Advertisment

Accident: ଚଢ଼ିଗଲା ବସ୍‌, ସାମ୍ବାଦିକାଙ୍କ ସମେତ ୨ ମୃତ

ଏହି ଦୁର୍ଘଟଣା ପାଇଁ ପ୍ରତ୍ୟକ୍ଷଦର୍ଶୀମାନେ ରାସ୍ତାରେ ପଡ଼ିଥିବା ବାଲିକୁ ଦାୟୀ କରିଛନ୍ତି। ବାଲି ପଡ଼ିଥିବାରୁ ସ୍କୁଟିର ଚକା ସ୍ଲିପ୍ ହୋଇଥିଲା ଓ ଏହା ପରେ ଦୁଇ ମହିଳାଙ୍କ ଉପରେ ବସ୍‌ଟି ମାଡ଼ି ଯାଇଥିଲା।

Sheela
Advertisment

ଭୁବନେଶ୍ୱର-ପୁରୀ ୩୧୬ ନମ୍ବର ଜାତୀୟ ରାଜପଥର ମଙ୍ଗଳପୁର ନିକଟ ଜମାଲପୁର ଛକରେ ମଙ୍ଗଳବାର ଏକ ଘରୋଇ ଯାତ୍ରୀବାହୀ ବସ୍ ଦୁଇ ଜଣ ସ୍କୁଟି ଆରୋହୀଙ୍କ ଉପରେ ମାଡ଼ିଯିବାରୁ ସେମାନଙ୍କର ମୃତ୍ୟୁ ଘଟିଛି।

Advertisment

ମୃତକ ଦ୍ୱୟ ହେଉଛନ୍ତି ଶୀଲା ପଟ୍ଟନାୟକ ଓ ସିପିକା ନାୟକ। ଶୀଲା ଜଣେ ସାମ୍ବାଦିକ। ସେ ଭୁବନେଶ୍ୱରରେ ଏକ ଘରୋଇ ଚ୍ୟାନେଲରେ କାର୍ଯ୍ୟ କରୁଥିଲେ। ସେ ଭୁବନେଶ୍ୱରର କଳିଙ୍ଗ ନଗର ଅଞ୍ଚଳରେ ରହୁଥିଲେ। ସେହିପରି ସିପିକାଙ୍କ ନିଜ ଘର କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଲକ୍ଷ୍ମୀପୁର ଗାଁରେ। ସେ ଭୁବନେଶ୍ୱରର ଘାଟିକିଆ ଅଞ୍ଚଳରେ ତାଙ୍କ ସ୍ୱାମୀଙ୍କ ସହିତ ରହୁଥିଲେ।

ସିପିକା ନାୟକଙ୍କ ସ୍ୱାମୀ ପ୍ରଦୀପ କୁମାର ରାଉତ ପିପିଲି ଥାନାରେ ଦେଇଥିବା ଏଫଆଇଆରରେ ଉଲ୍ଲେଖ କରିଛନ୍ତି ଯେ ଏହି ଦୁଇ ମହିଳା ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯାଉଥିଲେ। ଦିନ ପ୍ରାୟ ସାଢ଼େ ୧୦ଟା ବେଳେ ଦ୍ରୁତ ଗତିରେ ଯାଉଥିବା ଏକ ବସ୍‌ ସେମାନଙ୍କୁ ପଛରୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ଘଟିଥିଲା।

Advertisment

ଏହି ଘଟଣା ପାଇଁ ସିପିକାଙ୍କ ସ୍ୱାମୀ ପ୍ରଦୀପ କୁମାର ରାଉତ ବସ୍ ଡ୍ରାଇଭରଙ୍କୁ ଦାୟୀ କରିଛନ୍ତି। ବସ୍‌ ଡ୍ରାଇଭରଙ୍କ ଦାୟିତ୍ୱହୀନତା ଯୋଗୁ ଦୁଇ ଜଣ ମହିଳା ଜୀବନ ଚାଲିଯାଇଥିବା ସେ କହିଛନ୍ତି। ଘଟଣାର ତଦନ୍ତ କରି ମୃତ ମହିଳା ଦ୍ୱୟଙ୍କୁ ନ୍ୟାୟ ପ୍ରଦାନ କରିବାକୁ ସେ ପୁଲିସକୁ ଅନୁରୋଧ କରିଛନ୍ତି।

ଏହି ଦୁର୍ଘଟଣା ଘଟିବା ବେଳେ ସେଠାରେ ଉପସ୍ଥିତ ଥିବା କିଛି ଲୋକ କହିଛନ୍ତି ଯେ ଜାତୀୟ ରାଜପଥ ଉପରେ ବାଲି ପଡ଼ିଥିଲା। ସେହି ବାଲିରେ ଏହି ଦୁଇ ମହିଳାଙ୍କ ସ୍କୁଟିର ଚକା ସ୍ଲିପ୍ ହୋଇଥିଲା। ଫଳରେ ସେମାନେ ପଡ଼ିଯାଇଥିଲେ। ସେହି ସମୟରେ ପଛରୁ ଆସୁଥିବା ଏକ ବସ୍‌ ସେମାନଙ୍କ ଉପରେ ମାଡ଼ି ଯାଇଥିଲା।

ପିପିଲି ଆଇଆଇସି କହିଛନ୍ତି ଯେ ବସ୍‌ଟିକୁ ଜବତ କରାଯାଇଥିବା ବେଳେ ଡ୍ରାଇଭରକୁ ଅଟକ ରଖାଯାଇଛି। ଘଟଣାର ତଦନ୍ତ କରାଯାଉଛି। 

ଏହି ଘଟଣା ପରେ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥରେ ଏମିତି ବାଲି ପଡ଼ିବା ଘଟଣାକୁ ନେଇ ଅସନ୍ତୋଷ ଦେଖାଯାଇଛି। ଅଭିଯୋଗ ହୋଇଛି ଯେ ଏହି ଜାତୀୟ ରାଜପଥରେ ପ୍ରତ୍ୟେକ ଦିନ ଶହ ଶହ ବାଲି ଟ୍ରକ୍ ଓଭର ଲୋଡ୍ ହୋଇଯାଉଛନ୍ତି। ଅନେକ ସମୟରେ ସେହି ଟ୍ରକ୍‌ଗୁଡ଼ିକୁ ବାଲି ଝରି ରାସ୍ତାରେ ପଡୁଛି। ଯଦି ପ୍ରଶାସନ ପ୍ରତ୍ୟେକ ଦିନ ଯାଞ୍ଚ କରୁଥା’ନ୍ତା, ତା’ହେଲେ ଏମିତି ଘଟିନଥା’ନ୍ତା।

ସାମ୍ବାଦିକା ଶିଲା ପଟ୍ଟନାୟକଙ୍କ ଦୁର୍ଘଟଣା ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ ଶିଲାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।         

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe