/odisha-reporter/media/media_files/2026/01/25/accident-2026-01-25-14-04-03.jpg)
ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ତୋରସିଂ-ରୁଅପଡ଼ା ରାସ୍ତାରେ ଥିବା ଏକ ପୁରୁଣା ତଥା ଦୁର୍ବଳ ପୋଲ ରବିବାର ସକାଳେ ଭୁଶୁଡ଼ି ପଡ଼ିଛି। ଏଥିରେ କେହି ହତାହତ ହୋଇନଥିବା ବେଳେ ଏକ ମାଟି ବୋଝେଇ ହାଇୱା ଏଥିରେ ଫସି ଯାଇଛି।
ମାଟି ବୋଝେଇ ହାଇୱାଟି ଗମ୍ଭାରୀମୁଣ୍ଡାରୁ ବାଣପୁର ଯାଉଥିଲା। ହାଇୱାଟି ପୋଲ ଅତିକ୍ରମ କରୁଥିବା ବେଳେ ତାହା ଭୁଶୁଡ଼ି ପଡ଼ିଥିଲା। ଏହି ଅଘଟଣ ପରେ ହାଇୱା ଡ୍ରାଇଭର ଓ ହେଲପର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସେମାନେ ସାମାନ୍ୟ ଆହତ ହୋଇଥିବା କୁହାଯାଉଛି। ପୋଲଟି ଭୁଶୁଡ଼ି ପଡ଼ିବା ଯୋଗୁ ୮/୧୦ ଖଣ୍ଡ ଗାଁକୁ ଯାୟତାୟ ଏକ ପ୍ରକାର ଠପ୍ ହୋଇଯାଇଛି।
ପୋଲଟିକୁ ୪୦ ବର୍ଷ ହୋଇଥିଲା। ଏହା ଦୁର୍ବଳ ହୋଇଯାଇଥିଲା। ନୂଆ ପୋଲ ତିଆରି କରିବା ପାଇଁ ଅଞ୍ଚଳବାସୀ ବାରମ୍ବାର ଦାବି କରିଥିଲେ। ୨୦୨୧ରେ ଏଠାରେ ଏକ ନୂଆ ପୋଲ ତିଆରି କରିବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଥିଲା। ୨୦୨୨ରେ ଏହାକୁ ଶେଷ କରିବା ପାଇଁ ଯୋଜନା ରହିଥିଲା। ଏଥିପାଇଁ ୨ କୋଟି ୩୯ ଲକ୍ଷ ୯୨ ହଜାର ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା। ହେଲେ ନୂଆ ସେତୁ ହୋଇପାରି ନାହିଁ। କାମକୁ ଅଧପନ୍ତରିଆ ଛାଡ଼ି ଠିକାଦାର ପଳାଇଥିଲେ।
ତା’ପରଠାରୁ ଏହି ପୋଲି ନିର୍ମାଣ ପାଇଁ ପ୍ରଶାସନିକ ସ୍ତରରେ ବା ସରକାରଙ୍କ ପକ୍ଷରୁ ଆନ୍ତରିକତା ଦେଖାଯାଇ ନାହିଁ ବୋଲି ଲୋକେ ଅଭିଯୋଗ କରିଛନ୍ତି। ବାରମ୍ବାର କୁହାଯାଇଥିଲେ ବି କିଛି ସୁଫଳ ମିଳିନି। ଫଳରେ ଆଜି ଏମିତି ଏକ ଘଟଣା ଘଟିଗଲା। ତେବେ ସୌଭାଗ୍ୟବଶତଃ କୌଣସି ଯାତ୍ରୀବାହୀ ଗାଡ଼ି ଗଲା ବେଳେ ଅଘଟଣ ଘଟିନାହିଁ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।
ଲୋକେ ଆହୁରି ଅଭିଯୋଗ କରିଛନ୍ତି ଯେ ପୋଲଟି ଦୁର୍ବଳ ହୋଇଯାଇଥିବା ସତ୍ତ୍ୱେ ତା’ଉପରେ ଏହି ଭଳି ୧୦ ଚକିଆ ଟ୍ରକ୍ରେ ମାଟି ଓ ଅନ୍ୟାନ୍ୟ ଜିନିଷ ପରିବହନ ହେଉଥିଲା। ଏ କଥା କ’ଣ ପ୍ରଶାସନ ଜାଣିନାହିଁ। କାହିଁକି ଏହାକୁ ରୋକିବାକୁ ପ୍ରଶାସନ ପଦକ୍ଷେପ ନେଲା ନାହିଁ ବୋଲି ସେମାନେ ପ୍ରଶ୍ନ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
