ଗବେଷଣାରେ ଦାରିଦ୍ର୍ୟ ହଟେ!

ଦେବେନ୍ଦ୍ର ପୃଷ୍ଟି ଦାରିଦ୍ର୍ୟ ହେଉଛି ହିଂସାର ନିକୃଷ୍ଟତମ ରୂପ। – ମହାତ୍ମା ଗାନ୍ଧୀ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ଅବସରରେ ଭାରତୀୟ ସମ୍ବିଧାନର ମୁଖବନ୍ଧ ବା ପ୍ରିୟେମ୍ବଲ୍‌ରେ ‘ଅହିଂସା’ ଶବ୍ଦ ଯୋଡ଼ିବାକୁ ପ୍ରସ୍ତାବ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଭଳି ପ୍ରସ୍ତାବ ଦେଇ ସେ ନିଜକୁ ମହାତ୍ମା ଗାନ୍ଧୀଙ୍କର ଜଣେ ଦୃଢ଼ ପ୍ରଶଂସକ ତାଙ୍କର ଅନୁଗାମୀ ଭାବେ ଉପସ୍ଥାପିତ କରିବାକୁ ପ୍ରୟାସ କରିଥିଲେ। ତାଙ୍କ ଉଦ୍ଦେଶ୍ୟ ମଧ୍ୟ ଚରିତାର୍ଥ ହେଲା। କିନ୍ତୁ ମହାତ୍ମା ଗାନ୍ଧୀଙ୍କର ଉପରୋକ୍ତ […]

mouu

Debendra Prusty
  • Published: Friday, 01 November 2019
  • , Updated: 01 November 2019, 06:59 PM IST

ଦେବେନ୍ଦ୍ର ପୃଷ୍ଟି

ଦାରିଦ୍ର୍ୟ ହେଉଛି ହିଂସାର ନିକୃଷ୍ଟତମ ରୂପ। - ମହାତ୍ମା ଗାନ୍ଧୀ

ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ଅବସରରେ ଭାରତୀୟ ସମ୍ବିଧାନର ମୁଖବନ୍ଧ ବା ପ୍ରିୟେମ୍ବଲ୍‌ରେ ‘ଅହିଂସା’ ଶବ୍ଦ ଯୋଡ଼ିବାକୁ ପ୍ରସ୍ତାବ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଭଳି ପ୍ରସ୍ତାବ ଦେଇ ସେ ନିଜକୁ ମହାତ୍ମା ଗାନ୍ଧୀଙ୍କର ଜଣେ ଦୃଢ଼ ପ୍ରଶଂସକ ତାଙ୍କର ଅନୁଗାମୀ ଭାବେ ଉପସ୍ଥାପିତ କରିବାକୁ ପ୍ରୟାସ କରିଥିଲେ। ତାଙ୍କ ଉଦ୍ଦେଶ୍ୟ ମଧ୍ୟ ଚରିତାର୍ଥ ହେଲା। କିନ୍ତୁ ମହାତ୍ମା ଗାନ୍ଧୀଙ୍କର ଉପରୋକ୍ତ ମନ୍ତବ୍ୟ ଅନୁସାରେ ‘ଅହିଂସା’ର ଜୟଗାନ ନିମନ୍ତେ କେବଳ ଶାରୀରିକ ହିଂସା ପରିହାର କରିବାର ସଂକଳ୍ପ ନୁହେଁ ଦାରିଦ୍ର୍ୟ ଦୂର କରିବାର ସଂକଳ୍ପ ଓ ସାଧନା ମଧ୍ୟ ଆବଶ୍ୟକ। ଦାରିଦ୍ର୍ୟ ହିଁ ଅନେକ ହିଂସାର କାରଣ। ଲୋକଙ୍କୁ ଦରିଦ୍ର ରଖିବାର ଚକ୍ରାନ୍ତ, ନୀତି ବା କୌଶଳ ମଧ୍ୟ ଏକ ହିଂସା। ଏ ହିଂସା ପରିହାର ନହେଲା ଯାଏଁ ଅଥବା ଦାରିଦ୍ର୍ୟ ଦୂର ନହେଲା ଯାଏଁ ହିଂସାମୁକ୍ତ ଭାରତ ଗଠନ ସମ୍ଭବ ନୁହେଁ।

ଦାରିଦ୍ର୍ୟ ଦୂର କରିବା ଦିଗରେ ପ୍ରଥମ ଆବଶ୍ୟକତା ଶିକ୍ଷା ଓ ସ୍ୱାସ୍ଥ୍ୟ ସେବାର ସୁଦୃଢ଼ୀକରଣ। ଲୋକମାନଙ୍କୁ ଉପଯୁକ୍ତ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ଓ ସୁବିଧା ଯୋଗେଇ ଦିଆଗଲେ ସେମାନେ ନିଜେନିଜେ ନିଜର ଦାରିଦ୍ର୍ୟ ଦୂର କରିବାର ବାଟ ପାଇଯିବେ, ସରକାରଙ୍କ ଉପରେ ସେତେଟା ନିର୍ଭରଶୀଳ ହେବେ ନାହିଁ। ଉପଯୁକ୍ତ ଶିକ୍ଷା ଲୋକମାନଙ୍କୁ ନିଯୁକ୍ତିକ୍ଷମ କରିବା ସଙ୍ଗେ ସଙ୍ଗେ ରୋଜଗାରର ବିଭିନ୍ନ ବାଟ ବତେଇଦେବ। ଉପଯୁକ୍ତ ସ୍ୱାସ୍ଥ୍ୟ ସେମାନଙ୍କୁ ସେଥିପାଇଁ ଶାରୀରିକ ଭାବେ ସମର୍ଥ କରିବ। ଏ ଦୁଇଟି ବିନା କୌଣସି ସରକାରୀ ଯୋଜନା ସମାଜରୁ ଦାରିଦ୍ର୍ୟ ଦୂର କରିପାରିବ ନାହିଁ। ଲୋକମାନେ ଅଶିକ୍ଷିତ ଓ ରୁଗ୍‌ଣ ରହିଲେ ନା ସେମାନଙ୍କର ବ୍ୟକ୍ତିଗତ ଆର୍ଥିକ ସଶକ୍ତିକରଣ ସମ୍ଭବ ହେବ ତା ରାଜ୍ୟ ଓ ଦେଶର ଆର୍ଥିକ ଅଭିବୃଦ୍ଧି ସାଧିତ ହେବ।

ଓଡ଼ିଶାରେ ଏ ଦୁଇଟି ଯାକ କ୍ଷେତ୍ର ଅତ୍ୟନ୍ତ ଦୁର୍ବଳ। ଏଇ ଦୁଇଦିନ ତଳେ ଓଡ଼ିଶା ସରକାର ଘୋଷଣା କରିଛନ୍ତି ଯେ ଖୁବଶୀଘ୍ର ରାଜ୍ୟରେ ୩୨୦୦ ଡାକ୍ତର ପଦବୀ ପୂରଣ ହେବ। ଏଥିରୁ ସ୍ପଷ୍ଟ ବୁଝି ହେଉଛି ଯେ ରାଜ୍ୟରେ ଏତେ ସଂଖ୍ୟକ ଡାକ୍ତର ପଦବୀ ଖାଲି ପଡ଼ିଛି। ରାଜ୍ୟର ଗ୍ରାମାଞ୍ଚଳରେ ୮୦ ପ୍ରତିଶତ ଉପରେ ଲୋକ ବସବାସ କରନ୍ତି। ରାଜ୍ୟର ବ୍ଲକ୍‌ ସଂଖ୍ୟା ହେଉଛି ୩୧୪। ଯଦି ଏହିସବୁ ଖାଲି ପଦ ବ୍ଲକ୍‌ ସ୍ତରରେ ଥାଆନ୍ତା ତେବେ ବ୍ଲକ୍‌ ପିଛା ହାରାହାରି ୧୦ଟି ଡାକ୍ତର ପଦ ପୂରଣ ନହୋଇ ବର୍ଷ ବର୍ଷ ଧରି ପଡ଼ି ରହିଛି ବୋଲି ବୁଝିବାକୁ ହେବ। ଏଭଳି ଦୟନୀୟ ସ୍ଥିତିରେ ଗ୍ରାମାଞ୍ଚଳର ଲୋକମାନେ କିଭଳି ସ୍ୱାସ୍ଥ୍ୟ ସେବା ପାଉଥିବେ? ଜିଲ୍ଲା ସଦର ମହକୁମା ଓ ବଡ଼ ବଡ଼ ସହରର ସରକାରୀ ଡାକ୍ତରୀଖାନାଗୁଡ଼ିକରେ ଏସବୁ ପଦବୀ ଖାଲି ପଡ଼ିଥିଲେ ବି ତାହା ସରକାରଙ୍କ ସ୍ୱାସ୍ଥ୍ୟ ସେବାର ଦୁର୍ବଳତାକୁ ପଦାରେ ପକାଉଛି। ପୁଣି କେବଳ ଡାକ୍ତର ଅଭାବ ନୁହେଁ, ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ମଧ୍ୟ ଅନେକ ଦୁର୍ବଳ। ଏଯାଏଁ ରାଜ୍ୟର ସବୁ ବ୍ଲକ୍‌ରେ ଲୋକଙ୍କ ଆବଶ୍ୟକତା ମୁତାବକ ଉନ୍ନତ ମାନର ଡାକ୍ତରଖାନା ଖୋଲି ନାହିଁ। ରାଜଧାନୀ ଭୁବନେଶ୍ୱର ପରି ଅଳ୍ପ କେତେକ ବଡ଼ବଡ଼ ସହରରେ ଆପୋଲୋ, କଳିଙ୍ଗ, କେୟାର, ସମ୍‌ ଓ କିମ୍ସ ଭଳି ବଡ଼ ବଡ଼ ଘରୋଇ ଡାକ୍ତରଖାନା ଖୋଲିବା ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବିକାଶର ଆବୁ ଫଳିବା ସହିତ ସମାନ। ଏସବୁ ଡାକ୍ତରଖାନାରୁ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଗ୍ରହଣ କରିବା ପାଇଁ ସାଧାରଣ ଗରୀବ ଲୋକମାନେ ଆର୍ଥିକ ଦୃଷ୍ଟିରୁ ଅସମର୍ଥ। ଅଧିକନ୍ତୁ ଏଭଳି ଡାକ୍ତରଖାନା ସବୁ ସମାଜରେ ଧନୀ-ଗରୀବ ତାରତମ୍ୟ ବୃଦ୍ଧିର ଅନ୍ୟତମ କାରଣ ହୋଇଥାଏ। ଧନୀ ଲୋକ ଅଧିକ ଟଙ୍କା ଖର୍ଚ୍ଚ ଅଧିକ ଆୟ କରିବାକୁ ନିଜକୁ ସୁସ୍ଥ ଓ ସମର୍ଥ ରଖେ, ଗରୀବ ଲୋକ ତାହା ପାରେ ନାହିଁ।

ଠିକ ସେହିପରି ଶିକ୍ଷା। ଏହା ସରକାରଙ୍କର ଏକ ମୌଳିକ ସେବା। ଲୋକମାନଙ୍କର ଜୀବନଧାରଣର ମାନ ଉନ୍ନତ କରିବାକୁ ଶିକ୍ଷା ଏକ ମୌଳିକ ଆବଶ୍ୟକତା, ବିକାଶ ଓ ସମୃଦ୍ଧିର ପ୍ରଥମ ସର୍ତ୍ତ। ଅଥଚ ଓଡ଼ିଶାର ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ। ରାଜ୍ୟର ୫୦ ହଜାର ଗାଁରେ ୫୦ ହଜାର ଉନ୍ନତ ମାତର ସ୍କୁଲ ନାହିଁ। ସ୍କୁଲ ପାଠ୍ୟକ୍ରମ ମଧ୍ୟ ଆଧୁନିକ ଯୁଗ ଅନୁଯାୟୀ ଉନ୍ନତ ନୁହେଁ। ଯାହା ବି ଯେଉଁଠି ସ୍କୁଲ ଅଛି ସେଠି ବର୍ଷର ଅଧିକାଂଶ ସମୟ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନଥାନ୍ତି। ଖୋଦ ସରକାରଙ୍କ ଘୋଷଣା ଅନୁସାରେ ରାଜ୍ୟରେ ୩୦ ହଜାର ଉପରେ ଶିକ୍ଷକ ପଦବୀ ଖାଲି। ଶିକ୍ଷା ସହାୟକମାନଙ୍କୁ ଶିକ୍ଷକ ଭାବେ ଗଣନା କରି ସରକାର ପଦବୀ ପୂରଣ କରିବାର କୌଶଳ ଅବଲମ୍ବନ କରିଛନ୍ତି ସତ, ମାତ୍ର ତଦ୍ୱାରା ପିଲାମାନଙ୍କୁ ଉପଯୁକ୍ତ ଶିକ୍ଷା ମିଳେ ନାହିଁ। ରାଜ୍ୟର ଅଧିକାଂଶ ଶିକ୍ଷକ ସରକାରୀ ଅବହେଳାର ଶିକାର ହେଉଥିବା ଅଭିଯୋଗ କରି ବର୍ଷର ଅଧିକାଂଶ ସମୟ ଧାରଣା ଓ ବିକ୍ଷୋଭରେ ସମୟ ଦିଅନ୍ତି, ପାଠପଢ଼ା ପଛକୁ ରଖି। ସ୍କୁଲ ଓ ଶିକ୍ଷକ ଥିଲେ ବି ସରକାର ଠିକ ସମୟରେ ପାଠ୍ୟ ପୁସ୍ତକ ଯୋଗାଇ ପାରନ୍ତି ନାହିଁ। ବହୁ ଅଭିଯୋଗ ପରେ ପାଠ୍ୟ ବର୍ଷର ଶେଷ ଆଡ଼କୁ କେତେକ ସ୍କୁଲରେ ପାଠ୍ୟ ପୁସ୍ତକ ପହଂଚେ। ପରୀକ୍ଷା ପୂର୍ବରୁ ବହି ପାଇଲେ ବି ପିଲା କେତେ ସମୟ ପଢ଼ି, କେତେ ସମୟ ପରୀକ୍ଷା ଦେବ, କି ଉତ୍ତର ଲେଖିବ?

ଯେଉଁଠି ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ଦୁର୍ବଳ ସେଠି ଉଚ୍ଚଶିକ୍ଷା କ୍ଷେତ୍ରରେ ଘରୋଇ କଲେଜ ଓ ବିଶ୍ୱବିଦ୍ୟାଳୟ ସଂଖ୍ୟା ବଢ଼େଇଲେ ପଢ଼ିବ କିଏ? ରାଜ୍ୟର କେତେ ଗରୀବ ଅଭିଭାବକ ସେମାନଙ୍କ ପିଲାମାନଙ୍କୁ ଘରୋଇ ସ୍କୁଲରେ ଉଚ୍ଚ ଫି ଦେଇ ପଢ଼େଇବାର ସାମର୍ଥ୍ୟ ରଖିଛନ୍ତି? ସହରରେ ପବ୍ଲିକ୍‌ ସ୍କୁଲ୍‌ ନାମରେ ଖୋଲିଥିବା ପ୍ରାଇଭେଟ୍‌ ସ୍କୁଲରେ ଅପେକ୍ଷାକୃତ ଉନ୍ନତ ମାନର ଶିକ୍ଷା ସେବା ମିଳେ। ତାହାର ଫାଇଦା ନେଉଥିବା ମଧ୍ୟବିତ୍ତ ଓ ଧନୀ ଶ୍ରେଣୀର ଲୋକମାନଙ୍କ ପିଲାମାନେ ହିଁ ନିଯୁକ୍ତି ଓ ରୋଜଗାର ଦୁନିଆଁରେ ପ୍ରତିଯୋଗୀ ହେବାର ସାମର୍ଥ୍ୟ ହାସଲ କରିଥାନ୍ତି। ସରକାରୀ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟରେ ପାଠ ପଢ଼ିଥିବା ପିଲାମାନେ ଘରୋଇ ଉଚ୍ଚ ଶିକ୍ଷା ଅନୁଷ୍ଠାନରେ ପ୍ରବେଶ କରିପାରନ୍ତି ନାହିଁ। ସରକାରୀ ଉଚ୍ଚ ଶିକ୍ଷା ଅନୁଷ୍ଠାନରେ ପଢ଼ିବା ସୁଯୋଗ ପାଇଲେ ମଧ୍ୟ ସେମାନଙ୍କ ପାଇଁ ସରକାରୀ ଓ ବେସରକାରୀ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ମିଳେ ନାହିଁ। ଆଜିକାଲି ସରକାରୀ କ୍ଷେତ୍ରରେ ନିଯୁକ୍ତି ସୁଯୋଗ କମୁଛି। ବେସରକାରୀ କ୍ଷେତ୍ରରେ ବଢ଼ୁଛି। ମାତ୍ର ସେଥିପାଇଁ ଉନ୍ନତ ଦକ୍ଷତା ଆବଶ୍ୟକ। ଉନ୍ନତ ଦକ୍ଷତା ମଧ୍ୟରେ କମ୍ୟୁନିକେସନ ସ୍କିଲ୍‌ ବା ସଂଚାର ସାମର୍ଥ୍ୟ, ପ୍ରଯୁକ୍ତି ଜ୍ଞାନ, ସାଧାରଣ ଜ୍ଞାନ, ପାଠ୍ୟ ଜ୍ଞାନ ସହିତ ବୃତ୍ତିଗତ ତାଲିମ ଆଦି ଅନ୍ତର୍ଭୁକ୍ତ। ସାଧାରଣ ଗରୀବ ଘରର ପିଲାମାନେ ସାଧାରଣତଃ ଏସବୁ ଦକ୍ଷତା ହାସଲ କରିବାକୁ ଅସମର୍ଥ। ତେଣୁ ସେମାନେ ପରିସ୍ଥିତି ବାଧ୍ୟରେ ପଛୁଆ ରହନ୍ତି।

ଆମେରିକାର ୩୨ତମ ରାଷ୍ଟ୍ରପତି ଫ୍ରାଙ୍କଲିନ୍‌ ଡି. ରୁଜଭେଲ୍ଟ କହିଥିଲେ, ଧନୀଙ୍କ ପ୍ରାଚୁର୍ଯ୍ୟ ବଢ଼େଇବା ଆମ ପ୍ରଗତିର ପରୀକ୍ଷା ନୁହେଁ, ଗରୀବଙ୍କ ପାଇଁ ଯଥେଷ୍ଟ ବନ୍ଦୋବସ୍ତ କରିବା ହେଉଛି ପ୍ରଗତି। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକଥା ଜାଣନ୍ତି କି ନାହିଁ ଜଣାନାହିଁ, ମାତ୍ର ତାଙ୍କର ୨୦ ବର୍ଷର ଶାସନ କାଳ ମଧ୍ୟରେ ଗରୀବଙ୍କ ଦକ୍ଷତା ଓ ଯୋଗ୍ୟତା ବୃଦ୍ଧି ଦିଗରେ ଯେତେ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି ତା’ଠାରୁ ଢେର ଗୁଣ ଅଧିକ ଧନୀ ଲୋକଙ୍କ ଆୟବୃଦ୍ଧିର ଯୋଜନା ହୋଇଛି। ଖଣି ଖାଦାନ ଲୁଟ୍‌ପାଟ୍‌, ଜଙ୍ଗଲ ଧ୍ୱଂସ ଆଦି ଜରିଆରେ ତ୍ୱରାନ୍ୱିତ ହେଉଥିବା ଶିଳ୍ପାୟନ ଓ ସହରାୟନ ପ୍ରଭାବରେ ଯଦି ଦାରିଦ୍ର୍ୟ ହଟୁଥାନ୍ତା ତେବେ ଆଜି ଓଡ଼ିଶାର ୩୩ ପ୍ରତିଶତ ଲୋକ ଦରିଦ୍ର ନଥାନ୍ତେ। ସରକାରଙ୍କ ସହରାୟନ ଓ ଶିଳ୍ପାୟନ ନିଶା କତିପୟ ଧନୀ ଓ ମଧ୍ୟବିତ୍ତଙ୍କ ପାଇଁ ଅଧିକ ଧନୀ ହେବାର ସୁଯୋଗ ଓ ସୁବିଧା ସୃଷ୍ଟି କରିଛି। ରାଜ୍ୟରେ ପୂର୍ବ ପରି ଗଲା ୨୦ ବର୍ଷରେ ମଧ୍ୟ ଧନୀ ଅଧିକ ସଂପତ୍ତି ଆହରଣ କରିଥିଲାବେଳେ ଦରିଦ୍ର ସଂପତ୍ତିବାଡ଼ି ହରେଇ ସରକାରଙ୍କ ଉପରେ ନିର୍ଭରଶୀଳ ହୋଇଯାଇଛି। ସେଥିପାଇଁ ଏବେ ରାଜ୍ୟର ୪.୫ କୋଟିରୁ ୩.୫ କୋଟି ଲୋକ ଟଙ୍କିକିଆ ଚାଉଳର ଉପଭୋକ୍ତା, ୪୦ ଲକ୍ଷ ଉପରେ ସାମାଜିକ ଭତ୍ତାର ହିତାଧିକାରୀ, ସ୍ୱୟଂସହାୟକ ଗୋଷ୍ଠୀ ସଦସ୍ୟ ଭାବେ ୬୦ ଲକ୍ଷ ମହିଳା ବର୍ଷକୁ ୫-୧୦ ହଜାର ଟଙ୍କା ପାଇଁ ରାଜନୀତିକ ନିଷ୍ପତ୍ତି ନେବାର ସ୍ୱାଧୀନତା ହରେଇଛନ୍ତି।

ଏଭଳି ସ୍ଥଳେ ରାଜ୍ୟରୁ ଦାରିଦ୍ର୍ୟ ଦୂର କରିବାକୁ ନବୀନବାବୁଙ୍କ ସରକାର ଅର୍ଥନୀତି ପାଇଁ ଚଳିତ ବର୍ଷର ନୋବେଲ୍‌ ବିଜେତା ଅଭିଜିତ ବାନାର୍ଜୀଙ୍କ ପ୍ରତିଷ୍ଠିତ ଅବ୍ଦୁଲ ଲତିଫ ଜମିଲ ପଭର୍ଟି ଆକ୍ସନ୍‌ ଲ୍ୟାବ୍‌ ବା ଜେ-ପାଲ୍‌ ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। ଏହି ବୁଝାମଣାର ଉଦ୍ଦେଶ୍ୟ ହେଉଛି ଓଡ଼ିଶାରେ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମ ପାଇଁ ଜେ-ପାଲ୍‌ ଗବେଷଣା ସହାୟତା ଯୋଗାଇଦେବ। ଏଣିକି ଗବେଷଣା ତଥ୍ୟ ଆଧାରରେ ସରକାର ଗରିବୀ ହଟାଅ କାର୍ଯ୍ୟକ୍ରମ ଗ୍ରହଣ କରିବେ। ଏଥିରୁ ମଧ୍ୟ ସ୍ପଷ୍ଟ ଯେ ସରକାର ଏଯାଏଁ ବିନା ତଥ୍ୟ ଓ ଗବେଷଣାରେ ଅନ୍ଧାରରେ ବାଡ଼ି ବୁଲେଇଲା ଭଳି ଦାରିଦ୍ର୍ୟ ବିରୋଧରେ ଲଢ଼ୁଥିଲେ। ଏହି ଦାରିଦ୍ର୍ୟ-ଗବେଷଣା ସଂସ୍ଥା ଯେଉଁ ରିପୋର୍ଟ ଦେବ ତାହା ରାଜ୍ୟର ଶିକ୍ଷା ଓ ସ୍ୱାସ୍ଥ୍ୟ ସେବାର ଅଭାବ ଦୂର କରିପାରିବ କି ନାହିଁ ତାହା ମୁଖ୍ୟମନ୍ତ୍ରୀ ଓ ତାଙ୍କର ଅମଲାତନ୍ତ୍ର ବୁଝିଛନ୍ତି କି ନାହିଁ ସନ୍ଦେହ। ସେମାନେ ଏକଥା ମଧ୍ୟ ହିସାବ କରିଛନ୍ତି କି ନାହିଁ କେଜାଣି ଯେ ରାଜ୍ୟ ସରକାର ବିଭିନ୍ନ ବାବଦରୁ ବାର୍ଷିକ ପାଉଥିବା ପ୍ରାୟ ୧ ଲକ୍ଷ କୋଟି ଟଙ୍କାକୁ ଯଦି ରାଜ୍ୟର ୪.୫ କୋଟି ଲୋକଙ୍କ ମଧ୍ୟରେ ବାଣ୍ଟି ଦିଆଯଏ ତେବେ ମୁଣ୍ଡ ପିଛା ୨୨ ହଜାର ଟଙ୍କା ହିସାବରେ ଗୋଟେ ଗୋଟେ ପରିବାର ବାର୍ଷିକ ପ୍ରାୟ ୧ ଲକ୍ଷ ଟଙ୍କା ନଗଦ ପାଇବେ। ସେଥିରେ ସେମାନଙ୍କର ଦାରିଦ୍ର୍ୟ ହଟିଯାଇ ପାରିବ। ସେଥିପାଇଁ ସରକାରଙ୍କର ଏତେ ବିଭାଗ, ଏତେ ବୁଝାମଣାପତ୍ର, ଏତେ ଗବେଷଣାର ଆବଶ୍ୟକତା କ’ଣ?

ଚୀନର ପ୍ରାଚୀନ ଦାର୍ଶନିକ କନ୍‌ଫୁସିୟସ କହିଥିଲେ, ସୁଶାସିତ ଏକ ଦେଶରେ ଦାରିଦ୍ର୍ୟ ହେଉଛି ଏକ ଲଜ୍ଜା। କୁଶାସିତ ଏକ ଦେଶରେ ସଂପତ୍ତି ହେଉଛି ଏକ ଲଜ୍ଜା। ଏଥିରୁ ଯିଏ ଯାହା ବୁଝିବା କଥା ବୁଝନ୍ତୁ। ଅଳମ୍‌ ଅତି ବିସ୍ତରେଣ।

Related story