Advertisment

Budget ଏଥର ଭାଷଣ ଅବଧି କମାଇଲେ ମୋହନ, ‘ଜୟ ଜଗନ୍ନାଥ’ ବଦଳରେ କହିଲେ ‘ବନ୍ଦେ ମାତରମ୍‌’

ମୁଖ୍ୟମନ୍ତ୍ରୀ ନିଜର ପୂର୍ବ ଦୁଇଥର ବଜେଟ୍ ଅଭିଭାଷଣ ‘ଜୟ ଜଗନ୍ନାଥ’ କହି ଆରମ୍ଭ କରିଥିବାବେଳେ ଏଥର ‘ବନ୍ଦେ ମାତରମ’ରୁ ଆରମ୍ଭ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଚଳିତ ବଜେଟ୍ ଅଭିଭାଷଣ ତାଙ୍କର ପୂର୍ବ ଦୁଇଥରର ଅଭିଭାଷଣ ଅବଧି ତୁଳନାରେ କମ୍ ରହିଥିଲା ।

author-image
Prakaash Sethi
CM-GOVERNOR

ରାଜ୍ୟ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କ୍ରମାଗତ ତୃତୀୟ ଥର ପାଇଁ ବିଧାନସଭାରେ ବାର୍ଷିକ ବଜେଟ୍ ଉପସ୍ଥାପନ କରିଛନ୍ତି। ରାଜ୍ୟ ବଜେଟ୍ ପରିମାଣ ପ୍ରଥମଥର ପାଇଁ ୩ଲକ୍ଷ କୋଟି ଅତିକ୍ରମ କରିଛି। ମୁଖ୍ୟମନ୍ତ୍ରୀଙ୍କ ଚଳିତ ବଜେଟ୍ ଅଭିଭାଷଣ ତାଙ୍କର ପୂର୍ବ ଦୁଇଥରର ଅଭିଭାଷଣ ଅବଧି ତୁଳନାରେ କମ୍ ଥିବା ଜଣାପଡ଼ିଛି । ପୂର୍ବ ଦୁଇଥର ମୁଖ୍ୟମନ୍ତ୍ରୀ ନିଜର ବଜେଟ୍ ଅଭିଭାଷଣ ‘ଜୟ ଜଗନ୍ନାଥ’ କହି ଆରମ୍ଭ କରିଥିବାବେଳେ ଏଥର ‘ବନ୍ଦେ ମାତରମ’ କହି ଆରମ୍ଭ କରିଥିଲେ ।

Advertisment

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଫେବୃୟାରୀ ୨୦ତାରିଖରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୩.୧୦ଲକ୍ଷ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କର ବଜେଟ୍ ଅଭିଭାଷଣ ‘ବନ୍ଦେ ମାତରମ’ରୁ ଆରମ୍ଭ କରି ‘ଜୟହିନ୍ଦ’ରେ ସମାପ୍ତ କରିଥିଲେ। ଅଭିଭାଷଣର ଶେଷ ଭାଗରେ ଭକ୍ତକବି ମଧୁସୂଦନ ରାଓଙ୍କ ରଚିତ କାଳଜୟୀ କବିତା ‘ଉତ୍କଳ ଗାଥା’ର ପଂକ୍ତିକୁ ଉଦ୍ଧାର କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଭାଷଣ ଅପରାହ୍ନ ୪ଟା ୧୭ମିନିଟରେ ଆରମ୍ଭ ହୋଇ ୨ଘଣ୍ଟା ୩୦ସେକେଣ୍ଡ ଚାଲିଥିଲା।

ସେହିପରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ତାଙ୍କ ସରକାରର ପ୍ରଥମ ପୂର୍ଣ୍ଣାଙ୍ଗ ବାର୍ଷିକ ବଜେଟ୍  ୨୦୨୪ ଜୁଲାଇ ୨୫ତାରିଖରେ ଉପସ୍ଥାପନ କରିଥିଲେ । ବିଧାନସଭାରେ ‘ଜୟ ଜଗନ୍ନାଥ’ କହି ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୨.୬୫ଲକ୍ଷ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଥିଲେ। ସେ ୨ଘଣ୍ଟା ୯ମିନିଟ୍ ପର୍ଯ୍ୟନ୍ତ ନିଜର ବଜେଟ୍ ଅଭିଭାଷଣ ରଖିଥିଲେ। କବି ଗୋଦାବରୀଶ ମହାପାତ୍ରଙ୍କ ‘ଦୁର୍ଗମ ଯାତ୍ରୀ’ କବିତାର ପଂକ୍ତିକୁ ଉଦ୍ଧାର କରି ନିଜର ଭାଷଣ ‘ଜୟହିନ୍ଦ’ରେ ସମାପ୍ତ କରିଥିଲେ।

Advertisment


ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିଜ ସରକାରର ଦ୍ୱିତୀୟ ପୂର୍ଣ୍ଣାଙ୍ଗ ବଜେଟ୍ ୨୦୨୫ ଫେବୃୟାରୀ ୧୭ତାରିଖରେ ବିଧାନସଭାରେ ଉପସ୍ଥାପନ କରିଥିଲେ। ମୁଖ୍ୟମନ୍ତ୍ରୀ ‘ଜୟ ଜଗନ୍ନାଥ’ କହି ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୨.୯୦ଲକ୍ଷ କୋଟି ଟଙ୍କାର ଉପସ୍ଥାପନ କରିଥିଲେ। ବଜେଟ୍ ଅଭିଭାଷଣର ଶେଷଭାଗରେ ନାରୀ କବି ବିଦ୍ୟୁତପ୍ରଭା ଦେବୀଙ୍କ ‘ସର୍ବଂସହା ମାଟି’ର କବିତାର ପଂକ୍ତିକୁ ଉଦ୍ଧାର କରି ନିଜର ଭାଷଣ ‘ଜୟହିନ୍ଦ’ରେ ସମାପ୍ତ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହି ବଜେଟ୍ ଅଭିଭାଷଣ ପ୍ରାୟ ୨ଘଣ୍ଟା ୪୪ମିନିଟର ଥିଲା। ଯାହାକି ସର୍ବାଧିକ ଅବଧିର ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବା ପୂର୍ବରୁ ଲୋକଭବନ ଯାଇ ସେଠାରେ ରାଜ୍ୟପାଳ ଡଃ ହରିବାବୁ କମ୍ଭମପାଟିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଆଉ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ସେ ‘ଦହି-ଚିନି’ ଖୁଆଇଥିବା ସରକାରୀ ଭାବେ ସୂଚନା ଦିଆଯାଇଛି।

ଓଡ଼ିଶା ବିଧାନସଭାରେ ବଜେଟ୍ ଉପସ୍ଥାପନ ପୂର୍ବରୁ ଅର୍ଥମନ୍ତ୍ରୀମାନେ ନିଜର ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥାନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିଜେ ଅର୍ଥ ବିଭାଗ ଦାୟିତ୍ୱରେ ଥିବାରୁ ଲୋକଭବନ ଯାଇ ରାଜ୍ୟପାଳ ଡଃ କମ୍ଭମପାଟିଙ୍କୁ (Odisha Budget) ବଜେଟ୍ ପ୍ରସ୍ତାବଗୁଡ଼ିକର ରୂପରେଖ ଓ ପ୍ରାଥମିକତା ସମ୍ପର୍କରେ ଅବଗତ କରାଇଥିବା ଜଣାପଡ଼ିଛି।

Odisha Budget