/odisha-reporter/media/post_attachments/uploads/2021/04/covid-5.jpg)
covid
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ୍ ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ଲକଡାଉନ୍ ଅବଧିକୁ ବୃଦ୍ଧି କରିଥିବାବେଳେ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ଆଜି ବିମାନ ଯାତ୍ରୀଙ୍କ ପାଇଁ କୋଭିଡ୍ ନେଗେଟିଭ୍ ରିପୋର୍ଟକୁ ଜରୁରୀ କରିଛି। ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ଆଜି ଚିଠି ଲେଖି ବିଏମସି କର୍ତ୍ତୃପକ୍ଷ ଏ ସମ୍ପର୍କରେ ଅବଗତ କରାଇଛନ୍ତି। ଅବଶ୍ୟ ପୂର୍ବରୁ ଅନୁରୂପ ନିର୍ଦ୍ଦେଶନାମା ରହିଥିଲା କିନ୍ତୁ ଗତକାଲି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଦ୍ୱାରା ନୂଆ ନିର୍ଦ୍ଦେଶନାମା ଜାରି ହେବାପରେ ବିଏମସି ଏହି ନିର୍ଦ୍ଦେଶ ପୁଣିଥରେ ଦେଇଛି।
ବିଏମସିର ନିର୍ଦ୍ଦେଶାନାମା ଅନୁସାରେ, ଭୁବନେଶ୍ୱର ଆନ୍ତର୍ଜାତିକ ବିମାନ ବନ୍ଦରରେ ଅବତରଣ କରିବାର ୪୮ଘଣ୍ଟା ପୂର୍ବରୁ ଯାତ୍ରୀଙ୍କୁ ନିଶ୍ଚିତ ଭାବେ ଆରଟିପିସିଆର ନେଗେଟିଭ୍ ରିପୋର୍ଟ କିମ୍ବା ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ନେଗେଟିଭ୍ ରିପୋର୍ଟ ଆଣିବାକୁ ପଡ଼ିବ। ଯେଉଁ ଯାତ୍ରୀମାନେ ଦୁଇ ଡୋଜ୍ କୋଭିଡ୍ ଟିକା ନେଇଥିବେ ସେମାନେ ନିଜର ଟିକାକରଣ ସାର୍ଟିଫିକେଟ୍ ଦେଖାଇପାରିବେ । ଯେଉଁ ଯାତ୍ରୀମାନେ ଏସବୁ ରିପୋର୍ଟ ନନେଇ ଆସିବେ ସେମାନଙ୍କର ବାଧ୍ୟତାମୂଳକ ଭାବେ ଭୁବନେଶ୍ୱର ବିମାନ ବନ୍ଦର ପରିସରରେ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ କରାଯିବ। ଯଦି ସଂକ୍ରମିତ ଥିବେ ସେମାନଙ୍କୁ ଆବଶ୍ୟକ ଚିକିତ୍ସା ନିୟମ ମାନିବାକୁ ପଡ଼ିବ। ଏହି ଗାଇଡଲାଇନକୁ ତୁରନ୍ତ କଡ଼ାକଡ଼ି ପାଳନ କରିବା ପାଇଁ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦିଆଯାଇଛି।
ସୂଚନାଯୋଗ୍ୟ, ଗତକାଲି ଭୁବନେଶ୍ୱର ବିମାନ ବନ୍ଦରରେ ମୋଟ ୨୪ଟି ବିମାନ ଅବତରଣ ଓ ଉଡ଼ାଣ କରିଛି । ଅବତରଣ କରିଥିବା ବିମାନରେ ମୋଟ ୯୫୨ ଜଣ ଯାତ୍ରୀ ଆସିଥିବାବେଳେ ୯୦୪ଜଣ ଯାତ୍ରୀ ଏଠାରୁ ଉଡ଼ାଣ କରିଥିଲେ ବୋଲି ବିମାନ ବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
