ଢେଙ୍କାନାଳ ଶେଲ୍ଟର ହୋମ୍ କେଳେଙ୍କାରୀ: ସଂସ୍ଥା ମୁଖ୍ୟ ଗିରଫ, ସିଲ୍ ହେଲା ଯାତନା ଗୃହ

ଢେଙ୍କାନାଳ (ଓଡ଼ିଶା ରିପୋର୍ଟର): ଢେଙ୍କାନାଳ ବେଲଟିକିରି ଶେଲ୍ଟର ହୋମ୍‌ କେଳେଙ୍କାରୀର ଗୁମର ଫିଟିବା ପରେ ରାଜ୍ୟବ୍ୟାପୀ ହଇଚଇ ସଷ୍ଟି ହୋଇଛି। ଗୁଡ୍ ନ୍ୟୁଜ୍‌ ଇଣ୍ଡିଆ ଦ୍ୱାରା ପରିଚାଳିତ ରାଜ୍ୟର ୨୬ଟି ଡ୍ରିମ୍ ସେଣ୍ଟର ସମ୍ପର୍କରେ ଖୋଳତାଡ଼ ଆରମ୍ଭ ହୋଇଛି। ଏହାସହ କିଛି ସ୍ଥାନରେ ଚଢ଼ଉ ବି ଜାରି ରହିଛି। ଢେଙ୍କାନାଳର ଡ୍ରିମ୍ ସେଣ୍ଟରକୁ ସିଲ୍ କରାଯିବା ସହ ସଂସ୍ଥାର ମୁଖ୍ୟଙ୍କୁ ପୋଲିସ ଗିରଫ କରିଛି। ସେପଟେ ବିଜେପିର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଢେଙ୍କାନାଳରେ ସ୍ଥିତି ଅନୁଧ୍ୟାନ […]

denkanal

Rakesh Mallick
  • Published: Sunday, 02 December 2018
  • , Updated: 02 December 2018, 09:07 PM IST

ଢେଙ୍କାନାଳ (ଓଡ଼ିଶା ରିପୋର୍ଟର): ଢେଙ୍କାନାଳ ବେଲଟିକିରି ଶେଲ୍ଟର ହୋମ୍‌ କେଳେଙ୍କାରୀର ଗୁମର ଫିଟିବା ପରେ ରାଜ୍ୟବ୍ୟାପୀ ହଇଚଇ ସଷ୍ଟି ହୋଇଛି। ଗୁଡ୍ ନ୍ୟୁଜ୍‌ ଇଣ୍ଡିଆ ଦ୍ୱାରା ପରିଚାଳିତ ରାଜ୍ୟର ୨୬ଟି ଡ୍ରିମ୍ ସେଣ୍ଟର ସମ୍ପର୍କରେ ଖୋଳତାଡ଼ ଆରମ୍ଭ ହୋଇଛି। ଏହାସହ କିଛି ସ୍ଥାନରେ ଚଢ଼ଉ ବି ଜାରି ରହିଛି।

ଢେଙ୍କାନାଳର ଡ୍ରିମ୍ ସେଣ୍ଟରକୁ ସିଲ୍ କରାଯିବା ସହ ସଂସ୍ଥାର ମୁଖ୍ୟଙ୍କୁ ପୋଲିସ ଗିରଫ କରିଛି। ସେପଟେ ବିଜେପିର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଢେଙ୍କାନାଳରେ ସ୍ଥିତି ଅନୁଧ୍ୟାନ କରିଥିବାବେଳେ ମହିଳା ଓ ଶିଶୁଙ୍କ ସୁରକ୍ଷା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଦାୟିତ୍ୱବୋଧକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ।

ଢେଙ୍କାନାଳ ବେଲଟିକିରି ଆଶ୍ରମ ଗୃହକୁ ସିଲ କରାଯାଇ ତାଲା ପକାଯାଇଛି। ସଦର ପୁଲିସ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ଉପସ୍ଥିତିରେ ବେଆଇନ ଶେଲ୍ଟର ହୋମ୍‌କୁ ସିଲ୍ କରିଛନ୍ତି ତହସିଲଦାର। ଏହାସହ ଆଜି ଭୋରରୁ ଡ୍ରିମ୍ ସେଣ୍ଟରର ସମସ୍ତ ଅନ୍ତେବାସୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି।

ବିଜେପି ମହିଳା ନେତ୍ରୀଙ୍କୁ ନେଇ ଗଠିତ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଆଜି ଢେଙ୍କାନାଳ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲା। ତେବେ ଅନ୍ତେବାସୀଙ୍କୁ ଭେଟିବା ପାଇଁ ଅନୁମତି ନମିଳିବାରୁ ଜିଲ୍ଲାପାଳଙ୍କୁ ଘେରାଉ କରିଥିଲେ ବିଜେପି ଟିମ୍‌।

"ସରକାରଙ୍କ ପ୍ରୋତ୍ସାହନରେ ଓ ମନ୍ତ୍ରୀଙ୍କ ଜାଣତରେ ଚାଲିଛି"

ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, “ଏ ହେଉଛି ଶିଶୁ ଓ ନାବାଳିକା ଚାଲାଣର ଏକ ରାକେଟ୍। ଯାହା ସରକାରଙ୍କ ପ୍ରୋତ୍ସାହନରେ ଚାଲୁଛି। ମନ୍ତ୍ରୀଙ୍କ ଜାଣତରେ ଚାଲିଛି। ସରକାର ସବୁ ଜାଣି ଏତେ ଦିନ ହେଲା ଚୁପ୍‌ ଥିଲେ କାହିଁକି ? ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ଜ୍ଞାତସାରରେ ଏ ସଂସ୍ଥା ଚାଲିଥିଲା। ପ୍ରଶାସନର ଆଢ଼ୁଆଳରେ ଗୋଟିଏ ସଂସ୍ଥା ରାଜ୍ୟରେ ୨୬ଟି ହଷ୍ଟେଲ୍‌ ଖୋଲି ପାରିବ ନାହିଁ।”

ସେପଟେ ପୂର୍ବରୁ ସେଣ୍ଟର ଇନଚାର୍ଜ ସୀମାଞ୍ଚଳ ନାୟକ ଗିରଫ ହୋଇଥିବାବେଳେ ଗୁଡ୍ ନ୍ୟୁଜ୍‌ ଇଣ୍ଡିଆରର ଏମ୍‌ଡି ଫୟାଜ୍ ରେହମାନ ଏବଂ ଆସିଷ୍ଟାଣ୍ଡ ପ୍ରୋଜେକ୍ଟ ଡାଇରେକ୍ଟର ଉଦିତ କୁମାର ଲିମାଙ୍କୁ ପୁଲିସ ବାନ୍ଧିଛି। ଢେଙ୍କାନାଳ ଡ୍ରିମ୍ ସେଣ୍ଟର ଅନ୍ତେବାସୀଙ୍କ ବୟାନ ଆଧାରରେ ଏବଂ ବେଆଇନ୍ ଭାବେ ସଂସ୍ଥା ପରିଚାଳନା ଅଭିଯୋଗରେ ଏମାନଙ୍କୁ ଗିରଫ କରାଯାଇଥିବା ଏସ୍‌ପି କହିଛନ୍ତି।

ଏପଟେ ଗଜପତି, ପୁରୀ, ବାଲେଶ୍ୱର, ବରଗଡ଼, ବୌଦ୍ଧ ସମେତ ବିଭିନ୍ନ ସ୍ଥାନରେ ଥିବା ଗୁଡ୍ ନ୍ୟୁଜ୍‌ ଇଣ୍ଡିଆର ଡ୍ରିମ୍ ସେଣ୍ଟର ଉପରେ ଚଢ଼ଉ କରିଛି ଜିଲ୍ଲା ପ୍ରଶାସନ। କିଛି ସ୍ଥାନରେ ଖୋଲାଖୋଲି ନିୟମ ଉଲଂଘନ ହୋଇଥିବା ସାମ୍ନାକୁ ଆସିଛି।

ଶେଲ୍ଟର ହୋମ୍‌ରେ ନାବାଳିକା ଏବଂ କିଶୋରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହ ବିଭାଗୀୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ସେହିପରି ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ମହିଳାଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ଆଦୌ ସଚେତନ ନୁହନ୍ତି ବୋଲି କହିଛନ୍ତି। ରାଜ୍ୟରେ ଛତୁ ଫୁଟିଲା ଭଳି ଗୁଡ୍ ନ୍ୟୁଜ୍‌ ଇଣ୍ଡିଆ ଦ୍ୱାରା ପରିଚାଳିତ ବେଆଇନ୍ ଡ୍ରିମ୍ ସେଣ୍ଟର ଗୁଡ଼ିକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ବିଭାଗୀୟ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିବା ସହ  ଜୁଭେନାଇଲ୍ ଜଷ୍ଟିସ ଆଇନରେ ତ୍ରୁଟି ଥିବା ମାନିଛନ୍ତି।

Related story