ରାଜଧାନୀ ଭୁବନେଶ୍ୱରବାସୀଙ୍କ ମୁଣ୍ଡରେ ଅଧିକ ଟିକସ ବୋଝ ଲଦିପାରେ ଭୁବନେଶ୍ୱର ମହାନଗର ନିଗମ(ବିଏମସି)। ଆଜି ବିଏମସିର ୧୦୫୦କୋଟି ଟଙ୍କାର ବଜେଟକୁ ଅନୁମୋଦନ ମିଳିବା ପରେ ଏଭଳି ଆଶଙ୍କା ସୃଷ୍ଟି ହୋଇଛି। ତେବେ ପୌର ନିର୍ବାଚନୀ ବର୍ଷରେ ବିଏମସି ନିଜର ଟିକସ ବୃଦ୍ଧି ଟାର୍ଗେଟକୁ ପୂରଣ କରିବା ପାଇଁ ରାଜଧାନୀବାସୀଙ୍କ ମୁଣ୍ଡରେ ଅତିରିକ୍ତ ଟିକସ ବୋଝ ଲଦିବ ନା ଅନ୍ୟକେଉଁ ସୂତ୍ରରୁ ଏହାକୁ ଭରଣା କରିବ ତାହା ଏବେ ସବୁଠୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସୂଚନା ଅନୁସାରେ, ବିଏମସି ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୧୦୫୦କୋଟି ଟଙ୍କାର ବଜେଟକୁ ଅନୁମୋଦନ ମିଳିଛି। ଏହି ବୈଠକ ପରେ ବଜେଟ୍ ସମ୍ପର୍କରେ ସୂଚନା ଦେଇ ବିଏମସି ଫାଇନାନ୍ସ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ରାଜକିଶୋର ଦାସ କହିଛନ୍ତି ଯେ,ବିଏମସି ନିଜର ବିକାଶ ପାଇଁ ସଂପୂର୍ଣ୍ଣ ଭାବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁଦାନ ଉପରେ ନିର୍ଭରଶୀଳ। ଏବେ ସରକାର ଅନୁଦାନ ପାଇଁ ୧୨.୬୫ ପ୍ରତିଶତ ଆୟ ବୃଦ୍ଧି କରିବାକୁ ସରକାର ସର୍ତ୍ତ ରଖିଛନ୍ତି। ସେଥିପାଇଁ ବିଏମସି ନିଜସ୍ୱ ଆୟ ୩୦୦ କୋଟି ଟଙ୍କାକୁ ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖିଛି।
ପରୋକ୍ଷରେ ବିଏମସି ନିଜର ଆୟ ବୃଦ୍ଧି ପାଇଁ ବିଭିନ୍ନ ସେବା ଶୁଳ୍କ ଓ ଟିକସ ବୃଦ୍ଧି କରି ସହରବାସୀଙ୍କ ଉପରେ ଟିକସ ବୋଝ ଲଦିବାର ଆଶଙ୍କା ରହିଛି।
ଦରମା ଓ ପେନସନରେ ଖର୍ଚ୍ଚ ହେବ ବଜେଟର ୭୬% ଅର୍ଥ
ବିଏମସି ବଜେଟର ସବୁଠାରୁ ବଡ଼ ବିଡ଼ମ୍ବନା ହେଉଛି ଏହାର ବ୍ୟୟବରାଦର ଶୈଳୀ। ମୋଟ ୧୦୫୦ କୋଟି ମଧ୍ୟରୁ ପ୍ରାୟ ୮୦୪ କୋଟି ୮୮ ଲକ୍ଷ ଟଙ୍କା କେବଳ ପ୍ରଶାସନିକ ଖର୍ଚ୍ଚ, କମର୍ଚାରୀଙ୍କ ଦରମା ଓ ପେନସନ ବାବଦରେ ଖର୍ଚ୍ଚ ହେବ। ତେବେ ବିଏମସିର ୭୬ପ୍ରତିଶତ ବଜେଟ୍ ଅର୍ଥ କେବଳ ପ୍ରଶାସନିକ ବ୍ୟୟରେ ଲାଗୁଥିବାର ସହରର ଭିତ୍ତିଭୂମି ଉନ୍ନତି କେବଳ ଧର୍ମକୁ ଆଖିଠାର ସଦୃଶ ହୋଇଛି। ବଜେଟ୍ ଆକଳନ ଅନୁସାରେ ୨୦୨୬-୨୭ ଆର୍ଥିକ ବର୍ଷରେ ବିଏମସିର ନିଜସ୍ୱ ଆୟ ୩୦୦ କୋଟି ଟଙ୍କା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ସରକାରୀ ଅନୁଦାନରୁ ୭୫୦ କୋଟି ଟଙ୍କା ମିଳିବ ବୋଲି ଆକଳନ କରାଯାଇଛି। ଏହି ମୋଟ୍ ବଜେଟରୁ ପ୍ରଶାସନିକ ଖର୍ଚ୍ଚ, ଦରମା, ପେନସନ ବାବଦରେ ୮୦୪ .୮୮ କୋଟି ଟଙ୍କା ଏବଂ ପରିମଳ, ସଫେଇ ଓ ବାୟୋ ମାଇନିଂ ପାଇଁ ୨୦୬.୬୧କୋଟି ଟଙ୍କା, ଭିତ୍ତିଭୂମି ବିକାଶ ପାଇଁ ୧୯୧କୋଟି ଟଙ୍କା ଖର୍ଚ୍ଚ ହେବ।
ଯେଉଁଠି ବଜେଟର ୭୬ପ୍ରତିଶତ ଅର୍ଥ କେବଳ ଦରମା,ପେନସନ ଓ ପ୍ରଶାସନିକ ଖର୍ଚ୍ଚରେ ବ୍ୟୟ ହେବ ସେଠାରେ ସହରର ରାସ୍ତାଘାଟ, ଡ୍ରେନେଜ୍ ଓ ଅନ୍ୟାନ୍ୟ ଜନହିତକର କାର୍ଯ୍ୟ କିଭଳି ସମ୍ଭବପର ହେବ ବୋଲି ପ୍ରଶ୍ନ ଉଠିଛି।
ବର୍ଷବର୍ଷ ଧରି ସାମାନ୍ୟ ବର୍ଷାରେ ସହର ବୁଡ଼ୁଥିବାବେଳେ, ଡ୍ରେନେଜ୍ ସମସ୍ୟାର ସମାଧାନ ପାଇଁ କୌଣସି ଠୋସ୍ କାର୍ଯ୍ୟାନୁଷ୍ଠାନ ଓ ରୂପରେଖ ପ୍ରସ୍ତୁତ ବଦଳରେ କେବଳ କୋଟି କୋଟି ଟଙ୍କାର ହିସାବ ଦେଖାଇ ସହରବାସୀଙ୍କୁ ଭୁଆଁ ବୁଲାଉଥିବା ଚର୍ଚ୍ଚା ହେଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us