ଝାରସୁଗୁଡ଼ା(ଓଡ଼ିଶା ରିପୋର୍ଟର): ଦୁଇ ଜଣ ଯୁବକ ସିଧା ଦୋକାନ ଭିତକୁ ପସି ଆସିଲେ। ବନ୍ଧୁକ ଦେଖାଇଲେ। କହିଲେ ୧୦ ଲକ୍ଷ ଟଙ୍କା ଦିଅ। କାହିଁକି ବୋଲି ପଚାରିବାରୁ କହିଲେ, କହିଲେ ଦାଦା ବଟି। ନାହିଁ ବୋଲି କହିବାରୁ, ଉତ୍ତର ଦେଲେ ଦୁଇଦିନ ପରେ ପୁଣି ଆସିବୁ, ଟଙ୍କା ରେଡିକରି ରଖ। ନ ଦେଲେ ଗୁଳି କରି ଉଡ଼ାଇ ଦିଆଯିବ। ଝାରସୁଗୁଡ଼ାର ବନ୍ଧବାହାଲରରେ ଦୋକାନୀଙ୍କ ଭିତରେ ଏଭଳି ଧମକକୁ ନେଇ ଆତଙ୍କ। ଗତକାଲି ରାତିରେ ଦୋକାନୀମାନେ ଦୁଇ ଅସାମାଜିକଙ୍କ ଠାରୁ ଏଭଳି ଧମକ ପାଇବା ପରେ ଆଜି ଦୋକାନ ବନ୍ଦ କରି ସ୍ଥାନୀୟ ବନ୍ଧବାହାଲ ଫାଣ୍ଡିରେ ଏତଲା ଦେଇଛନ୍ତି। ତୁରନ୍ତ ସୁରକ୍ଷା ବ୍ୟବସ୍ଥା କରିବା ସହ ଦାଦାବଟି ଆଦାୟ ଧମକ ଦେଉଥିବା ଅପରାଧୀଙ୍କୁ ସାବାଡ଼ କରିବାକୁ ନିବେଦନ କରିଛନ୍ତି।
ସୂଚନା ମୁତାବକ, ଗତକାଲି ରାତି ପ୍ରାୟ ୯ଟାରୁ ୧୦ଟାରେ ବନ୍ଧବାହାଲର ସାଇ ମେଡିକାଲ ଷ୍ଟୋର, ସାଇ ଡ୍ରେସେସ, ସାହୁ ଜେନେରାଲ ଷ୍ଟୋର, ହୋଟେଲ ପ୍ରତୀକ ଓ ଆଖପାଖର ଆଉ କିଛି ଦୋକାନକୁ ଦୁଇଜଣ ଯୁବକ ବନ୍ଧୁକ ଦେଖାଇ ବଟି ମାଗିଛନ୍ତି। କାହାକୁ ୧୦ ଲକ୍ଷ ଟଙ୍କା ଦାଦାବଟି ମାଗିଛନ୍ତି ତ କାହାକୁ ୨୫ ଲକ୍ଷ ଟଙ୍କା ମାଗିଛନ୍ତି। ଟଙ୍କା ନମିଳିଲେ ଗୁଳି କରି ଉଡ଼ାଇ ଦେବାକୁ ଧମକ ଦେଇଛନ୍ତି। ଏହାର ସିସିଟିଭି ଫୁଟେଜ୍ ଦୋକାନୀମାନେ ପୁଲିସକୁ ଦେଇଛନ୍ତି। ଏନେଇ ବନ୍ଧବାହାଲ ଫାଣ୍ଡିରେ ଏକ ମାମଲା ରୁଜୁ ହୋଇଛି।
ଏହି ଦୁଇ ଅଭିଯୁକ୍ତ ଯୁବକ ଦ୍ୱୟ ସ୍ଥାନୀୟ ଅଞ୍ଚଳର ଏମ.ଡି. କମାଲ ହୁସେନ ଓ ଗୁଡ୍ଡୁ ସା ବୋଲି ଜଣାପଡିଛି। ବନହରପାଲି ଥାନା ପୁଲିସ ଓ ବନ୍ଧବାହାଲ ଫାଣ୍ଡି ପୁଲିସ ଯୁବକ ଦ୍ୱୟଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରଖିଛନ୍ତି। ପୂର୍ବରୁ ଏହି ଅଭିଯୁକ୍ତମାନଙ୍କ ବିରୋଧରେ ବିଭିନ୍ନ ଥାନାରେ ମାମଲା ରହିଥିବା ଜଣାପଡିଛି।
ଏନେଇ ଅଭିଯୋଗକାରୀ ଦୋକାନୀ ଆନନ୍ଦ ଜୈଶ୍ୱାଳ କହିଛନ୍ତି, ଅଭିଯୁକ୍ତ ୨ ଯୁବକ ଗତକାଲି ରାତି ପ୍ରାୟ ୧୦ଟାରେ ଆସି ଘର ଆଗରେ ପଇଁତରା ମାରିଥିଲେ। ସିସିଟିଭିରେ ସେମାନଙ୍କୁ ଦେଖିବା ପରେ ବାହାରକୁ ଆସି କାହିଁକି ଠିଆ ହୋଇଛ ବୋଲି ପଚାରିଥିଲେ। ଏହି ସମୟରେ ଅଭିଯୁକ୍ତମାନେ ପାଖରେ ରଖିଥିବା ବନ୍ଧୁକ ବାହାର କରି ଦାଦାବଟି ଦେବାକୁ ଧମକ ଦେଇଥିଲେ। ଦୁଇଦିନ ଭିତରେ ଟଙ୍କା ନ ଦେଲେ ଉଡ଼ାଇ ଦିଆଯିବ ବୋଲି କହିଥିଲେ।
ଅଭିଯୋଗକାରୀ ସାହୁ ଜେନେରାଲ ଷ୍ଟୋରର ମାଲିକ ଗୋପାଳ ସାହୁ କହିଛନ୍ତି, ସେ ଦୋକାନରେ ଥିବା ବେଳେ ଅଚାନକ ଦୁଇଜଣ ଯୁବକ ପସି ଆସି ବନ୍ଧୁକ ଦେଖାଇ ୧୦ ଲକ୍ଷ ଟଙ୍କା ଦାଦାବଟି ମାଗିଥିଲେ। ଦୁଇଦିନ ଭିତରେ ଟଙ୍କା ନ ଦେଲେ ଉଡ଼ାଇ ଦିଆଯିବ ବୋଲି କହି ଯାଇଛନ୍ତି। ଏନେଇ ପୁଲିସ ନିକଟରେ ଅଭିଯୋଗ କରାଯାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଓ ସୁରକ୍ଷା ଲୋଡ଼ା ଯାଇଛି।
ତେବେ ଏନେଇ ପୁଲିସର ପ୍ରତିକ୍ରିୟା ମିଳିପାରିନି।