Advertisment

Cabinet Approved : ୫ ପ୍ରସ୍ତାବକୁ କ୍ୟାବିନେଟ୍ ମୋହର: ୪୧୮୨ କୋଟି ଟଙ୍କାର ‘ବି-ମାନ’ ଯୋଜନାକୁ ମଞ୍ଜୁରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଆୟୋଜିତ କ୍ୟାବିନେଟ ବୈଠକରେ ବାଣିଜ୍ୟ ଓ ପରିବହନ ବିଭାଗ ସମେତ କୃଷି, ଗୃହ ଓ ନଗର ଉନ୍ନୟନ ଏବଂ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ପ୍ରସ୍ତାବଗୁଡ଼ିକୁ ଅନୁମୋଦନ ମିଳିଛି ।

author-image
Prakash Sethi
Cabinet-meeting--today

Cabinet meeting today

ସମସ୍ତଙ୍କ ପାଇଁ ବିମାନ ସେବା ସହ ରାଜ୍ୟରେ ବିମାନ ଚଳାଚଳ ସୁବିଧା ଭିତ୍ତିଭୂମିରେ ସୁଧାର ନିମନ୍ତେ ରାଜ୍ୟ ସରକାର ଆଗାମୀ ୫ବର୍ଷରେ ‘ବି-ମାନ’ ଯୋଜନାରେ ୪୧୮୨କୋଟି ଟଙ୍କା ଖର୍ଚ୍ଚ କରିବେ । ଆଜି ରାଜ୍ୟ କ୍ୟାବିନେଟ୍ ଏହି ପ୍ରସ୍ତାବ ସମେତ ମୋଟ ୫ଟି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଆୟୋଜିତ କ୍ୟାବିନେଟ(State Cabinet Meeting) ବୈଠକରେ ବାଣିଜ୍ୟ ଓ ପରିବହନ ବିଭାଗ ସମେତ କୃଷି, ଗୃହ ଓ ନଗର ଉନ୍ନୟନ ଏବଂ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ପ୍ରସ୍ତାବଗୁଡ଼ିକୁ ଅନୁମୋଦନ ମିଳିଛି ।
 

Advertisment


ବିମାନ ଚଳାଚଳ ପାଇଁ "ବି-ମାନ୍‌’ ଯୋଜନା,  ୪୧୮୨ କୋଟି ଟଙ୍କାର ବ୍ୟୟବରାଦ


ଓଡିଶା(Odisha)କୁ ପୂର୍ବ ଭାରତରେ ଏକ ଅଗ୍ରଣୀ ବିମାନ ଚଳାଚଳ ରାଜ୍ୟ ଭାବରେ ସ୍ଥାନିତ କରିବା ପାଇଁ ବାଣିଜ୍ୟ ଏବଂ ପରିବହନ ବିଭାଗର ଏକ ସମନ୍ୱିତ ପଦକ୍ଷେପ "ବିମାନ ସମ୍ପତ୍ତି ଏବଂ ନେଟୱାର୍କ ନିର୍ମାଣ ଏବଂ ପରିଚାଳନା (ବି-ମାନ୍‌)’ ଯୋଜନାକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଏହି ଯୋଜନା ପାଂଚ ବର୍ଷ (୨୦୨୫-୨୦୩୦) ପାଇଁ ପ୍ରସ୍ତୁତ କରାଯାଇଛି ଏବଂ ଏଥିରେ ମୋଟ୍ ୪୧୮୨ କୋଟି ଟଙ୍କାର ବ୍ୟୟବରାଦ କରାଯିବ । "ସମସ୍ତଙ୍କ ପାଇଁ ବିମାନ ଚଳାଚଳ (ସମସ୍ତଙ୍କ ପାଇଁ ବିମାନ ସେବା)’ ଦୃଷ୍ଟିକୋଣ ଅଧୀନରେ ଏହି ଯୋଜନାରେ ବ୍ୟାପକ ପଦକ୍ଷେପ ନିଆଯାଇଛି । ଏଗୁଡିକ ମଧ୍ୟରେ ଭିତ୍ତିଭୂମି ବିକାଶ ଏବଂ ଆଧୁନିକୀକରଣ, ଆଂଚଳିକ ବିମାନ ସଂଯୋଗ ବୃଦ୍ଧି ପାଇଁ ଭାୟାବିଲିଟି ଗ୍ୟାପ୍ ଫଣ୍ଡିଂ , ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିଶ୍ୱସ୍ତରୀୟ ରକ୍ଷଣାବେକ୍ଷଣ, ମରାମତି ଏବଂ ମରାମତି ସୁବିଧାର ଇକୋସିଷ୍ଟମ ସ୍ଥାପନ ଏବଂ ଡ୍ରୋନ୍‌, ସିପ୍ଲେନ୍ ଭଳି ପ୍ରଯୁକ୍ତିବିଦ୍ୟାର ପ୍ରୋତ୍ସାହନ ଅନ୍ତର୍ଭୁକ୍ତ । ଏହି ଯୋଜନା ଓଡ଼ିଶାର ବିମାନ ଯାତ୍ରାରେ ଏକ ଐତିହାସିକ ପଦକ୍ଷେପ ହୋଇ କନେକ୍ଟିଭିଟି, ଉଦ୍ଭାବନ, ନିଯୁକ୍ତି ଏବଂ ନିବେଶକୁ ପ୍ରୋତ୍ସାହିତ କରିବା ସହ ବିକଶିତ ଓଡ଼ିଶା-୨୦୩୬ର ଦୃଷ୍ଟିକୋଣକୁ ଏକ ପୂର୍ଣ୍ଣାଙ୍ଗ ରୂପ ଦେବ ବୋଲି ବିଭାଗ କହିଛି ।

‘ଆହାର' ଯୋଜନାରେ ୫ ବର୍ଷ ପାଇଁ ୫୧୨ କୋଟି ଟଙ୍କା ବରାଦ


୫ଟଙ୍କାରେ ଖାଦ୍ୟ ଯୋଜନା ‘ଆହାର'କୁ ଆଉ ୫ବର୍ଷ (୨୦୨୫-୨୬ ରୁ ୨୦୨୯-୩୦) ପର୍ଯ୍ୟନ୍ତ ବୃଦ୍ଧି କରିବା ସହ ଏବାବଦରେ ୫୧୨ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଏହି ଯୋଜନା ହିତାଧିକାରୀଙ୍କୁ ମାତ୍ର ୫ ଟଙ୍କା ମୂଲ୍ୟରେ ସବସିଡିଯୁକ୍ତ ଖାଦ୍ୟ ଯୋଗାଇବାର ସେବାକୁ ନିରନ୍ତର ଜାରି ରଖିବ । ତେବେ ପ୍ରତି ମିଲ୍ ପିଛା ମୂଲ୍ୟ ୨୩ରୁ ୨୭ଟଙ୍କାକୁ ବୃଦ୍ଧି କରାଯିବାକୁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ସାଧାରଣ ଲୋକ ପୂର୍ବଭଳି ୫ଟଙ୍କା ପ୍ରଦାନ କରିବେ । ରାଜ୍ୟ ସରକାର ପ୍ରତି ମିଲ୍ ପିଛା ଦେଉଥିବା ସବସିଡି ପରିମାଣକୁ ୧୮ରୁ ୨୨ଟଙ୍କାକୁ ବୃଦ୍ଧି କରିଛନ୍ତି।

Advertisment

୨୦୦ ମିଡି ଇଲେକ୍ଟ୍ରିକ୍ ବସ୍ ପାଇଁ ୯୫୨.୫୬ କୋଟି ଟଙ୍କାର ଅନୁମୋଦନ


ଆଗାମୀ ୧୦ ବର୍ଷ ପାଇଁ ୨୦୦ଟି ମିଡି ଇଲେକ୍ଟ୍ରିକ୍ ବସ୍ କ୍ରୟ, ପରିଚାଳନା ଏବଂ ରକ୍ଷଣାବେକ୍ଷଣ ନିମନ୍ତେ କ୍ୟାବିନେଟରେ ମୋଟ ୯୫୨.୫୬ କୋଟି ଟଙ୍କା ଅନୁମୋଦନ କରାଯାଇଛି । ଏହି ବସଗୁଡ଼ିକ ରାଜ୍ୟର ୬ଟି ପ୍ରମୁଖ ସହର ଯଥା- କେନ୍ଦୁଝର (୨୫ଟି ବସ୍ ), ବାରିପଦା (୨୫), ବ୍ରହ୍ମପୁର (୫୦), ଅନୁଗୁଳ (୨୫), ଝାରସୁଗୁଡ଼ା (୨୫) ଓ ସମ୍ବଲପୁର (୫୦)ରେ ଚଳାଚଳ କରିବ । ଏହି ପ୍ରକଳ୍ପ ମାଧ୍ୟମରେ ଉକ୍ତ ସହରଗୁଡିକରେ ବସ୍ ଚାର୍ଜିଂ ଭିତ୍ତିଭୂମି ଏବଂ ଡିପୋ ନିର୍ମାଣ ହେବା ସହ ଏହା ସହରାଂଚଳ ପରିବହନ ସେବାରେ ଉନ୍ନତି ଆଣିବ । ସହରାଂଚଳ ପ୍ରଦୂଷଣ ଓ କାର୍ବନ ର୍ନିଗମନ ହ୍ରାସ କରି ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥା ସୁନିଶ୍ଚିତ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ । ଏହି ପ୍ରକଳ୍ପ ‘ବିକଶିତ ଓଡିଶା' ଏବଂ ‘ଆତ୍ମନିର୍ଭର ଭାରତ' ଲକ୍ଷ୍ୟକୁ ପୂରଣ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।


କ୍ଷୁଦ୍ର ପ୍ରାଣୀ ଉନ୍ନୟନ ପାଇଁ ୨୯୪.୩୬ କୋଟି ଟଙ୍କାର ଅନୁମୋଦନ


ମାଂସ ଏବଂ ମାଂସ ଉତ୍ପାଦର ବର୍ଦ୍ଧିତ ଚାହିଦା ପୂରଣ କରିବା ପାଇଁ, ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗ ଅଧିନରେ ଥିବା"ପ୍ରାଣୀ ସଂପଦ ସମୃଦ୍ଧି ଯୋଜନା’ର ଏକ ଉପଯୋଜନା ‘କ୍ଷୁଦ୍ର ପ୍ରାଣୀ ଉନ୍ନୟନ'କୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଏହି ଯୋଜନା ଆସନ୍ତା ୪ ବର୍ଷ ଅର୍ଥାତ୍ ୨୦୨୫-୨୬ ରୁ ୨୦୨୮-୨୯ ପର୍ଯ୍ୟନ୍ତ ମୋଟ ୨୯୪.୩୬ କୋଟି ଟଙ୍କା ବ୍ୟୟ ଅଟକଳରେ କାର୍ଯ୍ୟକାରୀ ହେବ । ଏହି ଯୋଜନା ଦ୍ୱାରା ମହିଳା ସ୍ୱୟଂସହାୟକ ଗୋଷ୍ଠୀ ସମେତ ପ୍ରାୟ ୨୩,୭୩୫ କୃଷକ ଉପକୃତ ହେବେ ଏବଂ ରାଜ୍ୟରେ ବାର୍ଷିକ ଅତିରିକ୍ତ ୧୨.୨୫ ଟିଏମଟି ମାଂସ ଉତ୍ପାଦନ ହେବାର ଲକ୍ଷ୍ୟ ରଖାଯାଇଛି । ଯୋଜନାରେ ମୁଖ୍ୟତଃ ଛେଳି/ମେଣ୍ଢା ପାଳନ ଏବଂ ସ୍ୱଳ୍ପ ବ୍ୟବସାୟିକ ଘୁଷୁରୀ ପାଳନକୁ ପ୍ରୋତ୍ସାହନ ଦିଆଯିବ ।


ଫସଲ ବିବିଧିକରଣ କାର୍ଯ୍ୟକ୍ରମ ପାଇଁ ୧୫୨୩.୯୮ କୋଟି ଟଙ୍କାର ମଞ୍ଜୁରୀ


ଓଡିଶା ସରକାରଙ୍କ "ଫସଲ ବିବିଧିକରଣ କାର୍ଯ୍ୟକ୍ରମ’କୁ ୨୦୨୫-୨୬ ରୁ ୨୦୨୭-୨୮ ପର୍ଯ୍ୟନ୍ତ ଆଉ ତିନି ବର୍ଷ ପାଇଁ ମଞ୍ଜୁରୀ ମିଳିଛି । ଏଥିପାଇଁ ମୋଟ ୧୫୨୩.୯୮ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି ।  ଜଳସେଚନ ପ୍ରକଳ୍ପ ଅଂଚଳର ଉଚ୍ଚ ଓ ମଧ୍ୟମ ଜମିରୁ ଧାନ ଚାଷକୁ ଅଣଧାନ ଓ ଉଚ୍ଚ ମୂଲ୍ୟଯୁକ୍ତ ଫସଲ ଚାଷରେ ପରିବର୍ତ୍ତନ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ । ଏହି କାର୍ଯ୍ୟକ୍ରମର ସଫଳତା ପରେ ୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟ ସରକାର ଏହାକୁ ଏକ ନୂତନ କୃଷି ବିବିଧତା କାର୍ଯ୍ୟକ୍ରମ ଭାବରେ ଆରମ୍ଭ କରିଥିଲେ । ଏଥିରେ ସ୍ୱଦେଶୀ ସୁଗନ୍ଧିତ ଧାନ ଚାଷର ପ୍ରସାର ଏବଂ ଧାନ ପରବର୍ତ୍ତୀ ପଡ଼ିଆ ଜମିର ପରିଚାଳନା ଭଳି ଦୁଇଟି ନୂତନ ଉପାଦାନକୁ ସାମିଲ କରାଯାଇଛି ।

ଆଗାମୀ ତିନି ବର୍ଷରେ ମୋଟ ୧୧.୫୦ ଲକ୍ଷ ହେକ୍ଟର ଧାନ ପରବର୍ତ୍ତୀ ପଡ଼ିଆ ଜମିକୁ ଡାଲି ଫସଲରେ ଅନ୍ତର୍ଭୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହା ସହିତ ୧.୯୫ ଲକ୍ଷ ହେକ୍ଟର ଉଚ୍ଚ ଓ ମଧ୍ୟମ ଧାନ ଜମିକୁ ଅଣଧାନ ଫସଲ ଏବଂ ୧.୯୭ ଲକ୍ଷ ହେକ୍ଟର ନିୟମିତ ଧାନ ଜମିକୁ ରପ୍ତାନୀ ସମ୍ଭାବନା ଥିବା ସ୍ୱଦେଶୀ ସୁଗନ୍ଧିତ ଧାନ ଚାଷରେ ପରିବର୍ତ୍ତନ କରାଯିବ । ଏହା ମାଟିର ସ୍ୱାସ୍ଥ୍ୟ ଉନ୍ନତି, ଜଳ ବ୍ୟବହାର ଦକ୍ଷତା ବୃଦ୍ଧି ଏବଂ କୃଷକଙ୍କ ଆୟ ବୃଦ୍ଧିରେ ସହାୟକ ହେବ ।

Odisha State Cabinet Meeting