ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀଙ୍କ ସୁରଟ ଗସ୍ତ, ବିରୋଧୀ ଉଠାଇଲେ ପ୍ରଶ୍ନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆସନ୍ତାକାଲିର ପ୍ରସ୍ତାବିତ ସୁରଟ ଗସ୍ତକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇପଡ଼ିଛି। ୧୯ବର୍ଷ ଧରି ମୁଖ୍ୟମନ୍ତ୍ରୀ ଥିବା ନବୀନ ପଟ୍ଟନାୟକଙ୍କ ସାଧାରଣ ନିର୍ବାଚନ ପୂର୍ବରୁ ସୁରଟ-ପ୍ରୀତିକୁ ନେଇ ବିରୋଧୀ ଦଳ ପ୍ରଶ୍ନ ଉଠାଇଛି। ଆଗକୁ ନିର୍ବାଚନ ଥିବାରୁ ନିଜ ଜିଲ୍ଲା ଗଞ୍ଜାମରେ ବିଜେଡି ଭୋଟ୍ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ଏବେ ସୁରଟରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ପ୍ରତି ଦରଦ ଦେଖାଇଛନ୍ତି ବୋଲି ଉଭୟ ବିଜେପି ଓ କଂଗ୍ରେସ ଅଭିଯୋଗ କରିଛନ୍ତି। କେନ୍ଦ୍ରମନ୍ତ୍ରୀ […]

naveen

Rakesh Mallick
  • Published: Sunday, 16 December 2018
  • , Updated: 16 December 2018, 09:39 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆସନ୍ତାକାଲିର ପ୍ରସ୍ତାବିତ ସୁରଟ ଗସ୍ତକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇପଡ଼ିଛି। ୧୯ବର୍ଷ ଧରି ମୁଖ୍ୟମନ୍ତ୍ରୀ ଥିବା ନବୀନ ପଟ୍ଟନାୟକଙ୍କ ସାଧାରଣ ନିର୍ବାଚନ ପୂର୍ବରୁ ସୁରଟ-ପ୍ରୀତିକୁ ନେଇ ବିରୋଧୀ ଦଳ ପ୍ରଶ୍ନ ଉଠାଇଛି। ଆଗକୁ ନିର୍ବାଚନ ଥିବାରୁ ନିଜ ଜିଲ୍ଲା ଗଞ୍ଜାମରେ ବିଜେଡି ଭୋଟ୍ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ଏବେ ସୁରଟରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ପ୍ରତି ଦରଦ ଦେଖାଇଛନ୍ତି ବୋଲି ଉଭୟ ବିଜେପି ଓ କଂଗ୍ରେସ ଅଭିଯୋଗ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କ ସୁରଟ ଗସ୍ତକୁ କଡ଼ା ସମାଲୋଚନା କରି କହିଛନ୍ତି ଯେ ୧୯ବର୍ଷ ଧରି ଶାସନରେ ରହିଲା ପରେ ପ୍ରବାସୀ ଓଡ଼ିଆଙ୍କ କଥା ମୁଖ୍ୟମନ୍ତ୍ରୀଙ୍କ ମନେ ପଡ଼ିଲା। କାହିଁକି ଏପର୍ଯ୍ୟନ୍ତ ତ ମୁଖ୍ୟମନ୍ତ୍ରୀ ବମ୍ବେ, ଦିଲ୍ଲୀ, ଚେନ୍ନାଇ, ହାଇଦ୍ରାବାଦରେ ରହୁଥିବା ଓଡ଼ିଆଙ୍କ କଥା ମନେ ପଡ଼ୁନଥିଲା। ନିର୍ବାଚନର ଠିକ୍ ପୂର୍ବରୁ ଓଡ଼ିଆ ଲୋକଙ୍କ ପ୍ରତି ଦରଦ ଦେଖାଇବାକୁ ମୁଖ୍ୟମନ୍ତ୍ରୀ ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି।

ସେହିପରି ବିରୋଧୀ ଦଳ ନେତା ନରସିଂହ ମିଶ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀଙ୍କ ସୁରଟ ଗସ୍ତ ଉପରେ ପ୍ରଶ୍ନ ଉଠାଇଛନ୍ତି। ସୁରଟରେ ରହୁଥିବା ଓଡ଼ିଆ ଲୋକଙ୍କ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଚିଠି ଲେଖିବାକୁ ଶ୍ରୀ ମିଶ୍ର ସ୍ୱାଗତ କରିଥିଲେ ମଧ୍ୟ ଏବେ ନିର୍ବାଚନ ପୂର୍ବରୁ କାହିଁକି ମନେ ପଡ଼ିଲା ବୋଲି ପ୍ରଶ୍ନ କରିଛନ୍ତି। ସୁରଟରେ ଓଡ଼ିଆ ଲୋକ ରହୁଛନ୍ତି, ସେଥିରୁ ଅଧିକାଂଶ ଗଞ୍ଜାମ ଜିଲ୍ଲାର। ନିର୍ବାଚନବେଳେ ସେମାନେ ନିଜ ଜିଲ୍ଲାକୁ ଫେରି ଭୋଟ୍ ଦେବେ। ତେଣୁ ସେମାନଙ୍କୁ ଆଗରୁ ଭୁଲି ଯାଇଥିବା ମୁଖ୍ୟମନ୍ତ୍ରୀଙ୍କର ଏବେ ସୁରଟରେ ଥିବା ପ୍ରବାସୀଙ୍କ କଥା ମନେ ପଡ଼ିଛି ବୋଲି କହିଛନ୍ତି।

ତେବେ ବିରୋଧୀ ଦଳର ଏସବୁ ସମାଲୋଚନା ଉପରେ ପ୍ରତିକ୍ରିୟା ରଖି ବିଜେଡି ମୁଖପାତ୍ର ତଥା ସାଂସଦ ପ୍ରତାପ କେଶରୀ ଦେବ କହିଛନ୍ତି ଯେ ଏବେ ୩ଟି ରାଜ୍ୟରେ ଯାହା ଫଳାଫଳ ହେଲା ସେଥିରେ ବିଜେପି ଆତଙ୍କିତ ହୋଇପଡ଼ିଛି। ଧର୍ମେନ୍ଦ୍ର ବାବୁ ମଧ୍ୟ ଭୁଲିବା ଅନୁଚିତ୍ ଯେ ସୁରଟବାସୀଙ୍କ ପାଇଁ ବିଜେପି ଆଜି ଗୁଜରାଟରେ ସରକାରରେ ଅଛି। ତାଙ୍କ ମନ ଭିତରେ ଶଙ୍କା ଥିବାରୁ ସେ କିଛିମାସ ତଳେ ସୁରଟ ଯାଇଥିଲେ। ଭାବିଥିଲେ ସେଠାରେ ଥିବା ଓଡ଼ିଆ ବନ୍ଧୁମାନେ ସୁରଟରେ ଯାହା କରିଥିଲେ ତାହା ଆସି ଓଡ଼ିଶାରେ କରିବେ। କିନ୍ତୁ ତାଙ୍କର ଏହା ଦିବାସ୍ୱପ୍ନ। କାରଣ ଓଡ଼ିଆ ଲୋକମାନେ ମୁଖ୍ୟମନ୍ତ୍ରୀଙ୍କୁ ଭଲ ପାଆନ୍ତି ଓ ସେମାନେ ରହୁଥିବା ସ୍ଥାନରେ ସୁବିଧାସୁଯୋଗ ପାଇ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଅନେକ ଚିଠି ଲେଖନ୍ତି। ତେଣୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନକାରାତ୍ମକ ଢଙ୍ଗରେ ଦେଖାଯିବା କିମ୍ବା ରାଜନୀତିକ ଉଦ୍ଦେଶ୍ୟ ଅଛି ବୋଲି କହିବା ଅନୁଚିତ୍ ବୋଲି ଶ୍ରୀ ଦେବ କହିଛନ୍ତି।

https://youtu.be/r0AdyTPJZTQ

Related story