Advertisment

ପୁଲିସ୍‌ର ପାରିବା ପଣିଆକୁ ନେଇ ପ୍ରଶ୍ନ ଉଠାଇଲା ବସ୍‌ ମାଲିକ ସଂଘ, ଦେଲା ଚେତାବନୀ

ରାଜ୍ୟବ୍ୟାପୀ ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁ ବୁଧବାର ଦିନ ଓ ରାତି ତମାମ ବସ୍‌ କର୍ମଚାରୀମାନେ ନାନା ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି। ଏହାକୁ ନେଇ ଆଜି ଘରୋଇ ବସ୍‌ ମାଲିକ ସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା।

ଅଦ୍ୟତନ ହୋଇଛି
Bus

Bus

Advertisment

ରାଜ୍ୟର କୁହାଳିଆ ପୁଲିସ୍‌ର ପାରିବା ପଣିଆ ପଦାରେ ପଡ଼ିଲା। ଡ୍ରାଇଭର ଆନ୍ଦୋଳନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ପାଣି ଫୋଟକା ପରି ମିଳେଇ ଯାଇଛି। ବସ୍‌ କର୍ମଚାରୀଙ୍କୁ ସୁରକ୍ଷା ଦେଇପାରିଲା ନାହିଁ ପୁଲିସ୍‌। ଯେଉଁଥିପାଇଁ ବସ୍‌ କର୍ମଚାରୀମାନେ ଅପମାନିତ ହେଲେ। ମାଡ଼ ଖାଇଲେ। ଯାତ୍ରୀଙ୍କୁ ରାସ୍ତାରେ ଛାଡ଼ି ଫେରିବା ପାଇଁ ବାଧ୍ୟ ହେଲେ। ଆଜି ସଧ୍ୟା ସୁଦ୍ଧା ରାଜ୍ୟ ରାଜପଥ ଓ ଜାତୀୟ ରାଜପଥ କ୍ଲିଅର ନହେଲେ ଆସନ୍ତା କାଲିଠାରୁ ବସ୍‌ ଚଳାଚଳ ବନ୍ଦ କରିବୁ। ସକାଳ ୧୦ରୁ ୧୧ଟା ପର୍ଯ୍ୟନ୍ତ ରାସ୍ତାରେ ଗାଡ଼ି ଛିଡ଼ା କରି ଅନିର୍ଦ୍ଦିଷ୍ଟ କାଳ ପାଇଁ ପ୍ରତିବାଦ କରିବୁ। ଏନେଇ ଚେତାବନୀ ଦେଇଛନ୍ତି ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ।

Advertisment

ରାଜ୍ୟବ୍ୟାପୀ ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁ ବୁଧବାର ଦିନ ଓ ରାତି ତମାମ ବସ୍‌ କର୍ମଚାରୀମାନେ ନାନା ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି। ଏହାକୁ ନେଇ ଆଜି ଘରୋଇ ବସ୍‌ ମାଲିକ ସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ପୁଲିସ୍‌ର ଅପାରଗତାକୁ ନେଇ ବୈଠକରେ ଆଲୋଚନା ହୋଇଥିଲା। ଡ୍ରାଇଭରଙ୍କ ଆନ୍ଦୋଳନକୁ ନେଇ ବୈଠକରୁ ବାହାରିଥିବା ନିଷ୍କର୍ସ ନେଇ ବସ୍‌ ମାଲିକ ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି, ଆନ୍ଦୋଳନ ଯୋଗୁ ଡ୍ରାଇଭରମାନେ ସବୁ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ଟ୍ରକ୍‌ ଛିଡ଼ା କରିଦେଇଛନ୍ତି। ଯେଉଁଥିପାଇଁ ରାସ୍ତା ପୂରା ଜାମ୍‌ ହୋଇଯାଇଛି। ଆଉ ଗାଡ଼ି ଯିବା ପାଇଁ ରାସ୍ତା ନାହିଁ। ଆଜି ସନ୍ଧ୍ୟା ସୁଦ୍ଧା ରାସ୍ତା କ୍ଲିୟର ନହେଲେ ଆସନ୍ତାକାଲିଠାରୁ ବସ୍‌ ଚଳାଚଳ ବନ୍ଦ କରିବା ପାଇଁ ବାଧ୍ୟ ହେବୁ। ସକାଳ ୧୦ରୁ ୧୧ଟା ପର୍ଯ୍ୟନ୍ତ ରାସ୍ତାରେ ବସ୍‌ ଛିଡ଼ା କରି ପ୍ରତିବାଦ କରିବୁ। ଏହା ପରେ ଯଦି ରାଜ୍ୟ ସରକାର ଆମ ଅଭିଯୋଗ ନଶୁଣନ୍ତି, ତାହା ହେଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାସ୍ତାରେ ଗାଡ଼ି ଛିଡ଼ା କରି ଆନ୍ଦୋଳନ କରିବୁ ବୋଲି ଶ୍ରୀ ସାହୁ କହିଛନ୍ତି।

ସେ ଆହୁରି କହିଛନ୍ତି, ଡ୍ରାଇଭର ସଂଘର ଆନ୍ଦୋଳନ ବେଳେ ପୁଲିସ୍‌ ପ୍ରଶାସନ ସହଯୋଗ କରିବ ବୋଲି ଭାବିଥିଲୁ। ସେଥିପାଇଁ ଗାଡ଼ି ଚଳାଇଥିଲୁ। ହେଲେ ପୁଲିସ୍‌ ସହଯୋଗ କଲା ନାହିଁ। ପୁଲିସ ଉପସ୍ଥିତିରେ ଡ୍ରାଇଭରମାନେ ଗାଡ଼ି ଅଟକାଉଛନ୍ତି। ବସ୍‌ କର୍ମଚାରୀଙ୍କୁ ମାଡ଼ ମାରୁଛନ୍ତି। ବୁଧବାର ତିର୍ତ୍ତୋଲ ପାଖରେ ବସ୍‌ କର୍ମଚାରୀଙ୍କୁ ମାଡ଼ ମାରି ବିଦା କରିଦେଲେ। କଟକ-ପୁରୀ ରାସ୍ତାରେ ଗାଡ଼ି ଛାଡ଼ିଲେ ନାହିଁ। ଟମାଣ୍ଡୋ ପାଖରେ ଆନ୍ଧ୍ରପ୍ରଦେଶରୁ ମାଛ ଓ ପରିବା ଧରି ଆସିଥିବା ଟ୍ରକ୍‌କୁ ଅଟକାଇ ଦେଲେ। ସେମାନେ ସେଠାରେ କାନ୍ଦୁଛନ୍ତି। ଆଖୁଆପଦାଠାରେ ଆମର ଗୋଟିଏ ଗାଡ଼ିକୁ ଡ୍ରାଇଭରମାନେ ଅଟକାଇ ଦେଲେ। ଏ ସମ୍ପର୍କରେ ଖବର ପାଇ ମୁଁ ପୁଲିସକୁ ଖବର ଦେଇଥିଲି। ସେଠାରେ ପୁଲିସ୍‌ ପହଞ୍ଚିଲା। ଆଉ କହିଲା- ଏହି ଅଞ୍ଚଳ ଆଖୁଆପଦା ଥାନା ଅଞ୍ଚଳରେ ଯାଉଛି। ଏହି ଅଞ୍ଚଳଟି ପାଣିକୋଇଲି ଥାନା ଏରିଆ ଯାଉଛି କହି ପୁଲିସ୍‌ ଫେରିଆସିଲା। କୌଣସି କ୍ଷେତ୍ରରେ ପୁଲିସ୍‌ ଆମକୁ ସହଯୋଗ କରୁନାହିଁ। ଯଦି ଏପରି ହେବ, ତାହାହେଲେ କେମିତି ବସ୍‌ ଚାଲିବ? ଗତକାଲି ରାତିରେ ସବୁ ଛକରେ ବସ୍‌ ଅଟକାଇ କର୍ମଚାରୀଙ୍କୁ ମାରଧର କରିଥିଲେ। ଡ୍ରାଇଭର ସଂଘର ଆନ୍ଦୋଳନକୁ ଆମେ ବିରୋଧ କରୁନାହୁଁ। ସେମାନେ ତାଙ୍କ ଦାବି ଉପସ୍ଥାପନ କରନ୍ତୁ। କିନ୍ତୁ ସେମାନେ ଯାତ୍ରୀବାହୀ ବସ୍‌କୁ କାହିଁକି ଅଟକାଉଛନ୍ତି ବୋଲି ଶ୍ରୀ ସାହୁ ପ୍ରଶ୍ନ କହିଛନ୍ତି।

Advertisment

ଅନ୍ୟପକ୍ଷରେ ଆଜି ବିଧାନସଭାରେ ଉଠିଛି ଡ୍ରାଇଭର ସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ପ୍ରସଙ୍ଗ। ଏହାକୁ ନେଇ କଂଗ୍ରେସ ଓ ବିଜେପି ବିଧାୟକମାନେ ହଟ୍ଟଗୋଳ କରିଛନ୍ତି। ଯାହାଫଳରେ ୧୦ ମିନିଟ୍‌ ପାଇଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି। ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଡ୍ରାଇଭରଙ୍କ ଆନ୍ଦୋଳନ ପ୍ରସଙ୍ଗ ଉଠାଇ କହିଥିଲେ, ସରକାର ସେମାନଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ଆଉ ଗୋଟିଏ ଗ୍ରୁପ୍‌କୁ ଉସୁକାଇ ଆନ୍ଦୋଳନକୁ ଭଣ୍ଡୁର କରିବାକୁ ଚାହୁଁଛନ୍ତି। ଯେଉଁଥିପାଇଁ ପରିବହନ ସେବା ଠପ୍ ହୋଇଯାଇଛି। ଗୃହରେ ଆଲୋଚନା ବେଳେ ଅଫିସର ରହୁନାହାନ୍ତି। ଆମେ ବାଧ୍ୟହୋଇ ଗୃହ ମଧ୍ୟଭାଗକୁ ଯାଉଛୁ। ବିଜେପି ବିଧାୟକମାନେ ମଧ୍ୟ ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। ବିରୋଧଙ୍କ ଅଭିଯୋଗ ପରେ ରୁଲିଂ ଦେଇଥିଲେ ବାଚସ୍ପତି। ଗୃହରେ ବିବୃତି ରଖିବାକୁ ପରିବହନ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଡ୍ରାଇଭରଙ୍କ ସହ ଆଲୋଚନା କରି କାଲି ଗୃହରେ ବିବୃତି ଦେବାକୁ କହିଲେ ମନ୍ତ୍ରୀ।

Truck DRIVER STRIKE Drivers Strike
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe