ବେକାରୀ ସମସ୍ୟା: ୫ରେ ସବୁ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜରେ ତାଲାପକାଇବ ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ବେକାରୀ ସମସ୍ୟା ଉକ୍ରଟ ରୂପ ଧାରଣ କଲାଣି। ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜରେ ପଞ୍ଜୀକୃତ ହୋଇଥିବା ଯୁବକଯୁବତୀଙ୍କୁ ନିଯୁକ୍ତି ମିଳୁନି କି ଏଥିରେ ପଞ୍ଜୀକରଣ ପାଇଁ ସେମାନଙ୍କୁ ପ୍ରୋତ୍ସାହିତ କରାଯାଉନି। ସରକାରୀ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜଗୁଡ଼ିକ ଏବେ ବିଜେଡି କର୍ମୀଙ୍କ ଆଡ୍ଡାସ୍ଥଳ ଓ ସରକାରୀ କ୍ଲବ ପାଲଟିଛି। ତେଣୁ ଏସବୁ ସରକାରୀ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜଗୁଡ଼ିକର ଆସନ୍ତା ୫ତାରିଖରେ ତାଲା ପକା ଅଭିଯାନ କରାଯିବ ବୋଲି ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ଘୋଷଣା କରିଛନ୍ତି। ରାଜ୍ୟ […]

BJP_YUV_MORCHA FINAL

Sampad Mahapatra
  • Published: Thursday, 01 November 2018
  • , Updated: 01 November 2018, 06:33 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ବେକାରୀ ସମସ୍ୟା ଉକ୍ରଟ ରୂପ ଧାରଣ କଲାଣି। ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜରେ ପଞ୍ଜୀକୃତ ହୋଇଥିବା ଯୁବକଯୁବତୀଙ୍କୁ ନିଯୁକ୍ତି ମିଳୁନି କି ଏଥିରେ ପଞ୍ଜୀକରଣ ପାଇଁ ସେମାନଙ୍କୁ ପ୍ରୋତ୍ସାହିତ କରାଯାଉନି। ସରକାରୀ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜଗୁଡ଼ିକ ଏବେ ବିଜେଡି କର୍ମୀଙ୍କ ଆଡ୍ଡାସ୍ଥଳ ଓ ସରକାରୀ କ୍ଲବ ପାଲଟିଛି। ତେଣୁ ଏସବୁ ସରକାରୀ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜଗୁଡ଼ିକର ଆସନ୍ତା ୫ତାରିଖରେ ତାଲା ପକା ଅଭିଯାନ କରାଯିବ ବୋଲି ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ଘୋଷଣା କରିଛନ୍ତି।

ରାଜ୍ୟ କାର୍ଯ୍ୟାଳୟରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ନବୀନ ପଟ୍ଟନାୟକଙ୍କ ୧୯ବର୍ଷ ଶାସନରେ ଓଡ଼ିଆ ଯୁବକଯୁବତୀମାନେ ସର୍ବାଧିକ ପ୍ରତାରିତ ହୋଇଛନ୍ତି। ୨୦୦୦ ମସିହାରେ ନବୀନ ସରକାର ପ୍ରତି ଆଶା ରଖି ଯେଉଁ ଯୁବକଯୁବତୀମାନେ ଭୋଟ୍ ଦେଇଥିଲେ ସେମାନଙ୍କୁ ଏବେ ୩୭ବର୍ଷ ହେଲାଣି ଓ ସେମାନେ ଏବେ ବି ବେକାର ଅଛନ୍ତି। ସେମାନଙ୍କୁ ଯେଉଁ ପ୍ରତିଶ୍ରୁତି ମୁଖ୍ୟମନ୍ତ୍ରୀ ଦେଇଥିଲେ ତାହା ପ୍ରତାରଣାରେ ପରିଣତ ହୋଇଛି।

ଶ୍ରୀ ତ୍ରିପାଠୀ କହିଛନ୍ତି, ୨୦୧୬ ମସିହାରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶିତ ଅର୍ଥନୈତିକ ସର୍ଭେ ରିପୋର୍ଟର ତଥ୍ୟ ଅନୁସାରେ ୨୦୧୪ ମସିହାରେ ରାଜ୍ୟରେ ୨.୨୮ଲକ୍ଷ ଚାକିରି ଆଶାୟୀ ଆବେଦନ କରିଥିବାବେଳେ ମାତ୍ର ୧୧୪୪ଜଣଙ୍କୁ ନିଯୁକ୍ତି ମିଳିଥିଲା। ଏହା ସରକାରଙ୍କ ନିଯୁକ୍ତି କ୍ଷେତ୍ରରେ ଅପାରଗତାକୁ ପଦାରେ ପକାଇଛି। ବେକାର ସମସ୍ୟା ଉତ୍କଟ ହେଉଥିବାରୁ ଯୁବକଯୁବତୀମାନେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି ନହେଲେ ଆତ୍ମହତ୍ୟା ପାଇଁ ବାଧ୍ୟ ହେଉଛନ୍ତି।

ସରକାରୀ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜଗୁଡ଼ିକୁ ଜାଣିଶୁଣି ପଙ୍ଗୁ କରିଦିଆଯାଇ ବରିଷ୍ଠ ଅଧିକାରୀଙ୍କ ସମ୍ପୃକ୍ତି ଥାଇ ସମାନ୍ତରାଳ ଭାବେ ‘ଜବ୍ ପ୍ରୋଭାଇଡର’ ନାଁରେ ୧୦ହଜାର ଟଙ୍କାରେ ମେଧାବୀ ଯୁବକଯୁବତୀଙ୍କୁ ଚୁକ୍ତିରେ ଚାକିରି ଦିଆଯାଉଛି। ଏଥିପାଇଁ ବଡ଼ଧରଣର ଉତ୍କୋଚ ଦେଣନେଣ ହେଉଛି। ନିକଟରେ ସରକାରଙ୍କ ୪୫୦କୋଟି ଟଙ୍କା ବ୍ୟୟରେ ବିଜୁ ଯୁବ ବାହିନୀରେ ସାମିଲ ହୋଇଥିବା ଯୁବକଯୁବତୀମାନଙ୍କୁ କେଉଁ ସରକାରୀ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ମାଧ୍ୟମରେ ଚୟନ କରାଯାଇଛି ବୋଲି ସେ ପ୍ରଶ୍ନ କରିଛନ୍ତି। ତେଣୁ ଏଭଳି ଅଦରକାରୀ ହୋଇ ପଡ଼ିଥିବା ସରକାରୀ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜରେ ତାଲା ପକାଇବାକୁ ବିଜେପି ନିଷ୍ପତ୍ତି ନେଇଛି।

ତାଳଚେରରେ ଏନଟିପିସିର ଟିଟିପିଏସରେ ୧୦ହଜାର ଓଡ଼ିଆଙ୍କ ପାଇଁ ନିଯୁକ୍ତି ସୁଯୋଗ ରହିଥିବାବେଳେ ରାଜ୍ୟ ସରକାର ଏହି ପ୍ରକଳ୍ପକୁ ଆଗେଇ ନେବା ନିମନ୍ତେ ଆବଶ୍ୟକ ଅନୁମୋଦନ ଦେଉନାହାନ୍ତି । ଯେଉଁଥିପାଇଁ ପ୍ରଧାନମନ୍ତ୍ରୀ ଏହି ପ୍ରକଳ୍ପର ଶିଳାନ୍ୟାସ କରିପାରିଲେ ନାହିଁ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।

କେବଳ ସେତିକି ନୁହେଁ, ଓଡ଼ିଶାରେ ବୈଷୟିକ ଶିକ୍ଷା ବ୍ୟବସ୍ଥା ମଧ୍ୟ ବିଫଳ ହୋଇଛି। ରାଜ୍ୟରେ ଶିଳ୍ପକ୍ଷେତ୍ରରେ ଓଡ଼ିଆ ଯୁବକଯୁବତୀଙ୍କୁ ଅଣଦେଖା କରାଯାଉଛି। ୨୦୦୦ରୁ ୨୦୧୫ ମସିହାରେ ରାଜ୍ୟ ସରକାର ୯୨ଟି ଏମଓୟୁ କରିଥିବାବେଳେ ଏଥିରୁ ଅଧା ଅର୍ଥାତ ୪୬ଟି କାର୍ଯ୍ୟକ୍ଷମ ହୋଇଛି। ଏହି ୪୬ଟି ବୃହତ୍ ଶିଳ୍ପ ସଂସ୍ଥାରେ ରାଜ୍ୟ ବାହାରର ୫୧,୯୦୨ଜଣ ନିଯୁକ୍ତି ପାଇଛନ୍ତି ବୋଲି ସରକାର ନିଜେ ବିଧାନସଭାରେ ସ୍ୱୀକାର କରିଛନ୍ତି। ରାଜ୍ୟରେ କେଉଁ ଶିଳ୍ପ ସଂସ୍ଥାରେ ପ୍ରତ୍ୟକ୍ଷ ଭାବେ କେତେ ସଂଖ୍ୟକ ଓଡ଼ିଆ ଯୁବକଯୁବତୀ ଚାକିରି କରିଛନ୍ତି ତା’ର ହିସାବ ଦେବାକୁ ସେ ଆହ୍ୱାନ କରିଛନ୍ତି ।

ଗତ ୨୨ରୁ ୨୪ତାରିଖ ମଧ୍ୟରେ ବିଜେପି ଯୁବମୋର୍ଚ୍ଚା ସମସ୍ତ ତହସିଲଦାରଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଏହି ନିଯୁକ୍ତି ସମସ୍ୟାକୁ ନେଇ ସ୍ମାରକପତ୍ର ଦେଇସାରିଛି। ତେଣୁ ରାଜ୍ୟରେ ଯୁବକଯୁବତୀଙ୍କୁ ନିଯୁକ୍ତି ଦେବା କ୍ଷେତ୍ରରେ ସରକାର ଯେଉଁ ପ୍ରତାରଣା କରୁଛନ୍ତି ତା’ର ଉଚିତ୍ ଜବାବ ଦେବାକୁ ବିଜେପି ଯୁବମୋର୍ଚ୍ଚା ରାଜ୍ୟବ୍ୟାପୀ ସମସ୍ତ ସରକାରୀ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜରେ ତାଲା ପକାଇବାକୁ ନିଷ୍ପତ୍ତି ନେଇଛି ବୋଲି ଶ୍ରୀ ତ୍ରିପାଠୀ କହିଥିଲେ।

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସିକନ୍ଦର ଅଲ୍ଲୀ, ସତ୍ୟବାଦୀ ଚଇନି, ଅପରାଜିତା ବଡ଼ଜେନା ଓ କାମାକ୍ଷା ପ୍ରସାଦ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

 

Related story