ଓଡ଼ିଶାରେ ବିଜେପିର ନୂଆ ରଣନୀତି: ଛୋଟଛୋଟ ଦଳକୁ ଏକାଠି କରିବେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ନିଜର ସାଂଗଠନିକ ଶକ୍ତି ବୃଦ୍ଧି ପାଇଁ ପ୍ରୟାସ କରୁଥିବା ବିଜେପି ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ନିଜର ବି-ଟିମ୍ ପ୍ରସ୍ତୁତ କରୁଥିବା ଜଣାପଡ଼ିଛି । ବିଜେପିର ରଣନୀତି ଅନୁସାରେ ଗୋଟିଏପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ଜାତୀୟ ଅଧ୍ୟକ୍ଷ ଅମିତ୍ ଶାହ ନିର୍ବାଚନ ପୂର୍ବରୁ ରାଜ୍ୟର ସମସ୍ତ ଲୋକସଭା ନିର୍ବାଚନମଣ୍ଡଳୀକୁ ଗସ୍ତ କରିବାର ପ୍ରକ୍ରିୟା ଜାରି ରଖିଥିବାବେଳେ ଅନ୍ୟପଟେ ରାଜ୍ୟର ଛୋଟ ଛୋଟ ଦଳଗୁଡ଼ିକୁ (ଜାତୀୟ ଦଳର ରାଜ୍ୟ ଶାଖାକୁ ବାଦ […]

amit

amit

Manoranjan Sial
  • Published: Saturday, 12 January 2019
  • Updated: 12 January 2019, 09:34 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ନିଜର ସାଂଗଠନିକ ଶକ୍ତି ବୃଦ୍ଧି ପାଇଁ ପ୍ରୟାସ କରୁଥିବା ବିଜେପି ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ନିଜର ବି-ଟିମ୍ ପ୍ରସ୍ତୁତ କରୁଥିବା ଜଣାପଡ଼ିଛି ।
ବିଜେପିର ରଣନୀତି ଅନୁସାରେ ଗୋଟିଏପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ଜାତୀୟ ଅଧ୍ୟକ୍ଷ ଅମିତ୍ ଶାହ ନିର୍ବାଚନ ପୂର୍ବରୁ ରାଜ୍ୟର ସମସ୍ତ ଲୋକସଭା ନିର୍ବାଚନମଣ୍ଡଳୀକୁ ଗସ୍ତ କରିବାର ପ୍ରକ୍ରିୟା ଜାରି ରଖିଥିବାବେଳେ ଅନ୍ୟପଟେ ରାଜ୍ୟର ଛୋଟ ଛୋଟ ଦଳଗୁଡ଼ିକୁ (ଜାତୀୟ ଦଳର ରାଜ୍ୟ ଶାଖାକୁ ବାଦ ଦେଇ) ଏକଜୁଟ କରିବା ପାଇଁ ବିଜେପି ପ୍ରୟାସ ଆରମ୍ଭ କରିଛି। ଏହି ଛୋଟ ଦଳଗୁଡ଼ିକ ଗୋଟିଏ ଫ୍ଲାଟଫର୍ମରେ ଏକଜୁଟ ହୋଇ ପରୋକ୍ଷରେ ବିଜେପିକୁ ଫାଇଦା ହେବାଭଳି କାର୍ଯ୍ୟ କରିବେ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ମୋଦି ଓ ଶାହ ଯୋଡ଼ି ଚଳିତମାସରେ ବଲାଙ୍ଗିର ଓ କଟକ ଏବଂ ଆସନ୍ତାମାସରେ ଭଦକ୍ର ଓ କେନ୍ଦୁଝର ସହ ଅନ୍ୟାନ୍ୟ କେତେକ ଅଞ୍ଚଳ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏପଟେ ଆରଏସଏସ ତା’ର ନିଜସ୍ୱ ସଂଗଠନଗୁଡ଼ିକ ମାଧ୍ୟମରେ ବିଜେପିର ସଂଗଠନକୁ ସଜାଡ଼ିବାରେ ଲାଗିଛି। ବିଜେଡି ସରକାର ପ୍ରତି ଲୋକଙ୍କ ମଧ୍ୟରେ ବଢ଼ୁଥିବା ଅସନ୍ତୋଷରୁ ବିଜେପି ନିଜର ସଫଳତା ହାସଲ କରିବାକୁ ଉଦ୍ୟମ ଆରମ୍ଭ କରିଛି। ସେହିପରି ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା,ବିଜୟ ମହାପାତ୍ର,ଦିଲ୍ଲୀପ ରାୟ, ଡା. ଦାମୋଦର ରାଉତ, ଖାରବେଳ ସ୍ୱାଇଁ, ବ୍ରଜ କିଶୋର ତ୍ରିପାଠୀ, ପଞ୍ଚାନନ କାନୁନଗୋଙ୍କ ଭଳି ନେତାମାନେ ଏବେ ଉଭୟ କଂଗ୍ରେସ,ବିଜେଡି ଓ ବିଜେପିଠାରୁ ସମଦ୍ୱରତ୍ୱ ରକ୍ଷା କରି ଏକ ନୂଆ ଫର୍ମାଟରେ ନବୀନ ପଟ୍ଟନାୟକଙ୍କ ଚେକ୍ ଦେବାକୁ ସଜବାଜ ହେଉଛନ୍ତି। ଏହି ବରିଷ୍ଠ ନେତାମାନେ ଗୋଟିଏ ମଞ୍ଚରେ ଏକଜୁଟ ହେଲେ ରାଜ୍ୟ ରାଜନୀତି ଏକ ନୂଆ ମୋଡ଼ ନେବାର ସମ୍ଭାବନା ରହିଛି।

ଏହି ବରିଷ୍ଠ ନେତାମାନଙ୍କ ଟାର୍ଗେଟରେ ନବୀନ ସରକାର ରହୁଥିବାରୁ ତା’ର ଫାଇଦା ମଧ୍ୟ ପରୋକ୍ଷରେ ବିଜେପି କିମ୍ବା କଂଗ୍ରେସକୁ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି। ତେବେ ରାଜ୍ୟରେ ଥିବା ୨୦ରୁ ଅଧିକ ଅଣପଞ୍ଜିକୃତ ଦଳ(ଛୋଟଛୋଟ ଦଳ)ଗୁଡ଼ିକୁ ଗୋଟିଏ ମଞ୍ଚରେ ଏକଜୁଟ କରିବା ପାଇଁ ବିଜେପି ପକ୍ଷରୁ ବ୍ୟାକଡୋରରେ ପ୍ରୟାସ ଆରମ୍ଭ ହୋଇଛି। ଏସବୁ ଦଳକୁ ଗୋଟିଏ ମଞ୍ଚରେ ଏକଜୁଟ କରାଇ ରାଜ୍ୟରେ ସେମାନଙ୍କର ଥିବା ପ୍ରାୟ ୬-୭ ପ୍ରତିଶତ ଭୋଟକୁ ବିଜେଡି କିମ୍ବା କଂଗ୍ରେସଠୁ ଦୂରେଇ ରଖିବାକୁ ରଣନୀତି ପ୍ରସ୍ତୁତ ହୋଇଛି। ଏହି ଭୋଟ୍ ବିଜେପି ସପକ୍ଷରେ ନଆସିଲେ ମଧ୍ୟ ସମ୍ପୃକ୍ତ ପୋଷ୍ଟର ଦଳଗୁଡ଼ିକ ମାଧ୍ୟମରେ ଭୋଟ୍ ବିଭାଜନ କରାଇ ବିଜେଡିକୁ ଆଗାମୀ ନିର୍ବାଚନରେ ଶକ୍ତିହୀନ କରାଇବାର ଲକ୍ଷ୍ୟରେ ଏବେ କାମ ଆରମ୍ଭ ହୋଇଥିବା ଜଣାପଡ଼ିଛି।

ଏସବୁ ଛୋଟଦଳଗୁଡ଼ିକ କଂଗ୍ରେସ,ବିଜେପି ଓ ବିଜେଡିକୁ ବିରୋଧ କରି ସେମାନଙ୍କର ପ୍ରାର୍ଥୀ ଦେବେ। ଯାହାର ଫାଇଦା ପରୋକ୍ଷରେ କଂଗ୍ରେସ ଓ ବିଜେପିକୁ ମିଳିବ।

ଅବଶ୍ୟ ଆଗାମୀ ନିର୍ବାଚନରେ ଭୋଟ ବିଭାଜନର ଭୟରେ ବିଜେଡି ଏବେଠୁ ସରକାରୀ ଯୋଜନା ‘କାଳିଆ’ ମାଧ୍ୟମରେ ରାଜ୍ୟର ଅତିକମରେ ଦେଢ଼ କୋଟି ଭୋଟରଙ୍କ ପାଖରେ ପହଞ୍ଚିବାକୁ ଚାହିଁଛି। ନିର୍ବାଚନ ପୂର୍ବରୁ ଏହି ଦେଢ଼ କୋଟି ଭୋଟରଙ୍କ ପରିବାର ଆକାଉଣ୍ଟରେ ୫ହଜାର ଟଙ୍କାର ‘କାଳିଆ’ ସହାୟତା ପହଞ୍ଚାଇ ବିଜେଡି ଆଗାମୀ ନିର୍ବାଚନରେ ନିଜର ଭୋଟ୍ ପକ୍କା କରିବାକୁ ଚାହୁଁଛି।

ତେବେ ବିଜେପି ଓ ବିଜେଡିର ଏସବୁ ଗେମ୍ ପ୍ଲାନ ମଧ୍ୟରେ କଂଗ୍ରେସ କିଭଳି ଭାବେ ନିଜର ଅସ୍ତିତ୍ୱ ରକ୍ଷା କରିବ ତାହା ଏବେ ସବୁଠୁ ବଡ଼ ପ୍ରଶ୍ନବାଚୀ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos