Advertisment

CUTTACK ସହର ପାଇଁ କୋହଳ ହେଲା ବିଲଡିଂ ପ୍ଲାନ୍ : ବିଜ୍ଞପ୍ତି ଜାରି, ୪୩ଟି ୱାର୍ଡରେ ବୈଧ

ଓଡ଼ିଶା ବିକାଶ ପ୍ରାଧିକରଣ (ପ୍ଲାନିଂ ଆଣ୍ଡ ବିଲିଡିଂ ଷ୍ଟାଣ୍ଡାର୍ଡ) ରୁଲସ-୨୦୨୦ର ପ୍ରାବଧାନ ଆଧାରରେ କଟକ ସହରର ପୁରୁଣା ଅଂଚଳରେ ବିଲିଡିଂ ପ୍ଲାନ ଅନୁମୋଦନ ଦେବା କଷ୍ଟକର ହେଉଥିଲା। ସେହି ସମସ୍ୟାର ସମାଧାନ ପାଇଁ ସିଡିଏ ଏକ ବାସ୍ତବବାଦୀ ଆଭିମୁଖ୍ୟ ଗ୍ରହଣ କରିଛି।

CUTTACK
Advertisment

ହଜାରେ ବର୍ଷ ପୁରୁଣା ଐତିହାସିକ କଟକ ସହରର ପୁରୁଣା ଅଂଚଳରେ ବସବାସ କରୁଥିବା ଲୋକଙ୍କ ପାଇଁ ଖୁସିଖବର । ସହରର ୪୩ଟି ୱାର୍ଡରେ ଏଣିକି କୋଠାବାଡ଼ି ନିର୍ମାଣ କରିବା ସହଜ ହେବ । କଟକ ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ) ନିଜର ବିଲଡିଂ ପ୍ଲାନକୁ କୋହଳ କରି ଏହି ପୁରୁଣା ଅଂଚଳ ପାଇଁ ସ୍ୱତନ୍ତ୍ର ନିୟମ କାର୍ଯ୍ୟକାରୀ କରିଛନ୍ତି । ସିଡିଏ ପକ୍ଷରୁ ‘ପୁରୁଣା ଅଂଚଳ ପାଇଁ ଯୋଜନା ଓ ଗୃହ ନିର୍ମାଣ ମାନକ ନିୟମାବଳୀ-୨୦୨୬' ଆଜି ଆନୁଷ୍ଠାନିକ ଭାବେ ଗେଜେଟ୍ ବିଜ୍ଞପ୍ତି ମାଧ୍ୟମରେ ପ୍ରକାଶ ପାଇଛି । ଏହି ନୂଆ ନିୟମ କାର୍ଯ୍ୟକାରୀ ହେବା ଫଳରେ ସହରର କୋର ଏରିଆ ବା ପୁରୁଣା ବସ୍ତି ଅଂଚଳରେ ଘର ନିର୍ମାଣ ନକ୍ସା ଅନୁମୋଦନ ପ୍ରକ୍ରିୟାରେ ଥିବା ଜଟିଳତା ଦୂର ହୋଇପାରିବ । ବିଶେଷକରି ସହରର ୪୩ଟି ୱାର୍ଡ ଯେଉଁଠି ବହୁ ପୁରାତନ କାଳରୁ ସଂକୀର୍ଣ୍ଣ ଗଳି ଓ ଛୋଟଛୋଟ ଜମି ରହିଛି ।

Advertisment

ସଂକୀର୍ଣ୍ଣ ରାସ୍ତା ଓ ଛୋଟ ପ୍ଲଟ୍ ପାଇଁ ସ୍ୱତନ୍ତ୍ର ସୁବିଧା

ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଓଡ଼ିଶା ବିକାଶ ପ୍ରାଧିକରଣ (ପ୍ଲାନିଂ ଆଣ୍ଡ ବିଲିଡିଂ ଷ୍ଟାଣ୍ଡାର୍ଡ) ରୁଲସ-୨୦୨୦ର ପ୍ରାବଧାନ ଆଧାରରେ କଟକ ସହରର ପୁରୁଣା ଅଂଚଳରେ ବିଲିଡିଂ ପ୍ଲାନ ଅନୁମୋଦନ ଦେବା କଷ୍ଟକର ହେଉଥିଲା। ସେହି ସମସ୍ୟାର ସମାଧାନ ପାଇଁ ସିଡିଏ ଏକ ବାସ୍ତବବାଦୀ ଆଭିମୁଖ୍ୟ ଗ୍ରହଣ କରିଛି। ନୂଆ ନିୟମ ଅନୁଯାୟୀ ଛୋଟ ଆବାସିକ ପ୍ଲଟ୍ ପାଇଁ ସର୍ବନିମ୍ନ ରାସ୍ତାର ପ୍ରଶସ୍ତତାକୁ ୪.୫ ମିଟର ପର୍ଯ୍ୟନ୍ତ କୋହଳ କରାଯାଇଛି। 

ଏହାବ୍ୟତୀତ ସ୍ୱଳ୍ପ ଉଚ୍ଚତା ବିଶିଷ୍ଟ ଗୃହ ନିର୍ମାଣ ପାଇଁ ସେଟବ୍ୟାକ୍ ନିୟମରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ସହରର ଜନସଂଖ୍ୟା ବହୁଳତାକୁ ଦୃଷ୍ଟିରେ ରଖି ଫ୍ଲୋର ଏରିଆ ରେସିଓ ମଧ୍ୟ ପୁନଃ ନିର୍ଦ୍ଧାରଣ କରାଯାଇଛି, ଯାହାଫଳରେ କମ୍ ଜାଗାରେ ଲୋକେ ନିୟମାନୁସାରେ ଅଧିକ ନିର୍ମାଣ କରିପାରିବେ।

Advertisment

 କଟକର ଗଳିକନ୍ଦି ଖୁବ ସଂକୀର୍ଣ୍ଣ ହୋଇଥିବାରୁ ୨୦୨୦ ନିୟମର କଠୋରତାକୁ ଲାଗୁ କଲେ ପ୍ରାୟ ୯୦% ଲୋକ ନିଜ ଛୋଟ ପ୍ଲଟରେ ଘର ନିର୍ମାଣ ପାଇଁ ନକ୍ସା ଅନୁମୋଦନ ପାଇପାରିବେ ନାହିଁ ବୋଲି ପ୍ରଶାସନ ଅନୁଭକ କରିବା ପରେ ଏଭଳି ପଦକ୍ଷେପ ନେଇଛି।

ପୁରୁଣା କଟକ ସହରରେ ଅନେକ ଘର ପୂର୍ବରୁ ନିର୍ମିତ ହୋଇସାରିଛି। ସେଗୁଡ଼ିକୁ ୨୦୨୦ର କଠୋର ନିୟମ ଅଧୀନରେ ଆଣିବା ସମ୍ଭବ ନଥିଲା । ଏହି ନୂଆ ନିୟମାବଳୀ ସେହିସବୁ ପୁରୁଣା ସମ୍ପତ୍ତିର ନିୟମିତକରଣ ପାଇଁ ମାର୍ଗ ପ୍ରଶସ୍ତ କରିଛି ।


ସୁରକ୍ଷିତ ରହିବ କଟକ ସହରର ସାଂସ୍କୃତିକ ପରିଚୟ

ହଜାରେ ବର୍ଷର ସହର କଟକର ପାରମ୍ପରିକ ଓ ସାଂସ୍କୃତିକ ପରିଚୟକୁ ବଜାୟ ରଖିବା ସହିତ ଆଧୁନିକ ସହରୀ ସୁବିଧା ଯୋଗାଇ ଦେବା ଏହି ବିଜ୍ଞପ୍ତିର ମୁଖ୍ୟ ଲକ୍ଷ୍ୟ ବୋଲି କୁହାଯାଉଛି । ପୁରୁଣା କଟକ ସହରର ଭøଗୋଳିକ ସ୍ଥିତିକୁ ଗୁରୁତ୍ୱ ଦେଇ ଏହି ନିୟମ ପ୍ରସ୍ତୁତ କରାଯାଇଛି । ଯାହାଫଳରେ ନାକେବଳ ନୂଆ ନିର୍ମାଣ ସହଜ ହେବ ବରଂ ବେଆଇନ ନିର୍ମାଣକୁ ନିୟମିତ କରିବା ଓ ପାର୍କିଂ ସମସ୍ୟାର ସମାଧାନ କରିବାରେ ମଧ୍ୟ ଏହା ସହାୟକ ହେବ । ଏହି ନୂତନ ବ୍ୟବସ୍ଥା ଫଳରେ କଟକ ସହରର ପୁରୁଣା ୱାର୍ଡଗୁଡ଼ିକରେ ବ୍ୟବସାୟିକ ଓ ଆବାସିକ ବିକାଶ ସୁବ୍ୟବସ୍ଥିତ ହୋଇପାରିବ ବୋଲି କୁହାଯାଉଛି । କଟକ ମହାନଗର ନିଗମ ଅଂଚଳରେ ମୋଟ ୫୯ଟି ୱାର୍ଡ ଥିବାବେଳେ ପୁରୁଣା ସହର ଥିବା ୪୩ଟି ୱାର୍ଡ ପାଇଁ ଏହି ନୂଆ ବିଲଡିଂ ପ୍ଲାନ୍ କାର୍ଯ୍ୟକାରୀ ହେବ । ବାକି ୱାର୍ଡଗୁଡ଼ିକରେ ୨୦୨୦ ମସିହାର ଓଡ଼ିଶା ବିକାଶ ପ୍ରାଧିକରଣ ନିୟମ ବଳବତ୍ତର ରହିବ ବୋଲି ଜଣାପଡ଼ିଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe