Advertisment

ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ମିଳିବ ସ୍ପଷ୍ଟ ଚିତ୍ର, ମୁକାବିଲା ପାଇଁ ସରକାର ପ୍ରସ୍ତୁତ: ଏସଆରସି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ବର୍ତ୍ତମାନ ପର୍ଯ୍ୟନ୍ତ ବାତ୍ୟା ହେବ କି ନାହିଁ ତାହା କୌଣସି ବି ମଡେଲ୍ ସ୍ପଷ୍ଟ କରିନାହାନ୍ତି । କିନ୍ତୁ ଭାରତୀୟ ପାଣିପାଗ ବିଭାଗର ତଥ୍ୟ ଅନୁସାରେ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ଯାହାକି ଲଘୁଚାପର ରୂପ ନେଇ ଉତ୍ତରପଶ୍ଚିମ ଦିଗରେ ବଙ୍ଗୋପସାଗର ଆଡ଼କୁ ଗତି କରୁଛି । ଏହି ଲଘୁଚାପ ଆସନ୍ତାକାଲି ସୁଦ୍ଧା ଅବପାତର ରୂପ ନେବା ପରେ ଏହା ତୀବ୍ର ଅବପାତ ହେବ କି ସାମୁଦ୍ରିକ ଝଡ଼ର ରୂପ ନେବ […]

ଅଦ୍ୟତନ ହୋଇଛି
ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ମିଳିବ ସ୍ପଷ୍ଟ ଚିତ୍ର, ମୁକାବିଲା ପାଇଁ ସରକାର ପ୍ରସ୍ତୁତ: ଏସଆରସି

SRC

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ବର୍ତ୍ତମାନ ପର୍ଯ୍ୟନ୍ତ ବାତ୍ୟା ହେବ କି ନାହିଁ ତାହା କୌଣସି ବି ମଡେଲ୍ ସ୍ପଷ୍ଟ କରିନାହାନ୍ତି । କିନ୍ତୁ ଭାରତୀୟ ପାଣିପାଗ ବିଭାଗର ତଥ୍ୟ ଅନୁସାରେ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ଯାହାକି ଲଘୁଚାପର ରୂପ ନେଇ ଉତ୍ତରପଶ୍ଚିମ ଦିଗରେ ବଙ୍ଗୋପସାଗର ଆଡ଼କୁ ଗତି କରୁଛି । ଏହି ଲଘୁଚାପ ଆସନ୍ତାକାଲି ସୁଦ୍ଧା ଅବପାତର ରୂପ ନେବା ପରେ ଏହା ତୀବ୍ର ଅବପାତ ହେବ କି ସାମୁଦ୍ରିକ ଝଡ଼ର ରୂପ ନେବ ତାହା ସ୍ପଷ୍ଟ ହେବ । ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ସମ୍ଭାବ୍ୟ ବାତ୍ୟାକୁ ନେଇ ସ୍ପଷ୍ଟ ଚିତ୍ର ମିଳିବ । ଆଉ ସମ୍ଭାବ୍ୟ ବାତ୍ୟାକୁ ମୁକାବିଲା ପାଇଁ ରାଜ୍ୟ ସରକାର ଓ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ।” ଆଜି ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ସମ୍ଭାବ୍ୟ ବାତ୍ୟାକୁ ନେଇ ଏଭଳି ମତ ରଖିବା ସହ ଲୋକଙ୍କୁ ଭୟଭୀତ ନହେବା ପାଇଁ ପୁଣିଥରେ ନିବେଦନ କରିଛନ୍ତି ।

Advertisment

ଏସଆରସି ଶ୍ରୀ ଜେନା କହିଛନ୍ତି ଯେ, ଭାରତୀୟ ପାଣିପାଗ ବିଭାଗ(ଆଇଏମଡି)ର ତଥ୍ୟ ଅନୁସାରେ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ଲଘୁଚାପରେ ପରିଣତ ହୋଇ ବଙ୍ଗୋପସାଗର ଆଡ଼କୁ ମୁହାଁଇଛି । ଯାହା ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଅବପାତର ରୂପ ନେବ । ଏହି ଅବପାତ ରୂପ ନେବା ପରେ ହିଁ ବାତ୍ୟା ସଂକ୍ରାନ୍ତରେ ସ୍ପଷ୍ଟ ଚିତ୍ର ମିଳିବ । ତେବେ ଆଇଏମଡିର ପ୍ରାରମ୍ଭିକ ଆକଳନ ଅନୁସାରେ ଏହି ଲଘୁଚାପ ଅଧିକ ଅବପାତ ହୋଇ ସାମୁଦ୍ରିକ ଝଡ଼ର ରୂପ ନେଲେ ତାହା ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡ଼ିଶାର ସମୁଦ୍ର ଉପକୂଳ ଆଡ଼େ ଗତି କରିବ । କିନ୍ତୁ ୧୦ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ବଙ୍ଗୋପସାଗରରେ ଉପକୂଳଠୁ ୨୫୦-୩୦୦କିମି ଦୂରରେ ରହିବ । ଯଦି ଏହା ସାମୁଦ୍ରିକ ଝଡ଼ର ରୂପ ନିଏ ଅବା ସିଭିୟର ସାଇକ୍ଲୋନର ରୂପ ନିଏ ତେବେ ତା’ର ଗତିପଥ, ପ୍ରଭାବ ଓ ତୀବ୍ରତା କ’ଣ ହେବ ତାହା କେବଳ ୧୦ ତାରିଖ ସନ୍ଧ୍ୟା ସୁଦ୍ଧା ଜଣାପଡ଼ିବ । ଏବେ ଯେହେତୁ ଏହା ଅବପାତର ରୂପ ନେଇନି ତେଣୁ ସମ୍ଭାବ୍ୟ ବାତ୍ୟାକୁ ନେଇ ଆକଳନ କରିବା କଷ୍ଟକର ବୋଲି ଶ୍ରୀ ଜେନା ସ୍ପଷ୍ଟ କରିଛନ୍ତି । ଅବଶ୍ୟ ଏହି ଲଘୁଚାପ ପ୍ରଭାବରେ ରାଜ୍ୟର ୪ଟି ଜିଲ୍ଲା ଗଞ୍ଜାମ, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ଆସନ୍ତା ୮ତାରିଖରୁ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ପବନ କେତେ ବୋହିବ ସେ ନେଇ କୌଣସି ତଥ୍ୟ ଆଇଏମଡି ପକ୍ଷରୁ ମିଳିନି ।

ଶ୍ରୀ ଜେନା ଆହୁରି ମଧ୍ୟ କହିଛନ୍ତି ଯେ, ଆସନ୍ତାକାଲି ଆଇଏମଡି ପକ୍ଷରୁ ସ୍ପଷ୍ଟ ଚିତ୍ର ମିଳିବା ପରେ ଏନଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ବାହିନୀ ଟିମକୁ ସମ୍ଭାବ୍ୟ ପ୍ରଭାବିତ ସ୍ଥାନରେ ମୁତୟନ କରାଯିବ । ୮ତାରିଖ ସକାଳ ସୁଦ୍ଧା ସମସ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରରୁ ଫେରି ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି । ଭାରତୀୟ ନୌସେନା ଓ ତଟରକ୍ଷୀ ବାହିନୀକୁ ମଧ୍ୟ ରାଜ୍ୟ ସରକାର ଆଜି ଚିଠି ଲେଖି ସମୁଦ୍ରରେ ରହିଥିବା ମତ୍ସ୍ୟଜୀବୀଙ୍କୁ ଫେରାଇ ଆଣିବାରେ ସହଯୋଗ କରିବାକୁ କହିଛନ୍ତି । ୮ତାରିଖରୁ ଯେଭଳି କୌଣସି ମତ୍ସ୍ୟଜୀବୀ ସମୁଦ୍ର ମଧ୍ୟକୁ ଯିବେନି ତାହା ସୁନିଶ୍ଚିତ କରିବାକୁ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

Advertisment

ସେହିପରି ବିଭିନ୍ନ ଜରାଶ୍ରମ, ଅନଥାଶ୍ରମ ଓ ମାନସିକ ବିକୃତ ରହୁଥିବା ସ୍ଥାନଗୁଡ଼ିକ ପରିଦର୍ଶନ କରି ସେମାନଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀ ସ୍ଥାନାନ୍ତର କରିବାକୁ ସାମାଜିକ ସଶକ୍ତିକରଣ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଗର୍ଭବତୀ ମହିଳାମାନଙ୍କୁ ମଧ୍ୟ ଆବଶ୍ୟକ ସ୍ଥଳେ ହସ୍ପିଟାଲ ସ୍ଥାନାନ୍ତର କରିବାକୁ ପରାମର୍ଶ ଦିଆଯାଇଛି । ଚାଷୀଙ୍କ ଫସଲର ସୁରକ୍ଷା ପାଇଁ ଆବଶ୍ୟକ ପରାମର୍ଶନାମା ଜାରି କରିବାକୁ କୃଷି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଜଳସମ୍ପଦ, ଗ୍ରାମ୍ୟ ଉନ୍ନୟନ ଓ ପୂର୍ତ୍ତବ ବିଭାଗକୁ ମଧ୍ୟ ନିଜର ଇଞ୍ଜିନିୟରିଂ ଟିମକୁ ସଜାଗ ରଖିବାକୁ ନିର୍ଦ୍ଦେଶ ଦିଆଯିବା ସହ ଜଙ୍ଗଲ ବିଭାଗକୁ ମଧ୍ୟ ଆବଶ୍ୟକ ସଂଖ୍ୟକ ଗଛ କଟାଳି ପ୍ରସ୍ତୁତ ରଖିବାକୁ କୁହାଯାଇଛି । ଆଜି ଟେଲିକମ୍ ସେବା ଯୋଗାଉଥିବା କମ୍ପାନୀଗୁଡ଼ିକ ସହ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଛି । ଭାରତ ସରକାରଙ୍କ ବରିଷ୍ଠ ଅଧିକାରୀ ଓ ରାଜ୍ୟ ଆଇଟି ସଚିବଙ୍କ ଉପସ୍ଥିତିରେ ସେମାନଙ୍କୁ ସମ୍ଭାବ୍ୟ ବାତ୍ୟାବେଳେ ନିରବଚ୍ଛିନ୍ନ ସେବା ଜାରି ରଖିବାକୁ ଆବଶ୍ୟକ ପ୍ରସ୍ତୁତି କରିବାକୁ କୁହାଯାଇଛି ।

ଶ୍ରୀ ଜେନା କହିଛନ୍ତି ଯେ, ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଜିଲ୍ଲାପାଳମାନଙ୍କୁ ବିଭିନ୍ନ ପ୍ରସଙ୍ଗରେ ମଗାଯାଇଥିବା ତଥ୍ୟ ଆଜି ରାତି ସୁଦ୍ଧା ମିଳିବାର ସମ୍ଭାବନା ରହିଛି । ସେସବୁ ମିଳିବା ପରେ ରାଜ୍ୟ ସରକାର ଅଧିକ ପ୍ରସ୍ତୁତି କରିବେ । ରାଜ୍ୟର କୌଣସି ସ୍ଥାନରେ ଶୁଖିଲା ଖାଦ୍ୟର ଅଭାବ ନାହିଁ । ଯଥେଷ୍ଟ ପରିମାଣରେ ଶୁଖିଲା ଖାଦ୍ୟ ଗଚ୍ଛିତ ଥିବା ନେଇ ଜିଲ୍ଲାପାଳମାନେ ରିପୋର୍ଟ ଦେଇଛନ୍ତି । ଦରଦାମ ବୃଦ୍ଧି ଉପରେ ନିୟନ୍ତ୍ରଣ ପାଇଁ ମଧ୍ୟ ଜିଲ୍ଲାପାଳମାନେ ପଦକ୍ଷେପ ନେଉଛନ୍ତି ।

ବର୍ତ୍ତମାନ ପର୍ଯ୍ୟନ୍ତ ଯାହା ପ୍ରସ୍ତୁତି ରାଜ୍ୟ ସରକାର କରିବା କଥା ତାହା କରିଛନ୍ତି । ସମ୍ଭାବ୍ୟ ବାତ୍ୟାକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ । ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ବାତ୍ୟାକୁ ନେଇ ଆସନ୍ତାକାଲି ଆଇଏମଡି ସ୍ପଷ୍ଟ ଚିତ୍ର ଦେବା ପରେ ମୁଖ୍ୟ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ସ୍ତରରେ ଉଚ୍ଚସ୍ତରୀୟ ସମୀକ୍ଷା ହେବ ବୋଲି ଏସଆରସି ଶ୍ରୀ ଜେନା କହିଛନ୍ତି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe