Advertisment

ରାଜନୀତି ଚକ୍ରବ୍ୟୁହରେ ଫସିଛନ୍ତି ୪୦ ଆଦିବାସୀ ପରିବାର, ପାଉ ନାହାନ୍ତି ପକ୍କା ଘର

ଏସବୁ ପଛରେ ରହିଛି ସରକାରଙ୍କ ପକ୍ଷରୁ କରାଯାଇଥିବା ୨୦୧୧ ସାମାଜିକ ଅର୍ଥନୈତିକ ଜନଗଣନାର ତାଲିକାରେ ତ୍ରୁଟି।

ଅଦ୍ୟତନ ହୋଇଛି
ST villager

ST villager

Advertisment

ରାଜନୈତିକ ଶତ୍ରୁତା ଯୋଗୁ ୪୦ ଆଦିବାସୀ ପରିବାରକୁ ଦେଲେନି ପକ୍କା ଘର। ପ୍ରଧାନମନ୍ତ୍ରୀ ଆବାସ ଯୋଗ୍ୟ ହିତାଧିକାରୀ ତାଲିକାକୁ ନେଇ ବିଭିନ୍ନ ସ୍ଥାନରେ ଅସନ୍ତୋଷ କୁହୁଳୁ ଥିବା ବେଳେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଉପାନ୍ତଇଲାକା ତଳଗାଁ ପଞ୍ଚାୟତର ଖଳିସାହି ଗାଁ ରୁ ଆସିଛି ଏହି ଉଦ୍‌ବେଗଜନକ ତଥ୍ୟ। ଏନେଇ ସେମାନେ ଆଜି ବୌଦ୍ଧ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବାକୁ ଆସିଥିଲେ। ତାଙ୍କୁ ନ ପାଇବାରୁ ଉପଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ ଜଣାଇଛନ୍ତି।

Advertisment

ସେପଟେ ଗ୍ରାଉଣ୍ଡ ଜିରୋକୁ ଯିବା ବେଳେ ଏହି ସାହିରେ ୯୯ ପ୍ରତିଶତ ଲୋକ ଝାଟିମାଟିରେ ତିଆରି ଚାଳ ଛପର ଘରେ ବସବାସ କରୁଥିବା ଦେଖିବାକୁ ମିଳିଥିଲା। ଏହି ଲୋକମାନେ ଗରିବ, ଅସହାୟ ଓ ଦାରିଦ୍ର ସୀମାରେଖା ତଳେ ରହିଛନ୍ତି। ସରକାରଙ୍କ ଅଧିକାଂଶ ଯୋଜନା ଏଠାକୁ ଅପହଞ୍ଚ ହୋଇ ରହିଛି। ଗାଁକୁ ଭଲ ରାସ୍ତାଟିଏ ନାହିଁ। ଗାଁକୁ ଯୋଗଯୋଗ କରୁଥିବା ପୋଲ ଭାଙ୍ଗି ଯାଇଥିଲେ ହେଁ ତିଆରି କରାଯାଉନାହିଁ। ବର୍ଷ ତମାମ ଏହି ଆଦିବାସୀ ଲୋକେ ମୂଲ ଲାଗି ପରିବାର ଗୁଜୁରାଣ ଚଳାଉଛନ୍ତି। ଟଙ୍କା ଅଭାବରୁ ଅନେକ ଲୋକ ନିଜର ଘର ଛପର କରି ପାରିନାହାନ୍ତି। ଦିନରେ ଚାଳ ବାଟେ ସୂର୍ଯ୍ୟ ଦେଖା ଯାଉଥିବା ବେଳେ ରାତିରେ ଚନ୍ଦ୍ର ଦେଖାଯାଉଛି। ବର୍ଷାଦିନେ ଅଧିକାଂଶ ପରିବାର ଅନ୍ୟ ଘରେ କିମ୍ବା ସ୍କୁଲ ବାରଣ୍ଡାରେ ମୁଣ୍ଡ ଗୁଞ୍ଜୁଛନ୍ତି।

ଖାଲି ସେତିକି ନୁହେଁ, ସାମାଜିକ ଅର୍ଥନୈତିକ ଜନଗଣନା ତାଲିକାରେ ପ୍ରଶାସନ ପକ୍ଷରୁ ଏହି ଗାଁ ଲୋକଙ୍କୁ ମଧ୍ୟ ଯୋଡ଼ା ଯାଇ ନାହିଁ। ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ଏନେଇ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିଛନ୍ତି। ହେଲେ ସବୁ ଠାରୁ ତାଙ୍କୁ ନିରାଶ ହେବାକୁ ପଡ଼ିଛି।

Advertisment

ବର୍ଷେ କି ଦୁଇ ବର୍ଷ ନୁହେଁ ଆଜକୁ ୧୦ ବର୍ଷ ହେଲା ଘର ଖଣ୍ଡିଏ ପାଇଁ ଖଳିସାହି ଗାଁ ଲୋକେ ବାରଦୁଆର ହେଉଛନ୍ତି। ଏସବୁ ପଛରେ ରହିଛି ସରକାରଙ୍କ ପକ୍ଷରୁ କରାଯାଇଥିବା ୨୦୧୧ ସାମାଜିକ ଅର୍ଥନୈତିକ ଜନଗଣନାର ତାଲିକାରେ ତ୍ରୁଟି। ୨୦୧୧ ମସିହାରେ ହୋଇଥିବା ଜନଗଣନାରେ ଖଳିସାହି ଗାଁରେ ବସବାସ କରୁଥିବା ସମସ୍ତ ଲୋକଙ୍କ ତାଲିକା ସାମାଜିକ ଅର୍ଥନୈତିକ ଜନଗଣନା ତାଲିକାରେ ଅନ୍ତର୍ଭୁକ୍ତ କରାଯାଇନଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସର୍ଭେ କରୁଥିବା ଅଧିକାରୀଙ୍କ ରାଜନୈତିକ ଆକ୍ରୋଶର ଶିକାର ହୋଇଥିଲେ ଏହି ଗ୍ରାମବାସୀ। ତେଣୁ ନା ଏହି ଗାଁକୁ ରାସ୍ତା ହୋଇପାରୁଛି, ନା ସେମାନଙ୍କୁ ପକ୍କାଘର ମିଳିପାରୁଛି। ସ୍ୱାଧୀନ ଭାରତରେ ଏହି ଆଦିବାସୀ ପରିବାର ସେମାନଙ୍କ ଅଧିକାର ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି।

ସେପଟେ ସରକାର ଓ ଜିଲ୍ଲା ପ୍ରଶାସନ ଅଣଦେଖା କରାଯିବା ଏହି ଗ୍ରାମବାସୀଙ୍କ ଭିତରେ ଅସନ୍ତୋଷ ସୃଷ୍ଟି କରିଛି।

ଗ୍ରାମବାସୀ ମନୋହର କହଁର, ରବୀନ୍ଦ୍ର କହଁର, ବାବୁଲା ପ୍ରଧାନ କହିଛନ୍ତି, ସ୍ଥାନୀୟ ପଞ୍ଚାୟତରୁ ନିର୍ବାଚିତ ଜନପ୍ରତିନିଧିମାନେ ଭାବୁଛନ୍ତି ଆମେ ସେମାନଙ୍କୁ ୨୦୧୭ ନିର୍ବାଚନରେ ଭୋଟ ଦେଇନୁ ବୋଲି। ତେଣୁ ସେମାନଙ୍କ ମନରେ ରାଜନୈତିକ ଫିଲିଙ୍ଗ୍ ଆସିଛି। କିଛିଦିନ ତଳେ ସମସ୍ତଙ୍କ ଘରକୁ ୪ଟି ଲେଖାଏଁ ବିଦ୍ୟୁତ୍ ବଲ୍ବ ଦେଲେ। ହେଲେ ଖଳିସାହି ଲୋକଙ୍କୁ ଦେବେନି ବୋଲି ସଫାସଫା ମନା କରିଦେଲେ। ପକ୍କାଘର ଦୂରର କଥା, ଜରିପାଲ ଖଣ୍ଡେ ମଧ୍ୟ ଦେଉନାହାନ୍ତି। ରାସ୍ତା ନ ଥିବାରୁ ଗାଁକୁ ଗାଡ଼ି ଆସି ପାରୁନି। ତେଣୁ ସମସ୍ତେ ବହୁତ ଅସୁବିଧାରେ ଅଛନ୍ତି ଓ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ରୋଗୀ ଓ ଗର୍ଭବତୀ ଡାକ୍ତରଖାନା ପହଞ୍ଚିବା ନିମନ୍ତେ କଷ୍ଟ ଭୋଗୁଛନ୍ତି। କିଛିମାସ ତଳେ ବିଡିଓଙ୍କୁ ଅଭିଯୋଗ କରିବା ବେଳେ ସେ ଫର୍ମ ଯୋଗେ ପକ୍କାଘର ପାଇବା ଦରଖାସ୍ତ କରିବାକୁ କହିଥିଲେ। ଫର୍ମ ପୂରଣ କରି ଦରଖାସ୍ତ କରାଯାଇଥିଲେ ହେଁ ଏବେ ପ୍ରକାଶ ପାଇଥିବା ତାଲିକାରେ କାହାରି ନାଁ ନାହିଁ। ସମସ୍ତଙ୍କ ନାଁ କାଟି ଦିଆଯାଇଛି। ଗରିବ ଲୋକଙ୍କ ପାଇଁ ସରକାର ଯୋଜନା କରିଛନ୍ତି, ହେଲେ ଗରିବଙ୍କ ପାଖରେ ପହଞ୍ଚୁନି। ବାଟମାରଣା ହୋଇଯାଉଛି। ସରକାର ଏଥିପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଲୋକଙ୍କୁ ନ୍ୟାୟ ଦିଅନ୍ତୁ।

ଉପଜିଲ୍ଲାପାଳ ରବୀନ୍ଦ୍ର କହଁର କହିଛନ୍ତି, ଏହି ଗ୍ରାମବାସୀଙ୍କ ଦରଖାସ୍ତ ହସ୍ତଗତ ହୋଇଛି। ସର୍ଭେ କରାଯାଇ ସେମାନଙ୍କୁ ପକ୍କାଘର ଯୋଗାଇ ଦେବାକୁ ପ୍ରୟାସ କରାଯିବ।

ତେବେ ଦେଖିବାର କଥା ସରକାରଙ୍କ ପାତରଅନ୍ତର ଏହି ୪୦ ଆଦିବାସୀ ପରିବାରଙ୍କ ଉପରୁ କେବେ ଉଠୁଛି ଓ ଦୀର୍ଘ ୧୦ବର୍ଷ ଧରି ଘରେ ଖଣ୍ଡେ ପାଇବାକୁ ସଂଘର୍ଷ କରିଥିବା ଆଦିବାସୀ ପରିବାର କେବେ ଉପକୃତ ହେଉଛନ୍ତି ?

ରିପୋର୍ଟ ବୌଦ୍ଧରୁ ଦୀପକ ଅଦର

KhaliSahi Villageଖଳିସାହି ଗାଁ।
Arrogant Government Dream House
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe