/odisha-reporter/media/media_files/2026/02/19/accident-2026-02-19-18-18-49.jpg)
ଭଦ୍ରକରୁ ଆଖଣ୍ଡଳମଣି ଅଭିମୁଖେ ଯାଉଥିବା ‘ଜୟ ମାତାଦୀ’ ନାମକ ଏକ ଘରୋଇ ବସ୍ ଆରଡି ସାଇନ୍ସ ପାର୍କ ନିକଟରେ ଏକ ଟ୍ରାକ୍ଟରକୁ ପଛରୁ ଧକ୍କା ଦେଇଥିଲା। ଫଳରେ ଉଭୟ ଗାଡ଼ି ରାସ୍ତା ତଳକୁ ଖସି ଯାଇଥିଲେ ଓ ଟ୍ରାକ୍ଟରର ଡାଲା ଓଲଟି ପଡ଼ିଥିଲା।
ଏହି ଦୁର୍ଘଟଣାରେ ୫ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୪ ଜଣଙ୍କୁ ଆରଡୀ ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ବେଳେ ଜଣଙ୍କୁ ଭଦ୍ରକ ସ୍ଥାନାନ୍ତର କରାଯାଇଛି।
ବସ୍ଟିରେ ୧୦ରୁ ୧୫ ଯାତ୍ରୀ ଥିଲେ ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି। ବ୍ରେକ୍ ଫେଲ୍ ଯୋଗୁ ଟ୍ରାକ୍ଟରକୁ ବସ୍ଟି ପଛରୁ ଧକ୍କା ଦେଇଥିଲା ବୋଲି ସୂଚନା ମିଳିଛି।
ଦୁର୍ଘଟଣା ସଂପର୍କରେ ସୂଚନା ପାଇ ଆରଡି ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଓ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇବାର ବ୍ୟବସ୍ଥା କରିଥିଲା।
ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ଟ୍ରାକ୍ଟର କି ବସ୍ ଦ୍ରୁତ ଗତିରେ ଯାଉ ନଥିଲେ। ଦୁଇଟି ଯାକ ଗାଡ଼ି ସାଧାରଣ ଗତିରେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।
ହାଇୱା ଧକ୍କାରେ ଯୁବକ ମୃତ
ଅନୁଗୋଳ ଜିଲ୍ଲା ବଅଁରପାଳରେ ୫୫ ନମ୍ବର ଜାତୀୟ ରାଜପଥରେ ହାଇୱା ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ କଣିହାଁ ବ୍ଳକ ଶରଧାପୁର ଗାଁର। ସେ ବାଇକ ଯୋଗେ ମେରାମୁଣ୍ଡଳି ଯାଉଥିବା ସମୟରେ ବଅଁରପାଳ ଛକ ନିକଟରେ ତାଙ୍କୁ ଏକ ହାଇୱା ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଳା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ପୁଲିସ ଘଟଣାର ତଦନ୍ତ କରୁଛି।
ଜଣକୁ ବଞ୍ଚାଇବାକୁ ଯାଇ
ସେହିପରି ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ନିମିନା ଗାଁ ନିକଟରେ ଘଟିଛି ଏକ ସଡ଼କ ଦୁର୍ଘଟଣା। ସାଇକେଲରେ ଯାଉଥିବା ଜଣେ ଛାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ବୁଦ୍ଧିରାମ ଗୌଡ଼। ତାଙ୍କ ଘର କଳାସୂତା ଗାଁରେ। ତେବେ ବାଇକ୍ ଚଲାଉଥିବା ମଙ୍ଗୁଳୁ ରାଉତ ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ବୁଦ୍ଧିରାମଙ୍କ ସ୍ୱାସ୍ଥ୍ୟ ଭଲ ନଥିଲା। ସେଥିପାଇଁ ସେ ମଙ୍ଗୁଳୁଙ୍କ ସହିତ ଡାକ୍ତରଖାନାକୁ ଯାଉଥିଲେ। ପୁଲିସ ମୃତଦେହକୁ ଜବତ କରିଥିଲା। ବ୍ୟବଚ୍ଛେଦ ପରେ ମୃତଦେହକୁ ପୁଲିସକୁ ହସ୍ତାନ୍ତର କରାଯାଇଛି। ଅନ୍ୟପକ୍ଷରେ ସାଇକେଲରେ ଯାଉଥିବା ଛାତ୍ରୀ ଜଣଙ୍କ ମଧ୍ୟ ଆହତ ହୋଇଛନ୍ତି।
ଘାଟିରୁ ଖସିଲା ଟ୍ରକ୍
କନ୍ଧମାଳ ଜିଲ୍ଲା ରାଇକିଆ ଥାନା କରଡ଼ା ଘାଟିରେ ଏକ ମହୁଲ ବୋଝେଇ ଟ୍ରକ ନିୟନ୍ତ୍ରଣ ହରାଇ ୫୦ ଫୁଟ ତଳକୁ ଖସି ପଡିଛି। ଏହି ଦୁର୍ଘଟଣାରେ ଗୁରୁତର ଥିବା ଚାଳକକୁ ଅଗ୍ନିଶମ ଅଧିକାରୀ ଉଦ୍ଧାର କରି ରାଇକିଆ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଟ୍ରକଟି ବଲାଙ୍ଗିରରୁ ମହୁଲ ନେଇ କରଡ଼ା ଅଭିମୁଖେ ଯାଉଥିବା ସମୟରେ ଘାଟିରେ ଦୁର୍ଘଟଣା ଘଟିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
