ପଂଚାୟତ ନିର୍ବାଚନ ପୂର୍ବରୁ ଗ୍ରାମାଂଚଳର ଅର୍ଥନୀତିକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ରାଜ୍ୟରେ ଏକ ନୂଆ ସମବାୟ ନୀତି କାର୍ଯ୍ୟକାରୀ ହେବ। କେନ୍ଦ୍ର ସରକାରଙ୍କ ‘ସମବାୟରୁ ସମୃଦ୍ଧି’ ନୀତି ଅନୁରୂପ ପ୍ରସ୍ତୁତ ଓଡ଼ିଶା ସମବାୟ ନୀତି-୨୦୨୬କୁ ଆଜି ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ଏହି ନୀତି ୨୦୩୬ ମସିହା ପର୍ଯ୍ୟନ୍ତ ବଳବତ୍ତର ରହିବ । ସେହିପରି ଢେଙ୍କାନାଳର ଗଜମରାଠାରେ କଲ୍ୟାଣୀ ଗ୍ରୁପ୍ ଦ୍ୱାରା ୧୭୨୫୦କୋଟି ଟଙ୍କାର ମେଗା ଶିଳ୍ପ ପ୍ରକଳ୍ପକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟରେ ଏସବୁ ପ୍ରସ୍ତାବ ସମେତ ୧୦ଟି ବିଭାଗର ୧୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି ।
ଢେଙ୍କାନାଳ ଗଜମରାରେ କଲ୍ୟାଣୀ ଗ୍ରୁପର ବୃହତ ଶିଳ୍ପ ପ୍ରକଳ୍ପ
ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ରାଜ୍ୟ କ୍ୟାବିନେଟ୍ ବୈଠକରେ ଢେଙ୍କାନାଳରେ ମେଗା ଶିଳ୍ପ ପ୍ରକଳ୍ପ ନିମନ୍ତେ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି ।
ରାଜ୍ୟରେ ଶିଳ୍ପାୟନକୁ ତ୍ୱରାନ୍ୱିତ କରିବା ପାଇଁ କଲ୍ୟାଣୀ ଗ୍ରୁପ୍ ପକ୍ଷରୁ ଢେଙ୍କାନାଳ ଜିଲ୍ଲାର ଗଜମରାଠାରେ କଲ୍ୟାଣୀ ଗ୍ରୁପର ଏକ ସମନ୍ୱିତ ଅଟୋମୋଟିଭ୍, ଏରୋସ୍ପେସ୍ ଏବଂ ପ୍ରତିରକ୍ଷା ଉପକରଣ ନିର୍ମାଣ କମ୍ପେ୍ଲକ୍ସ ପ୍ରତିଷ୍ଠା କରାଯିବ । ପ୍ରାୟ ୧୧୦୦ ଏକର ଜମିରେ ବିକଶିତ ହେବାକୁ ଥିବା ଏହି ପ୍ରକଳ୍ପରେ କଲ୍ୟାଣୀ ଷ୍ଟିଲ୍ସ, ସାରଲୋହା ଆଡଭାନ୍ସଡ୍ ମ୍ୟାଟେରିଆଲ୍ସ ଓ ଭାରତ ଫୋର୍ଜ ପକ୍ଷରୁ ମୋଟ ୧୭୨୫୦ କୋଟି ଟଙ୍କାର ନିବେଶ କରାଯିବ । ଏହି ପ୍ରକଳ୍ପ ଦ୍ୱାରା ପ୍ରାରମ୍ଭିକ ଭାବେ ୪୮୦୦ ପ୍ରତ୍ୟକ୍ଷ ଓ ୫୫୦୦ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବାକୁ ଥିବାବେଳେ ଭବିଷ୍ୟତରେ ଏହା ୨୦ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ପ୍ରଦାନ କରିବ ।
ସମବାୟ ଓ ବିଜ୍ଞାନ କ୍ଷେତ୍ରରେ ବିକାଶ: ୨୦୩୬ ପାଇଁ ପ୍ରସ୍ତୁତ ହେଉଛି ଓଡ଼ିଶା
ସମବାୟ କ୍ଷେତ୍ରକୁ ଅଧିକ ଦକ୍ଷ, ସ୍ୱଚ୍ଛ ଓ ସଦସ୍ୟକୈନ୍ଦ୍ରିକ କରିବା ପାଇଁ ‘ରାଜ୍ୟ ସମବାୟ ନୀତି-୨୦୨୬’ କୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ‘ସମବାୟରୁ ସମୃଦ୍ଧି’ ନୀତି ସହ ସମନ୍ୱୟ ରକ୍ଷା କରି ପ୍ରସ୍ତୁତ ଏହି ରାଜ୍ୟ ନୀତି ୨୦୩୬ ମସିହା ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହା ମାଧ୍ୟମରେ ପ୍ୟାକ୍ସ, ସମବାୟ ସଂସ୍ଥା ଓ ସମବାୟ ବ୍ୟାଙ୍କଗୁଡ଼ିକୁ ସୁଦୃଢ଼ କରାଯିବା ସହ ଗ୍ରାମାଂଚଳରେ ଆର୍ଥିକ କାର୍ଯ୍ୟକଳାପ ବୃଦ୍ଧି ଓ କୃଷି ପ୍ରକ୍ରିୟାକରଣକୁ ପ୍ରୋତ୍ସାହନ ଦିଆଯିବ। ଏହି ନୀତି ‘ବିକଶିତ ଓଡ଼ିଶା-୨୦୩୬’ ଓ ‘ବିକଶିତ ଭାରତ-୨୦୪୭’ ଲକ୍ଷ୍ୟ ହାସଲରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ।
ସେହିପରି ରାଜ୍ୟରେ ବୈଜ୍ଞାନିକ ଗବେଷଣା ଓ ନବସୃଜନକୁ ଉତ୍ସାହିତ କରିବା ପାଇଁ ‘ରାଜ୍ୟ ବିଜ୍ଞାନ ଓ ବୈଷୟିକ ପରିଷଦ’ ଯୋଜନାକୁ ମଞ୍ଜୁରୀ ମିଳିଛି । ୨୦୨୫-୨୬ରୁ ୨୦୨୯-୩୦ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ୫ବର୍ଷ ପାଇଁ ଏହି ଯୋଜନା କାର୍ଯ୍ୟକାରୀ ହେବ, ଯେଉଁଥିରେ ୨୫୪.୮୫ କୋଟି ଟଙ୍କା ବ୍ୟୟ କରାଯିବ । ଏହି ଯୋଜନା ଅଧୀନରେ ୧୪ଟି ଉପ ଯୋଜନା ରହିଛି, ଯାହା ମାଧ୍ୟମରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନରେ ଉଚ୍ଚଶିକ୍ଷା ଓ ଗବେଷଣା ପାଇଁ ପ୍ରୋତ୍ସାହିତ କରାଯିବା ସହ ଜିଲ୍ଲା ବିଜ୍ଞାନ କେନ୍ଦ୍ର ଓ ପ୍ଲାନେଟାରିୟମ୍ ମାଧ୍ୟମରେ ଜନସାଧାରଣଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ ସୃଷ୍ଟି କରାଯିବ ।
ବନ୍ଦ ହେବନି ଦୁବାଇ ଓ ସିଙ୍ଗାପୁରକୁ ବିମାନ ଚଳାଚଳ
ରାଜ୍ୟ ସରକାର ଭୁବନେଶ୍ୱରରୁ ଦୁବାଇ ଏବଂ ସିଙ୍ଗାପୁରକୁ ବିମାନ ଚଳାଚଳ ବଜାୟ ରଖିବା ପାଇଁ ଆର୍ଥିକ ସହାୟତା(ଭିଜିଏଫ) ପ୍ରଦାନ କରିବାକୁ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତିି ନେଇଛନ୍ତି ।ଏଥିପାଇଁ ପ୍ରାୟ ୨୬.୮୭ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବିତ ହୋଇଛି । ତେବେ ବ୍ୟାଙ୍କକ୍ ଓ ଆବୁଧାବି ରୁଟ୍ ପାଇଁ ଏହି ସହାୟତାକୁ ପ୍ରତ୍ୟାହାର କରିନିଆଯାଇଛି । ଏହି ପଦକ୍ଷେପ ଫଳରେ ଭୁବନେଶ୍ୱରରୁ ଦୁବାଇ ଓ ସିଙ୍ଗାପୁରକୁ ସିଧାସଳଖ ବିମାନ ଯୋଗାଯୋଗ ବନ୍ଦ ହୋଇଯିବ ବୋଲି ଉପୁଜିଥିବା ଆଶଙ୍କାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି ।
ନୂତନ ସେବା ନିୟମ ସଂଶୋଧନ ଓ ନିଯୁକ୍ତିରେ ସର୍ତ୍ତାବଳୀରେ ପରିବର୍ତ୍ତନକୁ ମଞ୍ଜୁରୀ
ରାଜ୍ୟ ସରକାରୀ କର୍ମଚାରୀଙ୍କ ସ୍ୱାର୍ଥ ଓ ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ପାଇଁ ରାଜ୍ୟ କ୍ୟାବିନେଟ୍ କେତେକ ପଦକ୍ଷେପ ନେଇଛନ୍ତି । ରାଜ୍ୟର ଇଏସଆଇ ହସ୍ପିଟାଲ ଓ ଡିସପେନସାରିରେ କାର୍ଯ୍ୟରତ ନର୍ସିଂ କର୍ମଚାରୀଙ୍କ ପାଇଁ "ଓଡ଼ିଶା କର୍ମଚାରୀ ରାଜ୍ୟ ବୀମା ଯୋଜନା ନର୍ସିଂ ସେବା ନିୟମ-୨୦୨୫’ ପ୍ରଣୟନ କରାଯାଇଛି, ଯାହା ସେମାନଙ୍କ ନିଯୁକ୍ତି ଏବଂ ପଦୋନ୍ନତି ପ୍ରକ୍ରିୟାକୁ ସଠିକ୍ ଭାବେ ନିୟନ୍ତ୍ରିତ କରିବ ।
ସେହିପରି ମିଳିତ ବୈଷୟିକ ସେବା ନିଯୁକ୍ତି ପରୀକ୍ଷା ନିୟମାବଳୀ-୨୦୨୨ରେ ସଂଶୋଧନ କରାଯାଇ ୧୦ଟି ନୂଆ ପଦବୀକୁ ସାମିଲ କରାଯାଇଛି ଏବଂ ଏଣିକି କ୍ୟାବିନେଟ୍ ବଦଳରେ ସରକାରଙ୍କ ଅନୁମୋଦନକ୍ରମେ ପଦବୀ ଓ ସିଲାବସ ଅନ୍ତର୍ଭୁକ୍ତ କରାଯାଇପାରିବ । ସେହିପରି ପୋଲିସ, ଅବକାରୀ ଓ ଜଙ୍ଗଲ ବିଭାଗ ଭଳି ୟୁନିଫର୍ମ ସେବାରେ ଚୟନ ପାଇଁ ଅଧ୍ୟକ୍ଷ ଓ ସଦସ୍ୟଙ୍କ ନିଯୁକ୍ତି ନିମନ୍ତେ ନୂତନ ନିୟମ-୨୦୨୬କୁ ମଞ୍ଜୁରୀ ମିଳିଥିବା ବେଳେ ଦିବ୍ୟାଙ୍ଗ ପ୍ରାର୍ଥୀମାନଙ୍କୁ ନ୍ୟାୟିକ ସେବାରେ ଅଧିକ ସୁଯୋଗ ପ୍ରଦାନ କରିବା ପାଇଁ ଓଡ଼ିଶା ଉଚ୍ଚତର ନ୍ୟାୟିକ ସେବା ଓ ନ୍ୟାୟିକ ସେବା ନିୟମାବଳୀ-୨୦୦୭ରେ ସଂଶୋଧନ ପାଇଁ ନିଷ୍ପତ୍ତିି ନିଆଯାଇଛି ।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ “ଓଡ଼ିଶା ସଂସ୍କୃତି ଉନ୍ନୟନ ସେବା ବର୍ଗ” ନାମକ ଏକ ନୂତନ ସେବା ବର୍ଗ ଗଠନ କରାଯାଇଛି । ଏହା ଜିଲ୍ଲା ସଂସ୍କୃତି ଅଧିକାରୀମାନଙ୍କୁ ପଦୋନ୍ନତିର ସୁବିଧା ପ୍ରଦାନ କରିବା ସହ ରାଜ୍ୟର ସାଂସ୍କୃତିକ ବିକାଶକୁ ତୃଣମୂଳ ସ୍ତରରେ ପହଂଚାଇବାରେ ସହାୟକ ହେବ । ଏସବୁ ବ୍ୟତୀତ ଖଣି ବିଭାଗର ଜଣେ ଅବସରପ୍ରାପ୍ତ ଡ୍ରିଲରଙ୍କ ନାମରେ ଥିବା ୮.୩୮ ଲକ୍ଷରୁ ଅଧିକ ଟଙ୍କାର ବକେୟା ଦେୟକୁ ଛାଡ଼ କରିବା ପାଇଁ କ୍ୟାବିନେଟ୍ ମାନବିକ ନିଷ୍ପତ୍ତି ନେଇଛନ୍ତି ।
ଜଳସେଚନ ପାଇଁ ‘ଡାଇଭର୍ସନ୍ ୱେୟାର ସୁଧାର ଯୋଜନା’
ସେହିପରି ରାଜ୍ୟର କ୍ଷୁଦ୍ର ଜଳସେଚନ ପ୍ରକଳ୍ପଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ‘ଡାଇଭର୍ସନ୍ ୱେୟାର ସୁଧାର ଯୋଜନା’ କୁ ଅନୁମୋଦନ କରାଯାଇଛି, ଯେଉଁଥିରେ ୨୦୨୫-୨୬ରୁ ୩ବର୍ଷ ମଧ୍ୟରେ ୩୬୨ କୋଟି ଟଙ୍କା ଖର୍ଚ୍ଚ ହେବ । ଏହାମାଧ୍ୟମରେ ରାଜ୍ୟର ପୁରାତନ ନଦୀବନ୍ଧ ଓ ବ୍ୟାରେଜଗୁଡ଼ିକର ମରାମତି କରାଯିବା ସହ କେନାଲରେ କ୍ରଙ୍କିଟ୍ ଲାଇନିଙ୍ଗ୍ ନିର୍ମାଣ କରାଯାଇ ଚାଷୀଙ୍କୁ ସୁବିଧାରେ ଜଳ ଯୋଗାଇ ଦିଆଯିବ । ଏଥିସହିତ ସପ୍ତଦଶ ଓଡ଼ିଶା ବିଧାନସଭାର ଷଷ୍ଠ ଅଧିବେଶନ ଫେବୃଆରୀ ୧୭ରୁ ଆହୂତ କରିବା ପାଇଁ ପିଛିଲା ଭାବେ କ୍ୟାବିନେଟ୍ ଅନୁମୋଦନ ଦେଇଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us