/odisha-reporter/media/media_files/2026/01/08/deogarh-court-2026-01-08-16-50-00.jpg)
ରାଜ୍ୟର ୩ଟି କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଗୁରୁବାର ଧମକ ମିଳିଥିଲା। କଟକ, ସମ୍ବଲପୁର ଓ ଦେବଗଡ଼ ଜିଲ୍ଲା କୋର୍ଟକୁ ଉଡ଼ାଇ ଦେବା ପାଇଁ ଇମେଲ ମାଧ୍ୟମରେ ଆସିଥିଲା ଧମକ। ଏଥିପାଇଁ ବେଶ୍ କେଇ ଘଣ୍ଟା ଧରି ଏହି ସବୁ କୋର୍ଟଗୁଡ଼ିକ ଅଚଳ ହୋଇଯାଇଥିଲା। ତେବେ ଯାଞ୍ଚ ପରେ ଓ ଉକ୍ତ ଇମେଲ ମିଛ ବୋଲି ସ୍ପଷ୍ଟ ହେବା ପରେ ଅପରାହ୍ଣରେ କୋର୍ଟ କାର୍ଯ୍ୟ ପୁଣି ସ୍ୱାଭାବିକ ହୋଇଥିଲା।
ବୋମା ଧମକ ଯୋଗୁ ଏହି ତିନିଟି କୋର୍ଟ ସହିତ ହାଇକୋର୍ଟର କାର୍ଯ୍ୟ ମଧ୍ୟ କେଇ ଘଣ୍ଟା ପାଇଁ ବାଧାପ୍ରାପ୍ତ ହୋଇଥିଲା। ସୁରକ୍ଷା ଦୃଷ୍ଟିକୋଣରୁ ହାଇକୋର୍ଟ ବିଲ୍ଡିଂକୁ ଖାଲି କରି ଦିଆଯାଇଥିଲା। ସଂପୂର୍ଣ୍ଣ ଯାଞ୍ଚ ପରେ ପୁଣି ଥରେ ହାଇକୋର୍ଟର କାର୍ଯ୍ୟ ସ୍ୱାଭାବିକ ହୋଇଥିଲା। ମୁଖ୍ୟ ବିଚାରପତି ଓ ଆଉ ୩ ଜଣ ବିଚାରପତି ଶୁଣାଣି କରିଥିଲେ।
ବୋମା ଧମକ ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ କୋର୍ଟକୁ ଆସିଥିବା ମେଲ୍ ମିଥ୍ୟା। ଏହା ହୋକ୍ସ ମେଲ୍ ବୋଲି ଜଣାପଡ଼ିଛି। ଏହାକୁ ନେଇ ଆତଙ୍କିତ ହେବାର କାରଣ ନାହିଁ। ମୁଖ୍ୟମନ୍ତ୍ରୀ ତଦନ୍ତ ନିର୍ଦ୍ଦେଶ ଦେଇ ସାରିଛନ୍ତି। ଯିଏ ଏହି କାମ କରିଛନ୍ତି, ତାଙ୍କୁ ଚିହ୍ନଟ କରାଯିବ। ଯାଞ୍ଚ ପରେ କୋର୍ଟଗୁଡ଼ିକରେ କାର୍ଯ୍ୟ ସ୍ୱାଭାବିକ ହୋଇଛି।
ରାଜ୍ୟର ତିନିଟି ଜିଲ୍ଲା କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଆସିବା ପରେ ସେସବୁ ସ୍ଥାନରେ ପୁଲିସ ସହିତ ଆଣ୍ଟି ବମ୍ ସ୍କ୍ୱାଡ୍କୁ ମୁତୟନ କରାଯାଇଥିଲା। ମେଟାଲ ଡିଟେକ୍ଟର ଓ ସନ୍ଧାନୀ କୁକୁରର ମଧ୍ୟ ସାହାଯ୍ୟ ନିଆଯାଇଥିଲା। କୋର୍ଟଗୁଡ଼ିକୁ ପୂରା ଖାଲି କରି ଯାଞ୍ଚ କରାଯାଇଥିଲା। କୌଣସି ପ୍ରକାର ବିପଦ ନାହିଁ ବୋଲି ପୁଲିସ ସ୍ପଷ୍ଟ କରିବା ପରେ କୋର୍ଟଗୁଡ଼ିକର କାର୍ଯ୍ୟ ସ୍ୱାଭାବିକ ହୋଇଥିଲା।
କୋର୍ଟଗୁଡ଼ିକୁ ବୋମା ଧମକ ମିଳିବା ପରେ ଗୃହ ବିଭାଗ ତତ୍ପରତା ଦେଖାଇଥିଲା। ଆବଶ୍ୟକ ପଦକ୍ଷେପ ନେବା ପାଇଁ ଓ ବରିଷ୍ଠ ପୁଲିସ ଅଧିକାରୀମାନଙ୍କୁ କୋର୍ଟକୁ ପଠାଇବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଥିଲେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଏହାକୁ ଗୁରୁତ୍ୱର ସହିତ ନେଇ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଓ ଡିଜିପିଙ୍କ ସହିତ ଆଲୋଚନା କରିଥିଲେ। ସ୍ଥିତି ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିବା ସହିତ ସଂପୃକ୍ତ ଅପରାଧୀକୁ ଖୋଜି ବାହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଆଜି ସନ୍ଧ୍ୟାରେ ଏକ ଉଚ୍ଚସ୍ତରୀୟ ବୈଠକ ମଧ୍ୟ ଡାକିଛନ୍ତି।
ଏଭଳି ଧମକ କେବଳ ଓଡ଼ିଶାର ୩ଟି କୋର୍ଟକୁ ଆସି ନଥିଲା। ଅନ୍ୟ ରାଜ୍ୟର କୋର୍ଟଗୁଡ଼ିକୁ ମଧ୍ୟ ଏହି ଧମକ ଆସିଥିଲା। ବିହାରର ପାଟନା ସିଭିଲ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଆସିଥିଲା। ତା’ପୂର୍ବରୁ ଉତ୍ତରପ୍ରଦେଶ ଓ କର୍ଣ୍ଣାଟକାର କିଛି କୋର୍ଟ ଓ ତା’ପୂର୍ବରୁ ଗୁଜରାଟରେ କୋର୍ଟକୁ ଉଡ଼ାଇ ଦେବାକୁ ଧମକ ଆସିଥିଲା।
ଇମେଲ୍ କ’ଣ ଲେଖାହୋଇଥିଲା
ଯେଉଁ ଧମକପୂର୍ଣ୍ଣ ଇମେଲଟି ଆସିଛି, ସେଥିରେ ଲେଖା ହୋଇଛି ଯେ ତାମିଲନାଡୁରେ ନିବେତା ପେତୁରାଜ ଓ ଅନ୍ୟ ଡିଏମ୍କେ ଲୋକଙ୍କ ଘରେ କପଡ଼ା ଏବଂ ଅସନା ବାସନ ସଫା କରିବାକୁ କନଷ୍ଟେବଳମାନଙ୍କୁ ବାଧ୍ୟ କରାଯାଉଛି। ଫଳସ୍ୱରୂପ ସେମାନଙ୍କ ମଧ୍ୟରୁ ଅନେକୁ ଦୁଷ୍କର୍ମ କରାଯାଉଛି ଓ ହତ୍ୟା କରାଯାଉଛି। ସେଥିପାଇଁ ଏଲ୍ଟିଟିଇର ପୂର୍ବତନ ସଦସ୍ୟମାନେ ଆଜାଦ କଶ୍ମୀର ପାକ୍ ଆଇଏସ୍ଆଇର ସଦସ୍ୟମାନଙ୍କ ସହିତ ମିଶି ଏଭଳି ବ୍ୟବସ୍ଥାକୁ ବିରୋଧ କରି ଆପଣଙ୍କ କୋର୍ଟକୁ ଟାର୍ଗେଟ କରିଛୁ ଓ ତାମିଲନାଡୁରେ କନଷ୍ଟେବଲମାନଙ୍କ ପାଇଁ ୧୯୭୯ ନୈନାର ଦାସ ପୁଲିସ୍ ୟୁନିୟନର ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ପାଇଁ ଦାବି କରୁଛୁ।
ଏଥିରେ ଆହୁରି ଲେଖା ହୋଇଛି ଯେ କୋର୍ଟରୁମ୍ର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଆରଡିଏକ୍ସ ରଖାଯାଇଛି। ମଧ୍ୟାହ୍ନ ଭୋଜନ ବିରତି ବେଳେ ଏଲ୍ଟିଟିଇର ଜଣେ କିମ୍ବା ଦୁଇ ଜଣ ସଦସ୍ୟ କୋର୍ଟକୁ ଯିବେ। ସେମାନେ ରିମୋଟ କଣ୍ଟ୍ରୋଲ ଧରି କୋର୍ଟ ପରିସରରେ ୧୦୦ ଫୁଟ୍ ଭିତରକୁ ଯିବା ପରେ ଆଇଇଡି ବିସ୍ଫୋରକଗୁଡ଼ିକୁ ବିସ୍ଫୋରଣ କରାଯିବ। ଯଦି କୌଣସି କାରଣରୁ ବିସ୍ଫୋରଣ ନଘଟେ, ତା’ହେଲେ ଉକ୍ତ ସଦସ୍ୟମାନେ ନିଜେ କୋଠା ଭିତରେ ପଶି ବିସ୍ଫୋରଣ ଘଟାଇବେ। ତେଣୁ ଦୟାକରି ବିସ୍ଫୋରଣ ପୂର୍ବରୁ କୋର୍ଟ ବାହାରକୁ ଚାଲିଯାଆନ୍ତୁ।
ଏଥିରେ ଆହୁରି ଲେଖାଯାଇଛି ଯେ ଯଦି ଆକାଶ ଭାସ୍କରନଙ୍କୁ ଧରାଯାଇଛି, ତା’ହେଲେ ନିବେତା ପେତୁରାଜଙ୍କୁ ମଧ୍ୟ ଧରାଯିବ।
ଚିଠି ତଳେ ଅରୁଣ କୁମାର ଲେଖାଯାଇଛି। ସେହି ନାଁ ତଳେ ଏଲ୍ଟିଟିଇ ବୋଲି ଲେଖାଯାଇଛି।
ଇମେଲରେ ଯେଉଁମାନଙ୍କ ନାଁ ଅଛି, ସେମାନେ କିଏ
ମନରେ ଉତ୍କଣ୍ଠା ଜାଗ୍ରତ କରୁଛି, ଏହି ଧମକପୂର୍ଣ୍ଣ ଇମେଲରେ ଥିବା ତିନୋଟି ନାଁ। ସେହି ନାଁ ଗୁଡ଼ିକ ହେଲା- ନୈନାର ଦାସ, ନିବେତା ପେତୁରାଜ ଓ ଆକାଶ ଭାସ୍କରନ। ପ୍ରଶ୍ନ ଉଠୁଛି, କିଏ ଏହି ତିନି ଜଣ। ଆସନ୍ତୁ ଜାଣିବା ସେମାନଙ୍କ ସଂପର୍କରେ।
ଚିଠିରେ ଅଛି ନିବେତା ପେତୁରାଜଙ୍କ ନାଁ। ଇମେଲରେ ଲେଖାଅଛି, ତାମିଲନାଡୁରେ କନଷ୍ଟେବଳମାନଙ୍କୁ ନିବେତା ପେତୁରାଜଙ୍କ ପୋଷାକ ଏବଂ ଅସନା ବାସନ ସଫା କରିବା ପାଇଁ ବାଧ୍ୟ କରାଯାଉଛି। ନିବେତା ପେତୁରାଜ ହେଉଛନ୍ତି ତେଲୁଗୁ ଓ ତାମିଲ ଫିଲ୍ମର ଜଣେ ଅଭିନେତ୍ରୀ। ତାଙ୍କ ଜନ୍ମ ତାମଲିନାଡୁର ମଦୁରାଇରେ। ୨୦୨୫ ମସିହାରେ ସେ ମିସ୍ ଇଣ୍ଡିଆ ୟୁଏଇ କ୍ରାଉନ ପିନ୍ଧିଥିଲେ। ସୋଶାଲ ମିଡିଆରେ ତାଙ୍କର ରାଜହିତ୍ ଇବ୍ରାନଙ୍କ ସହ ସଂପର୍କ ଥିବା ନେଇ ଅନେକ ତଥ୍ୟ ମିଳୁଥିବା ବେଳେ ସେ ତାମିଲନାଡୁ ପୁଲସକୁ ବ୍ୟବହାର କରୁଥିବା ନେଇ କୌଣସି ତଥ୍ୟ ନାହିଁ। ତଥାପି ତାଙ୍କ ନାଁ କାହିଁ ଏହି ଧମକପୂର୍ଣ୍ଣ ଇମେଲରେ ଉଲ୍ଲେଖ ରହିଛି, ତାହା ପୁଲିସ୍ ତଦନ୍ତ ପରେ ଜଣାପଡ଼ିବ।
ଆଉ ଏକ ନାଁ ହେଉଛି ଆକାଶ ଭାସ୍କରନ। ସେ ହେଉଛନ୍ତି ତାମଲ ସିନେମାର ଜଣେ ପ୍ରଯୋଜକ। ସେ ଡନ୍ ପିକ୍ଚରର ମାଲିକ, ଯାହାଙ୍କୁ ବର୍ତ୍ତମାନ ଇଡି ଧରିଛି। ଆକାଶ ଅନେକ ହାଇବଜେଟ୍ ଫିଲ୍ମ ନିର୍ମାଣ କରିଛନ୍ତି। ତାଙ୍କ ଫିଲ୍ମ ନିର୍ମାଣରେ ୪୦୦ ରୁ ୫୫୦ କୋଟି ଟଙ୍କା ଖର୍ଚ୍ଚ ହୁଏ। ତାଙ୍କ ଫିଲ୍ମ ମଧ୍ୟରେ ରହିଛି ଇଡଲି କଡ଼ାଇ, ଯେଉଁଥିରେ ଧନୁଶ ଅଭିନୟ କରିଛନ୍ତି। ଶବା କାର୍ତ୍ତେକେୟନଙ୍କ ଫିଲ୍ମ ପରାଶକ୍ତି, ଶଲାମ୍ବାରାସନ୍ ଫିଲ୍ମର ମଧ୍ୟ ପ୍ରଯୋଜକ ସେ। ଚିଠିରେ ଉଲ୍ଲେଖ ଅଛି ଯେ, ଯଦି ତାଙ୍କୁ ଧରା ହୋଇଛି, ତେବେ ନିବେତା ପେତୁରାଜଙ୍କୁ ମଧ୍ୟ ଧରାଯିବ। ତେବେ ଆକାଶ ଭାସ୍କରନଙ୍କ ନାଁ କାହିଁକି ଉଲ୍ଲେଖ କରାଯାଇଛି, ତାଙ୍କ ସହ ଇମେଲ ପଠାଇଥିବା ଅରୁଣ କୁମାରଙ୍କର କି ସଂପର୍କ ଅଛି, ତାହା ପୁଲିସ୍ ତଦନ୍ତ ପରେ ହୁଏତ ଜଣାପଡ଼ିବ।
ସେହିପରି ଇମେଲରେ ଥିବା ଆଉ ଜଣେ ଚରିତ୍ର ହେଲେ ନୈନାର ଦାସ। ସେଥିରେ ଲେଖାଯାଇଛି, ତାମଲିନାଡୁରେ କନଷ୍ଟେବଳମାନଙ୍କ ପାଇଁ ୧୯୭୯ ନୈନାର ଦାସ ପୋଲିସ ୟୁନିୟନ ସୁପାରିଶକୁ କାର୍ଯ୍ୟକାରୀ କରାଯାଉ। ତେବେ କିଏ ଏହି ନୈନାର। ନୈନାର ଥିଲେ ତାମିଲନାଡୁ ପୁଲିସର ଜଣେ ସବଇନ୍ସପେକ୍ଟର। ସେ ପୁଲିସ ଇନସପେକ୍ଟର ଏବଂ ସବ୍-ଇନସ୍ପପେକ୍ଟର ସଂଘର ସଭାପତି ଥିଲେ। ଏମଜିଆର ଯେତେବେଳେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଥିଲେ, ସେତେବେଳେ ସେଠାରେ ଏକ ବଡ଼ ପୁଲିସ୍ ଆନ୍ଦୋଳନ ହୋଇଥିଲା। ଏଥିରେ ୩୦୦୦ ପୁଲିସ କର୍ମଚାରୀଙ୍କୁ ଗିରଫ କରାଯିବା ସହ ଶତାଧିକ ପୁଲିସ୍ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା। ଆନ୍ଦୋଳନକୁ ଭାଙ୍ଗିବା ପାଇଁ ସେତେବେଳେ ଏମଜିଆର କେନ୍ଦ୍ରର ସୁରକ୍ଷା ବଳ ଏବଂ ବିଭିନ୍ନ ରାଜ୍ୟର ପୁଲିସର ସହାୟତା ଲୋଡ଼ିଥିଲେ।
ରାଜ୍ୟର ବିଭିନ୍ନ କୋର୍ଟକୁ ଆସିଥିବା ଏଭଳି ଧମକପୂର୍ଣ୍ଣ ଚିଠର ତଦନ୍ତ କରୁଛି ଓଡ଼ିଶା ପୁଲିସ୍। ତେବେ ଚିଠିରେ ଥିବା ଚରିତ୍ରମାନଙ୍କର କାହା ସହ କାହର ତାଳମେଳ ନଥିବା ଭଳି ଲାଗୁଛି। ଏପରିକି ନିବେତା ପେତୁରାଜ ଓ ଆକାଶ ଭାସ୍କରନ୍ ତାମିଲ୍ ଅଭିନେତ୍ରୀ ଓ ପ୍ରଯୋଜକ କି ନୁହେଁ, ତାହା ପୁଲିସ୍ ସ୍ପଷ୍ଟ କରିନାହିଁ। ପୁଲିସ୍ ତଦନ୍ତ ପରେ ଏହା ହୁଏତ ସ୍ପଷ୍ଟ ହେବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
