/odisha-reporter/media/post_attachments/uploads/2022/02/Sundargarh.jpg)
Sundargarh
ସୁନ୍ଦରଗଡ଼ (ବିଜୟ ବରୁଆ): ଭୋଟ୍ ଦେବା ପାଇଁ ନେତାମାନେ ଭୋଟରଙ୍କୁ ଶପଥ ପାଠ କରାଉଛନ୍ତି। ଚଳିତ ପଞ୍ଚାୟତ ନିର୍ବାଚନରେ ବିଭିନ୍ନ ସ୍ଥାନରେ ଏହା ଦେଖିବାକୁ ମିଳିଛି। ହେଲେ ସୁନ୍ଦରଗଡ଼ ଜିଲ୍ଲାରେ ଦେଖିବାକୁ ମିଳିଛି ଓଲଟା ଚିତ୍ର। ଏଠି ପ୍ରାର୍ଥୀଙ୍କୁ ଶପଥପାଠ କରାଇଛନ୍ତି ଗାଁ ଲୋକ। ଧର୍ମଗ୍ରସ୍ଥ ଗୀତା ଓ ବାଇବେଲ୍ ଧରାଇ ନେତାଙ୍କୁ ଶପଥ ପାଠ କରାଇଛନ୍ତି ଗାଁ ଲୋକ।
ବାଲିଶଙ୍କରା ବ୍ଲକ କୁଶମୁରା ପଞ୍ଚାୟତ କାଙ୍କେରଜୁରା ଗାଁରେ ଆଜି ଗ୍ରାମସଭା ବସିଥିଲା। ସଭାରେ ଯୋଗଦେବା ପାଇଁ ପଞ୍ଚାୟତ ନିର୍ବାଚନ ମୈଦାନରେ ପ୍ରତିଦ୍ୱନ୍ଦିତା କରୁଥିବା ୮ ଜଣ ସରପଞ୍ଚ ପ୍ରାର୍ଥୀଙ୍କୁ ନିମନ୍ତ୍ରଣ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଆସିଥିଲେ ୩ ଜଣ ପ୍ରାର୍ଥୀ। ସେମାନେ କାହିଁକି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି ବୋଲି ଗାଁ ଲୋକେ ପ୍ରଥମେ ପଚାରି ଥିଲେ।
ନିର୍ବାଚନରେ ଜିତିଲେ ପଞ୍ଚାୟତ ପାଇଁ କଣ କରିବେ? ଜଣେ ପରେ ଜଣେ ପ୍ରାର୍ଥୀ ନିଜର ମତ ରଖିଥିଲେ। ଏହା ପରେ ପ୍ରାର୍ଥୀଙ୍କୁ ଶପଥ ପାଠ କରାଯାଇଥିଲେ। ପ୍ରାର୍ଥୀମାନେ ଜଣେ ପରେ ଜଣେ ଶପଥପାଠ କରି କହିଥିଲେ, “ଗାଁର ବିକାଶ କରିବି। ସରକାରଙ୍କ ସମସ୍ତ ଯୋଜନାର ଲାଭ ହିତାଧିକାରୀଙ୍କୁ ପ୍ରଦାନ କରିବି। ମୁଁ ମୋର ଧର୍ମଗ୍ରନ୍ଥ ଛୁଇଁ ଶପଥ କରୁଛି, ସରପଞ୍ଚ ଭାବରେ ଜିତିକି ଆସିଲେ ଗାଁର ବିକାଶ ପାଇଁ କାମ କରିବି।”
ଆଜି ବୈଠକରେ ଯୋଗଦେଇଥିବା ତିନି ଜଣ ପ୍ରାର୍ଥୀଙ୍କ ଭିତରୁ ଦୁଇ ଜଣ ଖ୍ରୀଷ୍ଟିଆନ୍ ସମ୍ପ୍ରଦାୟର ହୋଇଥିବାରୁ ବାଇବେଲ୍ ଛୁଇଁ ଶପଥପାଠ କରିଥିଲେ। ଅନ୍ୟ ଜଣକ ହିନ୍ଦୁ ହୋଇଥିବାରୁ ଗୀତା ଛୁଇଁ ଶପଥପାଠ କରିଥିଲେ।
ପୂର୍ବରୁ ସୁନ୍ଦରଗଡ ଜିଲ୍ଲା କୁତ୍ରା ମାଲୁପଡାରେ ପ୍ରାର୍ଥୀ ପରୀକ୍ଷା ଦେଇଥିଲେ। ସେହିପରି ହେମଗିରି ମୁଣ୍ଡରଖେତରେ ଜନମଞ୍ଚ, ମୌଖିକ ଓ ଲିଖିତ ପରୀକ୍ଷା କରାଇଥିଲା। ଏସବୁ ଘଟଣା ଦର୍ଶାଉଛି ଧୀରେ ଧୀରେ ଭୋଟର ସଚେତନ ହେଉଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
