ଆସନ୍ତାକାଲି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ, ଚୂଡ଼ାନ୍ତ ହେବ ଭବିଷ୍ୟତ କାର୍ଯ୍ୟପନ୍ଥା

ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆସନ୍ତାକାଲି ବସିବ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ଚୂଡ଼ାନ୍ତ ହେବ ।

ବିଜେପି ପତାକା

  • Published: Saturday, 21 January 2023
  • , Updated: 21 January 2023, 10:17 PM IST

ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆସନ୍ତାକାଲି ବସିବ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ଚୂଡ଼ାନ୍ତ ହେବ । ଆଜି ରାଜ୍ୟ କାର୍ଯ୍ୟାଳୟରେ ଦଳର ରାଜ୍ୟ ପ୍ରଭାରୀ, ରାଜ୍ୟ ପଦାଧିକାରୀ ଓ ଜିଲ୍ଲା ସଭାପତିମାନଙ୍କର ବୈଠକ ବସି ରାଜ୍ୟ ସରକାରଙ୍କ ଅପାରଗପଣିଆକୁ ଫୋକସ୍ କରାଯିବା ସହ ରାଜ୍ୟର ସାମ୍ପ୍ରତିକ, ରାଜନୀତିକ ଓ ସାଂଗଠନିକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି ।

ଆଜି ଏ ସମ୍ପର୍କରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଡଃ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ,  ରାଜ୍ୟ ସଭାପତି ସମୀର ମହାନ୍ତିିଙ୍କ ଅଧ୍ୟକ୍ଷତାରେ ରାଜ୍ୟ ପଦାଧିକାରୀମାନଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚଂଚକତା, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି, ଅପରାଧୀକରଣ ରାଜନୀତି, ଚାଷୀ ଓ ଚାଷ ସମସ୍ୟା, ମହିଳା ଓ ଶିଶୁ ନିର୍ଯାତନା ବୃଦ୍ଧି, ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା, ବେରୋଜଗାର , ବିପର୍ଯ୍ୟସ୍ତ ଜଳସେଚନ ବ୍ୟବସ୍ଥା, ବ୍ୟାପକ ଦୁର୍ନୀତି, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା, ପାନୀୟ ଜଳ ସମସ୍ୟା, ଅହେତୁକ ବିଦ୍ୟୁତ ଶୁଳ୍କ ବୃଦ୍ଧି ଆଦି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ନିଷ୍କ୍ରିୟତାକୁ ନେଇ ଆଜିର ଏହି ପଦାଧିକାରୀ ବୈଠକରେ ଚିନ୍ତା ପ୍ରକଟ କରାଯାଇଛି । ରାଜ୍ୟର ବିକାଶ ପାଇଁ ଡବଲ୍ ଇଂଜିନ ସରକାରର ନିହାତି ଆବଶ୍ୟକ । ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ପୂର୍ଣ୍ଣାଙ୍ଗ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଏ ସମସ୍ତ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରାଯାଇ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ ।

ସେହିପରି ରାଜ୍ୟର ରାଜ୍ୟର ଗରିବ ପରିବାର ପାଇଁ  ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମୋଦି ସରକାର ଏବେସୁଦ୍ଧା ପ୍ରାୟ ୨୮ ଲକ୍ଷ ପକ୍କାଘର ଆବଂଟନ କରିଛନ୍ତି । ରାଜ୍ୟର ୩ କୋଟି ୨୬ ଲକ୍ଷ ଲୋକଙ୍କୁ ମାଗଣା ଚାଉଳ ପ୍ରଦାନ, ମହିଳା ସଶକ୍ତିକରଣ ପାଇଁ ସ୍ୱୟଂ ସହାୟିକା ଗୋଷ୍ଠୀ ଜରିଆରେ ପର୍ଯ୍ୟାପ୍ତ ପରିମାଣର ଆର୍ଥିକ ସହାୟତା, ପିଏମ-କିଶାନ ଯୋଜନାରେ ଚାଷୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ, ରେଳ-ସଡ଼କ-ଆକାଶପଥ ସେବାରେ ଓଡିଶାକୁ ବିଶେଷ ପ୍ରାଧାନ୍ୟ ଦେବା, ୫-ଜି ସେବା, ମୋବାଇଲ ଟାୱାର ନିର୍ମାଣ ଆଦି କେନ୍ଦ୍ର ସରକାରଙ୍କ ସ୍ୱାଗତଯୋଗ୍ୟ ପଦକ୍ଷେପ ପାଇଁ ଆଜି ପଦାଧିକାରୀ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି ବୋଲି ଶ୍ରୀମତୀ ସାମନ୍ତସିଂହାର କହିଛନ୍ତି ।

ଏହି ବୈଠକରେ ରାଜ୍ୟ ବିଜେପି ପ୍ରଭାରୀ ଡି ପୁରନ୍ଦେଶ୍ୱରୀ, ସହପ୍ରଭାରୀ ବିଜୟପାଲ୍ ସିଂ ତୋମାରଙ୍କ ସମେତ ସମସ୍ତ ରାଜ୍ୟ ପଦାଧିକାରୀ, ରାଜ୍ୟର ବିଭିନ୍ନ ମୋର୍ଚ୍ଚା ସଭାପତି, ଜିଲ୍ଲା ସଭାପତି ଓ ପ୍ରଭାରୀମାନେ ଯୋଗ ଦେଇଥିଲେ ।

Related story