ୍ୟକ୍ରମକୁ ସ୍ଥଗିତ ରଖିଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ, ବିଜେଡି ବିଧାୟକ, ମନ୍ତ୍ରୀ ଓ ସାଂସଦମାନଙ୍କୁ ଆଗାମୀ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତ କରିବା ନିମନ୍ତେ ଦଳ ପକ୍ଷରୁ ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଦଳର ନେତାମାନଙ୍କୁ ଲୋକଙ୍କ ନିକଟତର ହେବା ପାଇଁ ଗୁରୁମନ୍ତ୍ର ଦେବେ ବୋଲି ସୂଚନା ମିଳିଥିଲା । ପ୍ରଥମେ ଏହି କାର୍ଯ୍ୟକ୍ରମ ଅଗଷ୍ଟ ୨୧ତାରିଖରେ ହେବାର ଥିବାବେଳେ ବନ୍ୟା ପରିସ୍ଥିତି ଯୋଗୁ ଏହାକୁ ସ୍ଥଗିତ ରଖାଯାଇଥିଲା । ପରେ ଏହି କାର୍ଯ୍ୟକ୍ରମ ଅଗଷ୍ଟ ୨୮ରେ ହେବ ବୋଲି ଦଳ ପକ୍ଷରୁ ସୂଚନା ମିଳିଲା । ମାତ୍ର ଆଉ ଦୁଇଦିନ ବାକି ଥିବାବେଳେ ଏହି କାର୍ଯ୍ୟକ୍ରମକୁ ଆଜି ଅଚାନକ ବାତିଲ କରିଦିଆଯାଇଛି।

ଅନ୍ୟପକ୍ଷରେ ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଓଡ଼ିଶା ବିଜେପିର ନୂଆ ପ୍ରଭାରୀ ଭାବେ ସୁନୀଲ ବଂଶଲଙ୍କୁ ଦାୟିତ୍ୱ ମିଳିବା ପରେ ରାଜ୍ୟରେ ବିଜେପିର ଆଭିମୁଖ୍ୟ ଓ ରଣନୀତି କ’ଣ ରହୁଛି, ତା’ଉପରେ ଶାସକ ବିଜେଡି ନଜର ରଖିଛି । ସୁନୀଲ ବଂଶଲଙ୍କ ଓଡ଼ିଶା ଗସ୍ତକୁ ଦୃଷ୍ଟିରେ ରଖି ବିଜେପି ପୁରୀଠାରେ ଅଗଷ୍ଟ ୨୦ତାରିଖରେ ୩ଦିନିଆ ଚିନ୍ତନ ଶିବିରର ଆୟୋଜନ କରିଥିଲା । ମାତ୍ର ବନ୍ୟା ଯୋଗୁ ସେହି କାର୍ଯ୍ୟକ୍ରମକୁ ଦଳ ବାତିଲ କରିଛି । ଏପର୍ଯ୍ୟନ୍ତ ନୂଆ ତାରିଖ ଘୋଷଣା ହୋଇନଥିବା ତଥା ସୁନୀଲ ବଂଶଲ ଓଡ଼ିଶାରେ ବିଜେପିର ଆଭିମୁଖ୍ୟ କିଭଳି ରହିବ ତା’ର ଇସାରା ଦେଇନଥିବାରୁ ବିଜେଡି ନିଜର ପ୍ରସ୍ତାବିତ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିଛି । ବିଜେପିର ରଣନୀତି ଓ ଆଭିମୁଖ୍ୟକୁ ଦେଖି ବିଜେଡି ଆଗାମୀ ସାଧାରଣ ନିର୍ବାଚନ ପାଇଁ ନିଜର ରଣନୀତି ପ୍ରସ୍ତୁତ କରିବ । ତେଣୁ ଏହି କାରଣରୁ ବିଜେଡି ଏବେ ବନ୍ୟା ପରିସ୍ଥିତିର ଆଳ ଦେଖାଇ କଳିଙ୍ଗ ଷ୍ଟାଡ଼ିୟମରେ ହେବାକୁ ଥିବା ୨୮ତାରିଖ କାର୍ଯ୍ୟକ୍ରମକୁ ବାତିଲ କରିଛି । ଯଦିଓ ବନ୍ୟା ଯୋଗୁ ୨୧ତାରିଖରେ କାର୍ଯ୍ୟକ୍ରମ ବାତିଲ କରିଥିବା ବିଜେଡି ଏଥିପାଇଁ ୨୮ତାରିଖକୁ ଚୟନ କରିଥିଲା।

ସୂଚନାଯୋଗ୍ୟ, ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆସନ୍ତା ୩୧ରେ ୫ଦିନିଆ ଦିଲ୍ଲୀ ଗସ୍ତରେ ଯାଉଥିବାରୁ ଆସନ୍ତା ୨-୩ ଦିନ ମଧ୍ୟରେ ମହିଳା ସଂଗଠନ ଓ ଜିଲ୍ଲା ସଂଗଠନ ପାଇଁ ନୂଆ ତାଲିକା ଜାରି କରିବ ବୋଲି ଜଣାପଡ଼ିଛି।

Related story