
Cabinet meeting Today
ଓଡ଼ିଶା ଇତିହାସରେ ପ୍ରଥମଥର ପାଇଁ ରାଜ୍ୟ ବଜେଟ୍ ଆକାର ୩ଲକ୍ଷ କୋଟି ଟଙ୍କା ଅତିକ୍ରମ କରିବ। ୨୦୨୬-୨୭ ଆର୍ଥିକ ବର୍ଷରେ ରାଜ୍ୟ ବଜେଟ ଆକାର ପ୍ରାୟ ୩.୧୦ଲକ୍ଷ କୋଟି ଟଙ୍କା ହେବାର ସମ୍ଭାବନା ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଅର୍ଥ ବିଭାଗର ଏହି ବଜେଟ୍ ପ୍ରସ୍ତାବ ସମେତ ମୋଟ ୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ରାଜ୍ୟ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତୃତୀୟ ଥର ପାଇଁ ବାର୍ଷିକ ରାଜ୍ୟ ବଜେଟକୁ ଆସନ୍ତା ୨୦ତାରିଖରେ ବିଧାନସଭାରେ ଉପସ୍ଥାପନ କରିବେ ।
ରାଜ୍ୟ ବଜେଟ୍ ୩.୧୦ଲକ୍ଷ କୋଟି ଛୁଇଁଲା!
୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପ୍ରସ୍ତୁତ ଚିଠା ବଜେଟକୁ ଆଜି ରାଜ୍ୟ ମନ୍ତ୍ରିପରିଷଦ ଓ ରାଜ୍ୟ କ୍ୟାବିନେଟ୍ ବୈଠକରେ ଅନୁମୋଦନ ମିଳିଛି।
ରାଜ୍ୟ(Odisha) ସରକାରଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୨୦୨୫-୨୬ ଆର୍ଥିକ ବର୍ଷର ମୋଟ ବଜେଟ୍ ୨.୯୦ଲକ୍ଷ କୋଟି ଟଙ୍କା ଥିବାବେଳେ ୨୦୨୬-୨୭ ଆର୍ଥିକ ବର୍ଷରେ ଏହା ପ୍ରାୟ ୭ ପ୍ରତିଶତ ବୃଦ୍ଧି ପାଇ ୩.୧୦ଲକ୍ଷ କୋଟି ଟଙ୍କାକୁ ଛୁଇଁବ। ପ୍ରଶାସନିକ ଖର୍ଚ୍ଚରେ ୫.୬% ଓ କାର୍ଯ୍ୟକ୍ରମ ଖର୍ଚ୍ଚରେ ୫.୯ ପ୍ରତିଶତ ବୃଦ୍ଧି ସହ ମୋଟ ୨.୯୪ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ହୋଇଥିବା ଜଣାପଡ଼ିଛି। ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କ୍ୟାପିଟାଲ(ପୁଞ୍ଜି) ବ୍ୟୟ ପରିମାଣକୁ ଚଳିତ ଆର୍ଥିକ ବର୍ଷ ତୁଳନାରେ ୧୧.୫% ବୃଦ୍ଧି କରି ୭୨୫୦୦କୋଟି ଟଙ୍କା ଧାର୍ଯ୍ୟ କରିଥିବା ସୂଚନା ମିଳିଛି । ସ୍ଥାନୀୟ ନିକାୟ ସଂସ୍ଥାକୁ ପ୍ରାୟ ୩୨.୮ ପ୍ରତିଶତ ଅଧିକ ବ୍ୟୟବରାଦ କରାଯିବାର ସମ୍ଭାବନା ରହିଛି।
ଜଳସମ୍ପଦ ବିଭାଗର ୩ ଓ ଶ୍ରମ-ଇଏସଆଇର ଗୋଟିଏ ପ୍ରସ୍ତାବକୁ ଅନୁମୋଦନ
କ୍ୟାବିନେଟ୍ ବୈଠକରେ ଜଳସମ୍ପଦ ବିଭାଗର ୩ଟି ଟେଣ୍ଡର ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏହି ସମସ୍ତ ଟେଣ୍ଡର ଆନନ୍ଦପୁର ବ୍ୟାରେଜ୍ ପ୍ରକଳ୍ପ ସହ ଜଡ଼ିତ। କେନ୍ଦୁଝର ଓ ବାଲେଶ୍ୱର ଜିଲ୍ଲାକୁ ଜଳସେଚନ ସୁବିଧା ଯୋଗାଇବା ନିମନ୍ତେ ଉଦ୍ଦିଷ୍ଟ ସମନ୍ୱିତ ଆନନ୍ଦପୁର ବ୍ୟାରେଜ୍ ପ୍ରକଳ୍ପ ଅଧୀନରେ ବାକି ଥିବା ଅବଶିଷ୍ଟ ୫୭ହଜାର ହେକ୍ଟର ଚାଷଜମିକୁ ଜଳସେଚନ ସୁବିଧା ଯୋଗାଇବା ପାଇଁ ସରକାର ଏବେ ଭୂତଳ ପାଇପଲାଇନ୍ ମାଧ୍ୟମରେ ଜଳ ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ଜମି ଅଧିଗ୍ରହଣ ପ୍ର୍ରକ୍ରିୟାରେ ବିଳମ୍ବକୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।
ଏଥିପାଇଁ ସମଗ୍ର ପ୍ରକଳ୍ପକୁ ୯ଟି ପ୍ୟାକେଜରେ ବିଭକ୍ତ କରି ଆଜିର କ୍ୟାବିନେଟ ବୈଠକରେ ସେଥିରୁ ୩ଟି ପ୍ରମୁଖ ପ୍ୟାକେଜର ଟେଣ୍ଡରକୁ ଅନୁମୋଦନ କରାଯାଇଛି। ଏଥିରେ ୧୪୬.୧୭କୋଟି ଟଙ୍କାର ପ୍ରଥମ ପ୍ୟାକେଜ୍ , ୧୦୭.୯୬କୋଟି ଟଙ୍କାର ଦ୍ୱିତୀୟ ପ୍ୟାକେଜ୍ ଓ ୧୦୫.୬୨କୋଟି ଟଙ୍କାର ତୃତୀୟ ପ୍ୟାକେଜ୍ ସଂକ୍ରାନ୍ତ ଟେଣ୍ଡରକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି ।
ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ବାଲେଶ୍ୱର ଜିଲ୍ଲାର ନୀଳଗିରି, ବାହାନଗା, ଓଉପଦା, ରେମୁଣା ଓ ବାଲେଶ୍ୱର ବ୍ଲକର ହଜାର ହଜାର ଚାଷୀ ଉପକୃତ ହେବେ।
ସେହିପରି ରାଜ୍ୟ ଶ୍ରମ ଓ ଇଏସଆଇ ବିଭାଗର ଗୋଟିଏ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। ଓଡ଼ିଶା କର୍ମଚାରୀ ରାଜ୍ୟବୀମା ଯୋଜନା ରେଡିଓଗ୍ରାଫର ସେବା(ନିଯୁକ୍ତି ପଦ୍ଧତି ଓ ସେବା ସର୍ତ୍ତାବଳୀ) ନିୟମ-୨୦୨୬କୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। ଏହି ନୂଆ କ୍ୟାଡ଼ର ନିୟମ ଦ୍ୱାରା ରାଜ୍ୟର ଇଏସଆଇ ହସ୍ପିଟାଲ ଓ ଡିସପେନସାରୀଗୁଡ଼ିକରେ କାର୍ଯ୍ୟରତ ରେଡ଼ିଓଗ୍ରାଫରମାନଙ୍କ ନିଯୁକ୍ତି , ପଦୋନ୍ନତି ଓ ଅନ୍ୟାନ୍ୟ ସେବା ସର୍ତ୍ତାବଳୀକୁ ଠିକ୍ ଭାବେ ନିୟନ୍ତ୍ରଣ କରାଯାଇପାରିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
