A cabinet meeting was held today at Lokseba Bhawan
ପୁଲିସ ଓ ଅନ୍ୟାନ୍ୟ ୟୁନିଫର୍ମ ସେବା ପାଇଁ ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଅଭିଯୋଗ ଆସିବା ପରେ ରାଜ୍ୟ ସରକାର ‘ଓଡ଼ିଶା ୟୁନିଫର୍ମଡ୍ ସର୍ଭିସ ଷ୍ଟାଫ ସିଲେକ୍ସନ କମିଶନ’ ବା ଓଡ଼ିଶା ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ (ଓୟୁଏସଏସସି) ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଆୟୋଗ ଗଠନ ସମ୍ପର୍କରେ ଗତ ଅକ୍ଟୋବର ୨୨ତାରିଖରେ ସୂଚନା ଦେଇଥିଲେ। ଆଜି ରାଜ୍ୟ କ୍ୟାବିନେଟ୍ ଏହି ଆୟୋଗ ଗଠନକୁ ମଞ୍ଜୁରୀ ଦେଇଛନ୍ତି । ଏସସିଏସଟି ପିଲାମାନଙ୍କ ଛାତ୍ରବୃତ୍ତି ବୃଦ୍ଧି,ଶିଳ୍ପାୟନକୁ ପ୍ରୋତ୍ସାହନ ଓ ଖଣିଜ ସଂପଦର ସୁରକ୍ଷା ସମେତ ୯ଟି ବିଭାଗର ମୋଟ ୧୨ଟି ପ୍ରସ୍ତାବକୁ ମଧ୍ୟ ଆଜି ରାଜ୍ୟ କ୍ୟାବିନେଟର ଅନୁମୋଦନ ମିଳିଛି ।
ଓଡ଼ିଶା ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ ଗଠନ
ରାଜ୍ୟରେ ପୁଲିସ୍ ଓ ଅନ୍ୟାନ୍ୟ ୟୁନିଫର୍ମ ସେବାରେ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତତା ଓ ବିଳମ୍ବକୁ ଦୃଷ୍ଟିରେ ରଖି ଓଡ଼ିଶା ସ୍ୱତନ୍ତ୍ର ସେବା କର୍ମଚାରୀ ଚୟନ ଆୟୋଗ ଗଠନ ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ୟୁନିଫର୍ମ ସେବାରେ ନିଯୁକ୍ତି ପ୍ରକ୍ରିୟାକୁ ସ୍ୱଚ୍ଛ ଓ ସୁବ୍ୟବସ୍ଥିତ କରିବା ପାଇଁ ଗଠନକୁ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଗୃହ ବିଭାଗ ସମେତ ଅବକାରୀ, ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ବାଣିଜ୍ୟ ଓ ପରିବହନ ବିଭାଗ ଅଧିନରେ ଥିବା ବିଭିନ୍ନ ପଦବୀ ପାଇଁ ଏକକ ନିଯୁକ୍ତି ପ୍ରକ୍ରିୟାକୁ ଏହି ଆୟୋଗ ହିଁ ପରିଚାଳନା କରବେ । ଏହାଦ୍ୱାରା ନିଯୁକ୍ତି ପ୍ରକ୍ରିୟା ସ୍ୱଚ୍ଛ, ଦକ୍ଷ ଏବଂ ସମୟାନୁବର୍ତ୍ତୀ ହୋଇପାରିବ ବୋଲି ସରକାର ଆଶା ରଖିଛନ୍ତି ।
ଏସସିଏସଟି ଛାତ୍ରଛାତ୍ରୀଙ୍କ ସ୍କଲାରସିପ୍ ବୃଦ୍ଧି
ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ଅଧୀନରେ ଅନୁସୂଚିତ ଜନଜାତି (ଏସଟି) ଓ ଅନୁସୂଚିତ ଜାତି (ଏସସି) ବର୍ଗର ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରାକ୍-ମାଟ୍ରିକ ଏବଂ ମାଟ୍ରିକ ପରବର୍ତ୍ତୀ ଛାତ୍ରବତ୍ତି ହାରରେ ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ବଜାର ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ଛାତ୍ରାବାସରେ ରହୁଥିବା ଛାତ୍ରମାନଙ୍କ ପାଇଁ ବାର୍ଷିକ ବୃତ୍ତି ୧୦,୫୦୦ ଟଙ୍କାରୁ ୧୬ହଜାର ଟଙ୍କାକୁ ଏବଂ ଛାତ୍ରୀମାନଙ୍କ ପାଇଁ ୧୧ହଜାରରୁ ୧୭ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ‘ଅନ୍ୱେଷା' ଛାତ୍ରାବାସରେ ରହୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ମଧ୍ୟ ଏହି ବୃତ୍ତି ବାର୍ଷିକ ୧୧ହଜାର ଟଙ୍କାରୁ ୧୭ହଜାର ଟଙ୍କାକୁ ବୃଦ୍ଧି ପାଇଁ ନିଷ୍ପତ୍ତି ହୋଇଛି । ଏହି ନୂଆ ବର୍ଦ୍ଧିତ ବୃତ୍ତି ୨୦୨୫ ଡିସେମ୍ବର ପହିଲାରୁ ଲାଗୁ କରିବାକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି ।
ଓଡ଼ିଶା ଗ୍ଲୋବାଲ କାପାବିଲିଟି ସେଂଟର ନୀତି-୨୦୨୫ ଅନୁମୋଦିତ
ରାଜ୍ୟକୁ ବିଶ୍ୱସ୍ତରୀୟ ବ୍ୟବସାୟିକ କେନ୍ଦ୍ର ଭାବେ ଗଢ଼ି ତୋଳିବା ପାଇଁ ରାଜ୍ୟ କ୍ୟାବିନେଟ୍ ‘ଓଡ଼ିଶା ଗ୍ଲୋବାଲ କ୍ୟାପାବିଲିଟି ସେଂଟର (ଜିସିସି) ନୀତି ୨୦୨୫' କୁ ଅନୁମୋଦନ କରିଛନ୍ତି । ବଡ଼ ବଡ଼ ବହୁରାଷ୍ଟ୍ରୀୟ କଂପାନୀମାନଙ୍କୁ ଓଡ଼ିଶାରେ ସେମାନଙ୍କର କାର୍ଯ୍ୟାଳୟ ଖୋଲିବାକୁ ଆକୃଷ୍ଟ କରିବା ଏହି ନୀତିର ମୁଖ୍ୟ ଲକ୍ଷ୍ୟ । ବିକଶିତ ଓଡ଼ିଶା-୨୦୩୬ ଓ ୨୦୪୭ର ରୋଡମ୍ୟାପକୁ ଦୃଷ୍ଟିରେ ରଖି ଏହି ନୀତି ମାଧ୍ୟମରେ ରାଜ୍ୟରେ ୫୦ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ କଂପାନୀମାନଙ୍କୁ ବିଭିନ୍ନ ପ୍ରକାର ଆର୍ଥିକ ପ୍ରୋତ୍ସାହନ ଯଥା ଜମି, ବିଦ୍ୟୁତ ଶୁଳ୍କ ରିହାତି ଏବଂ ନିଯୁକ୍ତି ସହାୟତା ଯୋଗାଇ ଦେବା ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି ।
ଖଣିଜ ପଦାର୍ଥ ଚୋରା ଚାଲାଣ ରୋକିବାକୁ କଠୋର ଆଇନ
ରାଜ୍ୟରେ ଖଣିଜ ପଦାର୍ଥର ଚୋରା ଚାଲାଣ ଓ ବେଆଇନ ଖନନ ରୋକିବା ପାଇଁ ‘ଓଡ଼ିଶା ଖଣିଜ ପଦାର୍ଥ (ବେଆଇନ ଖଣି ଖନନ ନିବାରଣ ଏବଂ ବାଣିଜ୍ୟ, ପରିବହନ ଓ ସଂରକ୍ଷଣ ନିୟନ୍ତ୍ରଣ) ନିୟମାବଳୀ, ୨୦୨୫’ ପ୍ରଣୟନକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି । ଏହା ପୁରୁଣା ୨୦୦୭ ନିୟମାବଳୀକୁ ଉଚ୍ଛେଦ କରିବ । ଏହି ନୂତନ ନିୟମ ଦ୍ୱାରା ଖଣିଜ ପ୍ରଶାସନ ଅଧିକ ଦକ୍ଷ ହେବ ଏବଂ ବେଆଇନ କାରବାର ଉପରେ ରୋକ ଲଗାଯାଇପାରିବ । ଏହାବ୍ୟତୀତ, ଲଘୁ ଖଣିଜ ସଂପଦର ଆବଂଟନ ପାଇଁ ଇ-ଲଟେରୀ ବ୍ୟବସ୍ଥା ପ୍ରଚଳନ କରିବାକୁ ଓଡ଼ିଶା ଲଘୁ ଖଣିଜ ରିହାତି ନିୟମ, ୨୦୧୬ ରେ ସଂଶୋଧନ କରାଯାଇଛି, ଯାହାଦ୍ୱାରା ସ୍ୱଚ୍ଛତା ବଜାୟ ରହିବ ।
ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
କ୍ୟାବିନେଟ୍ ବୈଠକରେ ପରିବେଶ ସୁରକ୍ଷା ପାଇଁ ‘ଜଳ (ପ୍ରଦୂଷଣ ନିବାରଣ ଏବଂ ନିୟନ୍ତ୍ରଣ) ସଂଶୋଧନ ଆଇନ, ୨୦୨୪' ଗ୍ରହଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି, ଯାହା ଶିଳ୍ପଗୁଡ଼ିକ ଉପରେ ନିୟାମକ ବୋଝ ହ୍ରାସ କରିବ । ସେହିପରି ଯୋଜନା ଓ ସଂଯୋଜନ ବିଭାଗ ଅଧୀନରେ ଥିବା ଓଡ଼ିଶା ଅଧସ୍ତନ ପରିସଂଖ୍ୟାନ ସର୍ଭେୟର କ୍ୟାଡରର ପୁନର୍ଗଠନ କରାଯାଇଛି । ଏହାଦ୍ୱାରା କର୍ମଚାରୀମାନଙ୍କ ଦରମା ବୃଦ୍ଧି ହେବା ସହ ପଦୋନ୍ନତି ସୁଯୋଗ ସୃଷ୍ଟି ହୋଇଛି । ସେହିପରି ୧୯୯୩ ରୁ ୧୯୯୬ ମଧ୍ୟରେ ପୋଲିସ କର୍ମଚାରୀଙ୍କୁ ଦିଆଯାଇଥିବା ଅଗ୍ରହଣୀୟ ସ୍ୱତନ୍ତ୍ର ଡାଏଟ୍ ଭତ୍ତା ବାବଦକୁ ହୋଇଥିବା କ୍ଷତିକୁ ହିସାବରୁ ବାଦ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ସେହିପରି ଓଡ଼ିଶା ଅର୍ଥ ସେବା ନିୟମାବଳୀରେ ସଂଶୋଧନ କରାଯାଇ ଅଧିକାରୀମାନଙ୍କ ତାଲିମ ଅବଧି ନିର୍ଦ୍ଧାରଣ କରିବା କ୍ଷମତା ସରକାରଙ୍କ ହାତକୁ ଦିଆଯାଇଛି । ଏସବୁ ବ୍ୟତୀତ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ବୈଠକରେ ଅନୁମୋଦନ ମିଳିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us