Advertisment

ବଢ଼ିଲା ଗ୍ରାଣ୍ଟ୍ ଇନ୍ ଏଡ୍‌; ଉପକୃତ ହେବେ ୧୫,୭୭୧ ଶିକ୍ଷକ ଓ କର୍ମଚାରୀ

ସେମାନଙ୍କ ବର୍ଦ୍ଧିତ ଦରମା ପାଇଁ ସରକାର ବାର୍ଷିକ ୨୯୦ କୋଟି ଟଙ୍କା ବ୍ୟୟ କରିବେ।

author-image
Jitendra Garnayak
ଅଦ୍ୟତନ ହୋଇଛି
Lokaseva Bhaban

Lokaseva Bhaban

ରାଜ୍ୟର ଅନୁଦାନପ୍ରାପ୍ତ ବେସରକାରୀ କଲେଜ କର୍ମଚାରୀଙ୍କ ଗ୍ରାଣ୍ଟ ଇନ୍ ଏଡ୍‌କୁ ବୃଦ୍ଧି କରିଛନ୍ତି ସରକାର। ପିଛିଲା ଭାବେ ୨୦୨୨ ଜାନୁଆରୀ ପହିଲାରୁ ଏହା ଲାଗୁ ହେବ। ଶନିବାର ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏ ସଂପର୍କିତ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏହା ଦ୍ୱାରା ରାଜ୍ୟର ୧୫,୭୭୧ ଜଣ ଶିକ୍ଷକ ଓ କର୍ମଚାରୀ ଉପକୃତ ହେବେ। ସେମାନଙ୍କ ବର୍ଦ୍ଧିତ ଦରମା ପାଇଁ ସରକାର ବାର୍ଷିକ ୨୯୦ କୋଟି ଟଙ୍କା ବ୍ୟୟ କରିବେ।

Advertisment

ଏହାବ୍ୟତୀତ ଆହୁରି କିଛି ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ଲାଗିଛି। ଗ୍ରାମୀଣ ପାଇପ ଜଳ ଯୋଗାଣରେ ୨ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଯାଜପୁରର ବରୀ ଓ କୋରେଇ ବ୍ଲକରେ ନିର୍ମାଣ ହେବ ଏହି ପ୍ରକଳ୍ପ। ୫ ବର୍ଷରେ ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହେବ। ସେହିପରି ନୟାଗଡ଼ରେ ୩ଟି ଓ ମାଲକାନଗିରିରେ ୪ଟି ପାନୀୟଜଳ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ନୟାଗଡ଼ର ଦଶପଲା, ଗଣିଆ ଓ ନୂଆଗାଁରେ ଏହି ପାନୀୟଜଳ ପ୍ରକଳ୍ପ ହେବାକୁ ଥିବା ବେଳେ ମାଲକାନଗିରି ଜିଲ୍ଲାର ଖଇରିପୁଟ, ମାଲକାନଗିରି, ମାଥିଲି ଓ କାଲିମେଳାରେ ଏହି ପ୍ରକଳ୍ପ ହେବ।

ସେହିଭଳି କ୍ୟାନସର ରୋଗୀଙ୍କ ରହଣୀ ପାଇଁ ଜମି ଯୋଗାଇ ଦେବେ ସରକାର। ବାଗଚୀ ଶ୍ରୀଶଙ୍କର କ୍ୟାନସର କେୟାର ସେଣ୍ଟରକୁ ୨ ଏକର ଜମି ମିଳିବ। ଚିକିତ୍ସା ବେଳେ ରୋଗୀ ରହିବା ପାଇଁ ଏହି ଜମିରେ ଘର ନିର୍ମାଣ କରାଯିବ। ଓବିସି କମିଶନ ଆଇନରେ ସଂଶୋଧନ ପାଇଁ ଆସିଥିବା ପ୍ରସ୍ତାବକୁ ବି ମଞ୍ଜୁରୀ ମିଳିଛି। ଜଳେଶ୍ୱର ଗୋବରୀ ଘାଟରେ ସୁବର୍ଣ୍ଣରେଖା ନଦୀରେ ନିର୍ମାଣ ହେବ ଏକ ବ୍ରିଜ୍। ଏଥିପାଇଁ ପାଇଁ ଆହ୍ୱାନ କରାଯାଇଥିବା ଟେଣ୍ଡରକୁ ଆଜିର କ୍ୟାବିନେଟ୍ ବୈଠକରେ ଅନୁମୋଦନ ମିଳିଛି।

Advertisment

ସେହିପରି ଓଡ଼ିଶା ଗ୍ରୁପ-ବି କର୍ମଚାରୀ ନିଯୁକ୍ତି ଓ ସେବାସର୍ତ୍ତରେ ସଂଶୋଧନ, ଜିଏସ୍‌ଟି ଓ ସିଟିରେ ଡାଟାଏଣ୍ଟ୍ରି ଅପରେଟର ନିଯୁକ୍ତି ଅଧିନିୟମରେ ସଂଶୋଧନ, ଓଡ଼ିଶା ଖାଦ୍ୟ ପରୀକ୍ଷାଗାର କର୍ମଚାରୀ ନିଯୁକ୍ତି ଅଧିନିୟମରେ ସଂଶୋଧନ, OSJS ଓ OJS ସେବା ଅଧିନିୟମରେ ସଂଶୋଧନ ଏବଂ ଖଣି, ଭୂତତ୍ତ୍ୱ ସେବା ନିର୍ଦ୍ଦେଶାଳୟର ୫ଟି କ୍ୟାଡର ନିଯୁକ୍ତିରେ ସଂଶୋଧନ ସଂପର୍କିତ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି।

Odisha Teacher Naveen Patnaik Cabinet