ନିଶା ନିବାରଣ: ଦୋମୁହାଁ ନୀତି, ନିଜ ଜାଲରେ ଫସିଲା ବିଜେଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ଦୁଇ ଦଶନ୍ଧି ଧରି ରାଜ୍ୟରେ କ୍ଷମତାସୀନ ବିଜେଡି ସରକାର ଅବକାରୀ ରାଜସ୍ୱକୁ ନିଜସ୍ୱ ଉତ୍ପାର୍ଜନର ମୁଖ୍ୟ ସମ୍ବଳ ଭାବେ ବିବେଚନା କରିଆସୁଛି। ରାଜ୍ୟରେ ନିଶାସେବନ ଯୋଗୁ ମାତ୍ରାଧିକ ଦୁର୍ଘଟଣା ଓ ଅପରାଧ ବଢ଼ି ଚାଲିଥିଲାବେଳେ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ଓଡ଼ିଶାରେ ‘ନିଶା ନିବାରଣ’ ପାଇଁ କ୍ରମାଗତ ଚାପ ପଡ଼ୁଛି । ତେବେ ବାର୍ଷିକ ରାଜସ୍ୱ ହ୍ରାସ ହେବା ଆଶଙ୍କାରେ ଏହି ଦାବିଗୁଡ଼ିକ ପ୍ରତି ଦୃଷ୍ଟି ଦେଉନଥିବା ବିଜେଡି ସରକାର କିନ୍ତୁ ଭୋଟ୍ […]

bjds-dual-policy-of-anti-drug-campaign

Manoranjan Sial
  • Published: Monday, 30 September 2019
  • , Updated: 01 October 2019, 11:58 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ଦୁଇ ଦଶନ୍ଧି ଧରି ରାଜ୍ୟରେ କ୍ଷମତାସୀନ ବିଜେଡି ସରକାର ଅବକାରୀ ରାଜସ୍ୱକୁ ନିଜସ୍ୱ ଉତ୍ପାର୍ଜନର ମୁଖ୍ୟ ସମ୍ବଳ ଭାବେ ବିବେଚନା କରିଆସୁଛି। ରାଜ୍ୟରେ ନିଶାସେବନ ଯୋଗୁ ମାତ୍ରାଧିକ ଦୁର୍ଘଟଣା ଓ ଅପରାଧ ବଢ଼ି ଚାଲିଥିଲାବେଳେ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ଓଡ଼ିଶାରେ ‘ନିଶା ନିବାରଣ’ ପାଇଁ କ୍ରମାଗତ ଚାପ ପଡ଼ୁଛି । ତେବେ ବାର୍ଷିକ ରାଜସ୍ୱ ହ୍ରାସ ହେବା ଆଶଙ୍କାରେ ଏହି ଦାବିଗୁଡ଼ିକ ପ୍ରତି ଦୃଷ୍ଟି ଦେଉନଥିବା ବିଜେଡି ସରକାର କିନ୍ତୁ ଭୋଟ୍ ରାଜନୀତି ପାଇଁ ‘ନିଶା ନିବାରଣ’କୁ ମୁଖ୍ୟ ଆୟୁଧ କରିଛି। ଯାହାକି ଦଳର ଦୋମୁହାଁ ନୀତିକୁ ପଦାରେ ପକାଇଥିବାବେଳେ ବିଜେଡି ଏବେ ନିଜ ଜାଲରେ ନିଜେ ଫସିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନବେଳେ ମହାତ୍ମା ଗାନ୍ଧିଙ୍କ ଆଦର୍ଶ ଓ ମୂଲ୍ୟବୋଧ ଏବଂ ବିଜୁ ପଟ୍ଟନାୟକଙ୍କ ରାଜ୍ୟକୁ ଦାରିଦ୍ର‌୍ୟମୁକ୍ତ କରିବାର ଚିନ୍ତାଧାରା ପ୍ରତି ସମର୍ପିତ ରହିବା ପାଇଁ କର୍ମୀମାନଙ୍କୁ ଶପଥ ନେବାକୁ କୁହାଯାଇଥାଏ। ଏହାସହିତ ଜାତି,ଧର୍ମ, ଲିଙ୍ଗ, ଭାଷା ଓ ଗୋଷ୍ଠୀ ଭେଦଭାବରେ ବିଶ୍ୱାସ ନକରି ନିଶା ନିବାରଣ ପାଇଁ ସଂକଳ୍ପ ନେବାକୁ ଦଳର ସଦସ୍ୟତା ଗ୍ରହଣ କରୁଥିବା ସାଧାରଣ ଲୋକମାନେ ଶପଥ ନେଇଥାନ୍ତି। ଦଳର ପ୍ରାଥମିକ ସଦସ୍ୟ ଫର୍ମରେ ଏନେଇ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। ବିଜେଡି ଗତ କିଛିବର୍ଷ ଧରି ଦଳୀୟ ସଭ୍ୟ ସଂଗ୍ରହ ଅଭିଯାନବେଳେ ନିଶା ନିବାରଣ ପାଇଁ କର୍ମୀମାନଙ୍କୁ ଶପଥ ନେବାକୁ ବାଧ୍ୟ କରୁଥିବାବେଳେ ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜନ୍ମ ଜୟନ୍ତୀ ବର୍ଷରେ ଚାଲିଥିବା ଦଳର ସଭ୍ୟ ସଂଗ୍ରହ ଅଭିଯାନରେ ବି ପୂର୍ବଭଳିି ‘ନିଶା ନିବାରଣ’ରେ ବିଶ୍ୱାସ କରିବାକୁ କର୍ମୀମାନଙ୍କୁ ପ୍ରବର୍ତ୍ତାଉଛି। ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜନ୍ମ ଜୟନ୍ତୀ ବର୍ଷରେ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ଭାବେ ଭାରତୀୟ ସମ୍ବିଧାନର ମୁଖବନ୍ଧରେ ‘ଅହିଂସା’କୁ ସାମିଲ ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ପାଖରେ ଦାବି କରିଥିବାବେଳେ ରାଜ୍ୟବ୍ୟାପୀ ଏନେଇ ସ୍ୱାକ୍ଷର ଅଭିଯାନ ମଧ୍ୟ ଚାଲିଛି। ମହାତ୍ମା ଗାନ୍ଧିଙ୍କ ଜୟନ୍ତୀ ପାଳନ ପାଇଁ ଉଭୟ ଦଳ ଓ ସରକାରୀସ୍ତରରେ ବି ବିଜେଡି ପଦକ୍ଷେପ ନେଇଛି।

ମାତ୍ର ମହାତ୍ମା ଗାନ୍ଧିଙ୍କ ଆଦର୍ଶ ଓ ମୂଲ୍ୟବୋଧରେ ‘ନିଶା ନିବାରଣ’ ଭଳି ମୂଳ ମନ୍ତ୍ରକୁ ବିଜେଡି ସରକାର ନିଜେ ଭୁଲି ଯାଇଛନ୍ତି। ମହାତ୍ମା ଗାନ୍ଧିଙ୍କ ଜନ୍ମ ଜୟନ୍ତୀ ପ୍ରତି ସମ୍ମାନ ଜଣାଇ ନିଶାସେବନ ଉପରେ ଆଂଶିକ କଟକଣା ପାଇଁ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ସରକାର ଆସନ୍ତାକାଲିଠୁ ନିଜର ଅବକାରୀ ନୀତିରେ ପରିବର୍ତ୍ତନ କରିବାକୁ ଯାଉଥିବାବେଳେ ଗତ ୩ବର୍ଷ ପୂର୍ବରୁ ନୀତିଶ କୁମାରଙ୍କ ସରକାର ବିହାରରେ ମଦବିକ୍ରି ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରିସାରିଛନ୍ତି। ଗୁଜୁରାଟ ଓ ନାଗାଲ୍ୟାଣ୍ଡ ଭଳି ରାଜ୍ୟରେ ମଦବିକ୍ରି ଉପରେ ସମ୍ପୂର୍ଣ୍ଣ କଟକଣା ରହିଥିବାବେଳେ ହରିଆଣା, ତାମିଲନାଡୁ, ମଣିପୁର, ମିଜୋରାମ ଓ କେରଳ ଭଳି ରାଜ୍ୟରେ ମଦବିକ୍ରି ଉପରେ ଆଂଶିକ କଟକଣା ରହିଛି।

ତେବେ ଦୀର୍ଘବର୍ଷ ଧରି ଦଳର ସଭ୍ୟ ସଂଗ୍ରହ ଅଭିଯାନରେ ‘ନିଶା ନିବାରଣ’ ପାଇଁ ଦଳୀୟ କର୍ମୀମାନଙ୍କୁ ଶପଥ ନେବାକୁ ବାଧ୍ୟ କରୁଥିବା ବିଜେଡି ନିଜ ସରକାରରେ ମଦକୁ ଉପାର୍ଜନର ମୁଖ୍ୟ ସ୍ରୋତ ଭାବେ ବିବେଚନା କରୁଛି। ମଦ ବିକ୍ରି ଉପରେ ନିୟନ୍ତ୍ରଣ ତ ଦୂରର କଥା ରାଜ୍ୟରେ ନିଶା ନିବାରଣ ପାଇଁ ଆଖିଦୃଶିଆ ପଦକ୍ଷେପ ବି ନେଇପାରିନି। କେବଳ ଦଳର ପ୍ରାଥମିକ ସଦସ୍ୟ ଫର୍ମରେ ମହାତ୍ମା ଗାନ୍ଧିଙ୍କ ଆଦର୍ଶ ଓ ମୂଲ୍ୟବୋଧ ପ୍ରତି ସମର୍ପଣ ଓ ‘ନିଶା ନିବାରଣ’ ପାଇଁ ଦଳୀୟ କର୍ମୀଙ୍କୁ ଶପଥ ନେବା କଥାକୁ କାଗଜକଲମରେ ସୀମିତ ନରଖି ଯଦି ଦୀର୍ଘ ଦୁଇଦଶନ୍ଧି ମଧ୍ୟରେ ସରକାରୀସ୍ତରରେ ବାସ୍ତବବାଦୀ ପ୍ରୟାସ କରିଥାନ୍ତା ହୁଏତ ମଦରୁ ମିଳୁଥିବା ରାଜସ୍ୱକୁ ଅନ୍ୟ କ୍ଷେତ୍ରରୁ ଭରଣା କରିପାରିଥାନ୍ତା। ଯାହାକି ମହାତ୍ମା ଗାନ୍ଧିଙ୍କ ପ୍ରତି ବିଜେଡି ଓ ବିଜେଡି ସରକାରର ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହୋଇଥାନ୍ତା। ଏଥିରେ ରାଜ୍ୟବାସୀଙ୍କ ମଙ୍ଗଳ ମଧ୍ୟ ହୋଇପାରନ୍ତା।

କିନ୍ତୁ ସେଭଳି ନକରି ମହାତ୍ମା ଗାନ୍ଧିଙ୍କ ଜୟନ୍ତୀ ପାଳନ ପାଇଁ ଲୋକଦେଖାଣିଆ ଆଗ୍ରହ ଦେଖାଇବା ମଧ୍ୟରେ ବିଜେଡି ସରକାର ନିଜକୁ ସୀମିତ ରଖିଛନ୍ତି। ପଡ଼ୋଶୀ ଆନ୍ଧ୍ର ସରକାରକୁ ଅନୁସରଣ କରି ଅନ୍ତତଃପକ୍ଷେ ମଦ ବିକ୍ରିକୁ ବି ନିୟନ୍ତ୍ରଣ କରିବାକୁ ବିଜେଡି ସରକାର ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହେଉଛି।

Related story