ଆସନ୍ତା ମାର୍ଚ୍ଚ ୬ତାରିଖ ପରଠୁ ରାଜଧାନୀ ଭୁବନେଶ୍ୱରରୁ ବେଆଇନ ବିଜ୍ଞାପନ ହୋର୍ଡିଂକୁ ହଟାଇବା ପାଇଁ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ନିଷ୍ପତ୍ତି ନେଇଛି । ଗତକାଲିର କାଳବୈଶାଖୀରେ ହୋର୍ଡିଂ ପଡ଼ି ଦୁଇଜଣ ପ୍ରାଣ ହରାଇବା ପରେ ବିଏମସି ଏଭଳି ନିଷ୍ପତ୍ତି ନେଇଛି । ଏପଟେ ଦୁଇ ମୃତକଙ୍କ ନିକଟତମ ସମ୍ପର୍କୀୟଙ୍କୁ ୪ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଧନ ଅପେକ୍ଷା ଜୀବନ ମୂଲ୍ୟବାନ: ବିଏମସି ମେୟର
ମଙ୍ଗଳବାର ସନ୍ଧ୍ୟାରେ କାଳବୈଶାଖୀରେ ପାତ୍ରପଡ଼ା-ଆଇଗଣିଆ ଦୁର୍ଗାପୂଜା ମଣ୍ଡପ ନିକଟରେ ଏକ ବିରାଟ ହୋର୍ଡିଂ ଭୁଶୁଡ଼ିବା ଯୋଗୁ ଦୁଇଜଣ ପ୍ରାଣ ହରାଇଥିଲେ ଓ ଏକାଧିକ ଆହତ ହୋଇଛନ୍ତି । ଘଟଣାସ୍ଥଳ ପରିଦର୍ଶନ ପରେ ବିଏମସି ମେୟର ସୁଲୋଚନା ଦାସ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ସହରବାସୀଙ୍କ ଜୀବନ ସହ କୌଣସି ପ୍ରକାରର ସାଲିସ କରାଯିବ ନାହିଁ।
ଧନ ଅପେକ୍ଷା ଜୀବନ ମୂଲ୍ୟବାନ। ଅସୁରକ୍ଷିତ ହୋର୍ଡିଂଗୁଡ଼ିକୁ ସମ୍ପୂର୍ଣ୍ଣ ହଟାଇ ଦିଆଯିବ। ଏଥିପାଇଁ ଆସନ୍ତା ମାର୍ଚ୍ଚ ୬ତାରିଖରୁ ବିଏମସି ପକ୍ଷରୁ ସ୍ପେଶାଲ ଡ୍ରାଇଭ ଆରମ୍ଭ କରାଯିବ। ଯେଉଁ ହୋର୍ଡିଂଗୁଡ଼ିକ ପାଖରେ ବୈଧ ଷ୍ଟକଚରାଲ ପ୍ରମାଣପତ୍ର ନଥିବ ସେଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରାଯିବ।
ଜମି ମାଲିକମାନେ ବିଜ୍ଞାପନ ପାଇଁ ଅର୍ଥ ଗ୍ରହଣ କରୁଥିଲେ ମଧ୍ୟ ସୁରକ୍ଷା ଦିଗକୁ ଗୁରୁତ୍ୱ ଦେଉନାହାନ୍ତି। ଏହି ଦୁର୍ଘଟଣା ପାଇଁ ଦାୟୀ ଥିବା ଘରୋଇ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଆବଶ୍ୟକ ପଡ଼ିଲେ ସମ୍ପୃକ୍ତ ସଂସ୍ଥାକୁ କଳା ତାଲିକାଭୁକ୍ତ କରାଯିବ ବୋଲି ଚେତାବନୀ ଦେଇଛନ୍ତି।
ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ରାଶି ଘୋଷଣା
ବିଜ୍ଞାପନ ହୋର୍ଡିଂ ପଡ଼ି ଦୁଇଜଣ ପ୍ରାଣ ହରାଇବା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ବ୍ୟକ୍ତ କରିବା ସହ ମୃତକଙ୍କ ପରିବାର ପାଇଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ମୃତ ଟୁନା ଗୌଡ଼ ଓ ସଚିଦାନନ୍ଦ ପ୍ରଧାନଙ୍କ ନିକଟ ସମ୍ପର୍କୀୟଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ଦେବା ନିମନ୍ତେ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ, ଗତକାଲି ସନ୍ଧ୍ୟାରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ଝଡ଼ବର୍ଷା ଯୋଗୁ ହୋର୍ଡିଂଟି ରାସ୍ତା ଉପରକୁ ଖସି ପଡ଼ିଥିଲା । ଫଳରେ ସେଠାରେ ଥିବା କିଛି ଦୋକାନୀ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲେ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us