Advertisment

5T ସଚିବଙ୍କ ପାଇଁ ବୌଦ୍ଧରେ ଅଣ୍ଡା ବିକ୍ରି ବନ୍ଦ, ତଥାପି ହେଲା ଅଣ୍ଡାମାଡ଼

ମିଳିଥିବା ସୂଚନା ଅନୁସାରେ ସ୍ୱାସ୍ଥ୍ୟ ଓ ପୁଲିସ୍‌ ବିଭାଗର କର୍ମଚାରୀମାନେ ବୌଦ୍ଧ ସହର ଦୋକାନରୁ ଦୋକାନ ବୁଲିଥିଲେ। ବୁଧବାର ସନ୍ଧ୍ୟା ୭ଟା ଯାଏ ଅଣ୍ଡା ବିକ୍ରି ନକରିବାକୁ କହିଥିଲେ। କେବଳ ସେତିକି ନୁହେଁ, ପ୍ରତି ଦୋକାନରେ କେତୋଟି ଅଣ୍ଡା ଅଛି ତାକୁ ଗଣତି କରିଥିଲେ।

ଅଦ୍ୟତନ ହୋଇଛି
Boudh

Boudh

Advertisment

ମଙ୍ଗଳବାରଠାରୁ ବୌଦ୍ଧ ଟାଉନ୍‌ରେ ଅଣ୍ଡା ବିକ୍ରି ବନ୍ଦ ରହିଛି। ପ୍ରଶାସନ ଅଣ୍ଡା ବିକ୍ରି ଉପରେ କଟକଣା ଜାରି କରିଛି। 5T ସଚିବ ଭି.କେ ପାଣ୍ଡିଆନ୍‌ଙ୍କ ଗସ୍ତ ପାଇଁ ପ୍ରଶାସନ ଏପରି ନିଷ୍ପତ୍ତି ନେଇଥିବା ଆଲୋଚନା ହେଉଛି। ଏଥିସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି। ଏହାସତ୍ତ୍ୱେ ଆଜି 5T ସଚିବ ଭି.କେ ପାଣ୍ଡିଆନ୍‌ଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ ହୋଇଛି। 5T ସଚିବ ମ୍ୟୁଜିୟମ୍‌ରୁ ବାହାରି ହରଭଙ୍ଗା ବ୍ଲକ ଅଭିମୁଖେ ଯାଉଥିବା ବେଳେ ଏହି ଅଣ୍ଡା ମାଡ଼ ହୋଇଛି।

Advertisment

ମଙ୍ଗଳବାର 5T ସଚିବ ଭି.କେ ପାଣ୍ଡିଆନ୍‌ ସୁବର୍ଣ୍ଣପୁର ଗସ୍ତରେ ଯାଇଥିଲେ। ସେହି ସମୟରେ ତାଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ବୌଦ୍ଧ ଜିଲ୍ଲା ପ୍ରଶାସନ ତତ୍ପର ହୋଇଥିଲା। ସୁବର୍ଣ୍ଣପୁର ପରି ସ୍ଥିତି ଯେପରି ବୌଦ୍ଧରେ ନହେବ, ସେଥିପ୍ରତି ବିଶେଷ ଧ୍ୟାନ ଦେଇଥିଲା। 5T ସଚିବ ଭି.କେ ପାଣ୍ଡିଆନ୍‌ଙ୍କ ଗସ୍ତର ୧୨ ଘଣ୍ଟା ପୂର୍ବରୁ ଅର୍ଥାତ ମଙ୍ଗଳବାର ସନ୍ଧ୍ୟାରୁ ଅଣ୍ଡା ବିକ୍ରି ଉପରେ କଟକଣା ଲଗାଯାଇଥିଲା।

ମିଳିଥିବା ସୂଚନା ଅନୁସାରେ ସ୍ୱାସ୍ଥ୍ୟ ଓ ପୁଲିସ୍‌ ବିଭାଗର କର୍ମଚାରୀମାନେ ବୌଦ୍ଧ ସହର ଦୋକାନରୁ ଦୋକାନ ବୁଲିଥିଲେ। ବୁଧବାର ସନ୍ଧ୍ୟା ୭ଟା ଯାଏ ଅଣ୍ଡା ବିକ୍ରି ନକରିବାକୁ କହିଥିଲେ। କେବଳ ସେତିକି ନୁହେଁ, ପ୍ରତି ଦୋକାନରେ କେତୋଟି ଅଣ୍ଡା ଅଛି ତାକୁ ଗଣତି କରିଥିଲେ। ଯଦି କୌଣସି ବ୍ୟବସାୟୀ ଏହି ଅଘୋଷିତ ନୀତି ନିୟମର ଉଲ୍ଲଂଘନ କରି ଅଣ୍ଡା ବିକ୍ରି କରନ୍ତି, ତା’ହେଲେ ସମ୍ପୃକ୍ତ ଦୋକାନକୁ ସବୁଦିନ ପାଇଁ ସିଲ୍‌ କରି ଦିଆଯିବ ବୋଲି ଚେତାବନୀ ଦିଆଯାଇଥିବା ଆଲୋଚନା ହେଉଛି। ଯେଉଁଥିପାଇଁ ଆଜି ବୌଦ୍ଧ ଟାଉନ୍‌ରେ ଅଣ୍ଡା ମିଳୁନି। ଲୋକମାନେ ଅଣ୍ଡା କିଣିବାକୁ ଯାଇ ଖାଲି ହାତରେ ଫେରିଛନ୍ତି। ଏତେ ସବୁ ସତର୍କତାମୂଳକ ବ୍ୟବସ୍ଥା ସତ୍ତ୍ୱେ ପାଣ୍ଡିଆନ୍‌ଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ ହୋଇଛି।

Advertisment

ସେପଟେ ଆଜି ୫ଟି ସଚିବ ଭି.କେ ପାଣ୍ଡିଆନ୍‌ ସ୍ୱତନ୍ତ୍ର ହେଲିକପ୍ଟରରେ ବୌଦ୍ଧ କଚେରୀ ପଡ଼ିଆରେ ଓହ୍ଲାଇଥିଲେ। ସେଠାରେ ସେ ଲୋକଙ୍କ ଅଭିଯୋଗ ଶୁଣିବା ପରେ ମହାନଦୀର ଆରତୀ ଘାଟ ଓ ବୁଣାକାର ବଜାର ବୁଲିଥିଲେ। ତା’ପରେ ସେ ମ୍ୟୁଜିୟମକୁ ଯାଉଥିଲେ। ସେହି ସମୟରେ କଂଗ୍ରେସ କର୍ମୀମାନେ ତାଙ୍କୁ କଳା ପତାକୁ ଦେଖାଇଥିଲେ। କିଛି ସମୟରେ ମ୍ୟୁଜିୟମ୍‌ ପଛ ପାର୍ଶ୍ୱ ଗେଟ୍‌ ଦେଇ ଭି.କେ ପାଣ୍ଡିଆନ୍‌ ବାହାରି ହରଭଙ୍ଗା ବ୍ଲକ ଅଭିମୁଖେ ଯାଇଥିଲେ। ଠିକ୍‌ ସେହି ସମୟରେ ତାଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ ହୋଇଥିଲା। ଗୋଟିଏ ଅଣ୍ଡା ତାଙ୍କ କାରରେ ବାଜିଥିବା ଦେଖିବାକୁ ମିଳିଛି। କଂଗ୍ରେସ କର୍ମୀ ଅଣ୍ଡା ମାଡ଼ କରିଥିବା ଆଲୋଚନା ହେଉଛି।

ବୌଦ୍ଧ ଟାଉନ୍‌ର ଜଣେ ଅଣ୍ଡା ବ୍ୟବସାୟୀ ବେଣୁଧର ମେହେର କହିଛନ୍ତି, ଗତକାଲି ସନ୍ଧ୍ୟା ସାଢ଼େ ୬ଟା ବେଳେ ଜିଲ୍ଲା ପ୍ରଶାସନର କର୍ମକର୍ତ୍ତାମାନେ ଦୋକାନରେ ପହଞ୍ଚିଥିଲେ। ଆଉ କହିଲେ 5T ସଚିବ ଆସୁଥିବାରୁ ବୁଧବାର ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଦୋକାନ ବନ୍ଦ କରିବ। ତାଙ୍କ କଥାକୁ ମାନି ଅଣ୍ଡା ଦୋକାନ ବନ୍ଦ କରିବାକୁ ପଡ଼ିଲା। ଏହାଦ୍ୱାରା ସ୍କୁଲକୁ ଅଣ୍ଡା ଯାଇ ପାରିଲା ନାହିଁ। ଖାଉଟି ହନ୍ତସନ୍ତ ହେଲେ। ଏହା ଆମ ଜୀବନ ଜୀବିକା ଉପରେ ପ୍ରଭାବ ପଡ଼ୁଛି। କୌଣସି ପର୍ବପର୍ବାଣୀ ଅଣ୍ଡା ଦୋକାନ ବନ୍ଦ ହେଉନାହିଁ। କିନ୍ତୁ ପ୍ରଥମ ଥର ପାଇଁ 5T ସଚିବଙ୍କ ପାଇଁ ଅଣ୍ଡା ଦୋକାନ ବନ୍ଦ କଲୁ ବୋଲି ଶ୍ରୀ ମେହେର କହିଛନ୍ତି।

ରିପୋର୍ଟ-ବୌଦ୍ଧରୁ ଦୀପକ ଅଦର

Boudh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe