ଓଡ଼ିଶାରେ ସୋଲାର ସେଲ୍ ମାନ୍ୟୁଫାକଚରିଂ ପ୍ଲାଣ୍ଟ ନିର୍ମାଣ କରିବ ଟାଟା ପାୱାର । ପ୍ରାୟ ୧୦ହଜାର କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ଦ୍ୱାରା ୫ହଜାରରୁ ଅଧିକ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ରାଜ୍ୟ କ୍ୟାବିନେଟ୍ ଆଜି ଏହି ପ୍ରସ୍ତାବକୁ ଅନୁମୋଦନ କରିବା ସହ ମୋଟ ୮ଟି ବିଭାଗର ୧୧ଟି ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ପର୍ଯ୍ୟଟନ ନୀତିରେ ସଂଶୋଧନ ସହ ରାସନ କାର୍ଡ ପାଇଁ ଆୟସୀମାକୁ ମଧ୍ୟ ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏହି ବୈଠକ ପରେ ମୁଖ୍ୟ ସଚିବ ଅନୁ ଗର୍ଗ ଗଣମାଧ୍ୟମକୁ କ୍ୟାବିନେଟ୍ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଥିଲେ ।
ଟାଟା ପାୱାର ସ୍ଥାପନ କରିବ ସମନ୍ୱିତ ସୌର ଉତ୍ପାଦନ କେନ୍ଦ୍ର
ରାଜ୍ୟରେ ଅକ୍ଷୟ ଶକ୍ତି ଓ ସବୁଜ ଶିଳ୍ପାୟନକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ କ୍ୟାବିନେଟ୍ ଆଜି ଟାଟା ପାୱାର ନବୀକରଣୀୟ ଶକ୍ତି ଲିମିଟେଡର(ଟିପିଆରଇଏଲ) ଏକ ବୃହତ୍ ସୋଲାର ସେଲ୍ ମାନ୍ୟୁଫାକଚରିଂ ନିର୍ମାଣ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି । ପ୍ରାୟ ୧୦ହଜାର କୋଟି ଟଙ୍କା ପୁଞ୍ଜିନିବେଶ ମାଧ୍ୟମରେ ଗଞ୍ଜାମ ଜିଲ୍ଲାର ଟାଟା ସ୍ୱତନ୍ତ୍ର ଅର୍ଥନୈତିକ କ୍ଷେତ୍ର ଠାରେ ଏହି ସମନ୍ୱିତ ଇନଗଟ୍-ୱେଫର ଓ ସୌର ସେଲ୍ ଉତ୍ପାଦନ ପ୍ରକଳ୍ପ ସ୍ଥାପିତ ହେବ । ଏହି ପ୍ରକଳ୍ପ ଦ୍ୱାରା ୫ହଜାରରୁ ଅଧିକ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହା କେବଳ ଓଡ଼ିଶାର ସୌର ଶକ୍ତି କ୍ଷେତ୍ରକୁ ସୁଦୃଢ଼଼ କରିବ ନାହିଁ, ବରଂ ୨୦୩୦ ସୁଦ୍ଧା ୧୦୦ ଜିଡବ୍ଲ୍ୟୁ ଘରୋଇ ସୌର ମଡ୍ୟୁଲ୍ ଉତ୍ପାଦନ କରିବାର ଭାରତର ଲକ୍ଷ୍ୟକୁ ହାସଲ କରିବାରେ ମଧ୍ୟ ସହାୟକ ହେବ । ଓଡ଼ିଶା ଭାରତର ସୌର ଶକ୍ତି ଉପକରଣ ଉତ୍ପାଦନର ଏକ ପ୍ରମୁଖ ହବ୍ ଭାବେ ଉଭା ହେବ ।
ପର୍ଯ୍ୟଟନ ନୀତିରେ ସଂଶୋଧନକୁ ମଞ୍ଜୁରୀ
ରାଜ୍ୟରେ ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ ଆକର୍ଷଣୀୟ କରିବା ପାଇଁ "ଓଡ଼ିଶା ପର୍ଯ୍ୟଟନ (ସଂଶୋଧନ) ନୀତି-୨୦୨୬’କୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ନିବେଶକଙ୍କ ସୁବିଧା ପାଇଁ ୩-ତାରକା ଓ ତଦୁର୍ଦ୍ଧ୍ୱ ତାରକା ବିଶିଷ୍ଟ ହୋଟେଲ ପାଇଁ ସର୍ବନିମ୍ନ କୋଠରୀ ସଂଖ୍ୟା ୫୦ରୁ ୧୦କୁ ହ୍ରାସ କରାଯାଇଛି । ପୁଞ୍ଜି ନିବେଶ ସବସିଡି ଢାଂଚାକୁ ସରଳୀକୃତ କରି ୩୦%ରୁ ୪୦% ପର୍ଯ୍ୟନ୍ତ ସହାୟତା ବ୍ୟବସ୍ଥା କରାଯାଇଛି ।
ସେହିପରି ହୀରାକୁଦ, ସାତକୋଶିଆ, ଶିମିଳିପାଳ ଏବଂ ଭିତରକନିକା ଭଳି ଉଚ୍ଚ-ସମ୍ଭାବ୍ୟ ପର୍ଯ୍ୟଟନ ସ୍ଥଳୀକୁ ସ୍ୱତନ୍ତ୍ର ଜୋନରେ ଅନ୍ତର୍ଭୁକ୍ତ କରାଯାଇଛି । ସଂଶୋଧିତ ପର୍ଯ୍ୟଟନ ନୀତି ଅନୁସାରେ ମୁମ୍ବାଇ, ଦିଲ୍ଲୀ ଓ ବେଙ୍ଗାଲୁରୁ ଭଳି ଦେଶର ୫ଟି ମେଟ୍ରୋ ସହର ସମେତ ଆଗ୍ରା, ବାରାଣସୀ ଭଳି ୫ଟି ପ୍ରମୁଖ ପର୍ଯ୍ୟଟନ ସ୍ଥଳୀରେ ଓଡ଼ିଆ ଖାଦ୍ୟକୁ ପ୍ରୋତ୍ସାହନ ଦେବା ପାଇଁ ଓଡ଼ିଆ ରେଷ୍ଟୁରାଂଟ ଖୋଲିବାକୁ ସରକାର ସହାୟତା ପ୍ରଦାନ କରିବେ ।
ରାସନ କାର୍ଡ ହିତାଧିକାରୀଙ୍କ ଆୟସୀମା ବୃଦ୍ଧି
ରାସନକାର୍ଡ ପାଇଁ ଯୋଗ୍ୟତା ମାନଦଣ୍ଡରେ ପରିବର୍ତ୍ତନ ହୋଇଛି ଓ ହିତାଧିକାରୀଙ୍କ ଆୟସୀମା ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ରାସନକାର୍ଡରୁ ବାଦ୍ ଦେବା ମାନଦଣ୍ଡରେ ପରିବାରର ମାସିକ ଆୟ ଗ୍ରାମାଞ୍ଚଳରେ ମାସିକ ଆୟ ୧୦ହଜାର ଟଙ୍କା ବଦଳରେ ୧୫ହଜାର ଟଙ୍କା ଓ ସହରାଂଚଳରେ ୧୫ହଜାର ପରିବର୍ତ୍ତେ ୨୦ହଜାର ଟଙ୍କା ସ୍ଥିର କରାଯାଇଛି । ଏହାଦ୍ୱାରା ଅନେକ ପ୍ରକୃତ ହିତାଧିକାରୀ ରାସନକାର୍ଡ ସୁବିଧାରୁ ବଂଚିତ ହେବେ ନାହିଁ ।
ଗ୍ରାମାଂଚଳରେ ମାସିକ ୧୫ହଜାର ଓ ସହରାଂଚଳରେ ୨୦ହଜାର ଟଙ୍କା ପର୍ଯ୍ୟନ୍ତ ଉପାର୍ଜନ କରୁଥିବା ପରିବାର ଖାଦ୍ୟ ସୁରକ୍ଷା ଯୋଜନାର ସୁବିଧା ପାଇପାରିବେ । ଏଥିସହ ମୃତ ବ୍ୟକ୍ତିଙ୍କ ନାମରେ ରାସନ ଉଠାଇବା ରୋକିବା ପାଇଁ କଠୋର ନିୟମ ଓ ଜୋରିମାନା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ମୃତ ହିତାଧିକାରୀଙ୍କ ନାମରେ ଜାଲିଆତି କରି ରାସନ ଉଠାଇଲେ ସଂପୃକ୍ତ ପରିବାରଠାରୁ ସାମଗ୍ରୀର ମୂଲ୍ୟ ଦେଢ଼ ଗୁଣ ହାରରେ ଆଦାୟ କରାଯିବାର କଠୋର ବ୍ୟବସ୍ଥା କରାଯାଇଛି ।
ଦକ୍ଷତା ବିକାଶ ପ୍ରକଳ୍ପ-୨କୁ ଅନୁମୋଦନ
ରାଜ୍ୟର ଯୁବପିଢ଼ିଙ୍କୁ ବିଶ୍ୱସ୍ତରୀୟ ଦକ୍ଷତା ପ୍ରଦାନ କରିବା ପାଇଁ "ଓଡ଼ିଶା ଦକ୍ଷତା ବିକାଶ ପ୍ରକଳ୍ପର ପର୍ଯ୍ୟାୟ-୨’ କୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ଏସୀୟ ବିକାଶ ବ୍ୟାଙ୍କ ସହାୟତାରେ ଏହି ୧୧୪୦ କୋଟି ଟଙ୍କାର ପ୍ରକଳ୍ପ ୨୦୨୫-୨୬ ରୁ ୨୦୨୯-୩୦ ମଧ୍ୟରେ କାର୍ଯ୍ୟକାରୀ ହେବ । ଭୁବନେଶ୍ୱର ବିଶ୍ୱ ଦକ୍ଷତା କେନ୍ଦ୍ରର ସମ୍ପ୍ରସାରଣ ସହ ବ୍ରହ୍ମପୁରରେ ହ୍ସ୍ପିଟାଲିଟି ଓ ସାମୁଦ୍ରିକ କ୍ଷେତ୍ର ଏବଂ ସମ୍ବଲପୁରରେ କୃଷି-ପ୍ରଯୁକ୍ତିବିଦ୍ୟା ପାଇଁ ନୂତନ କ୍ୟାମ୍ପସ ସ୍ଥାପନ କରାଯିବ । ଏହାସହିତ ରାଜ୍ୟର ୫ଟି ସରକାରୀ ଆଇଟିଆଇକୁ "ଉତ୍କର୍ଷ ଆଇଟିଆଇ ଭାବେ ଉନ୍ନୀତ କରାଯିବ । ଏସବୁ ଦ୍ୱାରା ରାଜ୍ୟରେ ବାର୍ଷିକ ୬୦ହଜାରରୁ ଅଧିକ ଯୁବକଯୁବତୀଙ୍କୁ ଉପକୃତ ହେବେ ।
ଆପାର୍ଟମେଂଟ ମାଲିକଙ୍କୁ ଆଶ୍ୱସ୍ତି , ଦେବେ ୫୦ହଜାର ଟଙ୍କା ଶୁଳ୍କ
ଆପାର୍ଟମେଣ୍ଟ ମାଲିକଙ୍କ ଆର୍ଥିକ ବୋଝ ହ୍ରାସ କରିବାକୁ ରାଜ୍ୟ କ୍ୟାବିନେଟ୍ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଆପାର୍ଟମେଣ୍ଟର ସମୂହ ଅଂଚଳ(କମନ ଏରିଆ) ପଞ୍ଜିକରଣ ପାଇଁ ୫ ପ୍ରତିଶତ ଷ୍ଟାମ୍ପ ଡ୍ୟୁଟି ପରିବର୍ତ୍ତେ ମାତ୍ର ୫୦ହଜାର ଟଙ୍କାର ନାମକୁ ମାତ୍ର ଶୁଳ୍ପ ଦେବାକୁ ପଡ଼ିବ ।
ସେହିପରି ନୂତନ କେନ୍ଦ୍ରୀୟ ଆଇନ "ଭାରତୀୟ ନାଗରିକ ସୁରକ୍ଷା ସଂହିତା-୨୦୨୩’ ସହ ତାଳ ମିଳାଇ ରାଜ୍ୟ ଅଭିଯୋଜନ ସେବା ନିୟମାବଳୀ-୧୯୯୭ରେ ସଂଶୋଧନ କରାଯାଇଛି, ଯାହା ଅଧୀନରେ ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲା ଅଭିଯୋଜନ ନିର୍ଦ୍ଦେଶାଳୟ ଗଠନ କରାଯିବ । ଏହି ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି ।
ଏସବୁ ବ୍ୟତୀତ ବାଲେଶ୍ୱର ଜିଲ୍ଲାରେ ଜଳସେଚନ ସୁବିଧା ବୃଦ୍ଧି ପାଇଁ ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପ ଅଧୀନରେ ଭୂତଳ ପାଇପଲାଇନ ନିର୍ମାଣ ନିମନ୍ତେ ୩୧୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ସଂକ୍ରାନ୍ତ ଟେଣ୍ଡରକୁ ଅନୁମୋଦନ ମିଳିଛି । ଜିଲ୍ଲାର ସୋରୋ, ବାହାନଗା ଓ ଓଉପଦା ବ୍ଲକର ୧୨୧୫୫ ହେକ୍ଟର ଚାଷଜମିକୁ ଜଳସେଚନ ସୁବିଧା ମିଳିବ । "ଜଳ ଜୀବନ ମିଶନ’ର ପ୍ରକଳ୍ପଗୁଡ଼ିକୁ ବାଧାହୀନ ଭାବେ ଚଳାଇବା ପାଇଁ କେନ୍ଦ୍ରୀୟ ଅଂଶ ଆସିବା ପୂର୍ବରୁ ରାଜ୍ୟ ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରିବାକୁ କ୍ୟାବିନେଟ୍ ଅନୁମତି ଦେଇଛନ୍ତି ।
ସେହିପରି ‘ପାର୍ବତୀଗିରି ବୃହତ୍ ଉଠା ଜଳସେଚନ ଯୋଜନା’ ଅନ୍ତର୍ଗତ ଗଞ୍ଜାମ ଜିଲ୍ଲାର ୬୩୪୩ ହେକ୍ଟର ଚାଷଜମିକୁ ଜଳସେଚନ ଯୋଗାଇ ଦେବା ପାଇଁ ୧୯୦.୩୭ କୋଟି ଟଙ୍କାର ଟେଣ୍ଡରକୁ ଆଜି କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ପ୍ରକଳ୍ପଟିକୁ ୩୬ମାସ ମଧ୍ୟରେ ସମ୍ପୂର୍ଣ୍ଣ କରାଯିବାର ଲକ୍ଷ୍ୟ ରଖାଯାଇଛି ଓ ଏହାର ୧୫ବର୍ଷ ପର୍ଯ୍ୟନ୍ତ ପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ ମଧ୍ୟ ୧୫.୨୩କୋଟି ଟଙ୍କାର ପ୍ରାବଧାନ ରହିଛି । ଗଞ୍ଜାମ ଜିଲ୍ଲାର ୮୫ଟି ଗାଁର ଚାଷୀ ଏହି ଜଳସେଚନ ପ୍ରକଳ୍ପ ଦ୍ୱାରା ଉପକୃତ ହେବେ ବୋଲି କ୍ୟାବିନେଟ୍ ବୈଠକର ବିବରଣୀରୁ ଜଣାପଡ଼ିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us